Unknown

 

 

 

 

 

 

 

 

 

 

ଆଉ ଟିକିଏ ହସ

ଶ୍ରୀ ବାସୁଦେବ ତ୍ରିପାଠୀ

 

ନିଜକଥା : —

 

ଜଞ୍ଜାଳ–ଜଳା ଦୁଇଟି ଜୀବନର ଲହୁଲୁହ ହସର ପିଆଲାରେ ପରଷି ଦେଇଚି ।

 

ଯଦି ହସି ହସି ତାଙ୍କ ପାଇଁ ଦୁଇଟୋପା ଲୁହ ଝରାନ୍ତି, ତେବେ ସେହି ହେବ ମୋର ସାଫଲ୍ୟ ।

 

ମୋର ବିଶ୍ଵାସ…ଏହି ପୂର୍ଣ୍ଣାଙ୍ଗ ପ୍ରଥମ ଗଦ୍ୟ ରଚନାଟିରେ ନିଶ୍ଚୟ କିଛି ସ୍ଵତନ୍ତ୍ରତା ରହିଚି-

 

ଏଇଟି ବଡ଼ ଗଳ୍ପ କି ଉପନ୍ୟାସ କିମ୍ବା ଆଉ କିଛି ଦେଉଳର ଫୂଜାଫୁଲ କି ରାସ୍ତା କଡ଼ର ଆବର୍ଜନା ତାହା ପାଠକ ଏବଂ ସମଲୋଚକଙ୍କ ବିଚାର୍ଯ୍ୟ ।

 

ଯଦି ଭବିଷ୍ୟତରେ କେବେ ସୁଯୋଗ ମିଳେ ଏଥିରେ କେତେକ ଛପିଲା ଭୁଲକୁ ସଜାଡ଼ିଦେବି ।

 

ଏତିକିରେ ରହିଲି—

 

ବାସୁଦେବ ପାଠୀ

ପୁରୀ, ତା ୧୦-୦୯-୬୬

Image

 

 

 

 

 

 

 

 

 

ଯାହାର ଭଲ ପାଇବା ଭୁଲି ହୁଏନା

ସେଇ ଗୋସେଇଁ ମା’ର

ପବିତ୍ର ସ୍ମୃତିରେ

ଏଇଟି ମୋର ଭକ୍ତି ଅର୍ଘ୍ୟ ।

 

“ଇସ୍ !”

 

ଆଡ଼ ଚାହାଁଣୀ ହାଣି ଲମ୍ବର ଓଢ଼ଣାଟା ଟାଣିଟୁଣି ଗୋଟାଏ କଣକୁ କାଣୀ ବିଲେଇ ପରି ସିଏ ଆଉଜିଗଲେ ।

 

“କି କଲ, କି କଲ ପ୍ରିୟେ ! ଆସୁ ଆସୁ ଆଗ ଆଗ୍‍ମାର୍କା ଘିଅଦୀପଟାକୁ ଲିଭେଇଦେଇ ଅନ୍ଧାର ଲିପି ପକେଇଲ !”

 

ଫିକ୍…................

 

“ବୁଝିଲ, ତମ ହସମୁକୁତା ଦେଖିବନି ବୋଲି ବିଜୁଳିବତୀ ଆଜି ମନକୁ ମନ ଲୁଚିଯାଇଛି-। ତମେ ଆସିବ, ଘରକୁ ଆଲୁଅ କରିବ ନା, ସେଥିପାଇଁ... ।”

 

ପେନ୍ଥାଏ ଚନ୍ଦନଚପା ଅଗରବତୀର ଦିକି ଦିକି ନିଆଁରେ କାଚକଣ୍ଠି ପରି ଆଖି ଦିଇଟା ତାଙ୍କର ସତେ ଯେମିତି ଜଳି ଉଠିଲା ନିମିଷକ ପାଇଁ । କମାରଶାଳର ହାପୁ ପରି ପତା ଦିଇଟା ଖାଲି ପଡ଼ିଲା ଉଠିଲା । ବସିଲା ନାକର ସରୁ ପୁଡ଼ା ଦିଇଟା ଫୁଲେଇ ଦେଇ ରହିରହିକା ବାହାରିଆସିଲା ପୁଳାଏ ଗରମ ପବନ ।

 

“କିଓ; ଆସ, ଏମିତି ବିରାଗିଣୀ ପରି କାଇଁକି ହଉଚ ? ଟିକିଏ ରାଗିଣୀ ଛାଡ଼ । “

 

ରାଗ ଲାଗି ଲାଗି ଆସୁଚି । ମରିଚ ରାଗ ନୁହେଁ, ମହୁଆ ରାଗ । ତେନ୍ତୁଳି ଖଟାରେ ଗୁଡ଼ ମିଶିଲା ପରି ଲାଜୁଆ ମୁହଁରେ ହସ ପୁଳାଏ ନେସି ହେଇଆସୁଚି । ଖଟାର ସିନା ନାଆଁ, ରାଗର ସିନା ଗାଆଁ; ହେଲେ ମିଠାର ରାଜୁତି । କିଟିମିଟିଆ ଅନ୍ଧାର ଫିକା ହେଇଆସିଲାଣି । ଅଣ୍ଡାଳିବା ବେଳ ଯାଇ ଉଣ୍ଡିବା ବେଳ ! ଦିହେଁଯାକ ଚୁପଚାପ୍ । ଜଣେ ଲାଜ ଭୟରେ ଜଡ଼ସଡ଼ ହେଇ କଣକୁ ପଶି ପଶି ଗଲାବେଳକୁ ଆଉ ଜଣେ ଓର ଉଣ୍ଡି ପାହୁଣ୍ଡ ପକେଇ ପାଖକୁ ପାଖ ଲାଗିଆସୁଚି ପୋଷା କୁକୁର ପରି ।

 

“ହଉ ଆସ, ମତେ ଏତେଗୁଡ଼ାଏ ଭଲ ଲାଗେନି । ବିଜୁଳି କମ୍ପାନି ତ ପ୍ରଶସ୍ତ ସୁଯୋଗ ଦେଇଚି—କଣ କହୁଚ ?”

 

ଚଉଠି ରାତିର ନୂଆବୋହୁ । ସିଏ ଗୋଟେ କହିବ କଣ ? କହିଆସିଲାବେଳକୁ ତଣ୍ଟିରେ ଅଟକି ଯାଉଥିବ । ଶଙ୍ଖି ସିନା ସଲସଲ ହେଉଥିବ—ପାଟି ଫିଟିବନି—ଖାଲି ଯାହା ବଲବଲ କରି ଅନେଇଁଥିବ । ଭାଷା ତାର ଆଖିରେ, ଭାବ ତାର ମନରେ ଆଉ ପ୍ରକାଶ ତାର ରୂପରେ । ଏଇଆକୁ ନେଇ ସେ ତାର ଜୀବନ ସଉଦା କରିବ । ପ୍ରିୟତମର ପହିଲି ପରଶରେ ସେ ଆତ୍ମହରା ହୋଇଉଠିବ । ସେ ଭଲ ହଉ କି ମନ୍ଦ ହଉ, କଣା କୁଜା, କଳା କୋତରା ଯାହା ହଉ, ସେଇ କେବଳ ତା’ର । ଏକାନ୍ତଭାବରେ ସେଇ କେବଳ ତାକୁ ନିଜର କରିବ । କାହାର ଆଖି ପଡ଼ିବାକୁ ସିଏ ଆଉ ଏଣିକି ଦବନି । ଆଖିର ଛାଇ ତଳେ ପଣତର ଉହାଡ଼ରେ ତାକୁ ଆଉ ତାର ପ୍ରତିରୂପକୁ ସେ ସ୍ନେହ ଆଦର ମମତା ଦେଇ ମଣିଷ କରିବ । ଅନାବନା ଚିନ୍ତାର ଅଡ଼ୁଆ ଖିଅ ନେଇ ସେ ଧନ୍ଦି ହଉଥିଲା ।

 

“ଧେତ୍, କରେଣ୍ଟ ଲାଗିଲା କିଓ ?” କଙ୍କଡ଼ାବିଛା ନାହୁଡ଼ ମାରିଲାପରି ହାତଟାକୁ ହଠାତ୍ ପକେଟସ୍ଥ କରୁ କରୁ କହିଉଠିଲେ ରମଣୀବାବୁ—ଆମର ଏଇ ଚଉଠି ରାତିର ଚଉଡ଼ାଛାତିଆ ନାୟକ ।

 

ଆଉ ତେଣେ ନାୟିକା ପ୍ରିୟମ୍ବଦା—ପ୍ରିୟ ଅପ୍ରିୟ କିଛି ହେଲେ କହି ନ ପାରି ଶଙ୍କିଯାଉଥିଲେ ବେଳକୁବେଳ ।

 

ଚମକ ଲଗାଇ ବିଜୁଳିବତୀ ଜଳିଉଠିଲା । ତମ୍ବାତାରରେ ତା’ର ଅତନୁ କାୟା ପୁଣି ବାନ୍ଧି ହୋଇଗଲା । ଚମକର ଆବେଗ କଟିଗଲାଣି । ମିଆଁ ବିବି ଦିହେଁଯାକ ଦୁହିଙ୍କୁ ଥରଟିଏ ଲେଖାଏଁ ଅନାଇଁନେଲେ ଅଜାଣତ ଭାବରେ । ଆଖିରେ ଆଖି ମିଶିଗଲା । ଅନ୍ଧାର ଘର ଆଲୁଅ ହେଇଗଲା-। ବାସର ଦୀପରୁ ଉଠୁଥିଲା ଚକାଚକା ଧୂଆଁର ଘେର ।

 

ରମଣୀବାବୁ ପୁଣି ଆଦର କରିବାକୁ ଆଗେଇଗଲେ ପୋଡ଼ା ନଡ଼ିଆପୁଳାକ ହାତରେ ଧରି । ଏଥର ପଉଷର କାକରଭିଜା ପାତି ପାରି ଆଣ୍ଠୁ ସନ୍ଧିରେ ମୁହଁ ଲୁଚାଇ ନଥ୍ କରି ବସିପଡ଼ିଲେ ପ୍ରିୟମ୍ବଦା । ଥର ଥର ହେଇ ଶିହରି ଉଠୁଥିଲେ ସିଏ ।

 

ଆଉ ଅପେକ୍ଷା କରିପାରିଲେନି ରମଣୀବାବୁ । ଥରିଲା ଦିହଟାକୁ ଉଷୁମ କରିବାକୁ ଦୁଇ ହାତରେ ଜାକିଜୁକି ଫୁଲଫୋପଡ଼ା ମାଳପକା ନୂଆ ଖଟର କଅଁଳିଆ ଶେଯ ଉପରେ ତାଙ୍କୁ କାଚ କୁଣ୍ଢେଇ ପରି ଥିରିକରି ବସେଇଦେଲେ । ନିରାଟ ସତ କହିବାକୁ ଗଲେ ତା’ପରେ ବିରାଟ କସରତ କରି ଭିଡ଼ି ଓଟାର କେବଳ ମୁଣ୍ଡରୁ ଓଢ଼ଣୀଟି ମାତ୍ର ଖସେଇବାକୁ ସିଏ ସମର୍ଥ ହେଲେ । ପତଳା ମଲମଲ ଶାଢ଼ିଟାଏ ହେଲେ ପିନ୍ଧିଥାଆନ୍ତେ ଭଲ !

 

ପ୍ରକୃତରେ ପ୍ରିୟମ୍ଵଦା ସୁନ୍ଦର । ତାଙ୍କର ଗହମ ରଙ୍ଗ, ପୂରିଲା ମୁହଁ, ଥରିଲା ଓଠ, ନାଚିଲା ଭୁରୁ, ବୁଜିଲା ଆଖି—ସବୁ ସତରେ ସୁନ୍ଦର, ମନୋରମ । କପାଳର ସରୁ ଚନ୍ଦନ ଟିପା ଆଉ ସିନ୍ଦୁର ଟୋପା ସାଙ୍ଗରେ ମୋତି ମାଣିକ ପରି ଝଟକି ଉଠୁଥିଲା ଚକା ଚକା ଝାଳବୁନ୍ଦା କେଇଟା ।

 

ସିଲ୍‍କ ପଞ୍ଜାବୀ ପକେଟରୁ କାନ୍ତା ସେଣ୍ଟ୍‍ ଦିଆ ରୁମାଲ ଖଣ୍ଡିକ ଧୀରେ ବାହାର କରି ରମଣୀବାବୁ ପତ୍ନୀସେବା କରିବାରେ ଲାଗିଗଲେ । ସୁନ୍ଦର ମୁହଁ ଅସୁନ୍ଦର ହେଇଗଲା । ନୂଆ ରନ୍ଧାଳୀ ପରି ସିନ୍ଦୁର କଜଳ ନେସିହେଇଗଲା ମୁହଁଗୋଟାକ । ରମଣୀବାବୁ ଚିହିଁକିପଡ଼ିଲେ ।

 

“ଆହା... କି ହେଲା !”

 

ବାଲୁରା ମୁହଁର ଆଲୁରା ବାଳକେରାକୁ ସଜାଡ଼ି ଦଉଁ ଦଉଁ ତାଙ୍କ ହାତ ଆଞ୍ଚି ହେଇଗଲା ଗଭା–ମଣ୍ଡନା କିଆ ପାଖୁଡ଼ାର ସରୁ ସରୁ କଣ୍ଟା କେଇଟାରେ । ଯେତେହେଲେ ପୁରୁଷ ତ, ମାଇପିଟା ଆଗରେ ଆଞ୍ଚୁଡ଼ା କଥା କହିବେ ! ପୋଡ଼ିଲେ ପୋଡ଼ୁ ପଛକେ ଟିକିଏ ବିଞ୍ଚି ହେଇଗଲେ ଯାଏ । ନୂଆ ପୀରତି, ଭାବ ଯିମିତି—ଲୋଭ ସିମିତି, ତତଲା ଖିରୀ ଖାଇବାଠୁ ଧାପେ ଅଧିକା । ସହିବ ସିନା, କହିବ ନାଇଁ କି ନଇଁବ ନାଇଁ । ତେବେ ସିନା ଯାଇ ଗଢ଼ିବ ପ୍ରେମର ପ୍ରତୀକ କୋଣାର୍କ !

 

ତେବେ ଅକାଳରେ ଭୁଷୁଡ଼ି ନ ପଡ଼ିଲେ ରକ୍ଷା । ରାଜାର ମନ, ପ୍ରଜାର ଧନ, ଆଉ ତା ଉପରେ ବେଠି ବେଗାରୀ ସବୁ ଗୋଳିଆ ପୋଳିଆ ହୋଇ ସେଠି ପଥର ଉପରେ ପଥର ଚପା ହେଇଚି । ରମଣୀର ରୂପ, ବୀରର ବପୁ, ଚଷାର ଚାଷ, ରସିକର ରାସ, ଦେବତାର ବେଶ, ଦାନବର ରୋଷ—ସବୁ ସେମିତି ସେଠି ବିଷପିୟୂଷ ପରି ଏକାଠି ଥୁଆହେଇଚି ଠିକ୍ ଯେମିତି ଜୀବନଜଞ୍ଜାଳରେ ବିକ୍ଷୁବ୍‍ଧ ଅନ୍ତରର ଘାତପ୍ରତିଘାତର ଜ୍ଵଳନ୍ତ ପ୍ରତିଫଳନ ସିଏ । ଭାରସାମ୍ୟ ରହିପାରିଲାନି, ଭାଙ୍ଗିଗଲା ।

 

ହଁ... କ୍ଷଣଭଙ୍ଗୁର ସଂସାର । ସବୁ ଅନିତ୍ୟ, କେବଳ ଅଣୁ ହିଁ ଏକମାତ୍ର ସତ୍ୟ ! ସେଇଥିପାଇଁ ବୋଧେ ସିଏ ଅପେକ୍ଷା କରି ରହିଚି ଅଣୁରେ ପରିଣତ ହେଇ ପରମାଣୁ ଯୁଦ୍ଧ କରିବ ଗ୍ରହାନ୍ତର ସାଥିରେ । ଗ୍ରହରାଜ ସିନା ତାକୁ ଅଲୋଡ଼ା କରି ଆସନ ଛାଡ଼ି ପଳେଇଲେ; ହେଲେ, ତା’ର ପଥରବୁକୁ କେତେ ସହନ୍ତା ? ସହିବାର ତ ଗୋଟାଏ ସୀମା ଅଛି !

 

ସେଇ ସୀମାର ଶେଷ ପ୍ରାନ୍ତରେ ଥାଇ ସେମିତି ଅସହିଷ୍ଣୁ ହେଇ ଉଠୁଥିଲେ ସିଏ । ନାମ ସିନା ରମଣୀରମଣ; ହେଲେ, କଣାର ନାମ ପଦ୍ମ ଲୋଚନ କି ଖଞ୍ଜର ନାମ ଛନ୍ଦାରଣ ପରି ତାଙ୍କର କାମ ମଧ୍ୟ ଠିକ୍ ଓଲଟା ହେଇଗଲା ବୋଲି ମନେ ମନେ ନିଜକୁ ସେ ବେଶ୍ କିଛିଟା କାପୁରୁଷ ବୋଲି ମଧ୍ୟ ଭାବିବାକୁ ପଛଉ ନ ଥିଲେ ।

 

ଛାର ମାଇକିନାଆଟେ ହେଇ ଏଡ଼େ ଦିମାକ୍ ! କଥା କହିବନି ! ! ଅଲବତ୍ କହିବ । ନ କହିଲେ ଛାଡ଼ୁଚି କିଏ ? ମନେ ମନେ ରବେଇ ଖବେଇ ହଉ ହଉ ପୁଣି ଥରେ ବେହିଆଙ୍କ ପରି ଫବେଇ ହେଲେ ସିଏ ।

 

“ଆଚ୍ଛା ପ୍ରିୟେ ! ଅୟି ପ୍ରିୟମ୍ବଦେ ! ! ତମକୁ ମୁଁ କଣ ବୋଲି ଏଣିକି ଡାକିବି, କହିଲ ?”

 

ପ୍ରିୟମ୍ବଦା ଟିକିଏ ସୁଯୋଗ ପାଇ ଖସାଇ ଦିଆଯାଇଥିବା ଓଢ଼ଣାଟିକୁ ନାକ ଦିଶିଲା ପରି ସଜାଡ଼ିଦେଇ ଖଟର ଗୋଟିଏ କୋଣକୁ ଘୁଞ୍ଚିଯାଇ ସିଧା ହେଇ ବସିପଡ଼ିଲେ । ତାଙ୍କର ଭୟ ଉତୁରି ପଡ଼ିଲାଣି ଯିମିତି, ହାତେ ଲମ୍ବର ଓଢ଼ଣା ବି ଛୋଟ ହେଇଗଲାଣି ସିମିତି ।

 

“ତେବେ କିଛି କହିବିନି ? ହଉ ହେଲା, ଏଥରକ ଶେଷଥର । କଣ କିଛି କହିବି, ନା ମୁଁ ଖାଲି ପୁରୁଷସିଂହ ପରି ହେଣ୍ଟାଳି ପକାଉଥିବି ?”

 

ତଥାପି ବି ଉତ୍ତର ମିଳିଲାନି । ବିବଶ ରମଣୀବାବୁ ବିବ୍ରତ ହେଇଉଠିଲେ । ବିରକ୍ତରେ ଦେହରୁ ପଞ୍ଜାବୀଟା କାଢ଼ୁ କାଢ଼ୁ ଦରଜୀଙ୍କ ଅଦୟାରୁ କାଜ ହେଇ ନଥିବା ବୋତାମ ଘରଟା ଟିକିଏ ବଡ଼ ହେଇଗଲା । ଅବଶ୍ୟ ଚିରିଗଲା ବୋଲି କହି ହବନି—କାରଣ ନୂଆ ପଞ୍ଜାବୀଟା ଚିରି ଯିବନି ତ, ଫାଟିଯାଇଥିବ ଟିକିଏ ! ସିଏ ଯାହା ହଉ, ଫଟା ମନ ନେଇ ପଞ୍ଜାବୀଟାକୁ ଆଲ୍‍ନା ଉପରକୁ ଫୋପାଡ଼ିଦେଇ ଫଟାଫଟ୍ ଖଟ ଉପରେ ପିଟି ହେଇ ପଡ଼ିଲେ । ଅଣନିଶ୍ଵାସୀ ଅଣସ୍ତୁରୀ କିଲୋ ଓଜନଦାର ଦିହଟାର ଭାର ସମ୍ଭାଳି ନ ପାରି ନୂଆ ଖଟଟା କେଁ କଟର କରି ତ୍ରାହି ତ୍ରାହି ଡାକ ପକେଇଲା । ଖାପଗୁଡ଼ାକ ଖପିଗଲା ଭଲ ହେଇ । ଯାହା ହଉ, ସେଇତକ ଲାଭ ହେଲା ।

 

ଫୋଟକାରେ ନିଆଁ ଧରିଚି । ଗର୍ଭଟା ଉକୁଚେଇ ହଉଚି । ଛଟପଟ ବି ଲାଗୁଚି । ଗୋଡ଼ହାତରୁ ବେଙ୍ଗା ବାହାରିବାର ଉପକ୍ରମ ହେଲାଣି । ବାରୁଦମୁଣି, ଜଳନ୍ତା ନିଆଁ, ଧୂଆଁ ଆଉ କେତେ ରଖିବ ! ଠୋ କରି ଫାଟିଗଲା ।

 

“ଓଃ... ହୋ...”

 

ଗୋଟାଏ ଫୁତ୍‍କାରରେ ଦିହମନରେ ସବୁତକ ରାଗରୋଷ ଉଝାଳି ପକେଇ ଚାରିକାତ ମେଲେଇ ଚିତ୍ ହେଇ ଶୋଇ ମନକୁ ମନ ଆଶ୍ଵସ୍ତ ହେବାକୁ ଲାଗିଲେ ରମଣୀବାବୁ—ଦେବୀ ନଈ ପଠାର ପେଟା ଘଡ଼ିଆଳ ପରି ।

 

ହାତୀ ନୂଆ ଧରାହେଲେ କୁଆଡ଼େ ଏମିତି ହୁଅନ୍ତି । ଇଏ ତ ସହଜେ ଧଳା ହାତୀ—ଅମୂଲ ମୂଲ—ଖୋଜିଲେ ମିଳିବନି । ମିଳିଚି ଯେତେବେଳେ, ଆଉ ମଣ ନହବ କେତେକେ ! ସେଇତକ ଅପେକ୍ଷା କରିବାର ଧୈର୍ଯ୍ୟ ସଜାଡ଼ି ମନେ ମନେ ତଉଲି ଲାଗିଥିଲେ ସିଏ ।

 

ହେଲେ, ତଉଲ ଆଉ ସମତୁଲ ହଉଚି କୋଉଠି ! ହାଉଳିଖିଆ ମନ ପଲା ଉପରେ ବଉଳି ଖାଉଚି । କଣ୍ଟା ଏପଟ ସେପଟ କଣ୍ଟି ଲାଗିଚି । ଆଣ୍ଟ ସରିଆସୁଚି । କଣ୍ଟବେଳ ଗଡ଼ିଯାଉଚି-। ପାଖ ଦେଉଳରେ ଆଉ ଟିକକେ ଘଣ୍ଟ ବାଜିବ ।

 

ରାତିକ ପାହିଗଲେ ଗଲା ! ଏକଫଳୀ ଗଛର ବହୁ ତପସ୍ୟାର ଫଳ କଢ଼ ନ ଧରୁଣୁ ମଉଳି ପଡ଼ିବ । ସଜଫୁଲର ସାଜ ବାସି ହେଇ ମାଛ ବଜବଜ ହେଇଯିବ । ଏଇଆ କଣ ଶେଷକୁ ବିଧାତା-ପୁରୁଷ କପାଳରେ ବେଖାପ କରି ଲିହି ଦେଇଥିଲା ? ହାୟ ! ହାୟ !! ଆହୁରି କେତେ କ’ଣ ଅଛି କେଜାଣି !!!

 

ଭାବନାଭାରରେ ରୁନ୍ଧି ହେଇଗଲେ ରମଣୀବାବୁ । ଚାରି କାନ୍ଥର ସନ୍ଧି ଭିତରୁ ଅଗରବତୀର ଗନ୍ଧ ଉଡ଼ିଗଲାଣି । ପାହାନ୍ତି ପହରର ମନ୍ଦ ମନ୍ଦ ପବନ ଛନ୍ଦ ତୋଳୁଚି ବନ୍ଦ ବନ୍ଦ ହେଇ–ଆସୁଥିବା ଆଖିପତା ଉପରେ । କଡ଼ ଲେଉଟେଇ ଶୋଇବାକୁ ଚେଷ୍ଟା କଲେ ରମଣୀବାବୁ-

 

ହଠାତ୍ କୁଜି ଅସରପାର କୁତ୍‍କୁତିଆଁ ପରଶରେ କନକନ ହେଇଉଠିଲେ ସେ । ନିଶ ଉଠିଆସୁଥିବା ବାଉଁଶ ଗଜା ପରି ଭୂଇଁଛୁଆଁ ମନଟା ତାଙ୍କର ଉଙ୍କି ମାରୁଚି । ପ୍ରିୟମ୍ବଦା ପଦସେବା କରିବାରେ ଲାଗିଗଲେଣି । ସଁବାଳୁଆ ପରି ଲମ୍ବ ପେଣ୍ଡା ଦିଇଟାରେ ଖଡ଼ିକା ପରି ଆଙ୍ଗୁଠିଗୁଡ଼ାକ ସଲ୍ ସଲ୍ ହଉଚି । ପ୍ରଜାପତି ଡେଣା ମେଲିଚି ଏଥର । ତାଙ୍କ ଟିପି ଟିପି ଦିହର ଥାପିଲା ରୂପଶ୍ରୀ ମିଟି ମିଟି କରି ରମଣୀବାବୁ ନିରେଖୁଥିଲେ ।

 

ଇଏ ଚିପା ନୁହେଁ, ଆଉଁସା—ଆଉଁସା ନୁହେଁ, ଆଦର—ଆଦର ନୁହେଁ, ଆବେଦନ ନୁହେଁ, ଅନୁରାଗ । ଅନେକ ହର ଗୁଣ ମିଶା ଫେଡ଼ା ପରେ ରମଣୀବାବୁଙ୍କୁ ଏତେବେଳକେ ଯାଇ ଚିପା ଓଠର ଚପିଲା କଥାର ଭାଉ ଜଣାପଡ଼ିଲା । ପଲା ସମାନ ହେଲା । ତଉଲ ସମତୁଲ ହେଲା ।

 

ହେଲେ ରମଣୀବାବୁ ପୁରୁଷ ପୁଅ—ପଉରୁଷ ଅଛି । ହାତୀକା ଦାନ୍ତ୍, ମରଦ୍‍କା ବାତ୍ । ଆଉ ସିଏ ପୁଣି ଖୋସାମତି କରିବେ ! ନା, ହୋଇପାରିବନି । ପ୍ରିୟମ୍ବଦାଙ୍କୁ ଏଥର କୈଳାସ ଯିବାକୁ ପଡ଼ିବ । ଶୈଳଜା ସାଜିବାକୁ ହେବ । ସିନେମାର ସେଇ ଯୋଉ ପଞ୍ଚପତି ଛାଡ଼ରୁଣୀ ମିସ୍ ଦ୍ରୌପଦୀ ଯିମିତି ପାର୍ବତୀ ରୋଲରେ ଷ୍ଟୁଡ଼ିଓଚାରୀ ମାଷ୍ଟର ଶମ୍ଭୁଙ୍କୁ ଗୋଲ ବୁଲେଇଦେଲେ, ସିମିତି-। ଠିକ୍ ସିମିତି ହାସ୍ୟ ଆଉ ଲାସ୍ୟର ରସରେ ତାଙ୍କୁ ବଶ କରିବାକୁ ପଡ଼ିବ । ନଚେତ୍ ଦୃଶ୍ୟ ମର୍ଡ଼ର ହେଇଯିବ । ବାକି, ଯଦି ଭାଗ୍ୟ ଜୋର ଥାଏ—ପତା ଓଲଟିଯାଏ, ତେବେ ପୁଅବାର, ପୂରା ବକ୍‍ସ, ଅଫିସ ହିଟ୍, ମାନେ ଷୋଳ’ଣା ଲାଭ ।

 

ଫିମ୍ପିକାଠିଆ ହିରୋଙ୍କ ପରି ଏଥର ରମଣୀବାବୁ ବେଶ ହୁସିଆର ହେଇ ଗଉଁ ବଢ଼ାଇବାକୁ ଲାଗିଲେ । ଫରଫର ଉଡ଼ି ଉଡ଼ି ଝଡ଼ି ଝଡ଼ି ଯାଉଥିବା ଆମେରିକାନ୍ ଅଲବର୍ଟ ଭାଙ୍ଗ ଉପରେ ଆସ୍ତେ ହାତ ବୁଲାଇ ଦରଟାଙ୍ଗରା ତାତିଗଲା ତାଙ୍କ ମଥାଟାକୁ ଥାପିରେ ଥାପିଦେଲେ ଟିକିଏ । ରୁମମୂଳ ଦେଇ ମାଘମାସର ବାଘ ଭଳିଆ ଶୀତରୁ ପୁଳାଏ ପଶିଗଲା । ଏତେବେଳେ ଯାଇ ରମଣୀବାବୁଙ୍କ ଦିହରେ ଶିହରଣ ଖେଳିଲା । ଟାଇଁ ଟାଇଁ ହେଇ ପାଞ୍ଚୁଟା ଶର ଦିହରେ ବିନ୍ଧି ହେଇଗଲା । ମିଠା ମିଠା ମହୁଲିଆ ମୋହ ତନମନ ଯଉବନ ସବୁ ଘାରି ଘୋରି ଏକାଠି କରିଦେଲା । ଶୋଷିଲା ଓଠ ଭୋକିଲା ଦିହକୁ ଆଖିମିଟିକା ମାରିଲାଣି । ଉପର ଦୁଆର ଦିଇଟା ଧଡ଼ଧାଡ଼୍‍ହେଲାଣି । ସପାନପରୀକୁ ଭିତରେ ପୂରେଇ ନିଦମାଉସୀ ପତା ଆଉଜେଇନେଲେ ।

 

ରମଣୀବାବୁ ସପନ ଦେଖିଲେ । ଛଇ ଛବି ଛବିଳା, ମା ରମା ରବର, ଚେରମରା ବାବାଜୀ—ଏମିତି କେତେ କଣ ଢିଙ୍କି ବଗ ଚକୁଳି ସବୁ ଦେଖିଲେ । ହଇ ହେ ! ଆଜିକାଲି ଗୋଡ଼ରୁ ପାଣି ନ ମଲେ କି ଦେଖା ! ମନ୍ତ୍ରୀଙ୍କ ପିଅନ ପର୍ଯ୍ୟନ୍ତ ବି ପହଞ୍ଚିପାରିବନି । ବୁଝିଲ, ଖାଲି ଉପର ତଳ ହଉ ହଉ ପେଟ ଜଳି ତଣ୍ଟି ଝୁଲି ପଡ଼ିଥିବ । ଏଥର ରମଣୀବାବୁ ସଡ଼କରୁ ସଚିବାଳୟକୁ ଉଠିଲେ; ଜନତା ଜନର୍ଦ୍ଧାନଙ୍କର ସେବା କରିବେ । ଭୋଟ ମାଗିବେନି, ଭୂଇଁ ତାଡ଼ିବେନି; ଖାଲି ନୋଟବିକଳିଆ ଅଧାପେଟିଆ ଅମଲା ହେଇ କଲମ ମାଡ଼ ଆଦେଶ ଲେଖିବେ-

 

ଭୋକ ହେଲାଣି । ଶୋଷ ବଢ଼ିଲାଣି । ରମଣୀବାବୁ ଘରମୁହାଁ ଦଉଡ଼ା ମାରିଲେ । ଗୃହଲକ୍ଷ୍ମୀଙ୍କ ଦୁଆରେ ଦଣ୍ଡବତ ପକେଇ ତୁଣ୍ଡ ମୁଣ୍ଡ ଦେଖେଇବାକୁ ଲାଗିଲେ, ଠିକ୍ ଯେମିତି କାଳିଆଭୁଆ ଜଗନ୍ନାଥେ ବରୁଣରଜାଙ୍କ ଝିଅ ଦୁଆରେ ହାଇଁ ପାଇଁ ହେଇଥିଲେ । ସୁବାସିତ ପାନୀୟ, ସୁପଚିତ ଖାଦ୍ୟ ଗୋଟାକ ପରେ ଗୋଟାଏ ଧାଡ଼ିକି ଧାଡ଼ି ମାଳକୁ ମାଳ ଗିନା ଥାଳି ଗଡ଼ୁ ଗିଲାସ ସବୁ ଥୁଆ ହେଲା । ଝରଝର ବର୍ଷାକାଳେ ବଗୁଲି ଯିମିତି ବଗୁଲାକୁ ଖାଇବାକୁ ଦିଏ, ସିମିତି-। ତଳ ପାଟି ଫଟେଇ ଲାଳଗୁଡ଼ାକ ଜିଭ ଚାରିପଟେ ବଲବଲ ହେଲାଣି । ଆଉ ଟିକକେ ଟୋପି ଝଡ଼ିବ ।

 

ଦୃଶ୍ୟ ଓଲଟିଗଲା ।

 

ପେଲବ ଦୁର୍ବାଦଳ ଶଯ୍ୟାରେ ଫୁଲେଈ ରାଧା ସକସକ ହେଇ ଗେଲେଇ ହଉଚନ୍ତି । ମନରେ ମାନ ପଶିଚି । ଦିହରେ ତାତି ଲାଗିଚି । ରମଣୀବାବୁ କଳାକାହ୍ନୁ ସାଜି କୁଞ୍ଜ ଭିତରକୁ ପଶି ଆସୁ ଆସୁ କହିଲେ, “ହଇହେ, ସବୁଗୁଡ଼ାକରେ ରାଗ ପୂରେଇଦେଲେ ?” ଆଉ ଯାଆନ୍ତି କୁଆଡ଼େ-! ଶାନ୍ତ ପରିବେଶ ଅଶାନ୍ତ ହେଇଗଲା । ଝାଡ଼େଶ୍ଵରୀ ଝାଡ଼ୁ ଉଠେଇ ଉଗ୍ରମୂର୍ତ୍ତିରେ ଉଭା ହେଲେ-

 

ବେଗ ବଦଳିଗଲା । ଶ୍ୟାମଙ୍କର ସାଉଁଳା ଦିହରେ ପାଉଁଶ ଲାଗିଲା । ଜଟାଜୁଟ ମେଲେଇ ହାତରେ ଥାଳ ଧରି ପେଟବିକଳିଆ ମାଧିଆ ଯୋଗୀ ସାଜି ଭିକ ମାଗିବାକୁ ରମଣୀବାବୁ ସଜ ହୋଇଗଲେ । ବିକଳ ଆଖି ଛଳ ଛଳ ହେଇଉଠିଲା । ପ୍ରିୟତମାର ବିରହ ବାଧା ତାଙ୍କ ସିଧା ଅଣ୍ଟାକୁ ବଙ୍କା କରିଦେଲା । ମୁଣ୍ଡପୋତା କେଳା ପରି ଖାଲି ଗାଉଁ ଗାଉଁ ହେଲେ ସିଏ । କିଏ ଦେଲା କି ନେଲା, କିଛି ଜାଣିବାର ଉପାୟ ନାହିଁ—ଭଗବାନ ଭରସା !

 

ପ୍ରିୟମ୍ବଦା ଭିକ ଦେବାକୁ ଆସିଲେ । ହେଲେ ଚିହ୍ନି ପାରିଲେ କି କଣ, ମୁହଁ ବୁଲେଇ ଦମ୍ଭ ଦେଖେଇଲେ । ଆଉ ଟିକିଏ । ରମଣୀବାବୁ ଆଉ ସମ୍ଭଳା ପଡ଼ିଲେନି । ତାଙ୍କର ଛତାବେଣ୍ଟିଆ ବେଣୀଟାକୁ ପଟାପଟ୍ ଧରି ପାଦତଳେ ଲୋଟିପଡ଼ିଲେ ।

 

ତେଣେ ପ୍ରିୟମ୍ବଦା ବି ସପନ ଦେଖୁଥିଲେ । ଆଶା ଆକାଶରେ ବିଶ୍ଵାସରେ ବଉଦ ଉପରେ ବସି ତାଙ୍କ ମନ ରକେଟ୍ ପରି ଉଡ଼ି ଯାଉଥିଲା । ତରାଫୁଲ ତୋଳି ମାଳ ଗୁନ୍ଥୁଥିଲେ ପ୍ରିୟତମର ଗଳାରେ ଗଳେଇଦେବେ । ମାଳ ସରିଆସିଲାଣି । ବେଳ ଗଡ଼ିଗଲାଣି । ଏଥର ଫାଶଟିଏ ପକେଇଦେଲେ ସାରିଲା; ଆଉ ଫିଟିବନି । ପୂର୍ବ ଦିଗରୁ ସମୟର ଘୋଡ଼ାଗାଡ଼ି ଘିଡ଼୍‍ ଘିଡ଼୍‍ ହେଇ ନାଲିଆ ଧୂଳି ଉଡ଼େଇ ଗଡ଼ିଆସୁଥିଲା ।

 

ହଠତ୍ ଚିହିଁକି ପଡ଼ିଲେ ପ୍ରିୟମ୍ବଦା । ଅଚାନକ ଝିଙ୍କାରେ ଚୁଟି ଫିଟିଗଲା–ଫାଶ ଖସିଗଲା । ଫୁଲଗୁଡ଼ାକ ଜୁଳୁଜୁଳିଆ ପୋକ ପରି ଆକାଶ ସାରା ବିଛେଇ ହେଇଗଲେ । ଇଏ କିମିତିକା ସୁଆଗ ! ବିରକ୍ତ ହେଇ ପଛକୁ ମୁହଁ ଲେଉଟାଇ ଦେଖିଲେ, ରମଣୀବାବୁଙ୍କ ହସ ହସ ଚନ୍ଦ୍ର ବଦନ ଆଖିମିଟିକା ମାରୁଚି ।

 

ପ୍ରିୟମ୍ବଦାଙ୍କ ଛାଇ ନିଦ ଛାଡ଼ିଗଲା । ସିଏଯେ କେତେବେଳେ ତାଙ୍କ ଚୁଟି ଧରି ଟାଣିଚନ୍ତି ଆଉ ମନେ ପଡ଼ୁନି । ତେଣେ ଖାଲି ତାଙ୍କ ବାଁ ହାତଟା ଚୁଟି ଉପରେ ଶିଥିଳ ହେଇ ପଡ଼ିଚି କେମିତି-। ସିଏ ଉଠି ବସିଲେ କଞ୍ଚା –ନିଦୁଆ ରଙ୍ଗ ଆଖି ଦିଇଟାକୁ ସବୁ ରଙ୍ଗ ଦିଶୁଚି । ସଜ ସକାଳ ଆସିଯିବ ଏଥର । ସଜାଡ଼ି ହେଇ ଉଠିଲେ ସିଏ । ଝାଡ଼ିଝୁଡ଼ି ହେଇ ଠିଆ ହେଲାବେଳକୁ ତଳିପେଟ ପାଖଟା ତାଙ୍କର କିମିତି ଓଜନିଆ ଲାଗିଲା । ଚମକିପଡ଼ି ହାତ ମାରି ଦେଖିଲେ, ପୋଡ଼ା ନଡ଼ିଆପୁଳାକ କାନିପଣତରେ ଅଜାଣତ ଭାବରେ ରହି ଓଜନ କରଉଚି; ଆଉ କିଛି ନୁହେଁ-

 

ହସ ହସ ମୁହଁରେ ନଡ଼ିଆ ଖଣ୍ଡକ ଧରି ତାଙ୍କ ମୁଣ୍ଡପଟକୁ ପାଦ ଚିପି ଚିପି ଆଗେଇଲେ ପ୍ରିୟମ୍ବଦା । ସପନରେ ସୁସୁପ୍ତିରେ ଘୁଡ଼ୁ ଘୁଡ଼ୁ ହେଇ ଘୁଙ୍ଗୁଡ଼ି ମାରୁଚନ୍ତି ରମଣୀବାବୁ । ଟିକିଏ ଫାଜିଲାମୀ କରିବାକୁ ମନଟା ଫୁସୁଲେଇ ହେଲା । ତାଙ୍କ ଫୁଲିଲା ନାକ ତଳର ଥରିଲା ଓଠ ମଝିରେ ସିଏ ନଡ଼ିଆଖଣ୍ଡକ ଭୁଞ୍ଜେଇଦେଲେ । ରାମଣୀବାବୁଙ୍କର ଗଞ୍ଜେଇଖିଆ ନିଦ ଖଞ୍ଜରେ ଖସିଗଲା । ନିଦୁଆ ଆଖିରେ ଭୋଦୁଅ ଖରାରେ ଚମକ ଲାଗିଲା ।

 

ଏତେବେଳକେ ପରଝିଅର ମନ ଘର ଧରିଚି । ବାସର ରାତି ଚାଲି ଆସିଲା ବେଳକୁ ମୋହ ବଳିଆସୁଚି । ସରାଗର କଢ଼ି ପାଖୁଡ଼ା ମେଲିଲାଣି । ପ୍ରିୟମ୍ବଦାଙ୍କୁ ଆଦର କରି ଆଉଜେଇନେଲେ ରମଣୀବାବୁ । ରାତିକର ସାଧନା ସଫଳ ହେଲା । ପାହାନ୍ତି କୁକୁଡ଼ା ହୁଲହୁଳି ପକଉଚି ।

 

ଦିହିଁଙ୍କର ଚମକ ଭାଙ୍ଗିଲା । ପଡ଼ିଶାଘର ଝିଅଟି ନିଦରୁ ଉଠି ବିଲାୱଲ ରାଗରେ ବିଳିବିଳେଇ ଲାଗିଚି—ପଦ ବନ୍ଦେ ଗଣନାଥ ଗୁଣାଧାର ଜୟ ହେ । ତେଣେ ତାଙ୍କ ଦିହିଁଙ୍କ ଅଘସା ପାଟିରେ ବାସି ପୋଡ଼ା ନଡ଼ିଆ ସିଠା ହେଇଗଲାଣି । ଚଉଠିରାତିର ମିଠା ସରିଗଲାଣି । ଆଉ ଭାଳିଲେ କି ହବ ! ଟିକିଏ ଆଗରୁ ସାଲିସ ହେଇଥିଲେ ତ ଆଉ କଥା ନଥିଲା !!!

 

ମନେ ମନେ ସପନର ଖିଅ ଧରି ଗୁଣିହେଲେ ରମଣୀବାବୁ । ଖୁଆ ପାଖରେ ଖୋଜିହେଲା ପରଶ ସଲ ଉଠଉଚି । ସେ କୁରୁଳି କୁରୁଳି ଧୂଆଁଟିଆ ଭୋର ଆକାଶରେ ମଲାଜହ୍ନକୁ ଚାହିଁ ପ୍ରିୟମ୍ବଦାଙ୍କର ବାସି ମୁହଁ ସାଙ୍ଗରେ ତୁଳନା କରୁଥିଲେ । ଦିଇଟାଯାକ ସମାନ । ରାତି ପାହିଆସୁଚି । ଦାଢ଼ି କମେଇ କାତି ଧରି ଛାତି ପତେଇ ଏଥର ଜୀବନସଂଗ୍ରାମକୁ ବାହାରିପଡ଼ିବାକୁ ହବ । ଆର ଘରୁ ପିଉସୀ ପୀତାମ୍ବରୀ ଦେବୀ ଓରଫ ପିତେଇ ନାମୀଙ୍କର ପାହୁଲ ଶୁଭିଲାଣି । ରମଣୀବାବୁଙ୍କ ମନ ବସି ଆସୁଥିଲା ।

 

ଏଇ ଛଟକରେ ଛାଟି ହେଇ ଛୁଟି ପାଇଲେ ପ୍ରିୟମ୍ବଦା । ରମଣୀବାବୁଙ୍କ ଖାଲି ହାତ ଦିଇଟା ଶୂନ୍ୟରେ ଦୋଳି ଖେଳିଲା । ଖସିଲା ବସନ ଖାପିଲା ଦିହରେ ଖୋସିଦେଇ ଗୋଳ ନ କରି କିଳା ଦୁଆରକୁ କଳରେ ସିଏ ଖୋଲିବାକୁ ଲାଗିଲେ । ଟୁଁ କରି ହେଲେ ଢୋ କରି ଫୁଟିବ । ଗୋଳ ବଢ଼ିବ । ସଭିଏଁ ଜାଣିବେ । ଛିଃ, ଲାଜ କଥାଟା । ଦୁଆର କିଳା ହେଇଥିଲା ! ହେଲେ କିଳିଣୀ ଖୋଲି ଦୁଆର ମେଲେଇଲା ବେଳକୁ ଉପରର ଛିଟିକିଣୀ ଅଟକେଇଦେଲା । ହୁଗୁଳା ଝିଞ୍ଜିରଟା ଝଣ ଝଣ ହେଇ ଖସିଗଲା । ଲାଜ ଛୁଆଁ ର ଛନକା ପଶିଲା ମନରେ । ତଥାପି ଛିଟିକିଣୀ ନ ଖୋଲନ୍ତି । କୋଉ ଅଟକରେ ରହିଛି କେଜାଣି ଦାଉ ସାଧିବାକୁ !

 

ରମଣୀବାବୁ ଶୋଇ ଶୋଇ ଦାର୍ଶନିକ ପରି ଏ ଦୃଶ୍ୟ ଦର୍ଶନ କରୁଥିଲେ, ଆଉ ମନେ ମନେ ଭାବୁଥିଲେ ପ୍ରିୟମ୍ବଦାଙ୍କର ଅସହାୟ ଅବସ୍ଥା କଥା । ଆହା, ବିଚାରୀ କେଡ଼େ ସଳଖରେ ପଳେଇବ ବୋଲି ବିଚାରୁଥିଲା । ଘର ପଞ୍ଜୁରୀରୁ ଖସିବା କଣ ଏଡ଼େ ସହଜ ! ଶୃଙ୍ଖଳା, ଆଇନ, ସଂଘ—ତିନିଟିଯାକ ୟାର ଅଙ୍ଗ—ସବୁ ପାଇବାର ଢଙ୍ଗ । ଆଉ ମଗଜରେ ପଶିଲାନି କିଛି । ଖଜବଜିଆ ପାଟିଟା ତାଙ୍କର ବଜ ବଜ ହେଇ ପଚାରି ପକେଇଲା,

 

“କିଓ, ହାଲିଆ ହେଇଗଲା ? ଆଣ୍ଟେଇବାକୁ ପଡ଼ିବ ?”

 

ପୋହଳା ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିଲେ ପ୍ରିୟମ୍ବଦା । ରମଣୀରମଣ ବୀରବର ଟାଣପଣରେ ଉଠି ବସିଲେ । ତା’ ପରେ ଛୁଟିଆସି ଛିଟିକିଣୀ ଛଡ଼େଇ ଛେପ ଢୋକି କହିଲେ—

 

“ଆଉ ଏଥର ପାରିବନି । ଲତା, କିନିଆଁ ବରଗଛକୁ ନ ଆଉଜିଲେ ଜମା ଚଳିପାରିବିନି-

 

ପ୍ରିୟମ୍ବଦାଙ୍କ ନାକ ଛୁଇଁ ନିଜ କଥାଗୁଡ଼ାକ ନିକିତିରେ ଥୋଇ ନିଜକୁ ଗଉରିଆ କରି ମନେ ମନେ ଗଉରବ ନଉଥିଲେ ସେ । ଆଉ ତେଣେ ପ୍ରିୟମ୍ବଦାଙ୍କ ନାକ ଛୁଇଁ ନିଜ କଥାଗୁଡ଼ାକ ନିକିତିରେ ନଉଥିଲେ ସେ । ଆଉ ତେଣେ ପ୍ରିୟମ୍ବଦା ମଧ୍ୟ ଗୋଟିଏ ରାତିରେ ପୁରୁଣା ଦିହଘଷା ମଣିଷଟାର ଘୋଷଣାକୁ ଘୋରତର ଅପମାନ ମନେ କରି ତାଙ୍କ ମାମୁଁ ପୁଅ ଭାଇଙ୍କର ମାଗୁର ନିଶର ରାଣ ପକେଇ ଟାଣକରି କହିଲେ—

 

“ଉଁ.......”

 

ନଡ଼ବଡ଼ ନାକଟାକୁ ଧଡ଼ପଡ଼ ଛାଡ଼ିଦେଇ ରମଣୀବାବୁ ନବ ଅଙ୍ଗୁଳି ପଛକୁ ହଟିଆସିଲେ-। ପ୍ରିୟମ୍ବଦା ଦୁଆର ଖୋଲି ବାହାରକୁ ଚାଲିଗଲେ । ତାଙ୍କର ଖିଲିଖିଲିଆ ହସ ସାଙ୍ଗରେ ତାଳ ପକେଇ ପୁଳାଏ କାଲୁଆ ପବନ ଘରଭିତରକୁ ପଶିଆସିଲା । ରମଣୀବାବୁ ଚୋର ପରି ଚଦର ଟାଣି ଚୁପ୍ ହେଇ ଖଟ ଉପରେ ଶୋଇପଡ଼ିଲେ । ପଡ଼ିଶାଘର ଝିଅଟି ରାଗ ବିସ୍ତାର କରୁଚି, ଦିର୍ ଦିର୍ ତାନା ନାନା..... ।

 

ଏଥର ଆଶ୍ଵସ୍ତ ହେଲେ ରମଣୀବାବୁ । ଯାହା ହଉ, ନାୟିକା ଶୁଆ କଥା କହିଚି । ନାରେ ନାରେ ଯେତେବେଳେ କହିଲାଣି, ନାମ ଧରିବାକୁ ଆଉ କେତେ ବାଟ !

 

ମାଘ ଯାଇ ଫଗୁଣ ଆସିଲା । ନୂଆ ପର ଲାଗିଆସୁଥିବା ଚଢ଼େଇଟିଏ ପରି ଫର ଫର ହେବାକୁ ଲାଗିଲେ ପ୍ରିୟମ୍ବଦା । ନୂଆ ଜୀବନ, ନୂଆ ଘର, ନୂଆ ଆଦର, ନୂଆ ମଉଜ, ଏମିତି କେତେ ନୂଆ ନୂଆ ଜିନିଷ ନୂଆ ହେଇ ତାଙ୍କ ଜୀବନରେ ଦେଖାଦେଲା । ରମଣିରମଣ ବି କମ୍ ଖୁସି ନୁହନ୍ତି । ନାୟିକାଶୁଆ ଏଥର କଥା କହିଲାଣି । ଧଳା ହାତୀ ପାଟିସୁଆଦ ଜାଣିଲାଣି । କଳା ଆଖି ଧଳା ପରଦା ଉପରେ ରଙ୍ଗୀନ ଛବି ଦେଖିଲାଣି । ଗୋଧୂଳି ବେଳାରେ ପାଖାପାଖି ନିରୋଳାରେ ବୁଲଚାଲ କରିବାକୁ ମନ ଚାହିଁଲାଣି ପୁରୁଣା ଘର ନୂଆ ସାଜରେ ହସିଉଠିଲାଣି ।

 

ଅଣଲେଉଟା କୁଣିଆଁ ଯାକ ଗୋଟି ଗୋଟି ହେଇ ବହୁ ଆଗରୁ ଖସିଯାଇଥିଲେ । ଖାଲି ପିଉସୀ ପିତେଈ ନାନୀ କେବଳ ନୂଆବୋହୁକୁ ଗଉଁ ଗୁମର, ଲାଜ ମହତ ଶିଖେଇବେ ବୋଲି ଅଟକି ଯାଇଥିଲେ । ହେଲେ ପ୍ରିୟମ୍ବଦାଙ୍କର ତ ପୁଚୁ ପୁଚୁ ମନ । ପିଉସୀ ଆକଟିଲେ ସିଏ ଅଡ଼ି ବସିଲେ, ଖଙ୍ଗସ ମଣିଲେ । ଏମିତି ହେଉଁ ହେଉଁ ଦିହିଁଙ୍କ ଭିତରେ ଖଚ ଖଚ ଲାଗିଲା । ବିଚାରୀ ରମଣୀରମଣ ତ ଆଗରୁ ରମଣୀର ମଣ ହୋଇସାରିଥିଲେ । ସେ ବାକି କ’ଣ କରନ୍ତେ ! ପିତେଇ ପିଉସୀଙ୍କ ମୁହଁ ପିତା ପଡ଼ିଗଲା । ଶ୍ରୀକ୍ଷେତ୍ରରେ ପୁତୁରା ପାଖରେ ଜୀବନର ଯୋଉ କେଇଟା ଦିନ ବିତେଇଦେବେ ବୋଲି ଭାବିଥିଲେ ତା ଆଉ ହେଲାନି । ଶେଷକୁ ସୁକୁସୁକୁ ହେଇ ଆଖି ଓଦା କରି ସେ ଝିଅଘରକୁ ବିଦା ହୋଇଗଲେ ବାସି ପାଇଟି କରିବେ ବୋଲି ।

 

ଏଥର ପ୍ରିୟମ୍ବଦା ନିଶ୍ଚିନ୍ତ । ଆଉ କହିବାକୁ ବୋଲିବାକୁ କେହି ନାହିଁ । ମୁହଁ ପୋତି ସଙ୍ଖୁଡ଼ି ଖାଇ ମାଇନ କରିବାର କଡ଼ା ଆଇନରୁ ସେ ନିସ୍ତାର ପାଇଲେ । ଆଇଁଷ ଉଷୁନା ବାରି ଠା’କୁ ଠା’ ବାଢ଼ିବାର ଆଉ ଦରକାର ପଡ଼ୁନି, କି ସକାଳୁ ଉଠି ତରବରରେ ଥରି ଥରି ବାସି କାକର ପାଣି ଗାଧୋଇ ତୁଳସୀ ପତ୍ର ପାଦୁକ ସେବା କରିବାକୁ ହଉନି । ଅଗାଧୁଆରେ ଗାଧୁଆ କାମ—କାମରେ ଅକାମ ସବୁ ଚଳିଯାଉଚି । କେବଳ ଦିନ ସାଢ଼େ ନ’ ବେଳକୁ ଯାହିତାହି ଦି’ଟା ହସି ଖେଳି ଫୁଟେଇଦେଲେ ଯାଏ । ହେଲେ ସବୁବେଳେ ପ୍ରିୟମ୍ବଦାଙ୍କର ଜିତାପଟ ହୁଏ । ପୋଡ଼ା ତରକାରୀ କି ଲୁଣିଆ ଡାଲି ହଉ, କିଛି ଯାଏ ଆସେନି । ଖାଲି ଚେନାଏ ହସିଦେଲେ ତାଙ୍କୁ ସବୁ ସୁଆଦ ଲାଗେ । କିନ୍ତୁ ଯଦି ଭାତଟା ଟିକିଏ କରଚାଉଳିଆ ହେଇଯାଏ ସେଦିନ ବିଚାରୀ ରମଣୀବାବୁ ସହିପାରନ୍ତିନି, କହି ପ୍ରକାନ୍ତି—

 

“ବୁଝିଲ ! କିରି କିରି ହେଇ ହସିଲେ କରଚାଉଳିଆ ଭାତ ଆଉ କଅଁଳ ହେଇଯିବନି ।”

 

ଟାଇଁ କରି କଥାଗୁଡ଼ାକ ପ୍ରିୟମ୍ବଦାଙ୍କର କଅଁଳ ଦିହରେ କଣ୍ଟା ପରି ଫୋଡ଼ିହେଇଯାଏ । ସେ ତୋଡ଼ ଦେଖେଇ ମୋଡ଼ ହେଇ କହନ୍ତି—

 

“ହୁଁ.......”

 

ଏତିକିରେ ଶଙ୍କିଯାଆନ୍ତି ରମଣୀରମଣ । ପୁଣି ଦାନ୍ତ ନେସିଡ଼ି ପାଟି ନେଫିଡ଼ି କହନ୍ତି ମନବୁଝାଣ କଥାରୁ ପୁଳାଏ । ହେଲେ କିଳା ହୁଗୁଳେ ନାହିଁ କି ପ୍ରିୟମ୍ବଦାଙ୍କର ତଣ୍ଟି ଖୋଲେ ନାହିଁ । ଖାଲି ଗାଉଁ ଗାଉଁ ହେଇ ସିଏ ଘର ଭିତରକୁ ଚାଲିଯାଆନ୍ତି । ଆଉ ଇଏ ଅଧାଖିଆରୁ ଉଠି ଆଉଁସା ପାଉଁସା କରିବାକୁ ଅଇଁଠା ହାତରେ ଗୋଡ଼େଇଯାଆନ୍ତି ।

 

“ଗୁଣ୍ଡାଏ ଭଲ କରି ନ ଖାଇଲେ ଗଣ୍ଡା ଗଣ୍ଡା ଫାଇଲ କିମିତି ଫଇସଲ ହବ, କହିଲ ?”

 

“ଓଃ, ଯୋଉ ତ ଅଫିସ, ଛାଡ଼ ! ଦି ଗାର ମାରିଦେଲେ ସଇଲା । ତେବେ ଯୋଉଦିନ ଦି ଧାର ଲୁହ ବୁହାଇ ଦି ଫଡ଼ା ଘଷିଧୂଆଁ ଖାଇବ ସେଦିନ ବୁଝିବ, ଏସବୁ କିମିତି ହୁଏ ।”

 

“ଆରେ, ତମେ ଏମିତି ଗୁମାନ କଲେ କିମିତି ହବ ଯେ...”

 

“ନାଇଁ, ଆଉ ଲୋଟିପଡ଼ନ୍ତି ! ପୁଞ୍ଜା ପୁଞ୍ଜା ଚାକର ପୂଜାରୀ ଖଞ୍ଜିଦେଇଚ ନା !”

 

ଆଉ ଏଥର କିଛି କହିପାରନ୍ତିନି ରମଣୀବାବୁ । ଲୁଙ୍ଗୁ ଲୁଙ୍ଗୁ ହେଇ ହେଙ୍ଗୁ ଶୁଙ୍ଘିଲା ପରି ମୁହଁଟା କରି ଅଫିସ ବାହାରିପଡ଼ନ୍ତି । ପ୍ରିୟମ୍ବଦା ବୋଲକରା ମିଣିପିଟାର ବହପ ଦେଖି ଫଁ ଫଁ ହୁଅନ୍ତି ।

 

ବେଳ ଗଡ଼ିଯାଏ । ଦି ପହରକୁ ତାରିଆ ମା ବାସନ ମାଜିବାକୁ ଆସେ । ଆଗଦୁଆରି ତାର ଘର । ସ୍ଵାମୀ ରାମମୂର୍ତ୍ତି ପାତ୍ର ପୁରୁଣା ଖବରକାଗଜ, ପୋଡ଼ା ବିଜୁଳି ବଲ୍‍ବ, ଶିଶି, ଡବା, ହରେକ ରକମ ପୁରୁଣା ଜିନିଷ ଦୁଆର ଦୁଆର ବୁଲି କିଣିକରି ଆଣେ । କାଗଜ ଠୁଙ୍ଗା ତିଆରି କରେ । ଶିଶି, ଡବା ସଫା କରି ବିକ୍ରି କରେ । ପୁଅ ତାରିଆ ପରିବାର ହେଲାଣି । ଏଗାର ଯାଇ ତାକୁ ବାର ପଶିଲାଣି । ଏଥର ସିଏ ଚାନାଚୁର, ପାମ୍ପଡ଼, ନାରିକେଲ ଭଜା, ନଇଲେ ମସଲା ମୁଢ଼ି ଏଉଳି ସେଉଳି ଓଲଟପାଲଟ କରି ବିକ୍ରି ଆରମ୍ଭ କଲାଣି । ମିହନତି ମାଇପିଟା ବି ହାରିଯାଉନି । ନିଜ ଘରଗୋଟାକର କାମପାଇଟି ସାରି ପୁଅଘଇତାଙ୍କ ବାର ଖବର ବୁଝି ପରଦୁଆରେ ବଟାକୁଟା କରି ଢୋକେ ଯୋଗାଡ଼ କରେ । ସିଏ କେମିତି ଏସବୁ ଜାଣିପାରେ କେଜାଣି, ଅଇଁଠା ଗୋଟେଇ ଗୋଟେଇ ଫଟେଇ ହୁଏ ।

 

“ବୋହୁ ମା ! ଆଜି କଣ ଏ ଯାଏଁ ସରିନାହିଁ ?”

 

ପ୍ରିୟମ୍ବଦା ମୁହଁ ବୁଲେଇଦିଅନ୍ତି । ପୁଣି ପଚାରେ ସିଏ, “ବାବୁ କଣ କହିଲେ କି ? ହଁ, ମା, ଘର କଲେ ତ କେତେ କଥା ଇମିତି ! ନ ଖାଇ ନ ପିଇ ରହିଲେ ଏ ସୁନା ଦିହ ଆଉ ରହିବଟି-!! ତମେ ଦେଖୁନ, ତାରିଆ ଆୟା କିମିତି ମତେ ହିନସ୍ତା କରୁଚି !”

 

ଏତେବେଳକେ ଯାଇ ପ୍ରିୟମ୍ବଦାଙ୍କର ରାଗ ଉତୁରେ । ଭୋକ କାଲୁବାଲୁ କରେ । ସିଏ ବରାଦ କରନ୍ତି ତାକୁ ପାଟିସୁଆଦ ଜିନିଷ ବାରମଜା କି ନାରିକେଲ ଭଜା । ଗୋରୁକୁଣ୍ଡରେ ନ ପକାଇ ସଙ୍ଖୁଡ଼ିତକ କାନି ଘୋଡ଼େଇ ଘରକୁ ନେଉ ନେଉ ତାରିଆ ମା ହାତ ପାତି ପଇସାତକ ଘେନିଯାଏ । ତା ପରେ ଯାଇ ହାତରେ ସିଏ ଠୁଙ୍ଗାଟିଏ ଧରି ଲେଉଟେ । ତାର ଧଡ଼୍‍ ଧାଡ଼୍‍ ବାସନ ମଜା ହେଲାବେଳକୁ ୟାଙ୍କର ଭିଡ଼୍‍ ଭାଡ଼୍‍ ପାଟି ଚାଲେ । ରାଇଜଯାକର କଥା ପଡ଼େ—ଢିଙ୍କିଶାଳରୁ ଢେଙ୍କାନାଳ ଯାଏ, ଅସରପାରୁ ଅପ୍‍ସରୀ ଯାଏ ।

 

ଦୀନବନ୍ଧୁବାବୁ ଓକିଲଙ୍କ ଗୁଣ ସାଙ୍ଗରେ ଓକିଲିଆଣୀଙ୍କ ଗୁଣକୁ ମିଶେଇ ଏପଟ ପଡ଼ିଶାଘର ପଣ୍ଡିତିଆଣୀଙ୍କ ତଉଲ ହୁଏ । ଗଉଡ଼ଗୋପାଳ ପୁଅ ସତିଆର ରସିକପଣିଆ ପାଖରେ ହୋଟେଲବାଲା ପବିତ୍ରବାବୁଙ୍କ ପତ୍ନୀ ସୁରବାଳାଙ୍କ କଷଟି ପଡ଼େ । ଦୁହେଁ ଦିହିଁଙ୍କି ଟେକାଟେକି କରି କଟାକଟି ହେଇ ହସି ହସି ଲୋଟିପଡ଼ନ୍ତି । ପାଇଟି ସାରି ତାରିଆ ମା ଚାଲିଯାଏ । ଆଉ ମୁଣ୍ଡ ବାନ୍ଧି ବେଶ ପିନ୍ଧି ସଖୀପିଲାଟି ପରି ସାଜି ହେଇ ରମଣୀବାବୁଙ୍କ ଆସିବା ବାଟକୁ ଚାହିଁ ବସନ୍ତି ପ୍ରିୟମ୍ବଦା-

 

ରମଣୀବାବୁ ସେଦିନ ସେମିତି ଜାଣି ଜାଣି ପାଞ୍ଚଟା ନ ବାଜୁଣୁ ଘରେ ପହଞ୍ଚିଯାଆନ୍ତି । ଧଡ଼୍‍କରି ଦୁଆର ଖୋଲି ଫଡ଼୍‍ କରି ଦିଆସିଲିଟା ମାରି ଜନତା ଷ୍ଟୋଭ ଲଗାନ୍ତି ପ୍ରିୟମ୍ବଦା । ଦିହରୁ ନଅ ଟଙ୍କିଆ ସିଲ୍‍କ ହାୱାଇନ୍‍ଟା କାଢ଼ି ନବରଙ୍ଗ କରିବାକୁ ତାଙ୍କ ଉପରକୁ ପକାଇଦିଅନ୍ତି ସିଏ । ନ ଜାଣିଲା ପରି ଇଏ ବଳକା ବାରମଜା ଠୁଙ୍ଗାଟାକୁ ବଢ଼େଇଦିଅନ୍ତି । ଗଳା ଖଙ୍କାରି ପାଟିରେ ପୁଳାଏ ପିତା ଔଷଧ ଖାଇଲା ପରି ଥୁ ଥୁ ହୁଅନ୍ତି ସିଏ । ଅଖାଈ ନାନୀ ପରି ନ ଖାଇଲାର ଢଙ୍ଗ ଦେଖାନ୍ତି । ରମଣୀବାବୁ ଖଟ ଉପରେ ଶୋଇ ନାନା ଥଟଲିଆ କଥା ଭାବିବାକୁ ଲାଗନ୍ତି । ଗାଈ ଖୁରା ଛାଟିଲାଣି, କଣ କରିବେ ?

 

ଗରମ କ୍ଷୀର ଗିଲାସଟାକୁ ଟେବୁଲ ଉପରେ ଥୋଇଦେଇ ପ୍ରିୟମ୍ବଦା କବାଟ କଣରୁ ଛାଞ୍ଚୁଣୀ ଧରି ଅଗଣାକୁ ବାହାରିପଡ଼ନ୍ତି । ହେଲେ ପାହୁଲଟା ଦୋହଲି ଅଳପରେ ପଡ଼େ । ମରାଳଗମନୀ ଯିବାର ଆଳ ଦେଖାନ୍ତି । ରମଣୀବାବୁ ଖଟରୁ ଉଠି ଦୁଆର ଜଗି ହଟ କରନ୍ତି । ନାଟ ଲାଗେ । ସର୍ବନାମରେ କଥାବାର୍ତ୍ତା ହୁଏ । ସିଏ ହେଇ କହିଲେ ଇଏ ନେଇଁ କହନ୍ତି । ସିଏ ଉହୁଁ ବୋଇଲେ ଇଏ ଆହା ବୋଲନ୍ତି । ଇସ୍ ଆସ ଭୂଷ୍ ଭାଷ୍ ହେଇ ରୁହେ ଝିଙ୍କା ଓଟରା ହେବାପରେ ଦୁହିଁଙ୍କର ଟାଙ୍କ ଖସିଯାଏ । ହସୁ ହସୁ ହୁଗୁଳା ଖୋସଣୀ ଲସିଯାଏ । ତା ପରେ ରମଣୀବାବୁ ଦର୍ପଣ ଦେଖି ନିଜ ଗାଲରୁ ସିନ୍ଦୂରଦାଗ ପୋଛୁ ପୋଛୁ ଚମ୍ପାରଙ୍ଗର ସମ୍ବଲପୁରୀ ଶାଢ଼ିଖଣ୍ଡକ ତାଙ୍କୁ ଘେରେଇ ହବାକୁ ଫରମାସୀ କରନ୍ତି । ସାଲିସ୍ ହେଇଯାଏ । ପାଲିସ୍ କରି ସ୍ନୋ ପାଉଡ଼ର ମାଖିହେଇ ୟାଙ୍କ ଶଶୁର ଘର ତାଙ୍କ ବାପଘର ଦେଇଥିବା ଦାମିକା ଲୁଗାପଟା ଲାଗିହେଇ ହରଷରେ ବୁଲି ବାହାରିପଡ଼ନ୍ତି ।

 

ସଡ଼କକୁ ଓହ୍ଲେଇପଡ଼ିଲେ ପ୍ରିୟମ୍ବଦାଙ୍କର ଫରଚା ପାଟିରୁ ସର ସର ହେଇ ସରୁ ହସ ସୋରାକୁ ସୋରା ବିଞ୍ଚି ହେଇପଡ଼େ । ରମଣୀବାବୁ ତନଛନ ହେଇ ଆଗପଛ ଅନେଇଁ ବାଟ ଚାଲନ୍ତି । ମନରେ ଦକା ପଶେ—କୋଉ ନାଗରକୁ ଦେଖି ଆଉ ସିଏ ଦରହସା ମାରିଲେ କି ? ଏପଟ ସେପଟକୁ ଚାହିଁ ଚାହିଁ ଆସିଲାବେଳେ ଆରକ ମଧ୍ୟ ନିରେଖି ନିରେଖି ତାଙ୍କୁ ଆଡ଼ ଆଖିରେ ରଖନ୍ତି । ରାସ୍ତା କଡ଼ ଘରର ଦୁଆର ଝରକା ଫାଙ୍କାରେ ବେଳେବେଳେ ଦିଶିଯାଉଥିବା ଅଧଲଙ୍ଗଳା ଫୁଙ୍ଗୁଳା ଦିହକୁ ତ ଆଉ ସିଏ ନଜର କରୁନାହାନ୍ତି ! ରାସ୍ତାର ମୁହଁକୁ ତ ବାଡ଼ବତା ନାହିଁ । ଦିହେଁ ଦିହିଁଙ୍କ ଭାବରେ ବିଭୋର । କେହି କାହାକୁ କିଛି କହନ୍ତିନି । ରାସ୍ତାର ପେଟ୍ରୋଲପୋଡ଼ା ଧୂଆଁ ଆଉ ଅସକରା ବାସନା ମିଶା ଧୂଳିଆ ପବନର ଢୋକ ପିଇ ପିଇ ସେମାନେ ଆଗେଇଯାଆନ୍ତି ସମୁଦ୍ରକୂଳକୁ ନ ହେଲେ ଆଉ କୁଆଡ଼େ ।

 

ଏମିତି ଦିନେ ଦିନେ ରାସ୍ତା ଉପରେ ବି ଦିହିଁକି ଦିହେଁ ଅଡ଼ି ବସନ୍ତି । ଛିଗୁଲେଇ ହେଇ ହସ ମଉଜ ହୁଅନ୍ତି । ଗଲା ଅଇଲାବାର ଲୋକର ବଳକା କଥାର ଖିଅ ଧରି ଆଲୋଚନା କରନ୍ତି । ଉଡ଼ିବୁଲି ଯାଉଥିବା ପ୍ରଜାପତିଠାରୁ ଆରମ୍ଭ କରି ପାରୁଡ଼ା ପୋକ ପର୍ଯ୍ୟନ୍ତ ସମସ୍ତଙ୍କଠି ଆଖି ଲାଖି ରହେ । କାହାରି ଆଖିରେ ତ ଆଉ ପରଳ ପଡ଼ିନି କି ମୋତିଆବିନ୍ଦୁ ଧରିନି ଯେ କେହି କିଛି ଦେଖିପାରିବେନି ! ସମସ୍ତେ ସବୁ ଦେଖନ୍ତି । ଯୋଡ଼ା ଦେଖି ଘୋଡ଼ା ବୋଲି ମୁହଁ ଘୋଡ଼େଇ ବାଟ କାଟନ୍ତି । ତଥାପି ପରମିଟ୍‍ଧାରୀ କଳାବଜାରୀ ପରି ଯିଏ ଯାହାର ତରଛରେ ବେଭାର କରନ୍ତି ।

 

ହେଲେ ଦିହିଁଙ୍କ ଭିତରେ ବେଳେବେଳେ ଛନକା ପଶେ । ଅଜାଣତ ଭାବରେ ଯେ ଯାହାର ମାପି ତଉଲି ଦର କଷିବାରେ ଲାଗିଯାଆନ୍ତି । କାହା ରୂପ ସୁନ୍ଦର ତ କାହା ବେଶ ସୁନ୍ଦର । କାହା ଚାଲି ସୁନ୍ଦର ତ କାହା ଠାଣି ସୁନ୍ଦର । କାହା ରଙ୍ଗ ସୁନ୍ଦର ତ କାହା ଢଙ୍ଗ ସୁନ୍ଦର । ହେଲେ ଯେତେବେଳେ କାହା ଶାଢ଼ି ସୁନ୍ଦର କି କାହା ଧଡ଼ି ସୁନ୍ଦର ଝଗଡ଼ା ଘନେଇଆସେ ସେତେବେଳେ ରମଣୀରମଣ ସମ୍ବଲପୁରୀ ଖାଣ୍ଟି ଓଡ଼ିଶୀ ଶାଢ଼ିର ଗୁଣ ବ୍ୟାଖ୍ୟା କରି ବୁଝେଇବସନ୍ତି । ପକ୍‍କା ସ୍ଵଦେଶୀ, ବେଶୀ ଦିନ ଯାଏ, ରଙ୍ଗ ମହଳିଲେ ବି ତୋଫା ଦେଖାଯାଏ । ଏହାର ଆଦର ଆମ ଦେଶରେ ସିନା ନାହିଁ; ହେଲେ ଅନ୍ୟ ଦେଶର ଲଳନା ଅଙ୍ଗଲାଗି କରିବାକୁ ଝୁରି ଝୁରି ଧାଇଁଆସୁଚନ୍ତି ଆମରି ଏଇ ପୁରୀ ସହରକୁ । କାହିଁକି ଜାଣିଚ ? ଶାଢ଼ି ସୁଆଦ ସମୁଦ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇବାକୁ । ଆଉ ତମେ କହୁଚ କଣ ନା ଏଗୁଡ଼ାକ ହାଲ ଫେସନର ନୁହେଁ ।

 

ପ୍ରିୟମ୍ବଦା ମଧ୍ୟ ହଟିଲାବାଲୀ ନୁହନ୍ତି । ଗୋଟାଏ ଫୁତ୍‍କାରରେ ଫୁ କରି ଚୋରାବୋଲି ଉଡ଼େଇ ଦିଅନ୍ତି, ଆଉ ଗୁମରତକ କହନ୍ତି ।

 

“ହେଲେ ଯୋଉମାନେ ୟାକୁ ନ ପିନ୍ଧନ୍ତି ତାଙ୍କଠି କାଇଁକି ତମର ଏତେ ନଜର, ଶୁଣେ-?”

 

“ତମ ନାରୀଜାତିଟା ପରା ସନ୍ଦେହୀ ।”

 

“ତମେ କଣ ତେବେ ସେ ଟୋକାକୁ ଟାକିଲା ଆଖିରେ ଅନେଇଁ ନ ?”

 

“ମାନେ ? ତମଠୁ ସିଏ କଣ ବେଶି ସୁନ୍ଦର ?”

 

“ଥାଉ ଥାଉ ତମର ମାନେ ମାନେ ହେଇ ଆଉ ଗୋଡ଼େଇବା ଦରକାର ନାଇଁ ।”

 

ସଜ ମୁହଁଟା ପ୍ରିୟମ୍ବଦାଙ୍କର ଏଥର ବୁଢ଼ା ଲାଉ ପରି ନାଲ ପଡ଼ିଆସେ । ପ୍ରସଙ୍ଗ ବଦଳାଇ ରମଣୀବାବୁ କହନ୍ତି, “ହେଲା, ତମ ମନ ଯଦି ମାନୁଚି, ତେବେ ସେଇଥିରୁ ଦି’ଟା କରିଦବା ।”

 

“ଥାଉ ଥାଉ, ଏତିକିରେ ହୋଇଗଲା ।”

 

“କାଇଁ, ମୋ କଥା ବିଶ୍ଵାସ ହଉନି ?”

 

“ତା ଆଉ ହୁଅନ୍ତାନି ? ପାଣିରେ ଗାର ପକେଇଲା ପରି କଥାଗୁଡ଼ାକ ସଳଖରେ ପଳଉଚି ନା !”

 

“ଆଚ୍ଛା, ଏତେ କଥାରୁ କଣ ମିଳିବ, କହ । ତମ ମାମୁଁ ପୁଅ ଭାଇଙ୍କର ଲୁଗାଦୋକାନ ଅଛି ପରା । ତାଙ୍କ ପାଖକୁ ଖବର ପଠେଇଲେ ସିଏ ଦେଖିଶୁଣି ଭଲ ଲିନେନ୍ କି ନାଇଲନ୍ ଶାଢ଼ିଟାଏ ପଠେଇଦେବେ—କଣ କହୁଚ ?”

 

“ତମେ ତ ନିଜେ କରିପାରିବନି । ମୋ ଭାଇର କି ଗରଜ ପଡ଼ିଚି ଯେ ସିଏ ତମ ପେଇଁ କରିବ ?”

 

“ଇଏ କଣ ମୋ ପେଇଁ ହଉଚି ? ତମ ଭାଇ ତମ ପେଇଁ କରିବେ । ବାକି, ଟଙ୍କାଟା ଯାହା ମୁଁ ପଠେଇଦେବି ।”

 

“ଆହା... ହା... ଥାଉ ଥାଉ, ପକେଟରୁ ପଡ଼ିଯିବ । ବୋଇଲା, କହିବନି—କହିଲେ ଏ ଘରେ ରହିବିନି । ବନ୍ଦାଣଥାଳୀରୁ ଟଙ୍କା ଉଠେଇ ବନ୍ଧୁ ସମ୍ପାଦିଲେ ପଛକେ ଖୋସଣୀରୁ ଖସିଲାନି । ଆଉ ଏଇଲେ...”

 

ଚିହିଁକି ପଡ଼ନ୍ତି ରମଣୀରମଣ । ନୂଆ ମାଇପର ମନପୂରା ଫରମାସୀ ତୁଲେଇବାକୁ ସମ୍ବଳ ନ ରଖି ବାହା ହେଲେ ମଣିଷ କିମିତି ହଇରାଣ ହୁଅନ୍ତି ସେଇକଥା ଖାଲି ଗୁମୁରି ଗୁମୁରି ଗୁଣିହୁଅନ୍ତି । ହେଲେ ପାଟି ଖୋଲି କିଛି କହନ୍ତିନି । ଗଲା ଅଇଲା ଲୋକର ପୁଞ୍ଜେ କାନ । ଗୋଟାକରେ ପଡ଼ିଲେ ଆରଟାରେ ଫୁଟିବ । ମୌନବ୍ରତ ଶାନ୍ତିକାମୀର ପ୍ରଧାନ ଅସ୍ତ୍ର—ଏଇଆକୁ ସ୍ମରଣ କରି ନୀରବ ହୁଅନ୍ତି । ତେଣେ ପ୍ରିୟମ୍ବଦା ଗାଡ଼ୁରୁ ମାଡ଼ୁରୁ ହେଇ କିଛି ସମୟ ବକର ବକର ହୁଅନ୍ତି, ମୁହଁ ଛିଞ୍ଚାଡ଼ନ୍ତି, ଆଖି ଛାଟନ୍ତି, ହାତ ହଲାନ୍ତି; ପାଟି ଘୋଳି ହେଇଗଲେ ଖସିଲା ବସନକୁ ଅଣ୍ଟାରେ ଖୋସି ଖଜବଜ ହେଇ ତାଙ୍କୁ ହାତ ପାହାନ୍ତାର ପଛରେ ପକେଇ ଆଗକୁ ଆଗେଇଯାଆନ୍ତି ।

 

ରମଣୀବାବୁ ଏତେବେଳେ ଯାଇ ବୁଝନ୍ତି, ଶ୍ରୀମତୀଙ୍କୁ ରାଗ ଲାଗିଚି । ମିଠା ନ ହେଲେ ଆଉ ଜମା ପଟିବନି । ଚାରି ପାହୁଣ୍ଡ ଆଗେଇ ଯାଇଥିବା ତାଙ୍କର ତାଙ୍କ ପାଖକୁ ଦୁଇ ଖୋଜରେ ଝପଟି ଯାଇ ନିକଟର ଜଳଖିଆ ଦୋକାନଠି ତାଙ୍କ କାନ୍ଧରେ ହାତ ମାରି ଅଟକେଇ ଦିଅନ୍ତି । ପ୍ରିୟମ୍ବଦା ନ ଜାଣିଲା ପରି ଦୋକାନ ସାମନାସାମନି ଠିଆ ନ ହେଇ ଗୋଟାଏ କୋଣକୁ ଗଡ଼ିପଡ଼ନ୍ତି । ବା ଗୋଡ଼ର ବୁଢ଼ା ଆଙ୍ଗୁଠିରେ ବସୁଧାରେ ଗାର ପକେଇ ଅପେକ୍ଷା କରନ୍ତି, ସତେ ଟିକିଏ ଆଡ଼େଇ ନ ହେଲେ ସତୀଠାକୁରାଣୀଙ୍କଠି ପର ଆଖିର ଛୁଆଁ ଲାଗିଯିବ ! ଏମିତି କିଛି ସମୟ ଯାଏ ଆଉ ମୁହଁ ପୋତି ରହିପାରନ୍ତିନି ସିଏ । ସବ୍‍ଜାନ୍‍ତା ପରି ବଙ୍କୁଲି ହସରୁ ଧାରେଫାଳେ ଓଠରେ ଫୁଟେଇ କଣେଇ କରି ପଛକୁ ଅନେଇଲାବେଳକୁ ରମଣୀବାବୁ ଛେନା ପୋଡ଼ପିଠାରୁ ପୁଳାଏ ହାତରେ ଧରି ସକାଳର ପୋଡ଼ିଗଲା ଖାଇବାର ଦ୍ଵାହି ଦେଇ ରାଗ ଉପଶମ କରିବାକୁ ଆଗେଇଆସନ୍ତି ।

 

ସେଦିନ ଆଉ ବୁଲାବୁଲି ବେଶି ହୁଏନି । ସେଇତକ ହାତରେ ଧରି ଦିହେଁ ଘରକୁ ଫେରନ୍ତି ରିକ୍‍ସାରେ । ସାଇକଲ ରିକ୍‍ସାରେ ବସିଲେ ପ୍ରିୟମ୍ବଦାଙ୍କୁ କୁଆଡ଼େ ଭାରି ଭଲ ଲାଗେ । ଏଇ ଗୋଟିକ ଗୁଣ ପାଇଁ ରମଣୀବାବୁ ତାଙ୍କୁ ପ୍ରଶଂସା କରନ୍ତି । ଅବଶ୍ୟ ଭିତର ଗୁମରଟା ଅଲଗା-। ନାଇଁ ଯଦି ମଟର ଚଢ଼ିବାକୁ ଚାହାଁନ୍ତେ, ତେବେ ? ଆଉ ଭାବିପାରନ୍ତିନି ସେ । ସବୁ ଗୋଳମାଳ ହେଇଯାଏ । ତା’ ପରେ ରିକ୍‍ସା ଅଟକେଇ ବାଟରୁ ଦଶ ପଇସାର ମଟର ଚଣା କିଣିଆଣନ୍ତି-। ତାକୁ ପାଟିରେ ପକେଇ ମଟରଚଣା ସୁଖ କଳ୍ପନା କରନ୍ତି ରମଣୀବାବୁ । ତେଣେ ପ୍ରିୟମ୍ବଦା ଘୁଞ୍ଚି ବସନ୍ତି । ଯାଚିଲେ ମୁହଁ ବୁଲେଇ ଦିଅନ୍ତି । ହସ ହସ ହେଇ ଏଥର ସେ ଭାବନ୍ତି, ଯାହାହେଉ, ରାଗ ଯାଇ ଏବେ ରୁଷା ପହଞ୍ଚିଗଲାଣି—ଏଇ ଭଲ !

 

ରିକ୍‍ସା ଘରେ ପହଞ୍ଚେ । ପଇସା ତୁଟେଇ ରମଣୀବାବୁ ପାହାଚ ଉପରେ ଗୋଡ଼ ଦେଲାବେଳକୁ ତାଲା ଫିଟେଇ ପ୍ରିୟମ୍ବଦା କବାଟ ଉହାଡ଼ରୁ କଟକଟ ହୁଅନ୍ତି ।

 

“ଛି–ଛି–ଛି, ମଣିଷ ପୁଣି ଏଡ଼ିକି ଅଲାଜୁକ ହୁଅନ୍ତି !”

 

ରମଣୀବାବୁ କଣ ହେଲା ବୋଲି ଚମକିପଡ଼ି ପଛକୁ ଚାହିଁଲାବେଳକୁ ଟୋକା ରିକ୍‍ସାବାଲାଟି ହସି ହସି ଘଣ୍ଟି ବଜେଇ ଚାଲିଯାଉଥାଏ । ତା ପରେ ଘରଭିତରକୁ ଯାଇ ଥିରି ହେଇ ପଚାରନ୍ତି ସିଏ—

 

“କାଇଁ, କଣ ହେଲା କି ?”

 

“ହଉ, ଥାଉ ଥାଉ । ବାହା ସାହା ହେଇ, ଘରଦୁଆର କରି ଯଦି ପରଝିଅଙ୍କୁ ଅନେଇବାକୁ ତମକୁ ଲାଜ ମାଡ଼ିଲାନି—ତେହିଁକି ତମକୁ କ୍ୟା କହୁଁ, ଆଉ ତମ ଗୁଣକୁ କ୍ୟା କହୁଁ !”

 

ଓଡ଼ିଆ ରାଗିଲେ ହିନ୍ଦ କହେ । ଯାହା ହେଉ, ରାଷ୍ଟ୍ରଭାଷା ଶିଖିବାକୁ ଆମକୁ ଜମା ଅସୁବିଧା ହବନି । ଯଦି ସାରା ଓଡ଼ିଶାଟାକୁ ରଗେଇ ଦିଆଯାଏ ତେବେ ସମସ୍ତେ ହିନ୍ଦି କହିବେ; ଦକ୍ଷିଣୀଙ୍କ ପରି ଆଉ ହିନସ୍ତା ହେବେନି । ମହାଭାରତୀୟ ସୁଅରେ ସୋଲ ଭେଳା ପରି ଉପରକୁ ମୁଣ୍ଡ ଟୁଙ୍ଗାରିବେ । ପାଣି ପିଇ ପେଟ ଫୁଲିଲେ ମଧ୍ୟ ବଳକା ରାଜ୍ୟ ବୋଲି ହୁରି ଛାଡ଼ିବେ । ଦାନୀପଣରେ ସବଂସ୍ଵ ଅଜାଡ଼ି ମାନୀପଣରେ ପତାକା ଉଡ଼ାଇବେ । ଚିରାକନାକୁ ଅଣ୍ଟାରେ ଗୁଡ଼ାଇ ତାଳୁ ତଳିପା କଟିଗଲେ ବି ପାଟି ଫିଟାଇବେନି । ସେଇ ଓଡ଼ିଆପୁଅ ରମଣୀବାବୁ ଥା ଥା ମା ମା ହେଇ ମହାଭାରତୀୟ ସୁଅରେ ଉବେଇ ଟୁବେଇ ହଉ ହଉ ପୋଡ଼ପିଠା ପୁଡ଼ିଆଟି ତାଙ୍କ ହାତକୁ ବଢ଼େଇ ପୁଣି ଲେଉଟେଇ ଆଣନ୍ତି ।

 

ଯିଏ ରୁଷିଚି ତାକୁ ଖୁସି କରିବାଟା କଣ ଏଡ଼େ ସହଜ ! ନାକନିଶ ତଳେ ନ ପଡ଼ିଲେ କି କାନିପଣତ ନ ସାଉଁଟିଲେ କଣ ସେ ଏତିକିରେ ମାନିଯିବେ ? ନାରୀ ପରା ସିଏ ! ନରଠାରୁ ଗୋଟାଏ ବାଡ଼ି ଆଉ ଗୋଟାଏ ଆଙ୍କୁଡ଼ି ଅଧିକା । ଆଙ୍କୁଡ଼ିରେ ଅଟକାଇ ବାଡ଼ି ଦେଖେଇ ଭେଣ୍ଡାଗୁଡ଼ାଙ୍କୁ ମେଣ୍ଡା କରି ପ୍ରମିଳାରାଜ୍ୟ ଶାସନ କରିବାକୁ ଗଣପତି ତାଙ୍କୁ ସେତକ ଦେଇଚନ୍ତି । ରମଣୀବାବୁ ପୁଣି କାନି ଗୋଟାନ୍ତି । ସେଠୁ ସିଏ ପଣତ ଝିଙ୍କି ନେଉ ନେଉ ଝିଙ୍ଗାସି ଉଠନ୍ତି ।

 

“ଆହେ, ଛାଡ଼ ହୋ... ଯୋଉ ନାଇଲନପିନ୍ଧା ନବବୟସୀ ସାଙ୍ଗରେ ନବଜ କରିବାକୁ ନାଲି ଆଖିରେ ପିଇଯାଉଥିଲ, ତା’ର ପାଖକୁ ଯାଅ ଯେ ତମ ସୁଆଗିଆ କଥାଗୁଡ଼ାକ ଶୁଣି ଫିଟିପଡ଼ିବ । ବୁଝିଲ, ଏ ପୋଡ଼ା ସୁଆଗ ପୋଡ଼ପିଠାକୁ ବାଗ—ମତେ ନୁହେଁ ।”

 

ଚାରିଆଡ଼ୁ ଚିଆଁ ଖାଇ ପୋଡ଼ପିଠା ପରି ସୁଆଦିଆ ମନଟା ତାଙ୍କର କଳା ପଡ଼ିଯାଏ । ଲାଳ ଶୁଖି ତଣ୍ଟି ଅଠା ଧରେ । ପ୍ରିୟତମା ପତ୍ନୀଙ୍କର ପ୍ରାମାଣିକ କଥାଗୁଡ଼ାକ କାଟିଦେବାକୁ ଆଉ ବାଟ ପାଆନ୍ତିନି ସିଏ । ସତେରେ ସେ ଅନୋଉଁଥିଲେ ସେଇ ସୁକୁମାରୀର ସାଜିହେଲା ଦିହକୁ–ସେତିକିରେ ବା କି ପାପ ହେଇଗଲା ! ସିଏ ବି ତ ସିମିତି ଆଉ ଆଖି ବୁଜି ବାଟ ଚାଲୁ ନ ଥିଲେ ! ତାଙ୍କ ଆଖିରେ ତ ସେମିତି କେତେ ପୁରୁଷପ୍ରବର ପଡ଼ିଥିବେ । ସେ କଣ କାହାକୁ ଅନାନ୍ତିନି ? ଖାଲି ମୋ’ରି ବେଳକୁ ସବୁ ! ଏମିତି ବିରକ୍ତ ହେଉ ହେଉ ରମଣୀବାବୁ ଥରେ ଥରେ କହିପକାନ୍ତି–

 

“ହଉ, ଏଣିକି ତମେ ବି ରାସ୍ତାରେ ଗଲାବେଳେ ଆଖି ବନ୍ଦ କରି ବାଟ ଚାଲିବ । ସେଇ ହୋଟେଲବାଲାକୁ ତମେ ଯିମିତି କଣେଇଁ କଣେଇଁ ଚାହୁଁଥିଲ ନା...”

 

“କ’ଣ କହିଲ ?”

 

“ଆଉ କହିଲି କଣ—ତମ ଆଖିର ଦଉଡ଼ି ଆଗରେ କିଏ ଦଉଡ଼ି ଦେଇଚନ୍ତି ନା ନାଇଁ ଖାଲି ସେଇକଥା ପଚାରୁଥିଲି ।”

 

“ଭଲ ହେଲା—ବେଶ ହେଲା । ଜଣେ କାହିଁକି, ପଣେ ଦଉଡ଼ି ଦେଇଛନ୍ତି—ତିନିଗାର ଦଉଡ଼ି ଦେଇଚନ୍ତି । ତମର ଯଦି ଏତେ ସନ୍ଦେହ, ଆଗରୁ ଦେଖିଶୁଣି ଘରକୁ ଆଣିଲନି ?”

 

“ସେଇତକ ଯାହା ଭୁଲ ହେଇଗଲା । ନଇଲେ କଣ ତମେ ଆଉ ମତେ ଏମିତି ସାଧୁଥାଆନ୍ତ ?”

 

ଏଇତକ କୌଣସି ପ୍ରକାରେ କହିଦେଇ ବୁଲା ପୋଷାକ ଉତାରି ଢିଲା ପୋଷାକ ପିନ୍ଧିବାରେ ଲାଗନ୍ତି ରମଣୀବାବୁ । ପୋଡ଼ପିଠା ସେମିତି ଟେବୁଲ ଉପରେ ଥୁଆ ହେଇ ରହେ । ପକେଟରୁ ଖସି ମଟର ଚଣା ଗୋଟି ଗୋଟି ହେଇ ଘରସାରା ଚକାଭଉଁରୀ ଖେଳେ । ପ୍ରକୃତରେ ଏଥର ଆଉ ପାରିଉଠନ୍ତିନି ପ୍ରିୟମ୍ବଦା । ବଜ୍ରଠାରୁ ଅଧିକ ଅମୋଘ ଅସ୍ତ୍ର ପ୍ରୟୋଗ କରନ୍ତି । ବିକ୍ଷୋଭକାରୀଙ୍କ ଉପରେ ଦମ୍‍କଳବାଲା ଗରମ ପାଣି ପକେଇଲା ପରି ଅଳପ ଉଷୁମ ଲୁଣପାଣିର ଧାର ଛୁଟେଇ ସଁ ସଁ ହୁଅନ୍ତି ।

 

ଅର୍ଦ୍ଧବିବସ୍ତ୍ର ରମଣୀବାବୁ ସଂତ୍ରସ୍ତ ହେଇ ଲୁଙ୍ଗିଟାକୁ ଅଣ୍ଟାରେ ଗୁଡ଼ାଇ ଗୁଡ଼ାଇ ଡଙ୍କ ମୋଡ଼ି ଅନାନ୍ତି । ଗଙ୍ଗାଯମୁନାର ସୁଅରେ ତାଙ୍କର ସରଗିଆ ମନଟା ଉବେଇ ଟୁବେଇ ହୁଏ । ଅସମ୍ଭାଳ ହେଇ ସେ ପ୍ରେମସାଗରରେ ଡୁବୁନ୍ ମାରନ୍ତି । ଆତ୍ମବଳି ଦେଇ କଳି ତୁଟେଇବାକୁ ଆଗେଇ ଆସନ୍ତି । ସବୁ ଦୋଷ ମାନିନେଇ ଅପାରିଲା ପଣରେ ପାରିବାର ପରି ମନଘେନା ମାଇପକୁ ମନେଇବାକୁ ଶେଷ ଫିକର କରି କୁଁ କୁଁ ହେଇ କହନ୍ତି—

 

“ଆଚ୍ଛା, ମୋର ସବୁ କଥାଗୁଡ଼ାକ ତମେ ଦି ଆଖିରେ କାହିଁକି ଦେଖିପାରୁନ, କହିଲ ?”

 

“ନାଇଁ, ତମର ପରି ଗୋଟାଏ ଆଖି ବୁଜି ଆର ଆଖିରେ ବାରଲୋକଙ୍କ ସାଥିରେ କଥା ହୁଅନ୍ତି !”

 

ଏତେବେଳେ ଯାଇ ରମଣୀବାବୁଙ୍କର ବାରବାଉଳା ମନ ଘର ଧରେ । ମୁଚୁଳା ଉପରେ ମୁହଁ ମାଡ଼ି ବଶୀକରଣ ମନ୍ତ୍ର ଜପ କରନ୍ତି । ବାହାରେ ନତପତିଆ ଜାମୁକୋଳି ଭଳି ଶ୍ରାବଣର ମେଘ ଘନେଇଆସେ । ଆଉ ଟିକକରେ ଫାଟିପଡ଼ିବ ପରା ! ସେଇ ଶେଷ ସମ୍ଭାବନାକୁ ସମ୍ଭାଳିବାକୁ ସେ ମନେ ମନେ ସମ୍ବଳ ସଂଗ୍ରହ କରନ୍ତି ।

 

ସତକୁ ସତ ଝିରି ଝିରି ହେଇ ବରଷା ଝରି ପ୍ରିୟମ୍ବଦାଙ୍କର ମିଛ ଲୁହକୁ ସତ ବୋଲି ପ୍ରମାଣ କରେ । ଘଡ଼୍‍ ଘଡ଼୍‍ ହେଇ ମାନମାହଲ ଭୁଷୁଡ଼ିପଡ଼େ । ଚଡ଼ଚଡ଼ିର ଚିହିଁକାରେ ବିଜୁଳୀର ଆଲୁଅରେ ଦୁହେଁ ଦିହିଁଙ୍କର ଆହୁରି ନିକଟକୁ ଫେରିଆସନ୍ତି । ନିବିଡ଼ ଆଲିଙ୍ଗନରେ ଉଷ୍ଣତା ଭିତରେ ମାନମଖା ମନ ମଉଳିପଡ଼େ । ଲାଜ ଜଡ଼ ସଡ଼ ମୁହଁରେ ଟାଙ୍ଗଣା ଖଇପରି ହସଗୁଡ଼ାକ ବଉଳିଉଠେ । ପୁଣି ସାଲିସ ହୋଇଯାଏ । ବର୍ଷା ଛିଟିକା ପରି ଝାଳବୁନ୍ଦା କେଇଟା ପୋଛିପୋଛି ଜୀବନସଞ୍ଚିତ ସଉକତକ ମେଣ୍ଟେଇନିଅନ୍ତି ରମଣୀବାବୁ । ପ୍ରିୟମ୍ବଦା ବି ସିମିତି ପ୍ରିୟର ପରଶରେ ଆତ୍ମହରା ହେଇ ଜୀବନକୁ ଜୀବନ ଭଳି ଉପଭୋଗ କରନ୍ତି । ସାମୟିକ ବିଦ୍ଵେଷ ପରେ ଅଶେଷ ଶାନ୍ତିର ସମାବେଶ ହୁଏ ।

 

ଏମିତି ମନରୁ ମାନ ତୁଟେ । ମାନରୁ ହସ ଛୁଟେ । ହସରୁ ରସ ଫୁଟେ । ଆଉ ଯୌବନର ମଧୁପାତ୍ରରେ ସରାଗର ସାକର ମମତାର ପାଗ ଭିଡ଼େ । ରୁଆ ବାନ୍ଧି ପଗଡ଼ି ଧରେ । ଆଶା ଆଶଙ୍କା ଏକାଠି ମିଶି ଭରସାର ଭସାପୋଲ ଉପରେ ମନମତାଣିଆ ରୂପକଥା କଳ୍ପନା କରେ । କଥାର ଲଥା ମେଲେ । ହେଲେ ଲଥାର ଯଥା ଜୀବନର ସାର୍ଥକତାକୁ ସୂଚେଇଦିଏ ।

 

ସେଦିନ ସେମିତି ପ୍ରିୟମ୍ବଦା ସାର୍ଥକ ଜୀବନର ସୂଚନା ପାଇଲେ । କୋଳ ତାଙ୍କର ପୂରିଉଠିବ । ଏଥର ମନବୋଧ କରି ବୋକ ଦେବାର ବେଳା ଆସିଗଲା । ହେଲେ କହିବେ କିମିତି ? ଛି... ଲାଜ ଲାଗୁଚି ! ଏବକୁ ସିନା କେତେ ପୁରୁଣା ଲାଜ ଛାଡ଼ି ଅଲାଜୁକୀ ହେଲାଣି, ସିଏ ତଥାପି ନୂଆ—ଚିତଉଖିଆ କଥାଟା... ! ଏତିକିବେଳେ ନହୁଲି ନଣନ୍ଦଟିଏ ଥାଆନ୍ତା ଭଲା, କି ନ ହେଲେ ପିତେଈ ନାନୀ ଥାଆନ୍ତେ ଅବା । ନାଃ, କିଛି ହେଇପାରିବନି । ନିଜ ଥଣ୍ଟରେ ନିଜେ ମାଟି ଖୋଳିବାକୁ ହବ । ମାଦି ଘରଚଟିଆ ପରି ଘର ସଜାଡ଼ିବାକୁ ପଡ଼ିବ । ନ ହେଲେ ସତରେ କଣ ସେ ମନକୁ ମନ ସବୁ ବୁଝିପକେଇବ ?

 

କିନ୍ତୁ କିଛି ବୁଝାଇବାକୁ ପଡ଼ିଲାନି । ସେଦିନ ଅଫିସଫେରନ୍ତା ରମଣୀବାବୁ ଘରେ ପାଦ ନ ଦେଉଣୁ ପ୍ରିୟମ୍ବଦାଙ୍କର ଓଟାର ଶୁଣି ଓଟାରି ହେଇ ଏକାଡ଼ିଆଁକେ ଅଗଣାର ତୋଟି ଉପରେ ହାଜର ହୋଇଗଲେ । ପେଟ ଭିତରେ ଉକୁଚେଇ ହଉଥିବା କଥାଗୁଡ଼ାକ ଆଉ କହିବାକୁ ପଡ଼ିଲାନି ହାବୁକାଏ ହବ ଉତୁରିପଡ଼ିଲା । ଅସମ୍ଭାଳ ହେଇ ପିଠି ଆଉଁସି ପାଉଁସି ବିକଳ ହେବାକୁ ଲାଗିଲେ ରମଣୀରମଣ ।

 

କାହାକୁ ଡାକିବେ ? କିମିତି ଡାକିବେ ? କଣ ହେଲା ? କୋଉଥିପାଇଁ ହେଲା ? କିମିତି ହେଲା ? ତାରିଆ ମା କଣ ଦେଲା ? ତେଲରେ କି ଅଗରା ମିଶିଲା ? ମହୁରରେ କି ମହୁରା ପଶିଲା ? କାହିଁକି ଖାଇଲା ? ଖାଇଲା ଯଦି କହିଲାନି କାହିଁକି ? ମଣିଷ କଣ ଭୁଲ କରେନି କି ? ହେଲା ଯଦି ସେଥିକି କଣ ବାଟ ନାହିଁ ? ଔଷଧ ଟିକିଏ ଖାଇ ଦେଇଥିଲେ ତ ହେଇଥାନ୍ତା !! ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି; ଏବେ କଣ କରିବେ ? କି ହେଲା, କଣ କରିବେ, ଏମିତି ହେଲା ନ ହେଲା ପଞ୍ଚାକ୍ଷରର ବାହୁନା ଭିତରେ ବେଶ୍ କିଛି ଆପାତତଃ ଦୁଇ ଅଢ଼େଇ ମିନିଟ ଗୁମ୍‍ମାରି ରହିଗଲେ । ତା’ପରେ ହିଁ କଣ ହେଇଚି—ଅଜିର୍ଣ୍ଣରୁ ବାନ୍ତି ଟୋପାଏ ହେଇଥିବ ବୋଲି ଆଶ୍ଵସ୍ତ ହେଇ ଆସ୍ତେ ପ୍ରିୟମ୍ବଦାର ପ୍ରଶସ୍ତ ପିଠି ଉପରେ ହାତ ବୁଲାଇ ଆଣିବାବେଳକୁ ସେ ଆଉ ସେଠି ନ ଥିଲେ । ହାତ ଅଣ୍ଡାଳି ହେଲାବେଳକୁ ବାଁ ଆଣ୍ଠୁରେ ଥୋଡ଼ିଟା ବାଡ଼େଇ ହେଇଗଲା । ତେଣେ ପ୍ରିୟମ୍ବଦା ଖଡ଼ିକା ଧରି ଖରକିବାକୁ ଅଗଣାକୁ ଆସୁ ଆସୁ ଫବେଇ ହେଲେ—

 

“ହଉ, ଉଠ ଏଥର । ଆଉ କାହିଁକି ଭକୁଆଙ୍କ ପରି ଅନେଇଁଲ ?”

 

ଭେଳିକି ଛାଡ଼ିବ କଣ ! ରାହୁପରି ଆହୁରି ଗ୍ରାସି ବସିଲା ତାଙ୍କୁ । ମୁରବାନିଆ ଆଦର କରି ରମଣୀବାବୁ କୁଶଳ ପ୍ରଶ୍ନ କଲେ ।

 

“ତମେ ଭଲା ଟିକିଏ କମ୍ ଖାଆନ୍ତ । ଯାହା ଯୋଉଠୁ ପାଇଲ, ସବୁତ ଚୋବେଇଲ; ଫଳ କଣ ପାଇଲ ଏବେ କହ ?”

 

ହାଣ୍ଡିଚଟୁଧାରୀଣୀ ଦେବୀଙ୍କୁ ସବୁ କହିବ ପଛକେ ଖାଇଲ ବୋଲି କହିବନି । ଗୁରୁଗୁରୁଜନ ଯାହା କହିଥାନ୍ତି, ତାକୁ ଆଉ ହେଜି ପାରିଲେନି ସିଏ, ବଜବଜ ହେଇ କହିପକେଇଲେ । ହେଲେ ପ୍ରିୟମ୍ବଦା ଏଥର କାହିଁକି ହସିଦେଲେ । ଅନ୍ୟ ବେଳ ହେଇଥିଲେ ନିଶ୍ଚୟ ଅନ୍ୟ ରୂପ ନେଇଥାନ୍ତେ, ଏଥିରେ ତିଳେହେଲେ ସନ୍ଦେହ ନାହିଁ । ତେଣୁ ଆଚରଣଟା ଅବିଧିର ହେଲା । ରମଣୀବାବୁଙ୍କର ହିସାବକୁ ପୁଣି ଗୋଳମାଳ ଧରିଲା । ଅବେଳରେ ପ୍ରିୟତମ ପତ୍ନୀଙ୍କର ଅଧରରେ ହସର ଧାର ! ସତରେ ସେ ଆଚମ୍ବିତ ହେଲେ । ଖମ୍ବ ପରି ଦମ୍ଭ ଧରି ଠିଆହେଲେ । ସେତିକିବେଳକୁ ସେଦିନ କାହିଁକି କେଜାଣି ତାରିଆ ମା ଆସି ପହଞ୍ଚିଗଲା । ପ୍ରିୟମ୍ବଦା ଖଡ଼ିକା ଗଡ଼େଇ ଖଟକୁ ବିଜେ ହେଲେ । ଆଉ ରମଣୀବାବୁ ତାରିଆ ମା’କୁ ତରବରରେ ପଚାରି ବସିଲେ—

 

“କିଓ, ଆମର ତାଙ୍କୁ କଣ ଖାଇବାକୁ ଦେଲ କି ?”

 

ତାରିଆ ମା ହସି ହସି ଫାଟିପଡ଼ିଲା । ପୁଣି ଧନ୍ଦାରେ ପଡ଼ିଲେ ସିଏ । କାନମୂଳ ରଙ୍ଗା ହେଇଗଲା । ତଳୁ ଭଉଁରୀର ଚକର ଉପରେ ଆଙ୍ଗୁଠି ଥୋଇ ପୁଣି ଭାବିହେଲେ ସିଏ । ଶେଷକୁ ତାରିଆ ମା ତାଙ୍କର ଅସହାୟ ଅବସ୍ଥାକୁ ଦେଖି ବିକଳ ହେଇ କହିଲା—

 

“ବାବୁ, ତମେ ଏଡ଼ିକି ଅବୁଝା ମଣିଷ ! ମା’ଙ୍କର ପରା ଚିତଉ ଖାଇବାକୁ ମନ ହେଲାଣି-।”

 

“ବୋଇଲେ... ?”

 

“ବୋଇଲେ ଏଥର ତାଙ୍କୁ ପଚାର ।”

 

ଏଥର ସତକୁ ସତ ତାଙ୍କର ହାଲିଆ ଭାବ କଟିଗଲା । ହୁଲିଆ ଧରି ଠଉର କରିବାର ଖୋରାକ ପାଇଗଲେ ସିଏ । ରମଣୀବାବୁ ହସ ହସ ହେଇ ଘର ଭିତରକୁ ପଶିଗଲାବେଳକୁ କାନିପଣତରେ ମୁହଁ ଘୋଡ଼େଇପକେଇଲେ ପ୍ରିୟମ୍ବଦା । ପାଖକୁ ଯାଇ ତାଙ୍କ ପିଠି ଥାପୁଡ଼େଇ ସେ ଗେଲେଇ ହେଲେ—

 

“ହଇ ହେ, ମତେ ଟିକିଏ ଆଗରୁ କହିଲନି ? ଜାଣେ ପରା, ମାଇକିନିଆ ସବୁ କହିବେ, ହେଲେ ଫଳ ଧରିବା କଥା ଜମା କହିବେନି ।”

 

“ବା’ରେ, କେମିତି କହିଥାନ୍ତି ଯେ...”

 

“ମା’ରେ, ଯେମିତି ବୁଝିଥିଲ !”

 

ଏଣିକି ସେ ଖାଲି ଭାବିବାକୁ ଲାଗିଲେ । ଶୋଇଲେ ଭାବିଲେ । ଉଠିଲେ ଭାବିଲେ । ବସିଲେ ଭାବିଲେ । ସବୁବେଳେ ଖାଲି ଆବୁରୁ ବଜୁରୁ ଗୁଡ଼ାଏ ଭବିହେଲେ । ଖଜବଜ ହେଇ ନାକ କାନ ପାଟି ପେଟ ଗୋଡ଼ ମୁଣ୍ଡ ଚାରିଆଡ଼କୁ ଖୋଜି ହେଲାପରି ଅନେଇଁ ଅନେଇଁ ଭାବିହେଲେ । ଖୋଜୁ ଖୋଜୁ ଦିହମୁହଁ ସବୁ ଗରୁ ହେଇଗଲା । ମନ ଭାରୀ ହୋଇଗଲା । ଅଳପକରେ ହାଲିଆ ହେଇଗଲେ । ତଥାପି ଗଣ୍ଡି ହଲେଇ ଗେଣ୍ଡା ଗାଡ଼ିଆର ବେଙ୍ଗୁଲୀ ନାନୀପରି କୁରୁଳି କୁରୁଳି ହସିବାକୁ ଲାଗିଲେ । କଣ୍ଟ କେତକୀର ଛାଇ ତଳେ ନିଜ ମହକରେ ନିଜେ ପୁଲକିତ ହେଇ ନିଜ ସଙ୍ଗୀତରେ ନିଜେ ହରଷିତ ହେଇ ଚତୁର୍ମାସିଆ ଛତୁ ପରି ଖାଲି ଫୁଲିବାକୁ ଲାଗିଲେ ।

 

ବଢ଼ନ୍ତି ଗଛର ପହିଲି ଫଳ, ଲେମ୍ବୁ ହଉ କି କମଳା ହଉ, ଯାହା ହଉ, ସାର ନିଶ୍ଚୟ ଖାଇବ । ମନ କଲେ ମିନିଟିକରେ ମନସଜ ଗୋଟାକୁ ଗୋଟା ଥୁଆ ହେଇଯିବ । ଅୟସ କରିବାର ବୟସ ଖସିଯିବାର ଉପକ୍ରମ ଇଏ । ଏତିକିବେଳେ ଯାହା ଖାଇଥିବ ପେଟକୁ, ଯାହା ପିନ୍ଧିଥିବ ଦିହକୁ । ନଇଲେ କାଳକାଳକୁ ହେଜି ହଉଥିବ । ପିଲାପିଲିଙ୍କର ଜଞ୍ଜାଳରେ ମନକଥା ମନରେ ମାରି ମୁରୁମୁରୁ ହବା ଛଡ଼ା ଅଧିକ କ’ଣଟାଏ ହବ ! ହାତ ପାହାନ୍ତାକୁ ଆଉ ଆସିବ କି ?

 

ଏଥର ମୁଣ୍ଡକୁ ଉକୁଣୀ କାମୁଡ଼ିଲା । ହାତ ପାହାନ୍ତାରେ ଥାଇ ଏଡ଼େ ବହପ ! ତଟକା ତେଲଲଗା କଳା ମଚମଚିଆ ମୁକୁଳା ବାଳକେରାକ ସରୁଦାନ୍ତିଆ ଶିଂଘ ପାନିଆରେ କୁଣ୍ଡେଇଆଣିଲେ ସିଏ । କୁଣ୍ଡେଇ ସିନା ହେଲାନି, ହେଲେ ଆହୁରି ଗୁଡ଼ାଏ ଭାବନା ମୁଣ୍ଡେଇ ହେଇଗଲା । ଘରଧରା ସାଙ୍ଗସରିସାଙ୍କ ସଣ୍ଢୁଆସୀ ଆକ୍ରମଣରେ ମଝି ଅଗଣାର ବସି ଚିହିଁକିପଡ଼ିଲେ ପ୍ରିୟମ୍ବଦା ।

 

ଓକିଲିଆଣୀ ଦୋତାଲାର ଝରକା ଫାଙ୍କରେ ନାକ ପୂରେଇ ଗଣ୍ଠିକଥାଟା ପଚାରିପକେଇଲେ—

 

“କିଓ ! ଗଣ୍ଠିଟାଏ ପକେଇବାକୁ କେତେ ସମୟ ଲାଗୁଚି ମ ?”

 

ପ୍ରିୟମ୍ବଦା ଅଳପ ହସି ତରତର ହେଇ ସାଇଁ ସାଇଁ ପାନିଆଁ ଚଳେଇବାକୁ ଲାଗିଲେ । ଏମିତି ସମୟରେ ଆର ପଡ଼ିଶାର ପଣ୍ଡିତିଆଣୀ ମଝି ଅଗଣା କାନ୍ଥ ଉପରେ ନିଗୁଣୀ ପକେଇ ଉହୁଁକି ଉଠିଲେ ।

 

ସତକୁ ସତ ତାଙ୍କୁ ଲାଜ ଘୋଟିଆସିଲା । କେତେବେଳୁ ତ ସିଏ ମୁଣ୍ଡ ବାନ୍ଧିବାକୁ ବସିଲେଣି ! ପୁଣି ତୁଚ୍ଛାକୁ ଭାବିହେଲେ ସେ । ତେଣେ ପଣ୍ଡିତିଆଣୀ ପାନ ପାକୁଳେଇ ଓକିଲିଆଣୀଙ୍କ ସହ କଥା ମିଶେଇହେଲେ । ଦି ପଟରୁ ଦି କାନରେ କାଠଗୁଡ଼ାକ ପିଟିହେବାକୁ ଲାଗିଲା । ଛାଟିପିଟି ହେଇ ଘରଭିତରକୁ ଉଠିଯାଇ ନିଠେଇ କରି ହସି ହସି ଲୋଟି ପଡ଼ିବାକୁ ଇଚ୍ଛା ହଉଥିଲେ ବି ପ୍ରିୟମ୍ବଦା ମୁହଁ ପୋତି ଜୁଡ଼ା ବସେଇ କଣ୍ଟା ମାଡ଼ିଦେଲାବେଳକୁ ତାରିଆ ମା ଖୁଣ୍ଟା ମାଇଲା ପରି ଜୁଟିଗଲା । ତିନି ତୁଣ୍ଡରେ ଛେଳି କୁକୁର । କାଇଲି କରି କୋଳେଇ ପକେଇଲେ ସମସ୍ତେ । ସିଏ ହିନସ୍ତାରେ ପଡ଼ିଲେ । ଆଉ ସମସ୍ତେ ହିଁ ହିଁ ହେଇ ହସିଲେ ଯେତିକି ତାଠୁଁ ଆହୁରି ବେସି କହିଲେ ସେତିକି । ଗଲା ବୟସର କୁଆଁର ପୁନେଇଁ ଟିଇଁ ଟିକଲ ମନେ ପଡ଼ିଯାଇଛି ପରା ! ପାଞ୍ଚ ପିଲାର ପଞ୍ଚୁଆତି ପାତି ଦରବୁଢ଼ୀ ହେଇଥିବା ତାରିଆ ମା ଅପୁଆତୀ ପରି ଥୋଡ଼ି ଧରି ଥୋଡ଼େ ଟିକଲ କରି କହିଗଲା—

 

“ମଲା, ଭାଳିଲେ କି ହବ ! ଡର କାହାକୁ ଭୟ କାହାକୁ, ମରଦ ଅଛି ଘର ବୁହାକୁ !”

 

“ହଁ ଲୋ, ହଁ, ସେଇଆ କହ । ତାଙ୍କରି ପରି ବୋଲକରା ଲଡ଼ୁ ଗୋପାଳଟିଏ କୋଳକୁ ଆସୁ । ବେଳକୁ ସାହା ହବ ।”

 

ପଣ୍ଡିତିଆଣୀଙ୍କ କଥାଟା ଓକିଲିଆଣୀଙ୍କୁ ଭଲ ଲାଗିଲାନି । ତାଙ୍କର ବାର ବରଷର ଝିଅଟି ପଛକୁ ଆଉ ବକଟେ କେହି ନାହିଁ । ତାଙ୍କୁ ଆଉ ଦେଖେଇ ଶିଖେଇ ସିଏ କହୁନାହାନ୍ତି ତ ? ଜଣକର ନାଗଗୋତ୍ର ତ ଜଣକର ଗରୁଡ଼ ମିତା କେମିତି ଆଜି କଥା ମିଶେଇ ଦେଇଥିଲେ କେଜାଣି-! ଏଥର ଆଉ ସମ୍ଭାଳି ହେଇପାରିଲେନି ସେ । ଧନଦଉଲତର ଗରବ ଦେଖେଇ ପଣ୍ଡିତଙ୍କର ଗଜମୂର୍ଖ ପୋଢ଼ୁଆଁ ପୁଅକୁ ଉପଲକ୍ଷ କରି ବାକ୍ୟବାଣ ଗୋଟାଏ ବିନ୍ଧିପକେଇଲେ—

 

“ନଡ଼ବଡ଼ କରି ନ’ ଛ’ଟା ଜନମ କଲେ କଣ ହବ ? କଥାରେ ପରା ଅଛି—ଆଗ ପାଇଥିବ ଝିଅ, ପଖାଳ ଭାତରେ ଘିଅ ଖାଇ ଖାଇ ହଂସୁଲୀ ଶେଯରେ ଶୁଅ ।”

 

“ଯେତେହେଲେ ଝିଅ ପାରିବାର ପରଘରକୁ, ପୁଅ ପାରିବାର ବଡ଼ପଣକୁ । “ପଣ୍ଡିତିଆଣୀ କଥାଟାକୁ ଅଳପକରେ କାଟିପକେଇଲେ ।

 

ହେଲେ ତାରିଆ ମା ଧାଇଁରେ ଚାଇଁରେ ସବୁଥିରେ ଥାଏ । ଫଡ଼୍‍ କରି ପଦକରେ କଥାଟାକୁ ବାଗେଇନେଲା । ଆଦିପର୍ବରେ ମହାଭାରତର ମୁଣ୍ଡି ମରିଲା । ନଇଲେ ତ କଥା ସରିଥିଲା ! ଆଳୁ ଖୋଳୁ ଖୋଳୁ ମହାଦେବ ବାହାରି ତାର ଏଡ଼େ ବଡ଼ ମଉକାଟାକୁ ସାରିଦେଇଥାନ୍ତେ !

 

“ମୋର କିନ୍ତୁ ଖଣ୍ଡେ କୁମ୍ଭପକା ଶାଢ଼ି ନ ହେଲେ ଜମା ମିଠେଇ ବାଣ୍ଟିବିନି ।’’

 

ପ୍ରିୟମ୍ବଦା ମଧ୍ୟ କଥା କହି ଉଠିପଡ଼ିବାର ଓର ପାଇଗଲେ । ପାନିଆଁ, ଦର୍ପଣ, ତେଲେଶିଶି ସବୁ ଏକାଠି କରି ଉଠିପଡ଼ିଲାବେଳକୁ କହିବସିଲେ—

 

“ମଲା, କେତେ ଫୁଲେଇ ହଉଚୁ ମ ? ତାଙ୍କ ସାଙ୍ଗରେ ସିନା ବୁଝାବୁଝି, ମୋ’ଠି କଣ ଅଛି ?”

 

ଏମିତି ହସମଉଜର ତରତରରେ ତାଙ୍କ ହାତରୁ ପାନିଆଁ ଖସିଗଲା । ତାରିଆ ମା ଢଗ ମେଲେଇ ପୁଣି କହିଲା—

 

“ଏଥର ତ ତମ ଘରୁ କିଏ ନିଶ୍ଚୟ ଆସିବେ । ପାନିଆଁ ହାତରୁ ଖସିଲାଣି ଟି !”

 

“ହଉ ।’’

 

ପ୍ରିୟମ୍ବଦା ଏତିକି କହି ଘରଭିତରକୁ ଚାଲିଗଲେ । ତାରିଆ ମା ଦୁଇପଟକୁ କଣେଇଁ କରି ଚାହିଁଲାବେଳକୁ ତେରେଛା ମୁହଁ ଛାଟି ଓକିଲିଆଣୀ ଲେଉଟି ପଡ଼ୁଥିଲେ । ପଣ୍ଡିତିଆଣୀ ବି ହସର ବରଛା ମାରି ନିଶ୍ଚିନ୍ତରେ ତଳକୁ ଓହ୍ଲେଇ ଯାଉଥିଲେ । ଦାଣ୍ଡଦୁଆରର କଡ଼ା ତେଣେ ଖଡ଼୍‍ ଖଡ଼୍‍ ହେଇ ଖଡ଼କି ଉଠିଲା । ରମଣୀବାବୁ ଅଫିସରୁ ଫେରିଲେଣି । ତେଲ ଝକ ଝକ ମୁହଁଟାକୁ ପଣତରେ ପୋଛିଆଣି ପାଉଡ଼ର ମାଖି ହେଉଁ ହେଉଁ ସିଏ ତାରିଆ ମାଆକୁ ଜଳଖିଆ ବାସନ ମାଜି ଆଣିବାକୁ ବରାଦ କଲେ । କୁରୁଳା ମନ ବେଳକୁବେଳ ଆହୁରି କୁରୁଳି ଉଠୁଚି । ସିନ୍ଦୂରଟୋପା ସମାନରେ ବସୁନି ।

 

ରମଣୀବାବୁ ବି ସେମିତି କିଏ କୁତୁକୁତୁ କଲାପରି ଅଣ୍ଟା ଦୋହଲେଇ ଘରଭିତରକୁ ପଶିଆସିଲେ । ତାଙ୍କ ହାୱାଇ ଚପଳର ପଟେ ହାୱାରେ ଭିଡ଼ ଅଗଣାରେ ପଡ଼ିଗଲା । ତରବରରେ ହାୱାଇନଟା କାଢ଼ୁ କାଢ଼ୁ ଚିଠିପତ୍ର ମେଞ୍ଚାଏ ଚଟାଣରେ ଛାଟି ହେଇଗଲା । ହନ୍ତସନ୍ତ ହେଇ ହସରେ ଫାଟିପଡ଼ି ସେ ତଳୁ ଚିଠିପତ୍ର ପୁଳାକ ଗୋଟେଇନେଲେ । ଚିତ୍ ହେଇ ଖଟ ଉପରେ ଚାରିକାତ୍ ମେଲିଲେ । ସତରେ ସେ ଆଉ ହସକୋଳି ଖାଇ ଖିଲି ଖିଲି ହଉଚନ୍ତି କି ? ପ୍ରିୟମ୍ବଦା ଏମିତି ଅବାଗର ଢଙ୍ଗଢାଙ୍ଗ ଆଗରୁ କେବେ ଦେଖି ନ ଥିଲେ ତାଙ୍କର । ପଚାରିଲା ଆଖିରେ ଆକଟ କରି କହିଲେ—

 

“କିଓ, ମନ କଣ ଆଜି ଭାରି ଉଲୁସୁଚି ! କଥା କଣ ?”

 

“ନାଁ ଦିଆ !”

 

“ମାନେ... ?”

 

“ଆଚ୍ଛା, କହିଲ ଆମର କଣ ଦବା ?”

 

“କାହାକୁ ବା...କୋଉଦିନ ?”

 

“ତମର—’’

 

“ଧେତ୍, କଣ ଖୋଲିକରି କହୁ, ଇମିତି ଗୁଡ଼ାଏ ମତେ ଜମା ଭଲ ଲାଗେନି ।”

 

“ନାଇଁ, ତମର ନୁହେଁ, ଆମର ।”

 

ଓଢ଼ଣା ସଜାଡ଼ି ପ୍ରିୟମ୍ବଦା ଏଥର ଆଡ଼େଇଗଲେ । ବୁଝୁବୁଝୁ ହେଇ ମନ ଭିତରେ ଗୁଜୁଗୁଜୁ ହେଲେ ସିନା, ପାଟି ଖୋଲି କିଛି କହିଲେନି । ଅଳପରେ ହସିଦେଲେ ମାତ୍ର । ଏତିକିବେଳେ ମଜା ବାସନତକ ଟେବୁଲ ଉପରେ ଥୋଇଦେଇ ତାରିଆ ମା ତାର ଫରମାସୀ କଥା ଦୋହରେଇ ପକେଇଲା । ରମଣୀବାବୁ ସିମିତି କଡ଼ିରୁ ବରଗା ଗଣୁ ଗଣୁ ହେଇ ତାର କଥାର ଉତ୍ତର ମଧ୍ୟ ଦେଇପକେଇଲେ ।

 

“ହଉ, ସେ ବେଳ ତ ଅଛି ।”

 

“ଅଛି କଣ ମ ବାବୁ, ଆସିଗଲାଣି ପରା ! ପୁଅ ହେଲେ କିନ୍ତୁ କୁମ୍ଭପକା ଶାଢ଼ି ଖଣ୍ଡେ ନ ହେଲେ ନ ହୁଏ । ହାଁ...”

 

ଆଉ କଣ କାଳେ ହଁ ନାହିଁ କରିପକେଇବ କି ରମଣୀବାବୁ ! ବେଳହୁଁ ବାଟ କାଟିନେଲେ ଯାଏ । ଉତ୍ତର ଶୁଣିବାର ଅପେକ୍ଷା ନ ରଖି ତାରିଆ ମା ବିପୁଳ ବିକ୍ରମରେ ଗୋଟାଏ ସାଫଲ୍ୟକୁ ଅତିକ୍ରମ କରି ପ୍ରସ୍ଥାନ କଲା । ଏତେବେଳେକୁ ଆସ୍ଥାନ ଜମାଇ ରମଣୀବାବୁ ଖଟବାଡ଼କୁ ଢିରା ଦେଇ ବସିଲେଣି । ହାତର ଚିଠିପୁଳାକରୁ ଖଣ୍ଡେ ବାଛି ସେ ପ୍ରିୟମ୍ବଦାଙ୍କୁ ବଢ଼େଇ ଦେଲାବେଳକୁ ପୁଣି ହାବୁକାଏ ହବ ହସ ହୁସ୍ ହୁସ୍ ହେଇ ବାହାରିପଡ଼ିଲା । ପୁଣି ଅଣାୟତ୍ତ ହେଇ ରମଣୀବାବୁ ହସିଲାଗିଲେ । ଏଥର କିନ୍ତୁ ବୋକଚାବୁହା ଘୋଡ଼ୀ ପରି ହସର ଭାର ଆଉ ସମ୍ଭାଳି ପାରିଲେନି ପ୍ରିୟମ୍ବଦା । ଫଟ୍‍କରି ତାଙ୍କ ହାତରୁ ଚିଠିଟାକୁ ଭିଡ଼ିଆଣି ଏକଦୃଷ୍ଟିରେ ପଢ଼ିବାକୁ ଲାଗିଲେ ସେ । ତାଙ୍କ ମୁହଁରେ ମଧ୍ୟ ହେରେସା ହସର ବୃଷ୍ଟି ଆରମ୍ଭ ହେଇଗଲା ।

 

ଦିହେଁ ଏଥର ଦିହିଁଙ୍କ ହସର ଗୁମର ଠିକ୍ ବୁଝିସାରିଲେଣି । ରମଣୀରମଣ ପ୍ରିୟମ୍ବଦାଙ୍କର ଆଦରର ଅପରତିଆଣୀ ନାଁଟା ଆବିଷ୍କାର କରି ଯେତିକି ରୋମାଞ୍ଚିତ ହେବାକୁ ଲାଗିଲେ, ବାପଘରକୁ ଯିବାର କଳ୍ପନା କରି ପ୍ରିୟମ୍ବଦା ବି ସେତିକି ଉଲୁସିବାକୁ ଲାଗିଲେ । ଉଭୟେ ହସଖୁସିର ମାଦକତାରେ ମଜ୍ଜିଗଲେ । ବୁଝା ଅବୁଝା ସବୁ ସମଝିଗଲେ । ଶେଷକୁ ରମଣୀବାବୁ ନାମ ରହସ୍ୟର ଉଦ୍‍ଘାଟନ କରି କହିଲେ—

 

“କିଓ, ଆମେ କଣ ନାଁ ଦବା ?”

 

“ତମେ କହୁନା...”

 

“ତେବେ ତମେ କହିଲେ କଣ ବେଦ ଅଶୁଦ୍ଧ ହେଇଯିବ ?”

 

“ମୋର ବୁଦ୍ଧି କାଇଁ, ତମକୁ ଟପିଯିବ ? ସେ ଯାହାହେଉ, କୋଉଦିନ ଯିବା କଥା—ଏବେ କଣ କହୁଚ ଯେ ?”

 

“ଦେଖେ, ମୁଁ ଆଲ ବୋଇଲେ ତମେ କାଲ୍ କାଇଁ କହୁଚ, କହିଲ ? ମୋ କଥାର ଉତ୍ତର କାଇଁ ?”

 

“ଓଃ ହୋ... କୋଉ କଥା ଯେ ?”

 

“ନାଁ ଦିଆ କଥା ମ ।”

 

“ବନମାଳୀପୁର ହାଟରେ ପୁଅର ବାପ ସୁନାଖଡ଼ୁ ଗଢ଼େଇ ପଚାରିହେଲା ପରି ତମେ ଆଉ ହ’ନି ।”

 

“ହଉ ତେବେ, ଝିଅର ମା ପେଇଁ ଝିଙ୍କା ଗଢ଼େଇବା ।”

 

“ଥାଉ, ଟଙ୍କାଗୁଡ଼ାକ ଟାଙ୍କିଦେଇ ଫୁଙ୍କା ପାଖକୁ ପଳେଇବ । ମୁଁ ଏତେ ସେତେ ଜାଣିନି-। ମତେ କୋଉଦିନ ପଠେଇବ, କହିଲ ?”

 

କିଛି ଉତ୍ତର ଦେଲେନି ରମଣୀବାବୁ । ଦାନ୍ତ ଚିପି ଚିପି ଚୁମ୍ବକରେ ଭାବିଗଲେ । ଆହା...ହା...କି ମଧୁର ସତେ ହେଇଯାଆନ୍ତେ ଶ୍ରୀମତୀ ଅମୁକମାନେ ! ବାପଘରକୁ ଯିବାର ବାତୁଳାମନ କିମିତି କଥା କଥାକେ ଉଚ୍ଛନ୍ନ ହୁଏ ! ଏମିତି ଯଦି ସବୁଦିନ ସିଏ ଗେଲେଇ ହୁଅନ୍ତେ ଦିନଗୁଡ଼ାକ କିମିତି ପେଲେଇ ହେଇ ପଳାନ୍ତା, ଜମା ଜାଣି ହୁଅନ୍ତାନି । ନା, ମଉକା ଇଏ । ଏତିକିବେଳେ ଛଉକାରେ ମନକଥାଟା ମାପିନେବାର ବେଳ । ହାତଛଡ଼ା କରିବାକୁ ରମଣୀବାବୁ ଚାହିଁଲେନି । ସରାଗରେ ସାକୁଲେଇ ହେଇ ଗୁମରତକ ବୁଝି ପକେଇଲେ ।

 

ପ୍ରିୟମ୍ବଦାଙ୍କର ପିଠି ଉପରର ତିନୋଟି ଭାଇଭଉଣୀଙ୍କୁ ଷଠି ଗୋସେଇଁ ଅନ୍ତୁଡ଼ିଶାଳରୁ ଆରପୁରକୁ ପଠେଇ ଦେଇଥିଲେ । ସେଥିପାଇଁ ତାଙ୍କ କକେଇ ତର୍କମାର୍ତ୍ତଣ୍ଡ ମାର୍କଣ୍ଡ ମିଶ୍ରେ ବହୁ ଗବେଷଣା ପରେ ବହୁ ପୋଥିପୁରାଣ ଘାଣ୍ଟ ଚକଟ କରି ଯମଭଉଣୀଙ୍କ ଆଦରର ବାହନ ‘ପେଚୀ’ ବୋଲି ଅପରତିଆଣୀ ନାଁଟିଏ ଯୋଚିଦେଇଥିଲେ ତାଙ୍କଠି । ଯେତେବେଳେ ଲକ୍ଷ୍ମୀଠାକୁରାଣୀଙ୍କ ଖୋଦ୍ ପାଖରେ ରହିଲା ଜୀବ; ତାର ଜୀବନ କଣ, ରୁମ ବି ବଙ୍କା କରିପାରିବନି ସେ । ନାଇଁ ଯଦି ଭଉଣୀ ବିଗିଡ଼ିଯିବେ ତ ନିଶ୍ଚେ ଖପରାରେ ଖୁଆଇ ଛାଡ଼ିବେ । ଆଉ ତା ଛଡ଼ା, ଲକ୍ଷ୍ମୀ ଆଉ ଯଦି କାନ୍ଧରେ ବସନ୍ତି ତେବେ ତ ପୁଅବାର । ସେଥିପାଇଁ ଲକ୍ଷ୍ମୀ ଆଉ ଯମ ଦି’ ଭାଇଭଉଣୀଙ୍କୁ ଏକ ପଦକରେ ସନ୍ତୁଷ୍ଟ କରି ରିଷ୍ଟ ଖଣ୍ଡନ କରି ଖଡ଼ି ପକେଇ ଏଇ ଯାହା ରହସ୍ୟ ପ୍ରକାଶ କରିଥିଲେ ଅଗରୁ ମୂଳ ପ୍ରିୟମ୍ବଦା ନିଜେ ହସି ହସି ସବୁ କହିପକେଇଲେ । ରମଣୀବାବୁ ପୁଣି ଥରେ ହିଁ ହିଁ ହବା ଆରମ୍ଭ କଲେ ଯିମିତି, ପ୍ରିୟମ୍ବଦା ବି ସିମିତି କିଁ କିଁ ହେଇ କାମୁଡ଼ି ପକେଇଲେ ।

 

“ନାଇଁ, ତମେ କିମିତି ନାଁଗୁଡ଼ାକ ଦବ, ଦେଖିବାନି !”

 

“ଆହା, ସେଥିପାଇଁ ପରା ପଚାରୁଛି ।”

 

“ଆଚ୍ଛା, କଣ ଜଳଖିଆ ଖାଇବ,, କହିଲ ?”

 

“ଠାକୁରାଣୀଙ୍କର ଯାହା ବରାଦ ଥିବ ।”

 

“ହୁଁ ଉଁ...”

 

ଢମ ବାଢ଼ୁଥିବା ଢମଣାର ଫୁଉଁ ପରି ତାଙ୍କୁ ଏଇଟା ଲାଗିଲା । ପଦ୍ମତୋଳା ସରି ପାଣି ଗୋଳିଆ ହେଇଗଲାଣି । ସପ୍ତସ୍ଵରୀର ସୁଆଗିଆ ସୁରରେ ଏଥର ବଶ କରି ପେଡ଼ିରେ ପୂରେଇବାକୁ ପଡ଼ିବ । ରମଣୀବାବୁ ଥମ ଥମ ହେଇ ନମ ନମ କଲାପରି ମିଠାମିଶା କଥା ହେବାକୁ ଆରମ୍ଭ କଲେ । ହେଲେ ନିରୁତ୍ତର ହେଇ ପ୍ରିୟମ୍ବଦା କାନ୍ଥ ଆଲମାରୀ ଖୋଲି ମହନଭୋଗରୁ ପୁଳାଏ ଥାଳିରେ ପୂରେଇ ପେଲିଦେଲେ । କିନ୍ତୁ ଇଏ କଣ ଏଡ଼େ ମାଇଚିଆ ! ୟାଙ୍କ ଭୁଜରେ ବଳ ନାଇଁ, ନା ନାକରେ ବାଳ ନାଇଁ ! ସିଏ ବି ସିମିତି ଠା’ଟାକୁ ଠେଲିଦେଲେ । ଠେଲା ପେଲା ଭିତରେ ବୋଲାବୋଲି ମଧ୍ୟ ଆରମ୍ଭ ହେଇଗଲା । ବୋଲାବୋଲିରୁ ହାତ ଉଠାଉଠି ପର୍ଯ୍ୟନ୍ତ ମଧ୍ୟ କଥାଟା ଚାଲିଗଲା । ପଛକୁ ଖୁଆଖୋଇ ହେଇ ଥାଳିରୁ ମହନଭୋଗ ସରିଲାରୁ ଦିହେଁ ଉଠିଲେ । ଯାହା ହଉ, ପିଟାପିଟି ନ ହେଉଣୁ କଥାଟା ମିଟାମିଟି ହେଇଗଲା । ଆଉ ପ୍ରିୟମ୍ବଦା ଗେଲଇ ହେଇ ଗରମ କ୍ଷୀର ଗିଲାସଟିଏ ତାଙ୍କ ହାତକୁ ବଢ଼େଇଦେଲେ ।

 

“ଅରେ ବାଃ, ତମେ ତ କଣ ବିଜୁଳୀ ପରି ଚଞ୍ଚଳ ହେଲଣି !”

 

“ଆଉ କଣ କହନ୍ତିଟି ତମକୁ !”

 

“କିଓ, ତମ ଗିଲାସଟା ?”

 

“ଉଁ ହୁଁ...”

 

କ୍ଷୀର ଗିଲାସଟାକୁ ଟେବୁଲ ଦାଢ଼ରେ ଥୋଇ ଦେଉ ଦେଉ ରମଣୀବାବୁ ଆକଟିଲା ପରି ବୁଝେଇବାକୁ ଆରମ୍ଭ କଲେ, “ଦେଖ, ତମେ ଯଦି ଏତେବେଳେ ନ ଖାଇ ନ ପିଇ ଅମାନିଆଁ ହେଇ ଦିହ ପା’ର ଯତ୍ନ ନ ନେବ ତେବେ କଣ ହବ, କହିଲ ? କେତେବେଳେ କୋଉ କଥା—କଣ ଭରସା ଅଛି ? ଉଶ୍ଵାସରେ ଖଲାସ ହେଲେ ସିନା ଯାଇ ବିଶ୍ଵାସ, ନ ହେଲେ ନାଇଁ ।”

 

ଏମିତି ହଉ ହଉ ରମଣୀବାବୁ ନୀରସ ହେଲେ । ପ୍ରିୟମ୍ବଦା ବିରସ ହେଲେ । ଯଦି ସତରେ କଣ ତାଙ୍କର ହେଇଯାଏ ! ପୁତୁଖାଈ ଡାହାଣୀର ପୋଡ଼ା କଜଳକୁ ସିନା ଡର, ହେଲେ କାଳକୁ ବଳ କାହାର ! ! ! ମନ ବିକଳ ହବାକୁ ଲାଗିଲା । ଦିହ ଅଚଳ ହେଇଗଲା । ଆଖି ସଜଳ ହେଇଗଲା । କଥାଟା ଅକଳରେ ରହିଗଲା । ବିଚଳିତ ହେଇ ପ୍ରିୟମ୍ବଦା ପଚାରି ପକେଇଲେ—

 

“ହେଇ... ଆଚ୍ଛା, ତମେ ମତେ ଭଲ ପାଅ ?”

 

“ମାନେ ?”

 

“ମୁଁ ଗୋଟାଏ କଥା କହିବି, ରଖିବ ?”

 

“ନିଶ୍ଚୟ ।”

 

“ମୁଁ ଥାଏଁ ନ ଥାଏଁ ମୋ ପିଲାଙ୍କୁ କେବେ ହତାଦର କରିବନି ।”

 

“ହଉ ।”

 

ଏଡ଼େ ସଳଖରେ କଥାଟା କହିଦେଲେ ! ମୋ ପେଇଁ ଏତେ ଟିକିଏ ହେଲେ ତାଙ୍କର ଦରଦ ନାଇଁ ! ଧିକ୍, ଏ ଜୀବନର ଆଉ ମୂଲ୍ୟ କଣ ? ମଲାବେଳକୁ ବି ମଣିଷକୁ ଟିକିଏ ନାଇଁ ବୋଲି କହିବେନି । ଇଏ କିମିତି ଭଲ ପାଇବା କେଜାଣି । ମନେ ମନେ ଗୁଣିହେଲେ ପ୍ରିୟମ୍ବଦା ଯେତିକି, ଆଖିରୁ ଧାରକୁଧାର ଲୁହ ଗଡ଼େଇଲେ ବି ସେତିକି । ଆଖି–ଚିରା–ଝରଣାର କୁଳୁକୁଳୁ ସୁଅରେ ରମଣୀବାବୁଙ୍କର ବାଲିଗରଡ଼ା ପରି ହୁଦୟଟା ଖାଲି ବାଡ଼େଇ କରାଡ଼ି ହେଲା । ସେ ଦିଗହରା ଦାର୍ଶନିକ ପରି କହିଲେ—

 

“ଛାୟାକୁ ଛାଡ଼ି କଣ କାୟା ରହିପାରେ ?”

 

“ଥାଉ ଥାଉ, ଆଉ ମାୟା ଲଗେଇ ହ’ନି । ପଟେ ଗଲେ ହଳେ ଆସିବ । ତମର କଣ ଅଛି ! ମୋ ପିଲାଙ୍କୁ ସିନା ମା ମିଳିବେନି, ହେଲେ ତମକୁ କୋଉ ମାଇପ ଅପୂରୁବ ହେବେ !”

 

କଥାଟା ଘନେଇ ଆସିଲା । ମନଭିତରେ ଘୁଣ ଖାଉଥିବା ଭାବନାଗୁଡ଼ାକୁ ଆଉ ତୃଣ ପରି ତଉଲି ପାରିଲେନି ସେ । ସତ କଥା ତ ! ସେ ବି ସୁକୁସୁକୁ ହେଲେ । ହେଁସ କାଇଁପାଇଁ ଧୋଇବା ନ୍ୟାୟରେ ଦିହେଁ ଦିହିଁଙ୍କୁ ଜାବୁଡ଼ି ଧରି ଉଜାଣି ଯମୁନାର ସୁଅରେ ଭଲ ପାଇବାର ବନ୍ଧ ବାନ୍ଧିଲେ । ହଜିଲା ଛନ୍ଦ ପୁଣି ଲେଉଟିଆସିଲା । ଛାତିର ତାତିରେ ଲୁହ ଶୁଖେଇ ‘ମୁଁ ତୋର ତୁ ମୋର ଆଉ ସମସ୍ତେ ପର’ ଗୀତ ଗାଇବାକୁ ଲାଗିଲେ ।

ଗୀତ ଗାଉ ଗାଉ ମନଭିତରେ କଥାଗୁଡ଼ାକ ବାହାରିପଡ଼ିଲା । ମନକଲା ମନସଜ ଗୋଟିକି ଗୋଟି ବାଢ଼ିବସିଲେ ପ୍ରିୟମ୍ବଦା । ବଡ଼ଦେଉଳର ବଡ଼ପିଠା, ଜଗନ୍ନାଥବଲ୍ଲଭର ଖୁଆମଣ୍ଡା, ବନାରସବାଲାର ଘୁଗୁନି, ପଢ଼ିଆରୀ ପସରାର ପୋଡ଼ପିଠା, ସେନାପତି ଦୋକାନର ପିଆଜ, ସବୁ ହେଜି ହେଲାର ଚାହା ଧରି କଳଗାଉଣା ପରି ଗାଇଗଲେ ।

ରମଣୀବାବୁ କଣ ଏଡ଼େ ଅଜାଣିବାର ! ତାଙ୍କର କଣ ଟିକିଏ ହେଲେ ଆଦର ନାଇଁ ନା ସଜେଇହେଲା ମାଇପକୁ ଆଗରେ ରଖି ପଛରେ ଯିବାର ସଉକ ନାହିଁ ! ସିଏ ବି ସିମିତି ସୁଆଦଖିଆ କଥାକୁ ଆଡ଼େଇ ରଖି ସାଇକଲ ରିକ୍‍ସାରେ ବସି ସମୁଦ୍ରକୂଳ ଆଡ଼କୁ ଯିବାକୁ ତରତର ହେଲେ । ଖାଲଢିପ ରାସ୍ତାର ପକାଉଠା ଭିତରେ ଠିକ୍‍ଠାକ୍ ହେଇ ବସିଲାବେଳକୁ ତଳଆଡ଼ୁ ଯୋଉ ଠକ୍‍ଠାକ୍ ଠୋକର ଆଉ ଉପରଆଡ଼ୁ ଖଟାମିଠା କହୁଣିଆ, ସତରେ ତା ଅନ୍ୟବେଳରେ ଦୁର୍ଲ୍ଲଭ । ଏତିକିବେଳେ ଯାହା ବୁଲିଥିବ ଭଲ, ନ ହେଲେ ଭବିଷ୍ୟତରେ ମେସ୍‍ସାହେବଙ୍କ ବାବୁଙ୍କ ଅର୍ଦ୍ଦଳୀ ପର ପିଲା କାଖେଇ ଚାଲିଦାବୁ ପଡ଼ିବ । ଆଖି ଆଗରେ ଆଠପଳିଆ ଆବୁ ଓହଳିଲା ପରି ଭାବନାଟା ଭାରି ଲାଗିଲା ରମଣୀବାବୁଙ୍କୁ ।

ଏକ ନିଃଶ୍ଵାସରେ ଏଇ କଥାଟା ଛାତି ଭିତରୁ ଛଳ ଛଳ କରି ଉଝାଳ ପକାଇଲାବେଳକୁ ରମଣୀବାବୁଙ୍କ ହାତ ବାଜି କ୍ଷୀର ଗିଲାସଟା ଢାଳି ହେଇଗଲା । ପ୍ରିୟମ୍ବଦା ଚିଲେଇ ଉଠିଲେ । ଦକ୍ଷିଣୀ ଗିଲାସର ଦୁଦୁରାଫୁଲିଆ କାମ କାମ ଦେଖାଇଲା । ରମଣୀବାବୁ ଆଣ୍ଠେଇ ପଡ଼ି ଅଣ୍ଡାଳି ପକେଇଲେ । ଏଣ୍ଡୁରୀ ପିଠାର କାଠିମରା ଫାଟ ପରି ମଝି ପାଦର ଉପରକୁ ଦାଗଟାଏ ବସିଚି । ଅଳତା ଛିଟା ପରି ଟୋପାଏ ରକତ ଝଟକୁଚି । ହାଉହାଉ ହେଇ ବାୟା ହାତୀ ପରି ସେ ଘରଟାସାରା ଖେଦିଗଲେ । ଥାକ ଠଣା ପେଡ଼ି ପେଟରା ସବୁ ଖୋଜିଗଲେ, କାଳେ ହାତକଟା କି ଗୋଡ଼ଫଟା ଔଷଧରୁ ଟୋପାଏ ମିଳିଯାଏ !

 

ହେଲେ ଦାଗଟାକୁ ବୁଢ଼ା ଆଙ୍ଗୁଠିରେ ଚାପିଧରି ମନକଲା ମଣିଷର ମହତପଣିଆକୁ ମାପିପକେଇଲେ ପ୍ରିୟମ୍ବଦା । ଅଜାଣତରେ ବାଜିଯାଇଚି । ସତରେ କଣ ସିଏ ଜାଣିଶୁଣି ଏ କଥା କରିଚନ୍ତି । ଏତିକି ଭାବିହେଲାବେଳକୁ ବଥାଟା ମନକୁ ମନ କଥା ପରି ପବନରେ ଉଡ଼ିଗଲା । ସଳଖରେ ଛିଡ଼ା ହେଇ ଅଳପ ହସି ସେ କହିଲେ—

 

“ନାଇଁ ଥାଉ, ଆଉ ଖୋଜି ହ’ନି । ରକତ ବନ୍ଦ ହେଇଗଲାଣି ।”

 

“ଉହୁଁ, ଇଏ କେମିତିକା କଥା ! ସେପ୍‍ଟିକ୍ ହବ—ପାଚିବ । ଛୋଟକଥା ବୋଲି ଛାଡ଼ିଦେଲେ ଚଳିବନି । ଆଣ୍ଟି ଟିଟାନସ କି ପେନିସିଲିନ୍ ଇଞ୍ଜେକସନ ଅନ୍ତତଃ ଗୋଟାଏ ନବା ଦରକାର ।”

 

“ତା ହେଲେ କଣ ସମୁଦ୍ରକୂଳ ଯିବନି ?”

 

“ବୁଝିଲ, ମତେ ଏଗୁଡ଼ାକ ଭଲ ଲାଗେନି । ବିପଦ ପଡ଼ିଲାବେଳେ ବୁଲିଯିବ ! ଆଚ୍ଛା, ଲୁଗାପଟା ପିନ୍ଧିଲ ଆଗେ ।”

 

ପ୍ରିୟମ୍ବଦା ଘରପୋଛା କନାରେ ଘରଟାକୁ ପୋଛି ଲାଗିଲେ । କ୍ଷୀରଭିଜା ଲୁଗାପଟାକୁ ଚିପୁଡ଼ିଦେଲେ । ରମଣୀବାବୁ ପୁଣି ଅବଶୋଷର ନିଃଶ୍ଵାସଟାଏ ପକାଇ ମନ ଘେନିଲା ପରି କହିଲେ—

 

“ବୁଝିଲ, କ୍ଷୀରତକ ବେଶି ଗରମ ହେଇ ନ ଥିଲା, ରକ୍ଷା ! ନଇଲେ ଏ ଅବସ୍ଥାଠୁ ସେ ଅବସ୍ଥା ଆହୁରି ବଳିପଡ଼ିଥାନ୍ତା । ହଉ, ଏଥର ଲୁଗାପଟା ଲାଗିହୁଅ ।”

 

ତଥାପି ପ୍ରିୟମ୍ବଦା ନ ଶୁଣିଲା ପରି ଘରସାରା ଖିନ୍‍ଭିନ୍ ହେଇ ପଡ଼ିଥିବା ଜିନିଷପତ୍ର ଥାକଠଣାରେ ଠିକ୍ କରି ସଜାଡ଼ି ଲାଗିଲେ । ରମଣୀବାବୁ ବି ନିଜ ଫୋପାଡ଼ିଲା ହାତର ଜିନିଷକୁ ଯୋଗାଡ଼ି ଲାଗିଲେ । ପାଞ୍ଚ ମିନିଟରେ ଅଳିଆ ସଫା ହେଇଗଲା । ହାତରୁ ମଳି ଛଡ଼େଇ ମୁଣ୍ଡ କୁଣ୍ଡେଇ ସିଏ ସଜେଇ ହେଲେ ବୁଲିଯିବାକୁ । କିନ୍ତୁ ପ୍ରିୟମ୍ବଦା କାମରେ ଲାଗିପଡ଼ିଲେ, ଯେମିତି କିଛି ଜାଣିନାହାନ୍ତି । ରମଣୀବାବୁ ପୁଣି ଥରେ ହାତରୁ ପାଲଟି ଛଡ଼େଇ ନେଇ ଅନୁନୟ କଲେ—

 

“ଆହା... ଥାଉ ସେତିକି । ଲୁଗାପଟା ପିନ୍ଧୁନ କାଇଁକି ?”

 

“ମୁଁ ବୁଲି ଯିବିନି ।”

 

“କାଇଁକି ?”

 

“ଚାଲିପାରିବିନି ।”

 

“ରିକ୍‍ସାରେ ଯିବାଟି—ଚାଲି କଣ ପାରିବନି ?”

 

“ନାଇଁ, ମୁଁ ଯାଇପାରିବିନି ।”

 

ମୁହଁ ଆଡ଼େଇ ଖଟ ଦାଢ଼ରେ ଦାଢ଼ୁଆ ଛୁରୀ ପରି ଥୋଡ଼ିଟାକୁ ଦେଖେଇ ଆଡ଼ବୁଲା ହେଇ ସେ ବସିପଡ଼ିଲେ । ରମଣୀବାବୁ ଆଲ୍‍ନା ଉପରୁ ଶାଢ଼ି ବ୍ଲାଉଜ ଆଉ ଆଉ ଭିତିରିଆ ଅଙ୍ଗବାସଗୁଡ଼ିକ ଖୋଜି ଖୋଜି କୁଢ଼େଇ ପକେଇଲେ । ପ୍ରିୟମ୍ବଦା ଖିଙ୍କାରିଉଠିଲେ—

 

“ମୁଁ ଏଥର ସଜାଡ଼ି ପାରିବିନି । କାହିଁକି କାଢ଼ୁଚ ?”

 

“ପିନ୍ଧିବ ପରା !”

 

“କଣ ପିନ୍ଧିବି ?”

 

“ବେଶ !”

 

“ଥାଉ ।”

 

ପ୍ରିୟମ୍ବଦା ଗାଉଁ ଗାଉଁ ହେଲେ । କଥାଟା ଫିଟିପଡ଼ିଲା । ମୋଟାମୋଟି ଚାରି ଛ’ ଖଣ୍ଡ ଶାଢ଼ି ଧୋବାଘରେ—ଦୁଇଖଣ୍ଡ ଚିରା । ଖଣ୍ଡିଏ କ୍ଷୀର ପଡ଼ି ଓଦା ହେଇଗଲା । ବାକି ଆଉ ଯୋଉ ଦିଇଟା ଅଛି, ପଦାକୁ ପିନ୍ଧିକରି ଗଲେ ମାନିବନି । ତେଣୁ ସେ ଆଜି ବୁଲିଯିବେନି । ରମଣୀବାବୁ ଏଥର କଥାର ଗୁମର ବୁଝିଲେ । ସେଠୁ ଗେଲେଇ ହେଇ ଆଜି ଏଇଲେ ଶାଢ଼ି କିଣିବାର ପ୍ରତିଶ୍ରୁତି ଦେଇ ଗଦ ଶୁଙ୍ଘାଇ ତାଙ୍କୁ ବଶ କରିପକେଇଲେ । ପ୍ରିୟମ୍ବଦା ସୁବିଧାରେ ସଜାଡ଼ି ହେଇ ବୁଲି ବାହାରିଲେ । ଲୁଗାପଟାର ଅସୁବିଧା କିଛି ହେଲାନି ।

 

ରିକ୍‍ସା ବଡ଼ଦାଣ୍ଡରେ ପହଞ୍ଚିଲା । ପକେଟରେ ହାତ ମାରି ରମଣୀବାବୁ ଦୃଷ୍ଟି ଖୋଲିଲେ । ରିକ୍‍ସା ଛକରେ ଅଟକିଗଲା । ପୃଷ୍ଟି ଦୋକାନକୁ ଦୃଷ୍ଟି ପକେଇ ରାମ ରାମ ଦୋକାନକୁ ଯିବା କି ନ ଯିବା ଭାବିହେଲାବେଳକୁ ଚହଳ ପଡ଼ିଗଲା । ଷଣ୍ଢ ଲଢ଼େଇ ଲାଗିଲାଣି । ଦାଣ୍ଡସାରା ଲୋକ ଲଣ୍ଡଭଣ୍ଡ ହେଇ ଦଣ୍ଡ ପାଇଲେ । ଏମାନେ ମଧ୍ୟ ସେଥିରୁ ବାଦ୍ ପଡ଼ିଲେନି । ରିକ୍‍ସା ଉପରେ ଦିହେଁଯାକ କି ଶାଢ଼ି କିଣିବେ ବିଚାର କରି ବସିଲେ ନାଇଲନ ନା ନଦୀୟା ଫରଦୀ-। ଏତିକିବେଳେ ଲୋକେ ହାଲଲ୍ଲା ଭିତରେ ବିକଳିଆ ହେଇ ହାରିଗଲା କାଳିଆକୁ ବାଟ ଛାଡ଼ିଦେଲେ—କଷରା ପଛରେ ଗୋଡ଼େଇଚି । ରିକ୍‍ସାବାଲା ରିକ୍‍ସା ଘୁଞ୍ଚେଇ ଆଣୁ ଆଣୁ କେମିତି କେଜାଣି କଷରା ଘୋଷାରି ହେଇ ଘଉଡ଼ିଗଲା । ରିକ୍‍ସାର ହୁଡ଼୍‍ ଖସିଗଲା । ପଡ଼ୁ ପଡ଼ୁ ପ୍ରିୟମ୍ବଦାଙ୍କୁ ଅଟକେଇନେଲେ ସିଏ । ହେଲେ ତାଙ୍କର ବୁଦ୍ଧି ହୁଡ଼ିଗଲା । ଛାନିଆଁ ହେଇ ଚିହିଁକି ପଡ଼ି ପେଟ ଜାବୁଡ଼ି କୁନ୍ଥେଇ ହେଲାଣି ପ୍ରିୟମ୍ବଦା । ଲୋକଭିଡ଼ ଜମିଗଲା ।

 

ଶେଷକୁ ତାମସାଦେଖା ଲୋକଙ୍କ ତାମସିକ ଚାହାଁଣୀରୁ ବଞ୍ଚିବାପାଇଁ ରିକ୍‍ସା ଚଞ୍ଚଳ ଚଳେଇବାକୁ ରମଣୀବାବୁ ନେହୁରା ହେଲେ । ଲେଡି ଡାକ୍ତର ଶଚୀରାଣୀଙ୍କ ଦୁଆରେ ରିକ୍‍ସା ଅଟକିଲା । ଏତେବେଳେକୁ ପ୍ରିୟମ୍ବଦାଙ୍କୁ ଟିକିଏ ଉଶ୍ଵାସ ଲାଗିଲାଣି । ରମଣୀବାବୁ ନିଃଶ୍ଵାସ ନେଲେ । ତଥାପି ଆସିଚନ୍ତି ଯେତେବେଳେ, ଟିକିଏ ଦେଖେଇକରି ନେଇଯିବା ଭଲ । ସହଜେ ତ ଗୋଡ଼ ଖଣ୍ଡିଆ ହେଇଚି । ଦେଢ଼ଘଣ୍ଟା ପରେ ଡାକ୍ତାରାଣୀ ପୂଜା ସାରି ତଳକୁ ଓହ୍ଲେଇଲେ—ତାଙ୍କ ଚା ଖିଆ ମଧ୍ୟ ସାରି । ପରୀକ୍ଷା ପରେ ଡାକ୍ତରାଣୀଙ୍କ କରୁଣାବାଣୀରେ କୃତକୃତ୍ୟ ଦେଇ ପ୍ରଣାମୀ ଦେଇ ପଚିଶ ଟଙ୍କାର ଔଷଧ ଧରି ଦିହେଁ ଘରକୁ ଲେଉଟିଲେ । ସେଦିନ ଆଉ ଶାଢ଼ିକିଣା କି ସମୁଦ୍ରବୁଲା କିଛି ହେଇପାରିଲାନି ।

 

ଏଣିକି ରମଣୀବାବୁଙ୍କର ଆଉ ଗୋଟାଏ କାମ ବଢ଼ିଗଲା । ସଞ୍ଜସକାଳେ ଗଲା ଅଇଲା ବେଳେ ଦିନକୁ ପାଞ୍ଚଥର ପ୍ରିୟମ୍ବଦାଙ୍କୁ ଖୋସାମଦ୍ କରି ଔଷଧ ଖୁଆଇବା । ତା ପରେ ପ୍ରିୟମ୍ବଦା ମଧ୍ୟ ଦିନକୁ ଦିନ ଆଉ କାମ ପାଇଟିକି ପାରିଉଠିଲେନି । ଓଳିଏ ରନ୍ଧା ହେଲେ ଆର ଓଳିକି ରମଣୀବାବୁ ବଜାରରୁ ମନକଲା ଜିନିଷ କଣ ଆଣନ୍ତି । ଷଣ୍ଢ ଲଢ଼େଇ ଦୁର୍ଘଟଣା ପରଠାରୁ ଏଣିକି ସତରେ ସିଏ ବେଶି ସତର୍କ ହେଇଗଲେ । ଘର ଛାଡ଼ି ଆଉ ବାହାରକୁ ଜମା ବାହାରିଲେନି-

 

ଏମିତି ସମୟରେ ହଠାତ୍ ଦିନେ ଅତର୍କିତ ଭାବରେ ମାର୍କଣ୍ଡ ମିଶ୍ରଙ୍କର ଆବିର୍ଭାବ ହେଲା । ରମଣୀମଣ କଣ କଣ ହଉ ହଉ ପେଚୀକି ନେଇ ତଥାକଥିତ ବରୁଣପୁରୀକୁ ସେ ବିଦା ହେଇଗଲେ । ଦିହପା’ର ଯତ୍ନ ନେବାକୁ ରାଣ ପକେଇ କକାଶ୍ଵଶୁରଙ୍କୁ ଔଷଧ ଖୁଆଇବାର ପ୍ରମାଣ କରେଇ ପଟିକିଆ ହେଇ ରମଣୀବାବୁ ଷ୍ଟେସନରୁ ଫେରିଲେ । ସବୁ କେମିତି ଅସୁଆଦ ଲାଗିଲା ତାଙ୍କୁ । ଅର୍ଦ୍ଧାଙ୍ଗିନୀଙ୍କୁ ହରାଇ ବଇଶାଖ ମାସର ତତଲା ତାଳ ତଳିଆ କଉ ପରି ଏକୁଟିଆ ଘରର ଖଟ ଉପରେ ସେ ଖାଲି ଛଟପଟ ହେବାକୁ ଲାଗିଲେ ।

 

ଏଥର ଚିଠିପତ୍ରର କାରବାର ବଢ଼ିଗଲା । ସଚ୍ଚୋଟ ପ୍ରେମିକ ପରି ଉଚ୍ଚାଟ ହେଇ ସେ ଡାକବାଲାର ବାଟ ଦେଖିଲେ । ଦିନକୁ ସତର ଥର ଚିଠି ଲେଖିଲେ । ବିରହବିଧୁର ପକ୍ଷ ସାଜି ଅଫିସ କକ୍ଷ ଭିତରେ ଫାଇଲର ପୃଷ୍ଠା ଉପରେ ମଧ୍ୟ ପ୍ରେମପତ୍ର ଲେଖିବାକୁ ସେ ଭୁଲିଲେନି ।

 

ପ୍ରିୟମ୍ବଦା ବି ସେମିତି ଗାଁ ବାଡ଼ିର ନାଡ଼ିଆଗଛ ତଳେ ଚଅଁର, ଗୋଟମା, ଅଧାଡ଼ୁଆ, ପାକଳ, ଏମିତି ଭାବି ଭାବି ବିକଳ ହେଇ ଚିଠି ଲେଖିଲେ । ପ୍ରିୟତମ, ତମ ବିନା ମୋର ଛାତି ଦହି ହେଇଯାଉଚି । ସବୁ ଖଟା ଲାଗୁଚି । ତୁମେ ଝଅଟି ଝପଟିଆସ । ବିରହବ୍ୟଥାକୁ ନାଶ କରି ଟିପକରେ ଶୁଙ୍ଘି ଦିଅ । ନଇଲେ ମୋର ପ୍ରେମ ପୁଷ୍ପରେ ପାଉଁଶ ଲାଗି ବାସନା ଉଡ଼ିଯିବ । ପଛକୁ ଖାଲି ଭାଳିହେବା ସିନା !

 

ଏମିତିକା ଚିଠି ପାଇଲେ ଛାର ମଣିଷ ତ ମଣିଷ, କାଠଗଡ଼ ବି ଗଡ଼ି ଗଡ଼ି ସାତସମୁଦ୍ର ତେରନଈ ଆରପାରିକି ଉଡ଼ିଯିବ । ରମଣୀବାବୁ କଣ ଏଡ଼େ ଅମଣିଷ ! ସିଏ ଡାକିବେ ଇଏ ଯିବେନି ! ଧାଇଁଧପଡ଼ି ରେଳ, ମଟର, ରିକ୍‍ସା ଧରି ଆଲୁଅ, ଅନ୍ଧାର, ବର୍ଷା ପବନ କିଛି ନ ମାନି ବାର ମନସଦ ଯୋଗାଡ଼ କରି ତେର ଫିସାଦରେ ଘନଘନ ଶାଳକା କାୟକୁ ଦଉଡ଼ିବାକୁ ଲାଗିଲେ । ପହିଲା ମୁଣ୍ଡରେ ପକେଟରେ ପଇସା ନ ଥିଲେ ଉଧାର କରି ପ୍ରିୟମ୍ବଦାଙ୍କ ନିକଟରେ ଉଭା ହେଲେ-। ଆଠ ଦିନକୁ ଥରେ, ପନ୍ଦର ଦିନକୁ ଦି’ଥର, ମାସକୁ ପାଞ୍ଚଥର, ଥର ଥର ହେଇ ପହଞ୍ଚିଲେ-। ଜୋଇଁ ସାଆନ୍ତଙ୍କର ଚରଚା ଅରୁଚା ଧରି ଆସିଲାବେଳକୁ ଝିଅ ସାଆନ୍ତାଣୀଙ୍କର ଦେହ ଦୋହଲିଲାଣି, ଶଙ୍କା ବଢ଼ିଲାଣି ।

 

ଏମିତି ହଉ ହଉ ଦିନେ ଶଙ୍କି ଶଙ୍କି ପ୍ରିୟମ୍ବଦା ଫେର ପୁରୁଣା କଥାଟାକୁ ପାଲଟେଇ ପକେଇଲେ । ଦୁହେଁଯାକ ପୁଅ ହବ ନା ଝିଅ ହବ ଧନ୍ଦାରେ ଛନ୍ଦି ହେଇଗଲେ । କିଛି ଠିକ୍ ହେଇପାରିଲାନି । ଯାହା ତ ହେଲେ କିଛି ହବ—ନ ହେଲାର ତ ନୁହେଁ ! ତେଣୁ ଆ—ଇ ପ୍ରତ୍ୟୟ କରି ଯୋଡ଼ା ଯୋଡ଼ା ନାଁ ଯୋଡ଼ି ପକେଇଲେ । ରମଣୀବାବୁ ତାଙ୍କ ପରି ମାଇଚିଆ ନାଁକୁ ଅପସନ୍ଦ କଲାବେଳକୁ ପେଚୀ ପୁଚୁ ପୁଚୁ ହେଇ ତାଙ୍କ ପାଚିଗଲା ନାଁଟାକୁ ନାକ ଟେକିଲେ । ନୂଆ ପୁରୁଣା ବାର ରକମର ନାଁର ନାଡ଼ୀ ଟିପା ଚାଲିଲା । ରାଧା—ମୋହନ, ମଧୁ—ମାଧବୀ, ବସନ୍ତ—ବାସନ୍ତୀ, କୁନୁ—ମୁନୀ, ଟୁନୁ—ଟୁନୀ, ଆଗ ପୁଅ ପଛେ ଝିଅ, ପଛେ ଝିଅ ଆଗେ ପୁଅ ହେଇ ସଜାଡ଼ି ଗଲେ । ହେଲେ ନାଇଲନ ଯୁଗର ନାଁ ଦିଆ କଣ ଏଡ଼େ ସହଜରେ ଛିଡ଼ୁଚି ! ପାରାଚ୍ୟୁଟର ଦଉଡ଼ି ଲଗେଇ ଆକାଶରେ ଉଡ଼ିଲେ ମଧ୍ୟ ତାରା କି ଚାନ୍ଦ କେହି ହାତପାଆନ୍ତାକୁ ଆସୁନାହାନ୍ତି ।

 

ସେଥିରେ ଦିହିଁଙ୍କି ଦିହେଁ ଅନେକ ସମୟ ଧରି ଭାବିଲେ । ଶନିବାର ରାତିଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ଏକାଠି ହେଇ ଅଲଗା ହେଇ, ଲଗାଲଗି ହେଇ, ଛଡ଼ାଛଡ଼ା ହେଇ କଥାଟି ଛିଣ୍ଡେଇବାକୁ ବହୁତ ଚେଷ୍ଟା କଲେ । କଞ୍ଚି ପକେଇ ଭାବନାଗୁଡ଼ାକୁ ଛାତିଘରା ଭିତରେ ସାଇତିଲେ ଫାଉଁ ହେଇ ଉଠିଲା । କଇଁଚି ପକେଇ କାଟିଲେ ଧାର ବୁଲିଗଲା । ଶେଷକୁ ରମଣୀବାବୁ ବାଉଳି ଖାଉଥିବା ପ୍ରିୟମ୍ବଦାଙ୍କ ଭାବନାକିଳାକୁ ହୁଗାଳିଦେଇ କହିଲେ—

 

“ବୁଝିଲ ! ଆଜିକାଲି ବହୁଲୋକ ବହୁପ୍ରକାରର ନାଁ ଦଉଚନ୍ତି । କିଏ ଭାଷାକୋଷ ଖୋଲୁଚି ତ କିଏ ଜ୍ଞାନକୋଷ ମେଲୁଚି । ନ ହେଲା ବେଳକୁ ଶେଷକୁ ଅମରକୋଷ ମଧ୍ୟ ଥରଟିଏ ଦେଖିବାକୁ ପଛଉନାହାନ୍ତି । ତେଣୁ ମୋ ମତରେ ଆମେ ଏମିତି ଯୋଡ଼ିଏ ନା ବାଛିବା ଯାହା କି ଅତ୍ୟାଧୁନିକ ରହସ୍ୟ ରୋମାଞ୍ଚ ଉପନ୍ୟାସ ପରି ରୋମାଣ୍ଟିକ୍ ହେଇଥିବ ।”

 

ପ୍ରିୟମ୍ବଦା ସିମିତି କଥାର ମର୍ମ ବୁଝିପାରିଲେ । ସେ ସେଥିରେ ନିଜ ଅକଲରୁ ପୁଳାଏ ମିଶାଇ ଗୁଣ ଆଉ ଧର୍ମକୁ ନେଇ ନାଁ ହଳେ ବାଛିବାକୁ ଫରମାସୀ କଲେ । ତା ସାଙ୍ଗରେ ତାଙ୍କ ଶେତା ଓଠରୁ ହସ ସୋରାଏ ମଧ୍ୟ ଉକୁଟି ଉଠିଲା । ଗଞ୍ଜେଇ ଖଟିରେ ତ୍ରିନାଥ ଠାକୁରଙ୍କ ପ୍ରସାଦ ପାଇଲା ପରି ରମଣୀବାବୁ ଆନନ୍ଦ ଗଦ୍‌ଗଦ୍‍ ହେଇଗଲେ । ତାଙ୍କ ହସିଲା ମୁହଁକୁ ଦେଖି ସେ ହଠାତ୍ ବିଳିବିଳେଇ ଉଠିଲେ ।

 

“ବାଃ, ପାଇଚି... ।”

 

“କଣ ?”

 

“ପାଇଚି । ବୁଝିଲ ! ପୁଅ ହେଲେ ତମେ ଯାହା କଞ୍ଚି ପକେଇ ଜୀବନଟାଯାକ ସଞ୍ଚିଥିବ ସେତକ ସିଗାରେଟ ଧୂଆଁରେ କି ସିନେମା ପରଦାରେ ଉଡ଼େଇଦେବ କିମ୍ବା ଯଦି ଝିଅ ହବ, ପେଡ଼ି ପକେଟରେ କଣ, ପୂରାପୂରି ବେକରେ କଇଁଚି ଲଗେଇ ପରଘରକୁ ଟିକଟ କାଟିବ । ତେଣୁ ୟାର ପରିଣତିକୁ ଲକ୍ଷ୍ୟ ରଖି ଆମକୁ ଆମର ଭବଷ୍ୟତ ଯୋଜନା କହ ବା କର୍ମପନ୍ଥା କହ, ସବୁ ସଜାଡ଼ିବାକୁ ପଡ଼ିବ । ଅତଏବ ପୁଅ ହେଲେ କଞ୍ଚି ଆଉ ଝିଅ ହେଲେ ଯଦି କଇଁଚି ନାଁ ଦିଆଯାଏ ତା’ହେଲେ ସେ ପୁଲିସ ଷ୍ଟେସନର ଟେଲିଫୋନ ପରି ଆମକୁ ସବୁବେଳେ ଆମ କର୍ତ୍ତବ୍ୟ ସୂଚେଇଦେବ ।”

 

ପ୍ରିୟମ୍ବଦା ମଧ୍ୟ ଯୁକ୍ତିଟାକୁ ବାଏଁ ବାଏଁ ଉଡ଼େଇଦେଇପାରିଲେନି । ଏଥର ଆଗଥର ପରି କାଳେ ମଟର ଛୁ କରିବ ଭାବି ଛାଏଁ ଛାଏଁ ରମଣୀବାବୁ ସେଠୁ ଓହରିଆସିଲେ । ଦୋହରା ଭାବନା କରିବାକୁ ଆଉ ବେଳ ନ ଥିଲା । ପ୍ରିୟମ୍ବଦା କିନ୍ତୁ ପଛକୁ ଭାବିହେଲେ ମନେ ମନେ, ଛିଃ ! ଇଏ ଗୋଟେ କି ନାଁ ମ ? ହେଲେ ସେତେବେଳକୁ ଛିଃ ଛାକର ଶୁଣିବାକୁ ଆଉ ସିଏ ପାଖରେ ନ ଥିଲେ । ପେଟ ଭିତରେ ଯାହା ତାଙ୍କର କଥାଗୁଡ଼ାକ ଶୂଳେଇହେଲା ।

 

ଏଣେ ରମଣୀବାବୁ ସିନା ଫେରିଆସିଲେ । ହେଲେ ଅଫିସ କାମରେ କି ଘର ଶୁଆରେ ଆଉ ମନ ଲାଗିଲାନି । ଏକୁଟିଆ ହେଇ ନିକୁଟେଇ କରି କଞ୍ଚି କଇଁଚି କଥା ଖାଲି ଭାବିବାକୁ ଲାଗିଲେ । ଭାବୁ ଭାବୁ ଏମିତି ଦିନେ ତାଙ୍କ ଗାଁ ଭଣ୍ଡାରୀ ହଳଦୀ ଗରଗର ଚିଠିଟାଏ ନେଇ ପହଞ୍ଚିଗଲା । ତର୍କମାର୍ତ୍ତଣ୍ଡ ଚିଠି ଲେଖିଥିଲେ—

 

“ବାବୁ !

 

ଶ୍ରୀ ପରମେଶ୍ଵରଙ୍କ ଅପାର କରୁଣାରୁ ଗୋଟିଏ ପୁତ୍ରମଣି ଏବଂ ଗୋଟିଏ କନ୍ୟାରତ୍ନ ସୁବିସ୍ତାରେ ଆଗମନ କରିଛନ୍ତି । ମାତା ଓ ସନ୍ତାନ, ତ୍ରୟ କୁଶଳ ଅଛନ୍ତି ।”

 

ଏହି ଖବରଟା ପାଇବାପରେ ରମଣୀବାବୁଙ୍କ ବାରବାଉଳା ମନ ଡୋରଲଗା ବାବାଜୀ ପରି କୀର୍ତ୍ତନ କରିବାକୁ ଲାଗିଲା । ପୁରୁଷ ଆଉ ପ୍ରକୃତିର ଏକତ୍ର ଆବିର୍ଭାବ । ଜୀବନର ସମସ୍ତ ଅପୂର୍ଣ୍ଣ ବାସନା ପରିପୂର୍ଣ୍ଣ ହେଇଗଲା । ଏକା ଖେପକେ ଦୁଇ ! ଜଣେ ନେତା ତ ଜଣେ ଦେ’ତା । ଭଣ୍ଡାରୀ ଆଉ ଭଣ୍ଡାରିଆର ଦୁଇଆଡ଼ୁ ଲାଭ । ଆଉ ଲୋଭ ନ କରି ସେ ଜନ୍ମ ନିୟନ୍ତ୍ରଣ ଯୁଗର ଜଗନ୍ନାଥଙ୍କୁ ଯୋଡ଼ହସ୍ତରେ ଗୁହାରି ଜଣେଇଲେ ।

 

‘‘ଜଗନ୍ନାଥେ ! କାହାକୁ ଚାଖଣ୍ଡେ କାହାକୁ ହାତେ, ସବୁ ମତେ ଦେଇଚ । ଏତିକିରେ ଭଲା କଞ୍ଚି କଇଁଚି ଉପାଖ୍ୟାନରେ ପୂର୍ଣ୍ଣଚ୍ଛେଦ ପକେଇଦିଅନ୍ତ !”

 

ଏକ ଦୁଇ ତିନି ଚାରି...

 

ଦୁଇରେ ଦୁଇ ମିଶେଇଲେ ଯାହା ଦୁଇରେ ଦୁଇ ଗୁଣିଲେ ବି ସେଇଆ । କଞ୍ଚି କଇଁଚିଙ୍କ ଆବିର୍ଭାବ ହେବାର ଚାରି ବର୍ଷ ହେଇଗଲାଣି । ଦୁଇ ଝିଅ, ଦୁଇ ପୁଅ । ଏକୁ ଆରେକେ ବଳିଆର, ହଟ୍ଟଗୋଳକୁ ପାରିବାର । କେହି କାହାରିକୁ କମ୍ ନୁହନ୍ତି । ରାଧା, କୃଷ୍ଣ, ଚିତା, ଚଇତନ—ଠିକ୍ ଗିନି, ଖୋଳ, ଝାଞ୍ଜ, ମର୍ଦ୍ଦଳ ପରି ବେଳ ଅବେଳ ଦିନରାତି ଅଷ୍ଟପ୍ରହର ସଂକୀର୍ତ୍ତନ କରନ୍ତି । ଆଉ ରମଣୀବାବୁ ଭାବବିନୋଦିଆ ଭକ୍ତଙ୍କ ପରି ବେଳେବେଳେ ଭୋଳ ହେଇ ତାଳ ଛିଡ଼ାନ୍ତି । ପ୍ରିୟମ୍ବଦା ଫଡ଼୍‍ ଫଡ଼୍‍ ହେଇ ବାହାରିପଡ଼ନ୍ତି । ପିଲାଙ୍କ ଦିହରେ ହାତ ବାଜିଲେ । ସେ କୁଆଡ଼େ ସହିପାରନ୍ତିନି । ତେବେ ଯୋଉଦିନ ତାଙ୍କଆଡ଼ୁ ପିଚ୍ ପିଚ୍ ହେଇ ନୋଳାଫଟା ଛାଟ ବସିଥିବ ସେଦିନ ଅଲଗା କଥା-। ରମଣୀବାବୁ ମଧ୍ୟ ଊଣା ତରକା ନୁହନ୍ତି । ଏମିତି ବେଳ ଓର ଉଣ୍ଡି ତାଙ୍କ ଉପରେ ଝଡ଼େଇ ହେଇପଡ଼ନ୍ତି । ଏଥର ଜଞ୍ଜାଳ ବଢ଼ିଲାଣି । ମନ ଢଳିଲାଣି । ରାଗରୁଷା ବସା ବାନ୍ଧିଲାଣି-। ସତକୁ ସତ କଳି ବି ଲାଗିଲାଣି । ବରଗଛକୁ ନିର୍ମୂଳୀ ଲତା ଭାରୀ ହେଲାଣି ।

 

ଭାରୀ ସିନା ହେଲାଣି, ହେଲେ ଉତ୍ତାରିବାକୁ ବଳ କାହିଁ ! ଜୀବନସଉଦା କିଣାବିକା କଣ୍ଟ୍ରୋଲ ପଡ଼ି ଯୁଗରେ କଣ ଏଡ଼େ ସହଜ ! ଛେଚାକଚା, ଧାଁଧଉଡ଼, ଭିତରେ ପାରିଲାର ହାତଗୋଡ଼ ଗୁଡ଼ାକ ବସିଗଲାଣି । ଜିଣିଚ ବୋଲି କହିଲେ ଜାଣିପାରୁନାହାନ୍ତି କି ହାରିଚ ବୋଲି କହିଲେ ମାନିପାରୁନାହାନ୍ତି । ହାଇଁପାଇଁ ହେଇ ଧଇଁ ପେଲୁଛନ୍ତି । ଅଭାବିତ ଅଭାବର ସୁଅ ଭିତରେ ଖାଲି ଭାବିତ ଧାବିତ ସିନା ହଉଚନ୍ତି, ହେଲେ ରମଣୀବାବୁ କିଛି କୂଳକିନାରା ପାଉ ନାହାନ୍ତି । ସତେ ଯେମିତି ହାତଗୋଡ଼ ଥାଇ ମାଦଳଟାଏ ।

 

ପେଚୀ ବି ସେମିତି ଚିପିଚାପି ହେଇଗଲେଣି । ତାଙ୍କର ସେଇ ଚହଟ ଚିକ୍କଣ ରୂପ କୁଆଡ଼େ ଛପିଗଲାଣି । ଚୁଟି ମାପିବାକୁ ମଧ୍ୟ ବେଳ ନାହଁ, ଘର ଆଡ଼ତିକୁ ନିଅଣ୍ଟ । ଏକୁଟିଆ ମଣିଷ, କେତେ ଆଡ଼ିକି ହେବେ ? ତାରିଆ ମା ଆଉ ଆସୁନି । ତାର ବା କଣ ଏଇଲେ ଅପୂରୁବ ହେଇଚି ? ଖିରୀ ଉପରେ ଖଣ୍ଡ । ଦିହମୁଣ୍ଡରେ ସୁନାଗହଣା ଛାଇ ହେଇ ଦାଣ୍ଡଦୁଆରେ ଗୋଡ଼ ଉପରେ ଗୋଡ଼ ଥୋଇ ବେପାର ଚଲେଇଚି ।

 

ଡାଲି ଚାଉଳର ଛୋଟ ଦୋକାନଟିଏ ସିନା, ତେବେ ବିକ୍ରି କିଛି କମ୍ ନୁହେଁ । କିନ୍ତୁ ଟିକସବାଲା ଖଟିଖିଆଙ୍କ ଉପରେ ଅକସ ସାଧି ପାରନ୍ତିନି । ବେଳ ଅବେଳରେ ସିଏ ୟାଙ୍କୁ ଉଧାର ମଧ୍ୟ ଦିଏ । ହେଲେ ପହିଲାବେଳକୁ ଉଣ୍ଡିକରି ଥାଏ । ତାକୁ ଭଣ୍ଡିବା କଥା ତ ଛାଡ଼, ଭୁଲେଇବା ମଧ୍ୟ ସହଜ ନୁହେଁ ।

 

ଏବକୁ ତାରିଆମାଆର ସାହାଡ଼ା ଗଛ ପରି ଗଣ୍ଡି, ବୁଲି ଆସିଲାଣି । ରୋଗ ବଇରାଗ ନ ଥାଇ କଳା କଳା ମୁଗୁନିପଥର ପରି ପିଲାଗୁଡ଼ାକ ହେଣ୍ଡି ମାରି ବୁଲୁଛନ୍ତି । ଅଥଚ ଏଣେ ରାଧାର ନାକରୁ ସିଂଘାଣି ବୋହିଲାବେଳକୁ କୃଷ୍ଣର ଆଖିରୁ ଲେନ୍ଦେରା ଗଡ଼ୁଚି । ଚିତାର ପେଟବେମାରୀକି ଜିତା ନ ହେଉଣୁ କୁଣ୍ଡିଆଣି ବାହାରିଲାଣି । ଆଉ ସବାସାନ ଚଇତନ । ତା କଥା ଆଉ କଣ ? ଅଛି ଅଛି, ଚାଉଁକିନା ଚମକିପଡ଼ୁଚି । ଜାଣିବା ଲୋକେ ପିହୁଳା ବିଜେ ହେଇଚନ୍ତି ବୋଲି କହୁଚନ୍ତି । ପ୍ରିୟମ୍ବଦାଙ୍କ ଦିହ ମଧ୍ୟ ସିମିତି ବେଳେବେଳେ ଖରାପ ହେଲାଣି । ତାଳୁ ତଳିପାରୁ ତାତି ଉଠୁଚି । ଧଡ଼୍‍ଧଡ଼୍‍ ହେଇ ଛାତି ଉଠପଡ଼ ହଉଚି । ସବୁ କିମିତି ବିସୁକ ଲାଗିଲାଣି ତାଙ୍କୁ ।

 

ପରକୁ କହିଲେ ଲେଉଟିକରି ନିଜ ଦେହରେ ବାଜିବା କଥା । ଘରେ ତ ଆଉ କେହି ନାହାନ୍ତି ଯେ ବୋଲାବୋଲି ହଉ ହଉ ବେଳ ବୁଲିଯିବ ! କେବଳ ରମଣୀବାବୁ ପ୍ରିୟମ୍ବଦା—ଗଞ୍ଜା ମାଦି, ଆଉ ଡିମ୍ବପରି ଛୁଆଗୁଡ଼ାଏ ମାତ୍ର | କାହା ଉପରେ ଆଉ ଝଡ଼େଇହେବେ ! ଦୁହେଁ ଦୁହିଁଙ୍କ ଉପରେ ବିରକ୍ତ ହୁଅନ୍ତି । ଖେଣ୍ଟାଖେଣ୍ଟି ଲଗାନ୍ତି । ପୁଣି ମେଣ୍ଟାମେଣ୍ଟି ହେଇ ଅଣ୍ଟି ପୂରେଇ ଲୁହ ଗଡ଼ାନ୍ତି । ସେଦିନ ସେମିତି ଅଫିସବେଳକୁ ରୋଷେଇ ହେଇପାରିଲାନି ବୋଲି ରମଣୀବାବୁ କଟାକ୍ଷ କଲେ ।

 

“ବୁଝିଲ, ତମେ ଯେମିତି କାମ କରୁଚ ନା, ମଣିଷକୁ ଯେ କେତେବେଳେ ଉପାସରେ ଠୋ’କରି ଘର ଛାଡ଼ି ପଳେଇବାକୁ ହବ ଜମା ଜାଣିପାରିବନି । ’’

 

“କାଇଁ, ତମ ପିଲାଙ୍କୁ ତମେ ସମ୍ଭାଳୁନ । ମୋର ରୋଷେଇ କରିବାକୁ କେତେବେଳ ଲାଗୁଚି ? ପିଲାଗୁଡ଼ାଙ୍କୁ ଟିକିଏ ବୋଲି ଧରାଧରି କରିବନି, ଖାଲି କହିଦେଲାବେଳକୁ ଆଗ । ’’

 

‘‘ତାରିଆ ମା ଫେର୍‍ ତା ପିଲାଙ୍କୁ ଚଳେଇ ଧନ୍ଦା ମେଲେଇ ପାରୁଚି । ପଣ୍ଡିତିଆଣୀଙ୍କର ତ କିଛି ଅସୁବିଧା ହଉନି ।

 

ଆଉ ତମକୁ କାଇଁ ଏତେ ବଳେଇ ପଡ଼ୁଚି ?’’

 

‘‘କାଇଁ, ଓକିଲିଆଣୀଙ୍କ କଥା ତ କହୁନ !’’

 

ରମଣୀବାବୁ ଏଥର ପ୍ରକୃତରେ ଚୁପ ହେଇଯାଆନ୍ତି । ନିଜର ଅସହାୟ ଅବସ୍ଥାକୁ ଭାଳି ପଛକୁ ଭଲେଇ ହେଇ ବୁଝେଇ ବସନ୍ତି—‘‘କାହା ସାଙ୍ଗରେ କାହାକୁ ତୁଳନା କଲେ କଣ ହେବ ? ନିଜେ ନିଜକୁ ବୁଝିବାକୁ ଚେଷ୍ଟା କର, ବୁଝିପାରିବ—କରିପାରିବ ।”

 

କିନ୍ତୁ କଅଁଳ ଲୁହାକୁ ବିରାଡ଼ି କାମୁଡ଼ିଲା ପରି ଭାଙ୍ଗିଗଲା ମନ ଉପରେ ଆଉ ଚୋଟେ ଲଗେଇଦିଅନ୍ତି ପ୍ରିୟମ୍ବଦା—

 

“ତୁମେ ଚେଷ୍ଟା କରୁନ ତମ ପିଲାମାଇପଙ୍କୁ କିମିତି ଭଲରେ ରଖିବ—ମତେ କିଆଁ ଦେଖେଇହଉଚ ଭଲପଣିଆଗୁଡ଼ାକ ତମର ?”

 

“ତମ କଥା ଶୁଣିଲେ ପରା ବାବାଜୀ ହେଇ ପଳେଇବାକୁ ମନ ହଉଚି ।”

 

‘‘ହଁ ହଁ ଯାଅ ଯାଅ, କିଏ ଓଟାରି ପକାଉଚି ? କ୍ଷୀର ଉପରୁ ସର ଖାଇଲା ପରି ଜୀବନର ସବୁ ସୁଖକୁ ତ ଚାଟିସାରିଲାଣି, ଆଉ ଏତେବେଳକୁ କଣ ପାଣିଚିଆ ନ ଲାଗି ସରସିଆ ଲାଗନ୍ତା !’’

 

କଟାଲାଙ୍ଗୁଳିଆ ବିଲୁଆ ପରି ଗାତ ଖୋଜିପକାନ୍ତି ରମଣୀବାବୁ । ବାଟ ମିଳେନି । ପ୍ରକୃତରେ କୋଉ ସୁଖରେ ସିଏ ରଖିଛନ୍ତି ତାଙ୍କୁ ! ବରଂ ତାଙ୍କର ଦିହମୁଣ୍ଡରୁ ସବୁ ଉଲାଗି କରି ବାକି ଶୁଝିଚନ୍ତି ସିନା, ହେଲେ ଭରଣା କରିପାରିନାହାନ୍ତି । ଏବକୁ ଆଉ କିଏ ସହିବ ! କଲବଲ ହେଇ କଚିରୀକୁ ପଳାନ୍ତି । ବଲବଲ ହେଇ ଚାଲିଗଲା ମିଣିପର ବହପକୁ ବାହୁନି ବସନ୍ତି ପ୍ରିୟମ୍ବଦା-। ତୁହାଇ ତୁହାଇ କକେଇଙ୍କର କଥାଗୁଡ଼ାକ ମନେ ପଡ଼ିଯାଏ ତାଙ୍କର । ଏଇ ସଂସାରଚକ୍ରଟାଇ ନର୍କ । ତା ନ ହେଇଥିଲେ କଣ ମଣିଷକୁ କଳାପାଣି ପଠିଆ ହେଲା ପରି ଦେବତାଙ୍କୁ ଏଠିକି ପଠାହଉଥାନ୍ତା !

 

ଅଭାବେ ସ୍ଵଭାବ ନଷ୍ଟ । ତାଙ୍କ ମନରେ କଣ ସରାଗ ନାଇଁ ? ସବୁ ଅଛି । ହେଲେ ସିଏ କ’ଣ କରିବେ ? ନିଅଣ୍ଟିଆ ରୋଜଗାରକୁ କାଳ ମହରଗ । ତାଙ୍କୁ ଏମିତି କଡ଼ା କଥାଗୁଡ଼ାଏ କହିଦେଇଚନ୍ତି ବୋଲି ସିଏ ଟିକିଏ ଶଙ୍କିଯାଆନ୍ତି । ହେଲେ ଯେତେବେଳେ ଓକିଲିଆଣୀଙ୍କ ଇଲମ ତାଙ୍କର ମନେ ପଡ଼ିଯାଏ ସବୁ ଭଲ କଥାଗୁଡ଼ାକ ହଜମ ହେଇଯାଏ । ମରଦକୁ ଯେତିକି ଟାଣ ଦେଖେଇ ମଣ କରିବ ସେତିକି ଭଲ । ନ ହେଲେ ବାରବୁଲା ଷଣ୍ଢ ପରି କାହା ପିଣ୍ଡାତଳ ଉଣ୍ଡିବେ । କିନ୍ତୁ ପ୍ରକୃତରେ ପଣ୍ଡିତିଆଣୀଙ୍କ କଥା ହିଁ ତାଙ୍କୁ ଠିକ ମନେ ହୁଏ । ବୟସ ଖସିଲେ ଦିହ ସିନା ନସିଯାଏ, ହେଲେ ମନ ସିମିତି ସରାଗ ଜରଜର ଜବର ହେଇ ରହିଥାଏ । ମନ ମାନିଲେ ସିନା ବସା, ନ ହେଲେ ସବୁ ଫସରଫସା—ଚୁଲିର ପଶା । କାନ୍ଦିଲା ପିଲାକୁ କୋଳକୁ ନେଇ ଉଶ୍ଵାସ ହୁଅନ୍ତି ପ୍ରିୟମ୍ବଦା । ସେଇ ହସ ଖୁସିର ଖସିଗଲା ଦିନ ଗୁଡ଼ାକ ଲେଉଟି ଆସନ୍ତା କି !

 

ଗଲାଣି ତ ଗଲା କଥାରେ ସଙ୍ଗାତ...ପଡ଼ିଶାଘର ଝିଅଟି ଏଥର ହିନ୍ଦୁସ୍ତାନୀ ରାଗ ଛାଡ଼ି ଚମ୍ପୂ ଚାଖିଲାଣି । ବିଳିବିଳେଇ ଉଠୁଥିବା ସ୍ଵରଗୁଡ଼ାକ କଳକଳେଇ ମନ ମୋହିନେଲାଣି । ଡାକି ଆଣିଲା ପରି ଡଉଲଡାଉଲ ହେଲାଣି । ନାଇଲନ୍‍ ଫ୍ରକ୍‍ ଫୋପାଡ଼ି ଟେରିଲିନ୍‍ ଶାଢ଼ି ଧରିଲାଣି । କଥାଟା ମୋଟେ ମିଛ ନୂହେଁ, ସିଏ ସତରେ ପାଦ ଛୁଇଁଲାଣି । କଦମ୍ବଫୁଲିଆ ମୁହଁରେ ଫୁଲରେଣୁପରି ରୋଜ ପାଉଡ଼ର ମାଖିହୋଇ ପ୍ରଜାପତି ପରି ଉଡ଼ିବୁଲିଲାଣି । ଦଣ୍ଡେ ଅନେଇଁଲେ ଘଡ଼ିଏ ଚାହିଁବାକୁ ମନ ହୁଏ । ଅଭାବ ତ କିଛି ନାହିଁ ! ଏବକୁ ମନ୍ତ୍ରୀ ହେଇଥିବା ରାଜାଙ୍କ ଝିଅ ପରି ତୁଳୀ ତଳପରେ ବସି ଝୁଲୁଚି ସେଇ ଓକିଲିଆଣୀଙ୍କ ଝିଅ ଜୁଲି । ବୟସର ରଙ୍ଗ ତା ଅଙ୍ଗରେ ନୂଆ ଢଙ୍ଗ ପୂରେଇଦେଲାଣି । ପ୍ରିୟମ୍ବଦାଙ୍କ ସାଙ୍ଗରେ ଭାଉଜ ହିସାବ ଯୋଡ଼ି ହାସପରିହାସର ବେଭାର ମେଲିଲାଣି । ରମଣୀବାବୁଙ୍କୁ ଆଡ଼ ନ ହେଇ ଉପନ୍ୟାସ ଆଣିବାକୁ ବରାଦ କଲାଣି । ସାଙ୍ଗସାଥୀ ପରି ହସିହସି ତାଙ୍କ ପାଖରେ ମିଶିଗଲାଣି ।

 

ଏଇଠି ଅଟକି ଯାଆନ୍ତି ପ୍ରିୟମ୍ବଦା । ସାଙ୍ଗସାଥୀ ପରି ମିଶିଗଲାଣି ! ଏଡେ ବଡ଼ ବଡ଼ ଭଣ୍ଡା ପରି ବଢ଼ିଲା ଝିଅଟା ! ଟିକିଏ ହେଲେ ଲାଜସରମ ନାଇଁ, ସବୁବେଳେ ୟାଙ୍କ ସାଙ୍ଗରେ ଗୋଟେ ହେଁ ହେଁ ଫେଁ ଫେଁ ଲଗେଇଲେ ! ଇଏ ବି କିମିତିକା ମଣିଷ କେଜାଣି, ଚାରି ଚାରିଟା ପିଲାର ବାପ ହେଇ ମଧ୍ୟ ଗଜା ଭେଣ୍ଡିଆ ପରି ଉତୁରି ପଡ଼ୁଚନ୍ତି ! ହଉ ଦେଖାଯାଉ, କୁଆଡ଼ିକା ପାଣି କୁଆଡ଼ିକି ଯାଉଚି । ସିଏ ଜୁଲି ନୁହେଁ ଯେ ତାଙ୍କ ପାଇଁ ଗୋଟାଏ ଚୁଲି । ଯେତେବେଳେ ଦିହମୁଣ୍ଡ ଫୋଟକା ହେଇଯିବ ସେତେବେଳେ ଗୁଡ଼ ହଳଦୀ ଲଗେଇବାକୁ ପିଠି ନ ଦେଖେଇ ଆଉ ଯିବେ କୁଆଡ଼େ ! ସାହାସି ଉଠିଲା ମନରେ ସାହସ ପଶେ, ହେଲେ ଭିତରେ ଭିତରେ ସବୁବେଳେ କିମିତି ଗୋଟାଏ ‘କିନ୍ତୁ’ ରହିଯାଏ । ନିଜ ଦିହକୁ ଅନେଇଁ ଶଙ୍କିଯାଆନ୍ତି ସିଏ । କାଙ୍କ ପରି ଟାଙ୍କ ଚାରିକଡ଼ାକୁ ବଙ୍କୁଲି ଚାହାଁଣୀରୁ ଗାରେ । ଏଇଆକୁ ନେଇ କଣ ପାଚିଲା ଆମ୍ବକୁ ଡେମ୍ଫଟାକରେ ବାନ୍ଧି ରଖିପାରିବେ ! ନାଇଁ, ସିଏ ଯାହାହଉ ପଛକେ ଆଜି ନିଶ୍ଚେ ୟାର ଗୋଟେ ଫଇସଲା କରିବାକୁ ପଡ଼ିବ । ତାଙ୍କର ଖାଲି ସରାଗ ଅଛି, ଆଉ କାହାର ନାଇଁ ବୋଲି ବିଚାରିଚନ୍ତି କି ?

 

ଦାଣ୍ଡଦୁଆରେ ରିକ୍‍ସାଟାଏ ଆସି ରହିଲା । ରିକ୍‍ସାବାଲା ସାଙ୍ଗରେ ଦୋହଲ ଲଗଉ ଲଗଉ ହାତୀଖୋଜିଆ ପାହୁଲ ପକେଇ ପିତେଈ ପିଉସୀ ଘରଭିତରକୁ ପଶିଆସିଲେ । ପ୍ରିୟମ୍ବଦା ସିମିତି କୋଳର ପିଲାଟାକୁ ଖସେଇ ପକେଇ ମାନ୍ୟାର୍ଥରେ କପାଳତଳକୁ ଓଢ଼ଣାଟା ଟାଣିଆଣି ଟୁଣ କରି ମୁଣ୍ଡିଆଟାଏ ପକାଇଲେ । ପିତେଈ ନାନୀ ମଧ୍ୟ ତଳର ପିଲାଟାକୁ କାଖକୁ ଟେକି କଇଲାଣ କରି ପକେଇଲେ ।

 

“ଅଇସୁଲକ୍ଷଣୀ ହେଇଥା ଲୋ ମା ! ହଉ ହଉ, ହେଲା ହେଲା, ନ ହେଇଥାନ୍ତା । ଏବେ ଏଇଲେ ମାଇନଟାଏ ! ୟା ବୋଲି ପିଲାଟାକୁ ଧୂଳିରେ ଗଡ଼େଇଦବୁ ?” “ତମ ଆସିବା ବାଟକୁ ପରା ଆମେ ଅନେଇଁ ରହିଥିଲୁ ।”

 

ଓଢ଼ଣାଟାକୁ କପାଳ ଉପରୁ ଖସେଇ ନେଉ ନେଉ ଧୂଳି ଲାଗିଚି କି ନାଇଁ ହାତ ମାରି ଦେଖିପକେଇଲେ ସିଏ । ଆଉ ପିତେଈ ନାନୀ କଣ ଏଡ଼େ ଅଜଣା ଚାଉଳ ଖାଇବାବାଲୀ ! ସିଏ ବି ମନେ ମନେ କଷି ହଉଥିଲେ—ଆହା ଲୋ ମାଇନ ! ଏଇଥିପାଇଁ ପରା ଟାଣ ଶବଦଟା ଟୁଣ ହେଇଗଲା । ହେଲେ କାହା ମନର କୋଉ ଭାବ ଚଇତନ କଣ ବୁଝୁଚି ? ନୂଆ ଲୋକର ହାତ ଟାକରା ସାଙ୍ଗକୁ ଇଏ ଯୋଉ ବକର ବକର ତା ମଥାଟାକୁ ଚକର ପରି ଘୁରେଇଦେଲା । ସିଏ ଆଖି ତରାଟି ଡୋଳା ବୁଲେଇ ଆଣିଲାବେଳକୁ ରିକ୍‍ସାବାଲାଟା ପୁଣି ପଇସା ପେଇଁ ପାଟିଟାଏ କଲା । ବାସ୍‍, ଆଉ ଥାଏ କଣ ! ଚଇତନ ଛାଡ଼ିଲା ରଡ଼ି—ମାଇଲା ପିଚକାରୀ । ଇହିହିଇ ହଉ ହଉ ପିତେଈ ନାନୀ ଚଇତନକୁ କାଖରୁ ଓହ୍ଲେଇ ପକେଇ ଲୁଗାପଟାକୁ ଝାଡ଼ି ପକେଇ ରିକ୍‍ସାବାଲଟା ଉପରେ ଝଡ଼େଇହେଲେ ।

 

‘‘କିରେ ! ପଇସା ନ ନେଇ କ’ଣ ପଳେଇବୁ କି ? ଇମିତି କଣ ହଉଚୁ ? ମାଇନ ସଙ୍ଖୁଳା ପଦୁଟିଏ ହେଲାବେଳକୁ ତୋର ଏଡ଼େ ବେଳ ହେଇଯାଉଚି ?’’

 

‘ଦଉନ କାଇଁକି ଯେ—ଛ’ଅଣା ପଇସାକୁ ନଇଲେ ୟାଙ୍କ ଦୁଆରେ ଛ’ଘଣ୍ଟା ତକେଇଥିବୁଁ !”

 

“କିରେ, କ’ଣ ଭାରି ବଢ଼ି ବଢ଼ି କଥା କହୁଚୁ !”

 

ତମ ତମ ହେଇ ପଣତ କାନିର ଗଣ୍ଠିଟାକୁ ଫିଟେଇ ପକେଇଲେ ପିତେଈ ନାନୀ । ନଅଟା ମାତ୍ର ନୂଆପଇସା ଘରଭିତରେ ବୁଣି ହେଇଗଲା । ପ୍ରିୟମ୍ବଦା କାଖର ପିଲାଟାକୁ ବୋଧ କରୁ କରୁ ପଚାରି ପକେଇଲେ ।

 

“ତୋର କେତେ ପଇସା ?

 

“ଛ ଅଣା ।”

 

“ମା ଲୋ, ମୋ ପାଖରେ ରେଜିକି ହଉନି, ତୁ ଦେଇଥା, ମୁଁ ଭଙ୍ଗେଇଲେ ଦେଇଦେବି-।’’

 

ପଇସାତକ ଗୋଟଉ ଗୋଟଉ ରିକ୍‍ସାବାଲାର କଥା ଶୁଣି ନ ଶୁଣିଲା ପରି ପିତେଈ ନାନୀ ସେତକ କହିଲେ । ପ୍ରିୟମ୍ବଦା ଘର ଭିତରକୁ ଚାଲିଗଲେ ପଇସା ଆଣିବାକୁ । ନାନୀ କଣେଇଁ କରି ତାଙ୍କ ଯିବା ବାଟକୁ ଦଣ୍ଡେ ଅନେଇଁ ପୁଣି ପଇସା ଗୋଟେଇବାରେ ଲାଗିଗଲେ । ରିକ୍‍ସାବାଲା ବେହିଆଙ୍କ ପରି ପାନଖିଆ ଦାନ୍ତପୁଳାକ ଦେଖଉଥିଲା । ଭାଗ୍ୟକୁ ନାନୀଙ୍କର ଆଖି ପଇସା ଗୋଟେଇବାରେ ବ୍ୟସ୍ତ ଥିଲା ନଇଲେ ତାର ନବରଙ୍ଗ ଛଡ଼େଇବାକୁ ତାଙ୍କୁ ଜମା ବେଳ ଲାଗି ନ ଥାନ୍ତା । ୟାଙ୍କର ପଇସାଗୋଟିଆ ସରିଲାବେଳକୁ ପ୍ରିୟମ୍ବଦା ରିକ୍‍ସାବାଲାକୁ ବିଦା କରିଦେଇଥିଲେ । ସେଠୁ ଯାଇ ପିଉସୀ ପିଲାଙ୍କ କଥା ପଚାରି ପକେଇଲେ—

 

‘‘ମୋ ପିଲାଏ କାହାନ୍ତି ବା ?”

 

‘‘ଜୁଲିଙ୍କ ସାଙ୍ଗରେ ତାଙ୍କ ଘରକୁ ଯାଇଚନ୍ତି ।”

 

‘‘ମୋ ଝିଅ ଠିକ୍ ସେମିତି । ପିଲାଟା ଦେଖିଲେ ଫୁଲ ବୋଲି ତୋଳିନବ । ମୋରି ଗୁଣ ବୋଲି ମୋ ଖୁଡ଼ୀ ତାକୁ କେତେ ଯେ ଉଲୁଗୁଣା ଦିଏ ସେକଥା ଆଉ କଣ କହିବି ଲୋ ଝିଅ ! ପିଲାଙ୍କଠି ପରା ତାର ଜମା ଅସୁକ ନାଇଁ—ସଭଏଁ ସରଗଚାନ୍ଦ ।”

 

ପ୍ରିୟମ୍ବଦା କିନ୍ତୁ ଏତେଗୁଡ଼ାଏ ପ୍ରଶଂସା ସହପାରିଲେନି କି ମୁହଁ ଫିଟେଇ କିଛି କହିପାରିଲେନି । ମନେ ମନେ ଗୁମୁରିହେଲେ । ତା’ନ ହେଇଥିଲେ କି ଲୋକେ ୟାଙ୍କ ଝିଅଙ୍କୁ ଘୋଡ଼ୀ ବୋଲି କହୁଥାନ୍ତେ ! ସିମିତି ଜୁଲି, ତା ଉପରେ ତ ସହଜେ ମନ ଚଟିକରି ଥିଲା; ମୁଣ୍ଡକୁ ଯାହା ଆସିଲା ତୁଣ୍ଡକୁ ନ ଆଣି କାଟିସମ୍ପି କୁଢ଼େଇଗଲେ । ହଁ, ଏଇଥିପାଇଁ ପରା ଝିଅ ଜନମ ପରଘରେ ନିଆଁ ଲୁଣ୍ଡା ପୂରେଇବାକୁ ! ପିଲାଗୁଡ଼ାଙ୍କୁ ଆଦର ନ କଲେ ଏଠି କି ଆସିବାକୁ ଓର ମିଳିବ କିମିତି ? ସବୁଗୁଡ଼ାକ ଯିମିତି ତାର ଦେଖେଇହେଲାର ଢଙ୍ଗ । ହଉ ବେଳ ଆସୁ, ମନକୁ ପିଉସୀଙ୍କ ମୁହଁ ପିତା ପଡ଼ିଯିବନି କି ! ହେଲେ, ଇଏ କଣ ପିତା ପକେଇବେ, ବରଂ କଥା ପଦକରେ ସିଏ ତାଙ୍କୁ ଏମିତି ଶେତା ପକେଇଦେଲେ ଯେ ଘଡ଼ିଏ ଯାଏ ୟାଙ୍କ ମୁହଁରୁ ଆଉ କଥା ବାହାରିଲାନି ।

 

ତେବେ କଥାଟା ସିମିତି କିଛି ଅପସନ୍ଦିଆ ନୁହଁ ଅଘରୀ ଲୋକକୁ । ବାକି ଘରକରୀ ହେଇଥିଲେ ନିଶ୍ଚେ ବିଚିକିଟିବ । ନାନୀ ଏଥର ତାଙ୍କ ଗାଁ ଗାଦିଗୁରୁଙ୍କଠୁଁ, ଗୋପାଳମନ୍ତ୍ର ନେଇଚନ୍ତି-। ଏଣିକି ଆଉ ସିଏ ପିଲାପିଚିକାଙ୍କ ଏକ ଦୁଇକୁ ଏକାଠି କରି ବାଡ଼ିଆଡ଼େ ଫିଙ୍ଗିଦେଇ ପାରିବେନି-। ଯଦି ଧରୁ ଧରୁ, ଏଇଲେ ଟିକକ ଆଗରୁ ଯିମିତି ଓଦା ହେଇଗଲେ, ସିମିତି ହେଇଯାଏ ତେବେ ଗଙ୍ଗୋଦକ ନ ହେଲେ ପଞ୍ଚାମୃତରେ ସ୍ନାନ ସାରି ବ୍ରଜରଜରେ ତିଳକ କରି ନିର୍ମାଲ୍ୟ ସେବା କରିବାକୁ ହବ । ତାଙ୍କର ଇଚ୍ଛା ଥିଲା କୋଉଠି ନିରୋଳାରେ ଏକୁଟିଆ ରହିବାକୁ-। କିନ୍ତୁ ଏଇମଣିଆ ଓରଫ୍ ରମଣୀବାବୁ ଖାଲି ତୁହାକୁ ତୁହା ଚିଠି ଲେଖି ଦି’ ଦି’ ଥର ବାଟଖରଚ ପଠାଇ ବାଧ୍ୟ କରିବାରୁ ସିଏ ଯାହା ଆସିଲେ । ସହଜେ ପୁରୀକ୍ଷେତ୍ର ଠାକୁରଙ୍କ ଥାନ, ନଇଲେ କୋଉ ମାନରେ ନିଶ୍ଚୟ ମନା କରିଦେଇଥାନ୍ତେ । ଟିପେ ହବ ନାଶ ମାଢ଼ି ଦାଢ଼ରେ ପୂରେଇ ଢାଳଟାଏ ଧରି ବାଡ଼ିଆଡ଼କୁ ଏତକ କହି କହି ପିତେଈ ନାନୀ ଚାଲିଗଲେ ।

 

ପ୍ରିୟମ୍ବଦାଙ୍କ ମଗଜରେ ଗଜଗଜ ହେଇ କଥାଗୁଡ଼ାକ ଭଉଁରୀ ମାରିଲା । ସିଏ ତାଙ୍କୁ ବାରବାର ମନା କରିଥିଲେ ୟାଙ୍କୁ ଡକେଇବାକୁ । ପିଲଟାଏ ପିଲା ଧରିବାକୁ ସିନା ରଖିବାକୁ କହୁଥିଲେ । କିନ୍ତୁ ସେ ଏକା ଜିଗର କରି ନାନୀଙ୍କି ଡକେଇଲେ । ଏଥର ବୁଝନ୍ତୁ ! ୟାଙ୍କ ସେବା କରିବାକୁ ତାଙ୍କୁ ସୁଖ ଲାଗିଲେ ଲାଗୁ ପଛକେ ଇଏ କିନ୍ତୁ କିଛି କରିବେନି । ମଲା ଯା—କାଳମହରଗକୁ ଡାକିଆଣିଲି କୁଣିଆଁ, ଦହଡ଼ ଦହଡ଼ ପରଷିଦିଅ ଚୁଲିରେ ଅଛି ନିଆଁ ! ତାଙ୍କର ପଛକେ ସେ ପ୍ରଶଂସା ଶୁଣିବା ନ ହେଲା ନାଇଁ—କିମିତି ଭଲରେ ଭଲରେ ବିଦା କରିଦେଲେ ଯାଏ-। ସିଏ ପୁଣି ମନରେ ଦମ୍ଭ ବାନ୍ଧନ୍ତି । ହଁ, ସିଏ ମନକୁ ମନ ଯିବେନି ବାହାରି କି ! ଏମିତି ମୁଁ ଆସିଲାଠୁଁ ପାଞ୍ଚବରଷ ଭିତରେ ପନ୍ଦର ଥର ଯା’ଆସ ହେଲେଣି । ତେବେ ୟାଙ୍କୁ ଆଜି ଯେମିତି ଗୋଟାଏ ଶିକ୍ଷା ଦେବେ । ଏତେକରି କହିଲି, ମୋ କଥା ଟିକିଏ ଶୁଣିଥାନ୍ତେ ଭଲା । ମୁଁ ତ ଗୋଟେ ପତର ଗୋଟେଈ ଛତରଖାଈ ହେଇଚି—ସବୁ ଶୁଣିବି, ସବୁ ସହିବି ! ସତକୁ ସତ ପ୍ରିୟମ୍ବଦାଙ୍କ ଆଖିଡୋଳା ଯୋଡ଼ାକ ଲୁହରେ ଗାଧେଇପଡ଼ିଲା । ସେ ଖୋଜି ହେଇ ଲୁଗାକାନୀକୁ ଆଖି ଉପରେ ଥାପିବାକୁ ଲାଗିଲେ ।

 

ଏଇ ସମୟରେ ଜୁଲି ଖିଲିଖିଲି ହେଇ ପ୍ରବେଶ କଲା । ତାର ସାଙ୍ଗରେ ରାଧା, କୃଷ୍ଣ, ଆଉ କାଖରେ ଚିତା । ରାଧାକୃଷ୍ଣ ଦିହେଁ ଯାକ ବେଲୁନ ଗୋଟାଏ ଲେଖାଏଁ ଧରିଚନ୍ତି, ଆଉ ଚିତା ଗୋଟେ ବେଲୁନ ତିଆର ଝୁମୁକା ଧରି ଝୁମୁର ଝୁମୁରୁ କରୁଚି । ଜୁଲି ବିଚାରୀ ଚିତାର ସେଇ ଜଗତ୍‍ଜିତା ଖୁସୀ ମଉଜକୁ କାଖଟାକରେ ସମ୍ଭାଳିପାରୁନି । ଦି’ ହାତରେ ତାକୁ ଜାବୁଡ଼ି ଧରି ବୋକ ଦେଉ ଦେଉ ଖିଲି ଖିଲି ହଉଚି—

 

“ବୁଝିଲ ଭାଉଜ, ଚିତା କାହାଠୁ, ବେଲୁନ କିଣିଚି ?” ଆଉ କାହରିକୁ ବୁଝିବାକୁ ବା ବୁଝେଇବାକୁ ପଡ଼ିଲାନି—ରାଧାକୃଷ୍ଣ ଦିହେଁଯାକ ଏକା ସାଙ୍ଗରେ ପାଟିକରି ଉଠିଲେ—

 

‘‘ତା ଶଶୁରଠୁ ।’’

 

“କିଲୋ ଚିତା, ତା ପୁଅକୁ ବାହା ହବୁଟି ?’’

 

ଜୁଲିର ଅଙ୍ଗଭଙ୍ଗୀ ସାଙ୍ଗରେ ତାଳ ପକେଇ ଚିତା ମୁଣ୍ଡ ହଲେଇ ଦେଲା । ସମସ୍ତେ ହସିଲେ । ପ୍ରିୟମ୍ବଦା ନ ଜାଣିଲା ପରି ଆଖିରୁ ଲୁଗା ଖସେଇ ଆଣିଲେ । ହେଲେ ଜୁଲିର ଆଖିକୁ ତ ଆଉ ଜାଲୁଜାଲୁଆ ଦିଶୁନି ! ସେ ସବୁ ସଫା ବୁଝିପାରିଲା ପରି ପଚାରିହେଲା—

 

‘ମୁଁ ଜାଣେ ପରା ! ବହୁ ଆଡ଼ମ୍ବରେ ଲଘୁକ୍ରିୟା..........ସେମିତି ନିଶ୍ଚେ କିଛି ହେଇଚି । କିଓ, କଣ ହେଲା ?”

 

“କିଛି ନାଇଁ ।”

 

“କିଛି ନାଇଁ ତ ଆଖିରେ କିଆଁ ଲୁଗା ମୁଣ୍ଡୁଳାଟେ ମାଡ଼ି ହଉଚ ?’’

 

‘‘ସିଏ କିଛି ନୁହଁ ।”

 

‘‘ତମେ ତାଙ୍କୁ କଣ କହିଥିବ, ସିଏ ତମକୁ କଣ କହିଥିବେ, ସେଠୁଯାଇ ଯାହା ହେଇଥିବ ନା, ପଚାରିଲେ କହୁଚ, କିଛି ନୁହଁ !”

 

‘‘ତମର ସିଏ ଆସିଲେ ପଚାରିବ ।”

 

“ସତରେ କଣ ଛାଡ଼ପତ୍ର ଦେଇପକେଇଲା ପରି ହଉଚ !”

 

“ଓଃ, ମତେ ଆଉ ବିରକ୍ତ କରନି । ମୋ ଦେହ ମୁହଁ ପେଟ ସବୁ ଜଳିଲାଣି ।”

 

“କାଇଁ, ଆଜି ରଗାରଗି ହେଇ ରୋଷେଇ କରିନ ପରା !”

 

ଆଉ କଣ ବା ଉତ୍ତର ଦେବେ ପ୍ରିୟମ୍ବଦା ? ମୁହଁଟାକୁ ବୁଲେଇ ନେଲେ । ରାଧାର ବେଲୁନଟା ଠୋ କରି ଫାଟିଗଲା । ଚଇତନର ଛାଇନିଦ ଭାଙ୍ଗିଗଲା I କୃଷ୍ଣ ତାଳି ବଜଉଚି । ଚିତା ବୋକୀଟା ପରି ଜୁଳୁ ଜୁଳୁ କରି ଅନଉଁଚି । ଆଉ ଜୁଲି ଓଠ ଚିପି ଚିପି ହସୁଚି । ଏସବୁ ସତେ ଯେମିତି ତାଙ୍କୁ ଆହୁରି ରଗେଇଦେଲା । ସେ ଗରଗର ହେଇ କହିପକେଇଲେ—

 

‘‘ଆମର ହେଲା ନ ହେଲାଠି ତମର କଣ ଅଛି ? କାଇଁ, ରୋଷେଇ ଗଣ୍ଡେ ବସେଇଦେଲା ପରି ତ କଣ କଥାଟାମାନ କହି ଦଉଚ !”

 

“ଭାଉଜ, ତମେ ରାଗିଲେ, ମିଛ ନୁହଁ, ଭାରି ସୁନ୍ଦର ଦିଶ—ଠିକ୍ ଉହାରୁ ବାହାରୁଥିବା ଲୁହା ପରି ।’’

 

‘‘ଜାଣିଚ ! ଆଉ ବେଶି ଗୁଡ଼ାଏ କଥା ବଢ଼େଇ ହ’ନି—ନଇଲେ ଚିଆଁ ଲାଗିଯିବ ।”

 

“ଇଏ କେବେ ହେଲାଣି ! ମୋ ପାଟିରେ ପରା ହାତୁଡ଼ି ପଡ଼ୁଚି ଉଠୁଚି, । ଫୁଲଝରୀର ଫୁଲ ପରି ଝୁଲଗୁଡ଼ାକ ଝରିପଡ଼ିବ ତମ କଥାରୁ ।”

 

‘‘ହଉ, ଥାଉ ।”

 

“କାଇଁ, କ’ଣ ଖରାପ କହିଲି ? ବୁଝିଲ ଭାଉଜ, ଯଦି ମୁଁ ଜଣେ ନକଲି ସାହିତ୍ୟିକା ହେଇଥାନ୍ତି, ତେବେ ଦେଖିଥାନ୍ତ, କେତେ ଏମିତି ମୋ ପଛରେ ଗୋଡ଼ଉଥାନ୍ତେ—ଏଇମିତି ପଦେ କଥା ଶୁଣିବାକୁ ।”

 

“ଏଇଲେ ଆଉ କିଏ ନ ଗୋଡ଼େଇଛନ୍ତି ଯେ ?”

 

“ଏକା ତମକୁ ଛାଡ଼ି ।”

 

କେଜାଣି କାଇଁକି ଯେତେ ରାଗ ଅଭିମାନ ଜୁଲି ଉପରେ ଭାଡ଼ି ବାନ୍ଧି ବସିଥାଏ ତାର କଥା ପଦକରେ ସବୁ ଭଡ଼୍‍ ଭାଡ଼୍‍ ହେଇ ଭଙ୍ଗିଯାଏ । କିମିତି ଝିଅଟିଏ କେଜାଣି, ରାଗ କରି କହିଲେ ରଙ୍ଗ ବୋଳିଦଉଚି । ଛିଗୁଲେଇ କରି କହିଲେ ଛିଟା ମାରିଦଉଚି ଢଙ୍ଗରେ । ନାହିଁ ଯଦି ସିଧା କହୁଚ, କିଛି ବାଧା ଦଉନି । ସବୁ ଯେମିତି ତାର ଦିହସୁହା ହେଇଗଲାଣି । ପ୍ରିୟମ୍ବଦା ପୋହଳା ଏଣ୍ଡୁଅ ପରି ଦଣ୍ଡକରେ ବଦଳିଯାଆନ୍ତି । ଭଲ ଝିଅଟିଏ, ଛନ୍ଦକପଟ କିଛି ନାଇଁ, କଲେଜରେ ପାଠ ପଢ଼ୁଚି, ବଡ଼ ଲୋକର ଝିଅ, ରୂପବତୀ, ଗୁଣବତୀ । ନା, ତାକୁ ଆଉ ଏଣିକି ଇଏ କିଛି କହିବେନି । ଯେତେହେଲେ ପର ପିଲା । ଯଦି ଖରାପ ଭାବିବ ତେବେ ପଛକୁ ଆଉ ନେଇ ଆଣି ଥୋଇ ହବନି-। ବେଳେକେ ତ ପିଲାଙ୍କୁ ନେଇ ଘଡ଼ିଏ ଦଣ୍ଡେ ସମ୍ଭାଳି ନଉଚି । ହାତରୁ ପଇସା ଖର୍ଚ୍ଚକରି ମନରୁଝା ଜିନିଷ କିଣେଇ ଦଉଚି । ତାଙ୍କୁ ଘର କାମ କରିବାକୁ ଫୁରସତ ମିଳୁଚି । ସିଏ ଆଡ଼େଇ ନେଇଥିବା ମୁହଁକୁ ଚାରିଆଡ଼ୁ ପୁଣି ଗୋଟେଇ ଆଣିଲେ । ପିଲାତିନିଟା ସଫା ଚିକ୍କଣ ହେଇ ବସିଚନ୍ତି । ଅଳତା, ସ୍ନୋ, ପାଉଡ଼ର, କୁଙ୍କୁମ ଲଗେଇ ମୁଣ୍ଡ କୁଣ୍ଡେଇଦେଇଚି ଜୁଲି । ତାଙ୍କ ରାଗଗୁଡ଼ାକ ଗୋଟିଏ ଲମ୍ବା ନିଶ୍ଵାସ ଭିତର ଦେଇ ବାହାରିଗଲାବେଳକୁ ଜୁଲି ଆଖିମିଟିକା ମାରି ଜିଭ ଦେଖେଇ ଖତେଇ ହେଲା । ତାଙ୍କ ସାଇତା ହେଲା ରାଗରୋଷ ସବୁ କୁଆଡ଼େ ସତେ ଚାହୁଁ ଚାହୁଁ ଉଭେଇଗଲା-। ସେ ବି ହସି ପକେଇଲେ ।

 

ଏମିତି ହେଇ ହେଇ ଆଉ ସବୁ ଦିନର କଥା ଭଳି ଆଜିର କଥାଟା ବି ଫୁଟିଆରା ହେଇଗଲା । ରମଣୀବାବୁ ରୋଷେଇ ହେଇ ନ ପାରିବାରୁ ଅଖିଆ ଅପିଆ ରାଗିମାଗି କଚିରୀ ଚାଲି ଯାଇଚନ୍ତି, ଆଉ ପ୍ରିୟମ୍ବଦା ମଧ୍ୟ ସିମିତି ରୋଷେଇ ନ ବସେଇବାର ଶପଥ ନେଇଚନ୍ତି । ସିଏ ଉପାସ ରହିବେ । ଦେଖିବା କଣ ହଉଚି ! ହେଲେ ଜୁଲି ତ ସେଯୁଗର ସୀତା କି ସାବିତ୍ରୀ ନୁହଁ, ଏ ଯୁଗର ପୋଖତ ଅଭିନେତ୍ରୀ । କଥାର ମରମଟା ଜଣେଇଦେଲା—

 

“ସିଏ ତାଙ୍କ ଅଫିସରେ ପେଟେ ଜଳଖିଆ ପକେଇବେ । ତମେ ଉପାସ ରହି ଚଇତନକୁ ଚମ ଚୁଚୁମେଇବ । ବାଃ, ବୁଦ୍ଧିଗୁଡ଼ାକ କଣ କମ୍ କି ?”

Unknown

 

ପ୍ରିୟମ୍ବଦା ଉତ୍ତର ଦେଇପାରିଲେନି । ଦିନବେଳାର ପେଚା ପରି ଚୁପଚାପ ବସିରହିଲେ-। ଜୁଲି ଆଉ କଣ କହିବ କହିବ ହେଇ ରୋଷେଇଘର ଭିତରକୁ ପଶିଗଲାବେଳକୁ ପିତେଈ ନାନୀ ନିତ୍ୟକର୍ମ ବଢ଼େଇ ବାଡ଼ିଆଡୁ ଆଗମନ କଲେ । ଜୁଲିକି ତାଙ୍କ ପାଟିଟା କିଛି କହିଆସିଲା ପରି ଓସାରି ହେଇଗଲା । ଇଏ ବି କିଛି କମ୍ ଫାଜିଲ ନୁହେଁ ! ବିରାଡ଼ି ବେକର କାଚକଣ୍ଠି ମାଳିକୁ ନିଠେଇ କରି ଚାହିଁଲା ପରି ଅନେଇଁଲା । ନାନୀଙ୍କ ବେକର ତୁଳସୀ ମାଳି ଦି’ସୋରା ଯେମିତି ତାକୁ ଆଚମ୍ବିତ କରିଦେଇଚି । ନାନୀ କୁଶଳ ପ୍ରଶ୍ନ ପଚାରି ତାରିଫ କଲେ—

 

‘‘ମଲା, ତୁ କ’ଣ କେଡ଼େ ସୁନ୍ଦରଟିଏ ହେଇଗଲୁଣି !”

 

‘‘ବୟସ ପରା ପଶୁଚି ଏଇଲେ ।”

 

‘‘ଅଲାଜୁକି ହେଲେ ତ କଥା ସଇଲା ।”

 

“ସତରେ !”

 

‘‘ମୁଁ ପରା ମନେ ମନେ କେତେ ଖୋଜି ହଉଥିଲି ମୋ ଝିଅ କୁଆଡ଼େ ଗଲା ବୋଲି । ୟାକୁ ପଚାରୁନୁ ।”

 

‘‘ମୁଁ କ’ଣ ସେତକ ଜାଣିପାରୁନି ?”

 

‘‘ମୋ ପେଇଁ ତେବେ ରଖିଚୁଟି ?”

 

ହେଇଟି, ସବୁ ସିମିତି ସଜଡ଼ା ହେଇ ଥୁଆ ହେଇଚି ତମେ ଆସିଲେ ରୋଷେଇ ବସେଇବ ବୋଲି ।”

 

ନାନୀଙ୍କର ନାଳେଇ ଆସୁଥିବା ନାସଖିଆ ପାଟି ଅଠା ଧରିଗଲା । ସେ ଜୁଲିକି କହି ତାଙ୍କ ମାମୁଁ ବନାରସରୁ ପଠେଇଥିବା କଡ଼ା ମିଠା ଜରଦାରୁ ପୁଳେ ମାଗିବେ ବୋଲି ମନ କରିଥିଲେ; ହେଲେ ସେ ତାଙ୍କୁ ଆଙ୍ଗୁଠି ଦେଖେଇଦେଲା । ମନେ ମନେ ତମ ତମ ହେଇ କଥାଟାକୁ କାନିରେ ଗଣ୍ଠି ପକେଇଦେଲେ ସିଏ । ଜୁଲି ମଧ୍ୟ ତାଙ୍କ ମୁହଁର ଘୋଡ଼େଇହେଲା ଭାବକୁ ବେଶ୍ ବୁଝି ସାରିଥିଲା ସେତେବେଳକୁ । ଆଉ ବେଶି ସମୟ ରହିବାକୁ ଉଚିତ୍ୟ ମନେକଲାନି ସେ l ପିଲାଗୁଡ଼ାଙ୍କୁ ଟିକିଲି ମିକିଲି ଡାକର ମାରି ତାଙ୍କ ଘରକୁ ପଳେଇଗଲାବେଳକୁ ନାନୀଙ୍କି ଶୁଣେଇଦେଲା—

 

‘‘ନାନୀ, ତମେ ରୋଷେଇ ସାର, ମୁଁ ଜରଦା ଆଣି ଦଉଚି ।”

 

ଜୁଲି ଚାଲିଗଲା । ନାନୀ ଦାନ୍ତ କଡ଼ମଡ଼ କରୁ କରୁ କୃଷ୍ଣ କୃଷ୍ଣ ହେଇ କୋଥଳି ଫିଟେଇଲେ । କୃଷ୍ଣ ବିଚାରା ନାନୀଙ୍କର ନାମ ଶୁଣି ଗେଲେଇ ହେଇ ତାଙ୍କ ପାଖକୁ ପଶିଆସିଲା । ନାନୀ ଚିହିଁକିପଡ଼ି ପାଟିଟାଏ କଲେ—

 

“ଆରେ ରେ......ହାଁ––ହାଁ––ଛୁଇଁବୁ..... ଛୁଇଁବୁ !”

 

କୃଷ୍ଣ ଠୋ’ କରି ଚମକିପଡ଼ି ଦି’ହାତ ପଛକୁ ଘୁଞ୍ଚିଆସିଲା । ପ୍ରିୟମ୍ବଦାଙ୍କ ମୁହଁରେ କିମିତି ଗୋଟାଏ ଆଡ଼ ଛାଡ଼ ଭାବ ଫୁଟି ଉଠିଲା । ସତରେ କ’ଣ ଧର୍ମ ବୋଇଲେ ଛୁଆଁ ଅଛୁଆଁ ଛଡ଼ା ଆଉ କିଛି ନାହିଁ ! ଏଇ ଗୋଟାକ ଭେଦ ଖାଲି ମାନିପକେଇଲେ ସ୍ଵର୍ଗକୁ ନିଶୁଣୀ ପଡ଼ିଯିବ ! ପଣ୍ଡିତଙ୍କ ଝିଅ ହୋଇ ମଧ୍ୟ ତାଙ୍କର ଏପରି ଗୋଟିଏ ଅବଜ୍ଞା ଭାବ ମନ ଭିତରେ ରହିଯାଇଚି । ବେଳେ ବେଳେ ସିଏ ନାସ୍ତିକଙ୍କ ପରି କଥା ବାଗେଇଲେ କକେଇ କି ବୋଉ ଯିଏ ହେଲେ ମଙ୍ଗ ମୋଡ଼ିଦିଅନ୍ତି ଏକ ଧାଡ଼ିକରେ—ବୟସ ହେଲେ ନୀତି ଅନୀତି ସବୁ ବୁଝାପଡ଼ିବ ଲୋ ମା ! ଏଇଲେ କିଛି ନାଇଁ, ସେତେବେଳକୁ ଯଦି ବାରଣକୁ ଛାଡ଼ିପାରିବୁ କି ଦିଅଁ ଦେବତାଙ୍କୁ ନ ଡାକି ରହିପାରିବୁ ତେବେ ସିନା ଯାଇ ଟାଣପଣ ଜଣାଯିବ !

 

“ଇରେ...ଏ ମାହାନ୍ତିଘର ଝିଅଟା ତ ରୋଷେଇଘରେ ପଶୁଚି !”

 

“ଏଁ...”

 

ଚମକିପଡ଼ିଲେ ପ୍ରିୟମ୍ବଦା । ନାନୀ ପୁଣି ଥରେ କଥାଟାକୁ ଦୋହରେଇଦେଲେ । ସିଏ ବି ସିମିତି ଫଟା ପଟା ଉପରେ ପିଟୁଣି ଲଗେଇଲା ପରି ଉତ୍ତରଟାଏ ଦେଲେ ଯେ ନାନୀ ସେଥରଠୁ ମନା କଲାଦିନୁ ଜୁଲି ହାତରୁ ଟୋପାଏ ପାଣି ମଧ୍ୟ ସିଏ ଘେନି ନିଅନ୍ତିନି । ହେଲେ ରୋଷେଇଘରେ ପଶିବା ନ ପଶିବା କଥାଟାକୁ ଘୋଡ଼େଇ ପକେଇଲେ ସେ । ନାହିଁ ଯଦି ପାଟିରୁ ବାହାରିପଡ଼ିବ ତ ପୁଣି ହାଣ୍ଡି କରିବାକୁ ତିନି ଟଙ୍କା ଦରକାର । ନିଅଣ୍ଟବେଳେ ଟଙ୍କା ତିନିଟାର ମୋହ ଛାଡ଼ି ନ ପାରି ସିଏ ବିଧବା ବ୍ରାହ୍ମଣୀ ଗୁରୁଜନଙ୍କୁ ମଧ୍ୟ ମିଛ କହିବାକୁ ବାଧ୍ୟ ହେଲେ । ତଥାପି ମନ ଭିତରେ କିମିତି ଗୋଟାଏ ଖଟକା ଲାଗିଲା । ଛିଃ..... ଜାଣିଶୁଣି ମିଛ କହିଲେ ସିଏ ! ଆଚାର ବିଚାର ରୁଚି ବଦଳିଲାବେଳକୁ କାଳକାଳକେ ବୋଧହୁଏ ଏମିତି ମିଛ କହିବାଟା ମିଛରେ ଯାଏନି—ସଂସ୍କାର ବୋଲି କୁହାଯାଏ । ହେଇଥିଲେ ହେଇଥାଉ ପଛକେ, ମିଛ ତ !

 

ମନ ମାନିଲାନି ତାଙ୍କର । ପୁରୁଷ ପୁରୁଷ ଧରି ଯୋଉ ପରମ୍ପରା ଗଡ଼ିଆସୁଚି, ଯାହାର ନୀତି ନିୟମ ଦିହର ରକତ ମାଉଁସ ଭିତରେ ଟକମକ ହେଇ ଫୁଟୁଚି ତାକୁ କଣ ସିଏ ଅଲୋଡ଼ା ବୋଲି ପାସୋରିପାରିବେ ? ଇଏ ସିଏ ଯିଏ କିଏ ହଉ ପଛକେ ପରକାଳକୁ ତ କେହି ଦେଖିନାହାନ୍ତି ! ପରକାଳ ବିଷୟରେ ଯାହା ଶୁଣା କଥା । ଧର୍ମ ଅଧର୍ମକୁ ଟିକିଏ ମାନିଗଲେ, ଯଦି ପରକାଳ ବୋଲି ସତରେ କିଛି ଥାଏ, ତେବେ ନିଶ୍ଚୟ ସେଠି ସୁଫଳ ମିଳିବ । ସେଇ ବରଂ ଭଲ । ଇହକାଳରେ ଅଣ୍ଟନିଅଣ୍ଟ ଭିତରେ ଘାଣ୍ଟି ହେବାହିଁ ସାର । କେଜାଣି ବା କାଠ ପଥରର ଦିଅଁ ଦେବତାଙ୍କୁ ଗୁହାରି କଲେ ସୁଖ ଭୋଗ କରୁ କରୁ ଦୁଃଖରୁ ଖସିଯିବେ ! ମନ୍ତ୍ର ମହାପୁରୁ, ଓଷା ଉପାସ କରିବାକୁ ପରମ୍ପରାଗତ ମନଟା ହାଇଁପାଇଁ ହେଲା ।

 

“ନାନୀ ମ ! ସଂସାର ଭିତରେ ରହି ଦୀଷାଟାଏ ନେଲେ ଯେ ତୁଲେଇ ପାରିବ ତ ?”

 

“ଯାହା କହିଲୁ ଲୋ ଝିଅ ମୋର କିଏ ଅଛି ? କୋଉ ଧନ୍ଦା ଅଛି ? ପାରୁ ପାରୁ ଯାହା ହବ, ନ ହେଲେ ନାଇଁ ।”

 

ପ୍ରିୟମ୍ବଦାଙ୍କ ମନ ଭିତରେ ଧର୍ମ କର୍ମ ଆଦରିବାକୁ ପ୍ରବଳ ଇଚ୍ଛା ହଉଥିଲେ ମଧ୍ୟ ନାନୀଙ୍କର କଥାଗୁଡ଼ାକ କିମିତି ବେପସନ୍ଦ ଲାଗିଲା । ସିଏ ଯିମିତି ଖାଲି କାମ ପାଇଟିରୁ ହାତ ଖସେଇବାର ଗୋଟାଏ ଫିକର କରିଚନ୍ତି । ବୁଢ଼ୀ ଲୋକ—କାମକୁ ନ ପାରିଲାରୁ ଲୋକଦେଖାଣକୁ ଧର୍ମର ନାଁ ଦେଇ ନିସ୍ତାର ପାଇବାର ବାଟ କାଢ଼ିଛନ୍ତି । ତଥାପି ମନ ଭିତରେ ତାଙ୍କର ଓଷା ଉପାସ କରି ରମଣୀବାବୁଙ୍କ ହୁଗୁଳିଆସିଲା ମନକୁ ଦଇବ ବଳରେ ଟାଣ କରି ବାନ୍ଧି ରଖିବାର ଝୁଙ୍କ ତାଙ୍କୁ ଝୁଙ୍କେଇଦେଲା । ସିଏ ଏମିତି ହଉ ହଉ ନାନୀଙ୍କଠୁ କିଛି ମନ୍ତ୍ରଯନ୍ତ୍ର ଶିଖିବାର ଇଚ୍ଛାଟା ପ୍ରକାଶ କରିଦେଲେ । ନାନୀ ସତେ ଯିମିତି ସେଇତକ ଶୁଣିବାକୁ ଆଗୁଆ ଉଣ୍ଡି କରି ବସିଥିଲେ । ହଁ ଟାଏ ମାରି, ପଛରେ କାଳେ କିଏ ପିଲା ବୋହୂକୁ ଧର୍ମଶିକ୍ଷା ଦେଇ ବିଗାଡ଼ିଦେଲେ ବୋଲି କହିବ, ଏଇ ଦୋଷରୁ ନିଜକୁ ବଞ୍ଚେଇନେଇ ବୁଝେଇବସିଲେ । ସିଏ ପିଲାଲୋକ—ଭୁଆସୁଣୀ ବୋହୂ—ଏଇଲେ ତାଙ୍କର ଏତେଟା ସଂସାରବିରାଗୀ ହବା ଉଚିତ ନୁହେଁ । ଆଉ କିଛିଦିନ ଯାଉ, ବରଂ ସେତେବେଳକୁ ଆଚରିଲେ କେହି ପଚାରିବାକୁ କି ବୋଲିବାକୁ ନ ଥିବେ ।

 

ତଥାପି ସେଦିନ ବୁଝା ଅବୁଝାରେ ପ୍ରିୟମ୍ବଦା ଏକାଦଶୀ, ସଙ୍କ୍ରାନ୍ତି ଆଉ ସୋମବାର ଉପାସ କରିବାକୁ ନିୟମ କଲେ, ନାନୀ ଏଥର ଖୁସୀ । ତାଙ୍କର ଯୋଉ ଦିନ, ୟାଙ୍କର ବି ସେଇ ଦିନ । ତେଣୁ ଫଳାହାର କରିବାକୁ କିଛି ଅସୁବିଧା ହବନି । ଯାହା ମନ କରିବେ ବା କରେଇଦେବେ, ସବୁ ସୁବିଧାରେ ମିଳିଯିବ । ଶୁଭ କାମରେ ଆଦୌ ହେଳା କରିବା ଉଚିତ ନୁହେଁ । ସେଦିନ ସୋମବାର ବୋଲି ପିତେଈ ନାନୀ ମନେପକେଇଦେଲେ ତାଙ୍କର । ସହଜେ ତ ସକାଳୁ ଦି’ପହରଯାଏ ଅଖିଆ ଥିଲେ ସେ । ଆଉ ଟିକକେ ସଞ୍ଜ ଗଡ଼ିବ । ତେଣୁ ଜଣା ଅଜଣା ଯୋଉ ବିଧିଟା ପାଳନ କରାହେଇ ଯାଇଚି ତାକୁ ଆଉ ଟାଳିବାକୁ ମଧ୍ୟ ପ୍ରିୟମ୍ବଦା ମନ ଊଣା କଲେ । ହେଲେ ଅଧିକ କରି ମନେ ମନେ ସିଧା ସଜାଡ଼ିବାକୁ ଲାଗିଲେ । ନାନୀ ମଧ୍ୟ ପଛେଇଗଲେନି ହିମ୍ମତ୍ ଦବାକୁ । ସିଧା ନିଧାର୍ଯ୍ୟ ହେଇଗଲା—ସାଗୁଦାନାର ଖିରୀ ସାଙ୍ଗକୁ ପାଚିଲା କଦଳୀ । ତା ଛଡ଼ା ବଡ଼ଦେଉଳର ଡାଲି ସାଙ୍ଗକୁ ଲୁଣି କୁରୁମା ।

 

ଦାଣ୍ଡ ଦୁଆରକୁ ଓହ୍ଲେଇ ନ ପଡ଼ି ଏରୁଣ୍ଡି ବନ୍ଧ ତଳେ ଛିଡ଼ା ହେଇ ପ୍ରିୟମ୍ବଦା ତାରିଆମାକୁ ଡାକ ପକେଇଲେ । ସାଗୁଦାନା ଆଉ କଦଳୀ ସାଙ୍ଗକୁ କଳା ବଜାରର ଧଳା ଚିନିରୁ ଅଧ କିଲେ ପେଇଁ ତାକୁ ବରାଦ ହେଲା । ପିତେଈ ପିଉସୀ ମଧ୍ୟ ପ୍ରିୟମ୍ବଦାଙ୍କଠୁ ପଇସା ଆଣି ଅଣ୍ଟିରେ ଖୋସି ବଡ଼ଦେଉଳକୁ ମନକଲା ଜିନିଷ ଆଣିବାକୁ ବାହାରିଗଲେ । ଆଉ ଇଏ ବି ସିମିତି ରମଣୀବାବୁଙ୍କ ଆସିବାବେଳ ନିକଟ ଜାଣି ମଧ୍ୟ ରୋଷେଇ ବସେଇବାକୁ ମନ ନ ବଳେଇ ତାଙ୍କ ବାଟକୁ ଅନେଇଁ ରହିଲେ । ୟାଙ୍କ ନ ଖାଇବା କଥା ମଧ୍ୟ ପିଉସାଙ୍କୁ କହିଲେନି ।

 

ଏମିତି ହଉ ହଉ ଚାରିଟା ବାଜିଗଲା । ନାନୀ ନାମକୁ ମାତ୍ର ଫଳାହାର ପେଟ ପୂରେଇ ସାରିଦେଲେଣି । ପ୍ରିୟମ୍ବଦାଙ୍କ ପାଟିରୁ ଲାଳ ଗଡ଼ି ଖାଇବାକୁ ଇଚ୍ଛା ହଉଥିଲେ ମଧ୍ୟ ତାଙ୍କର ତାଙ୍କ ପେଇଁ ଟିକିଏ କିମିତି କିମିତି ଭାବ ମନରେ ଗୁଜୁରିଲା । ପିଲାଙ୍କୁ ମେଞ୍ଚାଏ ଲେଖାଏଁ ଧରେଇଦେଇ ତାଙ୍କ ଆସିବା ବାଟକୁ ସେ ଅନେଇଁ ବସିଲେ । ପ୍ରଥମ ଦିନର ଉପାସଟା ! ପତିଦେବତାଙ୍କୁ ଭୋଗ ନ ଦେଇ ଆଗ ସେବା କରିବାଟା କାଳେ ଅପରାଧ ହବ ସେଥିପାଇଁ ସେ ଆହୁରି ବେଶି ଅନେଇଁ ରହିଲେ । ଖରା ଗଡ଼ିଲାବେଳକୁ ନାନୀ ମାଡ଼ି ମକଚି ପିଲାଗୁଡ଼ାଙ୍କୁ ଶୁଆଇ ପକେଇଲେ । ନିଜେ ବି ଗୁଡ଼ରୁ ଗୁଡ଼ରୁ ହେଇ ଆଖି ମୁଦି ଧ୍ୟାନ କଲା ପରି ପଡ଼ିଚନ୍ତି । ଆଉ ଇଏ ତାଙ୍କ ଆସିବା ବାଟକୁ ଜାଣି ନ ଜାଣି ସତର ଥର ଅନେଇଁଲାଣି । ପେଟ ତେଣେ ଗୁରାଣ୍ଡି ହେଇ ଓଟାର ଆସିଲାଣି । ଆଖି ଆଗରେ ଜୁଳୁଜୁଳିଆ ପୋକ ଦଉଡ଼ିଲେଣି । ତଥାପି ସେ ଅନେଇଁଚନ୍ତି କେତେବେଳେ ସିଏ ଆସିବେ, ତାଙ୍କ ଉପାସର ସଦ୍ୟ ଫଳ ମିଳିଯିବ । ମନକୁ ମନ ହାତ ଯୋଡ଼ି ତାଙ୍କ ଆଖିରୁ ରାଗ ଉତୁରି ଯାଇଥାଉ ବୋଲି ଚକାଡୋଳାଙ୍କୁ ଲକ୍ଷେ କି ବାରକୋଡ଼ି ଜୁହାର କରିସାରିଲେଣି । ତାଙ୍କ ମୁଣ୍ଡରେ ଶୀଘ୍ର ରାଗ ବତୁରିଯାଏ ବୋଲି ସିଏ ଜାଣିଥିଲେ ମଧ୍ୟ ୟାଙ୍କ ଛାତି କତୁରି ହେଇଯାଉଥାଏ-

 

ରମଣୀବାବୁ ଫେରୁଥିଲେ । ବଇଶାଖ ମାସର ଝୋଲାମରା ଖଡ଼ା ଗଛ ପରି ଚେହେରାଟା ଦିଶୁଥାଏ । ହନୁ ହାଡ଼ ଦିଇଟା ମାଈ ଖରାରେ ଚିକ୍ ଚିକ୍ କରୁଚି ତାଙ୍କର । ଆଖି ଦିଇଟା କୋଉ କୋରଡ଼ ଭିତରେ ପଶିଯାଇଚି । ଅଧାଅଧି ଚନ୍ଦା ହେଇଥିବା ମଥାନ ଉପରେ ଦରପାଚିଲା ବାଳ କେଇଟା ଲଉଡ଼ି ଭାଙ୍ଗୁଚି । ତାଙ୍କର ଏଇ ହାଲିଆ ହେଲା ଚେହେରାକୁ ଦେଖି ପ୍ରିୟମ୍ବଦା ଶଙ୍କା କଲେଣି । କାଳେ ଆଉ କଣ କଛି ହେଇଥିବ କି ! ଅଲକ୍ଷଣା କଥା ଗୁଡ଼ାକ ଭାବି ହେଇ ଛାତି ଭିତରଟା ତାଙ୍କର କୋରି ହେଇଗଲା । ଭାରୀ ହୃଦୟରେ ସିଏ ଦୁଆରଟା ଖୋଲିଦେଲେ । ରମଣୀବାବୁ ଭିତରକୁ ପଶି ଜାମାଟା ଉତ୍ତାରି ପକେଇ ସିଧା ଖଟ ଉପରେ ଲମ୍ବିଗଲେ । କଛି ନ ଜାଣିଲା ପରି ଆଖି ଦିଇଟାକୁ ମୁଦିଦେଲେ । ପ୍ରିୟମ୍ବଦା ଆଉ ସମ୍ଭାଳି ପାରିଲେନି । ତାଙ୍କ ପେଣ୍ଡା ଉପରେ ପିଟି ହେଇ ପଡ଼ିଗଲେ । ତାଙ୍କ ଆଖିର ଦୁଇ ଟୋପା ଲୁହ ରମଣୀବାବୁଙ୍କୁ ତତଲା ପାରଦର କେଇଟା ଟୋପା ପଡ଼ିଗଲା ପରି ଲାଗିଲା । ତାଙ୍କ ମୁହଁରେ ବିରକ୍ତିର ଭାବ ଆହୁରି ସ୍ପଷ୍ଟ ହେଇଉଠିଲା । ସେ ଗୋଡ଼ ଘୁଞ୍ଚେଇ ଆଣିଲେ । ହେଲେ ପ୍ରିୟମ୍ବଦା ଆହୁରି ଜୋରରେ ଜୋକ ପରି ଜାବୁଡ଼ି ଧରିଲେ ।

 

ଦମକାଏ ଥଣ୍ଡା କାଲୁଆ ପବନ ପରି ଜୁଲି କୁଆଡ଼ୁ ହଠାତ୍‍ ଆସି ପହଞ୍ଚିଗଲା ସେଇଠି । ଦିହିଁଙ୍କ ଦେହ ଶୀତକଣ୍ଟା ମାରିଗଲା । ତାକୁ ଦେଖି ଏମାନେ ସଂଯତ ହେଇଗଲେ । ରମଣୀବାବୁ ଖଟ ବାଡ଼କୁ ଆଉଜି ବସିଲେ । ପ୍ରିୟମ୍ବଦା ଜଳଖିଆତକ ଆଣି ବାଢ଼ିବାକୁ ଗଲେ । ଜୁଲି କିନ୍ତୁ କାହାକୁ କିଛି କହିଲାନି । ପାଖ ଚୌକି ଉପରୁ ଲୁଗା ମେଞ୍ଚାକ ଆଲ୍‌ନା ଉପରକୁ ଫୋପାଡ଼ଦେଇ ବସି ପଡ଼ିଲା । ପ୍ରିୟମ୍ବଦା ଢାଳେ ପାଣି ଆଉ ଜଳଖିଆ ଥାଳି ଟେବୁଲ୍ ଉପରେ ଥୋଇଦେଲେ । ରମଣୀବାବୁ କଡ଼ ଲେଉଟେଇ କାନ୍ଥ ପଟକୁ ମୁହଁ ଘୋଡ଼େଇନେଲେ । ଆଉ ସିଏ ଜୁଲି ମୁହଁକୁ ଜୁଳୁ ଜୁଳୁ କରି ଛେଳିଛୁଆଟି ପରି ଅନେଇଲେ । ତା ପରେ ଜୁଲି ଦୁଇ ଥର ଗଳା ଖଙ୍କାର ମାରି କହିବାକୁ ଆରମ୍ଭ କଲା—

“କିଓ, ମଣିଭାଇ ! ଆଜି କଣ ଭୋକ ନାଇଁ ?”

“ଉଁହୁଁ...”

“ହଅ—କଣ ହେଲା ସେଠୁ, ଅଫିସରେ ତ ପେଟେ ଜଳଖିଆ ପଡ଼ିଥିବ, ଭୋକ କାଇଁକି ହବ ? କିନ୍ତୁ ଏଣେ ବିଚାରୀ ଭାଉଜ ଉପାସରେ ହନ୍ତସନ୍ତ ହେଲେଣି ।”

“ମୁଁ” କଣ ତାଙ୍କୁ ଖାଇବାକୁ ମନା କରିଚି କି ?”

“ଆଉ କେମିତି କରନ୍ତି ?”

“ତେବେ କଣ କୋଳରେ ବସେଇ କୁନି ପିଲା ପରି ଖୁଆଇ ଦେବି ?”

“ହଉ ହେଲା ଏବେ ସେଇଆ କର—ମୁଁ ଯାଉଚି ତା’ ହେଲେ ।”

ଉଠୁ ଉଠୁ ହେଇ ଜୁଲି ଚାଲିଯିବା ପରି ମିଛକୁ ଢଙ୍ଗ ବାହାର କଲାବେଳକୁ ପ୍ରିୟମ୍ବଦା ତାର ହାତ ଧରି ବସେଇଦେଲେ । ସତେ ସେଇ ଏକା ଯିମିତି ତାଙ୍କର ଏକମାତ୍ର ସାହା ଭରସା । ଡୋଳା ନଚେଇ ସିଏ ପୁଣି ବସିପଡ଼ିଲା । ସେଠୁ ଇଏ ତାଙ୍କୁ ଅନୁନୟ କଲେ—

‘‘କିଓ ଉଠୁନ, ଶୋଇଲ କାଇଁକି ?”

“ମତେ ଭୋକ ନାଇଁ ।”

‘‘ହଉ, ନ ଥାଉ, ଉଠ ।”

“ମୁଁ ଖାଇଚି ।”

‘‘ମିଛ କଥା ।”

ଏଥର କିନ୍ତୁ ଜୁଲି ଆଉ ସମ୍ଭାଳି ନ ହୁଏ । ହମ ହମ ହେଇ କହି ପକେଇଲା—

‘‘ତାଙ୍କ ମଣିଷକୁ କଣ ସିଏ ଚିହ୍ନି ନାହାନ୍ତି ? ଆଖି ପକେଇଲେ ପରା ତଉଲ ! ହଉ ହଉ, ଉଠ ଏଥର । ଏଇ, ନୂଆବୋଉ ନୂଆ ହେଇ ଆଜି ଉପାସ ବ୍ରତ ଆରମ୍ଭ କରିଚନ୍ତି । ତମେ ନ ଖାଇଲେ ଭାଉଜ କିମିତି ପ୍ରସାଦ ପାଇବେ, କହିଲ ?”

ରମଣୀବାବୁ ସପନ ଦେଖିଲା ପରି ଉଠି ବସିଲେ । ଏ ନୂଆ ଢଙ୍ଗ ଫେର କେବେଠୁ ବାହାରିଲାଣି ? ପଚାରିଲା ଆଖିରେ ପ୍ରିୟମ୍ବଦାଙ୍କର ତାଳୁଠାରୁ ତଳିପାଯାଏ ସିଏ ଅନେଇଁଗଲେ । ଜୁଲି ତାଙ୍କର ଏମିତି ନିକୁଟି କରି ଅନେଇଁବାଟାକୁ ଯେମିତି ପସନ୍ଦ କରିପାରିଲାନି । ଖାଇବା କଥାଟା ପୁଣି ମନେ ପକେଇଦେଲା । ପ୍ରିୟମ୍ବଦା ମୁହଁ ତଳକୁ ପୋତି ଗୋଡ଼ ଆଙ୍ଗୁଠିରେ ଭୂଇଁରେ ଗିରା କାଟୁଥିଲେ । ସତେ ଧରା ପଡ଼ିଯାଇଚନ୍ତି ପରା ! କଥା ଆଉ ବେଶି ବାଟକୁ ଗଲାନି । ନାନୀ ୟାଙ୍କ ବଚନିକା ଶୁଣି ଆଉ ଘରୁ ଉଠି ଆସିଲେ କୋଟିନିଧି ପାଇଲା ପରି ।

 

‘‘କିରେ ମଣିଆ, କେତେବେଳୁ ଅଇଲୁଣି ମ ? କିରେ, ତୋ ଦିହ ମୁହଁ ଇମିତି କଳାକାଠ କଣ ଦିଶୁଚି ?”

 

ରମଣୀବାବୁ ଉପରଠାଉରିଆ ହସ ସୋରାଏ ଓଠରେ ଟାଣି ଦେଇ ନମସ୍କାର କଲେ ।

 

“ବୁଢ଼ାଟିଏ ହେଇଥା—ଯୁଗ ଯୁଗକୁ ବଇଥା । କିରେ, ଅନେଇଁଚୁ କଣ ? ବୋଉ ପରା ଆଜିଠୁ, ପହିଲିପାଳି ସୋମବାର ଉପାସ କଲା ! ଭୋଗ ଦି’ଟା ପାଇ ଦେ । ତା ପରେ ଯାଇ ସିଏ ତାର ତତେ ଅନେଇଁକରି ବସିଥିବ ।”

 

ଆଉ କାହାରିକୁ କିଛି କହିବାକୁ ପଡ଼ିଲାନି । କଥା ନହସରେ ଦି’ ଦି’ ଥର ଦଉଡ଼ ଘେନି ପୂରା ପେଟେ ହବ ଠୁଙ୍କିଦେଲେ ରମଣୀବାବୁ । ପ୍ରିୟମ୍ବଦା ଗୋଟାଏ ଗଡ଼ ଜିଣିଲା ପରି ହସୁଥିଲେ । ରମଣୀବାବୁ ହାତ ଧୋଇବାକୁ ଉଠିଲେ । ପିତେଈ ନାନୀ ସାଙ୍ଗରେ ଗୋଡ଼େଇଗଲେ । ତାଙ୍କର ଝିଅଘର କଥା କହୁ କହୁ । ଏଣେ ପ୍ରିୟମ୍ବଦା ସଙ୍ଖୁଡ଼ିତକ ଗୋଟେଇ ନେଉ ନେଉ ଜୁଲି ଗାଲରେ ଖୁନ୍ଦାଟାଏ ବସେଇ ଚୁପ ଚୁପ କରି କହିହେଲେ—

 

‘‘ବୁଝିଲ ଜୁଲି ! ତମେ ଯଦି ୟାଙ୍କୁ ବାହା ହେଇପଡ଼ନ୍ତ ନା, ମତେ ଟିକିଏ ନିସ୍ତାର ମିଳନ୍ତା-। ମୁଁ ଆଉ ଏଇ ଖୋସାମତ କରିପାରିବିନି ।’’

 

“କହିବି ?”

 

“କହୁନ !”

 

ଦିହେଁଯାକ ଭିଡ଼ାଭିଡ଼ି ହେଇ ବାଡ଼ିଘରକୁ ପଳେଇଗଲେ । ହିଁ ହିଁ ହଁ ନାଇଁ ହେଇ ଜଳଖିଆ ପେଟେ ଲେଖାଏଁ ଚଢ଼େଇଲେ । ପିଉସୀ ପୁତୁରାଙ୍କର ଗପ ବି ସିଆଡ଼େ ଜମିଯାଇଥିଲା । ସେଦିନ ସେମିତି ଆଉ ବିଶେଷ କିଛି ନୂଆ ଘଟଣା ବା ବଡ଼ କଥା କିଛି ଘଟିନି । ଖାଲି ରାତିକି ମିଆଁ ବିବିଙ୍କର ନିରୋଳାରେ ଯାହା ଦୁଇଚାରି ପଦ କଥାବାର୍ତ୍ତା ହେଇଥିଲା, ସେତିକି । ରମଣୀବାବୁ ହଠାତ୍ ତାଙ୍କ ଉପାସ କରା କଥାର ତାତ୍ପର୍ଯ୍ୟ ପଚାରିଲେ, ଆଉ ପ୍ରିୟମ୍ବଦା ଗାଡ଼ୁରୁ ମାଡ଼ୁରୁ ହେଇ ଉତ୍ତର ଦେଲେ ଯେ ତାଙ୍କୁ ତ ତୁଚ୍ଛାରେ ଏମିତି ଅଧେଦିନ ଉପାସ ରହିବାକୁ ପଡ଼ୁଚି, ଆଉ ଯଦି ବାକି କେଇଟା ଦିନ ନିୟମରେ ମାନି ଦିଅଁଙ୍କୁ ମୁଣ୍ଡିଆଟାଏ ପକେଇ ଦିଆଯାଏ ତେବେ ଦୋଷ କଣ-। କ୍ଷତି କିଛି ନାହିଁ, ବରଂ ଲାଭ ହେବାର ସମ୍ଭାବନା ।

 

ରମଣୀବାବୁ, ଲାଭ ନୁହେଁ, ଯାହା ଖର୍ଚ୍ଚର ବ୍ୟବସ୍ଥା ତାକୁ ସବୁ ମାପିବାକୁ ଲାଗିଲେ । ମାସକୁ ଚାରିଟା ସୋମବାର, ଦି’ଟା ଏକାଦଶୀ, ଗୋଟାଏ ସଙ୍କ୍ରାନ୍ତି । ଏମିତି ଗାଏ ମୋଟ ସାତ ଦିନ । ତା’ ମାନେ ସାତ ତିରି ଏକୋଇଶ ଶଙ୍କା ପୂରାପୂରି ବିନର୍ବ୍ୟୟ । ହଉ, ଯେତେବେଳେ ସିଏ ମନ କରିଚନ୍ତି, କରନ୍ତୁ । କିନ୍ତୁ ହଠାତ୍ ଏତେ ବୈରାଗ୍ୟ, ଏମିତି ଭକ୍ତି କିମିତି ତାଙ୍କଠି ଭର୍ତ୍ତି ହେଇଗଲା, ସେ ମୋଟେ କଳନା କରିପାରିଲେନି । ତେବେ ବୟସ ଖସିଲାବେଳକୁ ଜୋର କମିଗଲାବେଳକୁ ଲୋଡ଼ା ଅଲୋଡ଼ା ଦିଅଁ – ଦେବତାଙ୍କୁ ଖୋଜିବାକୁ ମନ ହୁଏ । ଏବକୁ ତାଙ୍କ ମନ ବି ବେଳେ ବେଳେ ବାଉଳା ଧରିଲାଣି । ବୋଧହୁଏ ଏଇୟା ! ପ୍ରିୟମ୍ବଦା ବେଳ ଜାଣି ଲୁହାରେ ପାଣି ଦେଲା ପରି କଥାଟାଏ ପୁଚ୍ଛି ବସିଲେ—

 

‘‘ହେଇ, ତମ ମନକୁ ଯଦି ନ ପାଉଚି ମୁଁ ଆଉ ଉପାସ କରିବିନି—ହେଲା !”

 

“ହେଲେ, ମୋର ମନ ବି ହଉଚି ତମ ସାଙ୍ଗରେ ଉପାସ କରିବାକୁ ।”

 

‘‘ଭଲ ହୁଅନ୍ତା, ସାଙ୍ଗ ହେଇ କରନ୍ତେଁ ।”

 

‘‘ତେବେ ପିଲାଗୁଡ଼ାକ ପାରି ଉଠିଲେ ତ ହବ ।”

 

“ଏଁ, ପିଲାଗୁଡ଼ାକ କଣ କଲେ ତମର ପୁଣି ?”

 

“କିଛି ନାଇଁ, ଦରମା ପଇସା ତ ଅଣ୍ଟୁନି । ଭାବୁଥିଲି, ପିଲାଏ ଯଦି ଉପାସ କରିବା ଆରମ୍ଭ କରିଦିଅନ୍ତେ ତେବେ ଆହୁରି ଭଲ ହୁଅନ୍ତା ।”

 

“ଛୁଆ ଲୋ ମା ! ତମ ତୁଣ୍ଡକୁ ଏମିତି କଥା କିମିତି ଆସୁଚି କେଜାଣି ।”

 

“ତମେ ଯିମିତି ନିର୍ଜଳା ଉପାସ ବଦଳରେ ମନସଦ ଖିଆ ଅୟସ ଧରିଲ, ସିମିତି ।”

 

ପ୍ରିୟମ୍ବଦା ମୁହଁ ତମ ତମ କରି ଘୁଞ୍ଚି ବସିଲାବେଳେ ରମଣୀବାବୁ ତାଙ୍କ ମୁଣ୍ଡଟାକୁ ଖୋସାମିଶା କରି ଭିଡ଼ି ଆଣି ଛାତି ଉପରେ ଶୁଆଇ ପକାଇଲେ । ଆଉ କାନରେ ଫିସ ଫିସ ହେଇ ଆଉ କେହି ନ ଶୁଣିବା ପରି କହିଲେ—

 

‘‘ହେଇଟି, ତମେ ଉପାସ କର ମୋର ଆପତ୍ତି ନାହିଁ । କିନ୍ତୁ ଉପାସ ନାଁରେ ଯିମିତି ଅଧିକ ଖର୍ଚ୍ଚର ବିପତ୍ତି ନ ପଡ଼େ, ସେଇଆକୁ ଟିକେ ନଜର ଦିଅ । ପୂରା ତିଳକ କାଟି ବାବାଜୀ ହବାଠୁ ଅର୍ଦ୍ଧ ତିଳକ କାଟି ସେଠଜୀ ହବାଟା ଆଜିକାଲି ଦୁନିଆର ନୀତି । ଖର୍ଚ୍ଚ ବଢ଼େଇବା ଅପେକ୍ଷା କାଟିବାଟା ପାରିବାରପଣିଆ ।”

 

ପ୍ରିୟମ୍ବଦା ଛାଟିପିଟି ହେଇ ଉଠି ଆସିଲେ ସେଠୁ । ରମଣୀବାବୁ ହୋ ହୋ ହେଇ ହସୁଥିଲେ ।

 

ଏଣିକି ସାଙ୍ଗସାଥୀ ସମସ୍ତେ ସମସ୍ଵରରେ ବୋବାଳି ପକେଇଲେ କଣ, ପୂରାପୂରି ପରିପ୍ରଚାର ଚଳେଇଲେ—ରମଣୀବାବୁ ଆଜିକାଲି ଅଧିକ ମାଇଗୁଲିଆ ହେଇଗଲେଣି । ଗୁଲିଖୋର ସିମିତି ନୂଆ ନୂଆ ଖାଇ ଶିଖିଲାବେଳେ କାହାକୁ ନ ଜଣେଇ ଘରୁ ପଳେଇଆସେ ସେମିତି ଏଥର ସିଏ ମଧ୍ୟ ଆଉ ଘରଆଡ଼େ ବେଶି ରହିପାରୁନାହାନ୍ତି । ପ୍ରକୃତରେ କଥାଟା ସେଇଆ ନୁହେଁ । ପିତେଈ ପିଉସୀ ଆଉ ପ୍ରିୟମ୍ବଦାଙ୍କର ଯେଉଁ ଅଳ୍ପ କେତେ ଦିନର ସାଲିସ, ସେଥ୍‌ରେ ରମଣୀବାବୁ ନିଶ୍ଚିତ ହେଇ ବନ୍ଧୁ ମହଲକୁ ଗଡ଼ିପଡ଼ିଲେ । ଘରେ ଆପାତତଃ ଯେଉଁ ଶାନ୍ତି ବିରାଜମାନ କରୁଥିଲା ସେତକ ତାଙ୍କୁ ପ୍ରକୃତ କ୍ଳାନ୍ତି ଅପନୋଦନ କରିବାର ବିସ୍ତର ସୁବିଧା ଦେଲା ।

 

ସେଦିନ ସେମିତି ବନ୍ଧୁ ବଳଭଦ୍ର ମହାପାତ୍ରେ କହୁ କହୁ କହି ପକେଇଲେ—ଯାହାହଉ, ରମଣୀବାବୁ ଏଥର ନିସ୍ତାର ପାଇଲେ । ସେ କିନ୍ତୁ କଥାଟା କିଛି ଠଉରେଇ ପାରିଲେନି । ଧନ୍ଦିହେଲେ ଅନେକ, କୋଉଥିରୁ ସିଏ ତ୍ରାହି ପାଇ ହାଇ ମାରୁଚନ୍ତି, ଜମା ଜାଣି ପରିଲେନି । ଶେଷକୁ ସେଇ ମହାପାତ୍ରଙ୍କ ଶରଣ ପଶିଲାରୁ କଥାଟା ଜଣଜଣା ହେଇଗଲା । ମାନେ, ପ୍ରିୟମ୍ବଦାଙ୍କର ଉପାସ କରିବା କଥାଟା ଆଉ ଚାରି କାନ୍ଥର ସୀମା ଭିତରେ ସୀମିତ ହେଇ ନାହିଁ—ଦେଉଳ ବେଢ଼ାର ଷଡ଼ଭୁଜ ଗୌରଙ୍ଗ ମନ୍ଦିରଠାରୁ ଆରମ୍ଭ କରି କୋଇଲି ବୈକୁଣ୍ଠର ପୋତା ଗହୀରା ପର୍ଯ୍ୟନ୍ତ ସବୁଆଡ଼େ ବ୍ୟାପିଯାଇଚି । ଶେଷକୁ ରମଣୀବାବୁଙ୍କୁ ପଚରାହେଲା, ସେ କେବେ ନାମ ନଉଚନ୍ତି ?

 

ପୁଣି ଗୁଣିହେଲେ ସିନା ରମଣୀବାବୁ, ହେଲେ ଗୁଣଫଳ କିଛି ମିଳିଲାନି । ସିଏ ସବ୍‍ଜାନତା ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବାକୁ ଲାଗିଲେ । କିନ୍ତୁ ବଳିବାବୁଙ୍କ ସାଙ୍ଗର ଆଉ ଆଉ ବଳୀବର୍ଦ୍ଧମାନେ କେଳେଇ ପକେଇଲେ ତାଙ୍କୁ । ବଳିବାବୁ ଘଟଣାଟାକୁ ବୁଝେଇ ବସି କହିଲେ ଯେ ରମଣୀବାବୁଙ୍କ ଘରଣୀ ଏଥର ପ୍ରକୃତରେ ବିଡ଼ାଳ–ମାତା ହେଇଗଲେଣି । ଆଉ ରମଣୀବାବୁ ବୃଦ୍ଧ ଜରଦ୍‍ଗବ ହୋଇ ତାଙ୍କ କାମରେ ତାଙ୍କୁ ସାହାଯ୍ୟ କରୁଚନ୍ତି । ଏଣିକି ପ୍ରିୟମ୍ବଦା ଦିନକୁ ଥରେ ଦି’ଥର ଦେଉଳକୁ ଯା’ ଆସ କଲେଣି । ପିତେଈ ନାନୀ ସାଙ୍ଗରେ ଥିଲେ ଭଲ; ନ ହେଲେ ଓଡ଼ଣା ଟାଣି ଗଲେ କିଏ ପଚାରୁଚି ! ଆଉ ରମଣୀବାବୁ, କେହି ଘରେ ନ ଥିଲା ବେଳେ ରାଧାକୃଷ୍ଣ ଚିତାଚଇତନଙ୍କୁ ନେଇ ସାଧନା କରୁଚନ୍ତି ।

 

ଏଇଠି କିନ୍ତୁ ରମଣୀବାବୁଙ୍କ ପୁରୁଷପଣିଆକୁ କଥାଟା ବାଧିଲା । ଏମିତି ଦିନେ ଅଧେ କେବେ ସିନା ପିଲା ରଖିବା ଦାୟିତ୍ୟଟା ତାଙ୍କର ପଡ଼ିଥିବ, ନ ହେଲେ ସିଏ ତାଙ୍କର ଭାଗବଣ୍ଟୁରା ହେଇ ସେ କାମ ତୁଲାନ୍ତି । ଘର ହେଲାଠୁ କଣ ଏତକ ଆଉ ନ ହୁଅନ୍ତା ! ସିଏ ପୂରାପୂରି ନ ହେଲେ ମଧ୍ୟ ଅଧାଅଧି ରାଗିଗଲେ ସିନା, ହେଲେ କପଟରେ ଚଉଠା ମାତ୍ର ଦେଖେଇ କହିଲେ—

 

“ବୁଝିଲ ବାବୁମାନେ, ତମେସବୁ ଅଘରୀ କି ପରଘରୀ ହେଇଥିବ । ତା ନ ହେଇଥିଲେ ମୋର ଘରକରଣା ବିଷୟରେ ଏପରି ମନ୍ତବ୍ୟ ମୋଟେ କରୁ ନ ଥାନ୍ତ ।”

 

ଟୁନା ମହାନ୍ତି ବଡ଼ ଟାଣୁଆ ପିଲା । ସିଏ ନୂଆ ବାହାହେଇ ଘର ଧରିଚି । ତା’ ଦିହରେ ସେତକ ଗଲାନି । ସେ ସାଙ୍ଗେ ସାଙ୍ଗେ ସଜ ସୋଡ଼ାବୋତଲ୍ ପରି ଫାଟିଗଲା—

 

“ହଉ ହଉ, ତମ କଥା ଜଣା ପଡ଼ିଲାଣି ଯେ—ଆଜିକାଲି ପରା ମା’ ଯୁଗ, ଯୁଆଡ଼େ ଦେଖ ସିଆଡ଼େ ଦେଈ ମା, କୁଆଁରୀ ମା, ବେୱା ମା ସବୁ କିସମର ଠୁଳ ହେଇଚନ୍ତି । ଯିଏ ଯାହାକୁ ଆଦରି ପାରିଲା ତା’ର ସେତେ ଭଲ । ପରକାଳକୁ ଆଗ ଟଙ୍କା ଦିଆ ଟିକଟ କାଟିବା କଥା ଇଏ.”

 

ଘଟଣାର ଘନଘଟା ବନ୍ଧୁ ଆସରରେ ବେଶ ଜମି ଗଲାବେଳକୁ ମାନ ବାହିନୀପତି ଆସି ପହଞ୍ଚିଲେ । ଇଏ ହଉଚନ୍ତି ସେ ପଟର ଲୋକ । ମଉଜ ମଜଲିସ ଭାଙ୍ଗ ଭୋଜନ କହିଲେ ତାଙ୍କୁ ଦଶଦିଶ ଆଲୁଅ ଦିଶେ । ଆଖି ତାଙ୍କର ଚାହିଁଜଳକା ଧରିଯାଏ । ସେ ଆଉ କିଛି ଦେଖିପାରନ୍ତିନି । ଶିଳ ଆଉ ଶିଳପୁଆ ମଝିରେ ଦେଶୀ ଭାଙ୍ଗକୁ ରଖି ମଡ଼େଇପକାନ୍ତି । ପୁରୀ ସହରରେ ଏ ଚଳଣିଟା କିଛି ନୂଆ ବା ଅବାଗର ନୁହେଁ, ପୂରାପୂରି ସାମାଜିକ । ଇଏ ଗୋଟେ ବ୍ୟବସ୍ଥା, ଯିମିତି ପେଟଗରମକୁ ଔଷଧ । ପଦ୍ମଲୋଚନ ହେବାର ଗୋଟାଏ ବୋଲି ପାହାଚ, ଯାହା ଉପରେ ଚଢ଼ିଲେ ଗୟାଁ ଗୋରୁ ପରି ଗଁ ଗଁ ହେଇ ସବୁ ସହିପାରିବ । ଅକଲରେ କିଛି ପଶିବନି । ଯିଏ ଯେତେ ଯାହା କହିଲେ ମଧ୍ୟ ମୁଣ୍ଡ ପୋତି ହସ ସୋରାଏ ଟାଣି ଅଠା ହେଇ ଆସୁଥିବା ଓଠ ଉପରେ ଖରାଦିନିଆଁ ବୁଲାକୁକୁର ପରି ଜିଭ ବୁଲାଇବ ! ହଉ ହଉ ହେଲେ କେତେବେଳେ ତୁଣ୍ଡରୁ ଭଲା ପଦେ ମିଠା କଥା ଖସିପଡ଼ିବ । ଏଇ ଯଥେଷ୍ଟ, ଗୋଟାଏ ଦିନର କ୍ଳାନ୍ତିକୁ ଗୋଟାଏ ରାତି ଭୁଲିଯିବା ପାଇଁ !

 

ବାହିନୀପତି ଆସି ଯେତେବେଳେ ପହଞ୍ଚିଗଲେଣି, କଥାଟା ଆଉ ଅଧାଠି ରହିଲାନି । ସାଙ୍ଗେ ସାଙ୍ଗେ ଗୋଟାଏ ଫଇସଲା ହେଇଗଲା । ନାଇଁ ଯଦି ସତରେ ରମଣୀବାବୁ ମାଇଚିଆ ହେଇ ଯାଉ ନ ଥିବେ ଦିନକୁ ଦିନ ତେବେ ଅଧଭରିଏ ଖାଇ ପାର କରେଇଦେବେ । ବେଳଟା ଚନ୍ଦନଯାତ୍ରା ସମୟ । ଯୋଗପାଗ ସବୁ ମଉଜିଆ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ବସି ଝୁଲି ଝୁଲି ନରେନ୍ଦ୍ର ପୋଖରୀରେ ଚାପ ଖେଳି ଚନ୍ଦନ କୁଣ୍ଡରେ ଜଳଶାୟୀ ହେବେ । ଆଉ ତାଙ୍କ ଭକ୍ତମାନେ ଭାଙ୍ଗ ପିଇ, ପାନ ମଡ଼େଇ, ସୋଲବିଡ଼ା ନ ହେଲେ ମଟର ଟ୍ୟୁବ କାଖେଇ ନରେନ୍ଦ୍ର ପୋଖରୀରେ, କେଳି କଳାପ ଗଳ୍ପ ବଢ଼େଇ ଛେନାଖୀରାର ପ୍ରସାଦ ଲାଭ କରିବେ । ବାଃ ବାଃ, ୟାଠୁ ବଳି ମଉଜ ଆଉ ଅଛି ନା ! ପୁଣି ଚନ୍ଦନ ପାଟୀ ସାଙ୍ଗକୁ ମଲ୍ଲୀ ବଉଳର ବାସଚହଟା ମାଳ ଗଳାରେ ଗଳିଆ ହେଇଥିବ । ସତରେ ସେତେବେଳକୁ ସ୍ଵର୍ଗ ଆଉ ମୋଟେ ଦି’ଆଙ୍ଗୁଳ ବାକି ଥିବ ବୋଧହୁଏ । ଏଇ ମର୍ତ୍ତ୍ୟମଣ୍ଡଳର ସ୍ୱର୍ଗସୁଖ ଯିମିତି ସବୁ ଏଇଠି ଠୁଳ ହେଇ ଯାଇଚି । ବାହିନୀପତିଙ୍କ ବଖାଣ ପରେ କୋଉ ପୁଅ ଭଲା ଅଛି ୟାକୁ ତର୍କଣା କରି ଉଡ଼େଇଦବ ? ଉଡ଼େଇବା କଥା ନୋହିଲା କାହାରି, ମଉଜ ହେବା ସିଦ୍ଧାନ୍ତ ହେଇଗଲା ।

 

ପ୍ରଥମେ ରମଣୀବାବୁ ଘରଣୀଙ୍କଠୁ ଅନୁମତି ପାଇନାହାନ୍ତି ବୋଲି ଟିକିଏ ଛାଙ୍କି ଛାଙ୍କି ହଉଥିଲେ । କିନ୍ତୁ ଟୁନା ମହାନ୍ତି ତ ବଡ଼ ଚଗଲା । ସିଏ କଥାଟାକୁ ଫୁଟୁକି ମାରି ଫୁଟିଆରା କରିଦେଲା । ରମଣୀବାବୁ ଏତେ ଲୋକଙ୍କ ଆଗରେ କିମିତି ଘର ମାଇପ କଥା କହିପକାନ୍ତେ ! ଘୋଡ଼େଇ ପକେଇ ପ୍ରସଙ୍ଗଟାକୁ ବାଗେଇ ନେଲେ ।

 

“ତମର ସିନା ନୂଆ ପୀରତି । ଭାବ ଯିମିତି କାମ ସିମିତି । ହଁ ହିଁ ହେଲାବେଳକୁ ଗାମୁଛା ଆଣିବା ବାହାନାରେ ମୁହଁ ମାରି ପଳେଇଆସିବ ।”

 

“ଓହୋ...ଏଇ କଥା ତ ! ହଉ ଅମେ ଆଜି କେହି ଯିବାନି ଦେଖିବା, ତମେ ଆପଣ ଘରଆଡ଼େ ଗଡ଼ୁଚ କି ନାହିଁ ?”

 

ଭଡ଼ିଭଡ଼ିଆ ଆଗବୋଲା ବାହିନୀପତି ଭାଙ୍ଗ ପେଇଁ ପଇସା ଯୋଗାଡ଼ୁ ଯୋଗାଡ଼ୁ କହିଲା—

 

“ହଇ ହେ, ଛାର ଗାମୁଛା ପାଇଁ ଏତେ ବାଡ଼ିଆବାଡ଼ି ! ଦି’ ଚାରି ପୁଞ୍ଜା ପାକେଲା ଗାମୁଛା ଅଣେଇଦବା, ଆଉ କଣ ! ଛେ.....ହଇ ହେ, ଶିଳ ଶିଳପୁଆ ବିନା କଣ ବାହାଘର ବନ୍ଦ ହେଇଗଲାଣି !”

 

ଏମିତି ହେଇ ହେଇ ସତକୁ ସତ ମଉଜଟା ଯୋଡ଼ାଯୋଡ଼ି ହେଇଗଲା । ହେଲେ କଣ ହବ, ବାହିନୀପତିଙ୍କ ସାଙ୍ଗ କଣ୍ଟ୍ରାକ୍ଟର ଅରୁଣ ମିଶ୍ରଙ୍କ ଭାଷାରେ ଏଇଟା କୁଆଡ଼େ ଗୋଟାଏ ଭେଲ ଭେଲ କମ୍ପାନି । ଅର୍ଥାତ୍ ସବୁ ହବ, ହେଲେ କେଳାଘର ରୋଷେଇ ପରି ସବୁ ଗୋଳିଆପୋଳିଆ ଅଯୋଗାଡ଼ିଆ । ପ୍ରକୃତରେ ନିରପେକ୍ଷ ଭାବରେ କହିବାକୁ ଗଲେ ସେଇଆଇ ହୁଏ । ସେଦିନ ସେମିତି ବାହିନୀପତି ବିଚାରା ସଉକରେ ଛଟାଙ୍କିଏ ଭାଙ୍ଗ ଘୋଟିପକେଇଲା ସିନା, ଆଉ ଅନ୍ୟ ଖର୍ଚ୍ଚ କିମିତି ହବ କିଛି ଠିକ୍ ନ କରି ସମସ୍ତେ ନରେନ୍ଦ୍ରକୁ ବାହାରିପଡ଼ିଲେ । ହୁଙ୍କାପିଟା କାମକୁ କଣ ବା କିଏ କହିବ ! ଇଏ ତ ଜାଣିବା କଥା, କିଏ କହିଲେ ସିଏ ଉତ୍ତର ଦେବ—

 

“ଆହେ, ବସ ହେ ବାବୁ, ଦେଲାବାଲା ବଡ଼ଲୋକ, କଲାବାଲା କରେଇବ । ତମର ଆମର କଣ ? ଚାଲ ଆଗେ ବୁଡ଼ାଟା ହେଇ ସାରୁ । ଭୋଜନ କଥା ତ ଅଛି ।”

 

ସେଇଆକୁ ଭୟ କରି ସମସ୍ତେ ଲୁଙ୍ଗୁପୁଙ୍ଗୁ ହେଇ ଚନ୍ଦନ ପୋଖରୀକି ବିଜେ ହେଲେ । ପାଖ ତୋଟାରେ ପହିଲୁ ନିତ୍ୟକର୍ମ ଘଣ୍ଟାଏ କାଳ ବଢ଼େଇ ସୀତା ପିଲା ପିତେଇ ସାହୁ ଦୋକାନରେ ଦେଢ଼ଘଣ୍ଟା ସୋରିଷ, ଲେମ୍ବୁ ତେଲ ମିଶେଇ ପାଏ ହବ ମର୍ଦ୍ଦନ ହେଲେ । ଘଷାମୋଡ଼ା ଠେଲାପେଲା ହେଇ ଉଛୁର ଆହୁରି ବଢ଼ିଲା । ରମଣୀବାବୁ ତରତର ହେଇ ଆଗୁଆ ତୁଠକୁ ବାହାରିଗଲେ । ଶେଷକୁ ଦାଉଁ ପଣ୍ଡା ଆଉ ନ ଉଠନ୍ତି । ତାଙ୍କର ତିନିଶହ ବୈଠକିରୁ ପଚାଶ କମେଇ ଦାମ ଚମ୍ପତିଙ୍କଠାରୁ ବୋଲଣା ଖାଇ ବାହାରିପଡ଼ିଲେ ।

 

ତୁଠ ଉପରେ ମୁଣ୍ଡ ଗଣତି ହେଲା । ଏଇଟା ସେଇଠି ବଡ଼ କଥା । ନଇଲେ ଯଦି ପଛକୁ ପାଣି ଉପରେ କିଏ ପାଣି ମାପିବାକୁ ବୁଡ଼ିବ, ଆଉ ଜମା ଉଠିବନି । ତେବେ ମଜାମଉଜ ସଜାସମଜରେ ପହଞ୍ଚିଯିବ । ମୁଣ୍ଡଗଣା ହେଲା ନବଗ୍ରହ ପରି ନଅଟି । ଛଟାଙ୍କିଏ ଭାଙ୍ଗ ବଣ୍ଟାକୁଣ୍ଟା ହେଇ ସମସ୍ତେ ପିଇଚନ୍ତି, ଅବଶ୍ୟ ଅଳ୍ପ ବହୁତ ତାରତମ୍ୟ ଅଛି । ତଥାପି ସମସ୍ତଙ୍କ ଆଖି କୁମ୍ଭାଟୁଆ ପରି ବୁଲି ଆସିଲାଣି । ପାଟି ଅଠା ହେଇ ନ ଥିଲେ ମଧ୍ୟ ପାନସିଠା ବସିଗଲାଣି । ତେଲଚିକିଟା ମହଳା ଦିହରୁ ଗୋଟାଏ କିମିତି ଆଇଁଷିଆ ଗରମ ବାସନା ବାହାରିଲାଣି । ସମସ୍ତେ ଅଥୟ ହେଉଥିଲେ ।

 

ମୁଷା ସେନାପତି ସେତିକିବେଳକୁ ଦୀପଦଣ୍ଡିରେ ଗଙ୍ଗାଦେବୀଙ୍କୁ ଲାଗି କରିବାକୁ ପନ୍ତି ମାହାର୍ଦ ନେଇ ପହଞ୍ଚିଗଲା । ପାଞ୍ଚୁଟା ମଟର ଟ୍ୟୁବ ସାଙ୍ଗରେ ଦୁଇଟା ସୋଲବିଡ଼ା ଏକାଠି ଭେଳା ବାନ୍ଧି ଆଗେଇ ଗଲା । ସେନାପତି ଆଉ ବାହିନୀପତି ନାମକରଣରୁ ଆପଣମାନେ ଭାବୁଥିବେ, ଚୀନ–ଭାରତ ବା ପାକିସ୍ଥାନ ଭାରତ ଯୁଦ୍ଧରେ ଏମାନେ ନିଶ୍ଚୟ ରଥୀ ହେଇ ପାରିବାରପଣ ଦେଖେଇଥିବେ—ବାହାଦୁର ହେଇଥିବେ । ହେଲେ ସେମାନେ ସିନା ଯୁଦ୍ଧକୁ ଯାଇନାହାନ୍ତି, କିନ୍ତୁ କୁସ୍ତି ମିହନ୍ତ ପକେଇ ଦିହକୁ ଉତ୍ତାରିଚନ୍ତି । ବାହାଟାମାନ ଖୁମ୍ବ ପରି ବୁଲେଇଚନ୍ତି । ଛାତିଟାମାନ ମଗର ପିଠି ପରି ଜବର ବନେଇଚନ୍ତି । ସେଇ ଦିହେଁ ହେଲେ ତଥାକଥିତ ମଙ୍ଗୁଆଳ । ଭେଳା ଆଗେଇଲା ଭଲ ଭଲରେ । ଲୋକନାଥଙ୍କର ଖାସ ସେବକ ଦାଉଁ ପଣ୍ଡା ହେଲା ଗାହାଣ—ଛାଡ଼ିଲା ଚମ୍ପୂ, ଚଉପଦୀ ଜଣାଣ । ବେଶ ଜମିଉଠିଲା ଗାଧୁଆଟା ଏଥର ।

 

ଏଥର ଜମିଆସିଲା ମନଟା, ଗୁଲୁଗୁଲିଆ ହେଇଆସିଲା । ଆଖି ବି ସିମିତି ରଙ୍ଗରଙ୍ଗିଆ ଦେଖିଲା । ‘‘ବ୍ରଜରାଜକୁମାର ଆଜ ନାଶିଲେ ବିବେକ ମୋର ଗୋ....”ଠାରୁ ବାରମାସୀ କୋଇଲି ଯାଏ ସବୁ ବୋଲା ହେଲା । କିନ୍ତୁ ରମଣୀବାବୁଙ୍କ ମନକୁ ଏସବୁ କିଛି ପାଇଲାନି, ସିଏ ଢଙ୍ଗରେ ଆରମ୍ଭ କଲେ—ଆଗୋ ସଖୀ ଦେଖ ଗୋ ରାଧା ମାଧବ ଚାଲି ଦେଖ ଗୋ... । ରମଣୀବାବୁଙ୍କ ସଖୀ ସମ୍ବୋଧନରେ ଟୁନାବାବୁଙ୍କ ହୃଦୟରେ ଜୁଆର ଉଠିଲା । ସିଏ ସିନେମା ହିରୋ ହେଇଗଲେ-। ଗଳା ଫଟେଇ ରଡ଼ି ଛାଡ଼ିଲେ—ହୋ ଜାନେବାଲେ ଜରା ହୁସିଆର ୟହାଁକେ ହମ୍ ହୈ ରାଜକୁମାର... ।

 

ତେଣେ ଦାଉଁ ପଣ୍ଡା ହେଙ୍ଗୁ, ଶୁଙ୍ଘିଲା ପରି ନାକ ଟେକିଲା ବେଳକୁ ଅଦାଲତର ଦାମ ଚମ୍ପତି ଏକ ମହାବିପତ୍ତିରୁ ସମସ୍ତଙ୍କୁ ବଞ୍ଚେଇଦେଲେ । ଅର୍ଥାତ୍‌ ଟୁନା ମହାନ୍ତି ବିଚାରା ରାଜକୁମାର ହଉ ହଉ ହରବରରେ ସମସ୍ତଙ୍କୁ ପକାଉଥିଲେ । ଟ୍ୟୁବ ଉପରୁ ତଳକୁ ଖସିଗଲେ ସିଏ ଗୀତ ଗାଉ ଗାଉ । ସେଥିରେ ପୁଣି ତାଙ୍କୁ ପହଁରା ଆସେନି । ବେଳକେ ସିନା ଦାମ ଚମ୍ପତି ଧରିପକେଇଲେ, ନ ହେଲେ ତ ସବୁ ସରିଥିଲା ! ବାହିନୀପତି ଶେଷକୁ ଭଡ଼ଭଡ଼ିଆ ଢଙ୍ଗ ନ ଦେଖେଇ ଗୋଟାଏ ଗାମୁଛାରେ କଷିକରି ଟୁନାକୁ ଟ୍ୟୁବ ସାଙ୍ଗରେ ବାନ୍ଧି ପକେଇଲା । ବିଶାଶହେ ନଥାମରା ନତପତିଆ ଟ୍ୟୁବ ହେଲେ କଣ ହେଲା ତା ଭିତରେ ଯାହା ଅଳ୍ପ ପବନ ମହଜୁଦ ଥିଲା ସେତକ ଟୁନାର ଫୁସଫୁସ ପବନକୁ ସାହା ହେଲା । ସମସ୍ତଙ୍କର ଆଖି ରଙ୍ଗା ଧରିଲାଣି ।

 

ନାଃ, ଆଉ ଏଥର ନୁହେଁ । ବିଘ୍ନ ପଡ଼ିଗଲା । ଆଉ ହବନି, ଶୀଘ୍ର ଫେରିବା ଦରକାର । ଟୁନା ସିନା ଅଳପକେ ରକ୍ଷା ପାଇଗଲା । ହଉ ହଉ ଯଦି ଆଉ କିଛି ହେଇଯିବ... ! ରମଣୀବାବୁ ଛାନିଆଁ ହେଇ କହି ପକେଇଲେ—

 

“ବୁଝିଲ ବନ୍ଧୁଗଣ, ମୋ ଜାଣତରେ ମୁଁ ମୋ ମାଇପର ଗୋଟିଏ ମାତ୍ର ଘଇତା । ତେଣୁ ମୋତେ ହରେଇଲେ ସିଏ ଅକାଳରେ ରାଣ୍ଡ ହେଇଯିବ । ଅତଏବ ସବୁ ଭଣ୍ଡାମି ଛାଡ଼ି ଶୀଘ୍ର କୂଳକୁ ଉଠ ।”

 

କଥାଟା ବଳି ମହାପାତ୍ରଙ୍କୁ ଟିକିଏ ବାଧିଲା । ଏତେଗୁଡ଼ାଏ ଭାଙ୍ଗ ସମସ୍ତଙ୍କୁ ପିଆଇଦେଇଥିବାରୁ ସିଏ ବାହିନୀପତି ଉପରେ ଝଡ଼େଇ ହେଇପଡ଼ିଲେ । ହେଲେ ସମସ୍ତେ ତ ସ୍ଵେଚ୍ଛାରେ ଖାଇଚନ୍ତି ଅଳ୍ପ ବେଶି ବାହାଦୁରି ଦେଖେଇବାକୁ—କିଏ ଆଉ କାହାଉପରେ ରାଗିବ ? ଯେମିତି ସେମିତି ଦୀପଦଣ୍ଡି ଛୁଇଁ ସିଠା ପାନକୁ ଫୋପାଡ଼ି ମିଠା ମାଣ୍ଡୁଅରୁ ପୁଳାଏ ଲେଖାଏ ପକାଇ ସିଧା କୂଳକୁ ଲେଉଟିଲେ । କୌଣସିପ୍ରକାରେ ଲୋକଆଖିରୁ ଅଡ଼େଇ ହେଇ ଅଧଲଙ୍ଗଳା ଦିହଗୁଡ଼ାକୁ ପୋଛିପାଛି ଯେତେବେଳେ ସମସ୍ତେ ପିତେଈ ସାହୁ ଦୋକାନରେ ପହଞ୍ଚନ୍ତି ସେତେବେଳକୁ ଆଉ କାହାର ହୋସ ନ ଥାଏ । ଲୁଗାପଟା ଲାଗି ହେଇ ଚନ୍ଦନପାଟୀ ଲଗେଇ ମଲ୍ଲୀମାଳ ପକେଇ ପଞ୍ଝାକଯାକ ବାହାରିଆସିଲେ ରାସ୍ତା ଉପରକୁ । ହେଲେ ଟୁନା ବିଚରା ଆଉ ଚାଲି ନ ପାରନ୍ତି । ମୁଣ୍ଡକୁ ଧରି ରାସ୍ତା ଉପରେ ବସିପଡ଼ିଲା ସିଏ । ସମସ୍ତେ ମିଳିମିଶି କେଞ୍ଚାକେଞ୍ଚି କରି ଉଠେଇବାକୁ ଚେଷ୍ଟା କଲେ । ଦେଖଣାହାରୀ ଚାରିଆଡ଼ୁ ଘେରି ଗଲେ । କିନ୍ତୁ ବଳି ମହାପାତ୍ରଙ୍କ ନିର୍ଦ୍ଦେଶରେ ମୂଷା ସେନାପତି ରିକ୍‍ସା ଖଣ୍ଡକରେ ଟୁନା ବାବୁଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ ପଠିଆ ହେଲେ । ଗହଳି ଭାଙ୍ଗିଲା ।

 

ସିଏ ଯିମିତି ଘରକୁ ବାହାରିଲେ ରମଣୀବାବୁଙ୍କ ମନ ବି ସିମିତି ଛନଛନ ହେଲା । ପାସୋରିଲା କଥାଗୁଡ଼ାକ ଗୋଟି ଗୋଟି ହେଇ ମନେ ପଡ଼ିଲା । ଆଜି ସିଏ ଶ୍ରୀମତୀଙ୍କୁ ସିନେମା ଦେଖେଇ ନେବେ ବୋଲି ରାଣ ଖାଇ ଖରାବେଳେ ପଶା ଖେଳିବାକୁ ବାହାରି ଥିଲେ । ସେଦିନ ଏକାଦଶୀ ସାଙ୍ଗକୁ ରବିବାର, ଯୋଗପାଗ ଭଲ ଥିଲା । ଯାହା ଦି’ଟା ସାରିଦେଇ ନାନୀଙ୍କ ପାଖରେ ପିଲାଙ୍କୁ ଜିମା କରେଇ ଦିହିଁଙ୍କର ସିନେମା ଯିବା ଠିକ୍ ହେଇଥିଲା । ପହିଲା ଯିବାର ମାତ୍ର ଦି’ଟା ଦିନ ପରର କଥା ଇଏ । ହାତଘଡ଼ିକୁ ଅନାଇଲାବେଳକୁ ରମଣୀବାବୁଙ୍କ ହାଲୁକ ଶୁଖିଗଲା—ଦଶଟା ବାଜିବାକୁ ଜମା ଦୁଇ ମିନିଟ ବାକି । ସିନେମା ତ ସିନେମା, ସେଠୁ ଶ୍ରୀମତୀଙ୍କୁ ବେଶ କରେଇ ବାହାରିଲାବେଳକୁ ଆଉ ଥିବ କଣ ? ଘରକୁ ଗଲେ କଣ ବୋଲି ସଫେଇ ଦେବେ ସିଏ ଠିକ୍ କରି ନ ପାରି ଅଣ୍ଡାଳିହେଲେ । ଦଣ୍ଡକରେ ଫିକର ଜୁଟିଗଲା । ଟୁନାବାବୁଙ୍କର ଅକର୍ମ କର୍ମର ଦ୍ଵାହିଦେଇ ନିସ୍ତାର ପାଇବାର କଳ୍ପନାଟାଏ କରି ସିଏ ଆଶ୍ଵସ୍ତ ହେଲେ । ଏତେବେଳକୁ ତାଙ୍କର ଆଖି ଫିଟୁ ନ ଥିଲା । ମୁଣ୍ଡ ଭାରୀ ଛାତି ହାଲୁକା ଜଣା ପଡ଼ୁଥିଲା । ପୁରୁଷପଣିଆ ଦେଖେଇ ପୂରା ଗିଲାସେ ହବ ଖାଇଚନ୍ତି । ଅଧଭରିଏ ନ ହେଲେ ମଧ୍ୟ ଛ’ଅଣା ଓଜନର ନିଶ୍ଚୟ ଅଛି ।

 

“କୋନମତେ ଦେଉଳରେ ପହଞ୍ଚି ବଳି ମହାପାତ୍ରଙ୍କ ତଦବିରରୁ ସ୍ନାନ ବେଦୀ ଉପରେ ମହାପ୍ରସାଦ ସାରି ସମସ୍ତେ ଯେଝା ଘରକୁ ବାହାରିପଡ଼ିଲେ । ରମଣୀବାବୁ ପକେଟରେ ହାତ ମାରି ରିକ୍‍ସା ଭଡ଼ାପାଇଁ ପଇସା ଦରାଣ୍ଡିଲେ । ଅଗ୍ରୀମ ଟିକେଟ କରିବାକୁ ଆଣିଥିବା ଟଙ୍କା ପାଞ୍ଚୋଟି ପୂରାପୂରି ସାଫ୍ । ସିଏ ବାହିନୀପତିକୁ ହାତ ପତାଇଲେ । ବାହିନୀପତି ଝଡ଼ାଝଡ଼ି କରି ୟା’ତା ପକେଟରୁ କୋଡ଼ିଏ ପଇସା ଧରେଇଦେଲା ତାଙ୍କୁ । ଆଉ ଯାହା ପକେଟରେ ବଳକା ରେଜିକି ଥିଲା ସେତକ ମିଶେଇ ଖଣ୍ଡେ ପାନ ପାଟିରେ ମଡ଼େଇ ସାଧାପାନ ଆଉ ଖଣ୍ଡିଏ ପକେଟରେ ପୂରେଇ ସିଏ ଘରମୁହାଁ ରିକ୍‍ସା ଧରିଲେ । ମନ ମିଜାଜ ତାଙ୍କର ବେଶ ଥଣ୍ଡା ଥାଏ । ହେଲେ ପ୍ରିୟମ୍ବଦାଙ୍କ ଗରମ କଥା ଭାବିଲାବେଳକୁ ଭାଙ୍ଗନିଶା ମୁଣ୍ଡ ଝାଙ୍କି ଦେଉଥାଏ । ଘର ଦୁଆରେ ପହଞ୍ଚି ସିଏ ଚିତାକୁ ଡାକ ପକେଇଲେ । ଚିତା ତାଙ୍କର ଗେହ୍ଲା ଝିଅ । ଚିତଉ ଉଆଁସର ଉଆଁସୀ କନ୍ୟା ବୋଲି କେତେଲୋକ ତାକୁ ଦେଖିପାରନ୍ତିନି ବୋଲି ରମଣୀବାବୁଙ୍କର ଧାରଣା । ଯେତେ ରାତି ହଉ ପଛକେ ଇଏ ଘରକୁ ନ ଫେରିଲା ଯାଏ ତାକୁ ନିଦ ହେଇ ନ ଥାଏ ।

 

ଅଳପ ଡାକରେ ଦୁଆର ଖୋଲିଗଲା ଧଡ଼ଧାଡ଼ ହେଇ । ମାନିନୀ ମଉନ ହେଇ ଆଡ଼େଇଗଲେ । ତାଙ୍କ ଦୀର୍ଘନିଃଶ୍ଵାସର ଗରମ ପବନ ରମଣୀବାବୁ ଅନୁଭବ କଲେ । ଉଷୁମରେ ଉଷୁମ ମିଶି ଆସିଲା ବେଳକୁ ସିଏ ଛିଞ୍ଚାଡ଼ି ହେଇ ଲେଉଟି ପଡ଼ିଲେ । ରମଣୀବାବୁ ଦୁଆର ବନ୍ଦ କରି ପଛରେ ଗୋଡ଼େଇଗଲେ । ହେଲେ ଆଉ ଧରିପାରୁଚନ୍ତି କୋଉଠି ! ଯାଉ, ଗଲେଣି ତ ଗଲେଣି । ଦିହରୁ ଜାମାପଟା ଉତ୍ତାରି ମଲ୍ଲୀମାଳ ଖଣ୍ଡକ ହାତରେ ଧରି ସିଏ ପ୍ରିୟମ୍ବଦାଙ୍କ ମାନ ଭଞ୍ଜନ କରିବାକୁ ବାହାରିପଡ଼ିଲେ । ମଲ୍ଲୀମାଳଟି ଗଭାରେ ମଣ୍ଡିଦେବେ ତାଙ୍କର । ଆଉ ସିଏ ଟିକିଏ ପଛେଇଗଲେ ବାଲୁରୀ ବାୟାଣୀ ପରି ମୁଣ୍ଡଗୋଟାକ ନଡ଼ବଡ଼ କରୁ କରୁ । ତଥାପି ରମଣୀବାବୁ ଛାଡ଼ୁଚନ୍ତି କେତେକେ ! ସିଏ ମଧ୍ୟ ଆହୁରି ବିକ୍ରମରେ ଆଗେଇଲେ । ୟାଙ୍କ ବିକ୍ରମ ଦେଖି ସିଏ ବା କେତେକେ ସମ୍ଭଳା ପଡ଼ନ୍ତେ ! ମମତାମୟୀ ମା କିମ୍ବା ପ୍ରେମମୟୀ ପତ୍ନୀର ରୂପ ପରିହାର କରି ପୂରାପୂରି ଚମତ୍କାର ଚଣ୍ଡୀ ରୂପରେ ଦେଖାଦେଲେ କଣ, ଖିଙ୍କାରି ଉଠିଲେ—

 

“ଓ ହୋ...ଥାଉ ଥାଉ...ଆମର ଦରକାର ନାଇଁ ।”

 

“ଆରେ ଇମିତି ଗୋଟେ କଣ ହଉଚ ମ ?”

 

“ଉଁ...କହିଲି ପରା ଥରେ !”

 

“କଣ ଆଉ କରନ୍ତି କହିଲ ? ସାଙ୍ଗମାନେ ଭିଡ଼ି ନେଇଗଲେ ।”

 

‘‘କାଇଁ, ସିଆଡ଼େ ରହିଗଲନି ।’’

 

‘‘ତମେ ପରା ଅଛ !”

 

ଏଥର ଆଉ ଯାଆନ୍ତି କୁଆଡ଼େ ସିଏ ! ପ୍ରିୟମ୍ବଦା ପଞ୍ଚମକୁ ଉଠିଗଲେ । ଲକ୍ଷ୍ମୀଠାକୁରଙ୍କ ବଡ଼ ଭଉଣୀଙ୍କ ପରି ଗଳା ଫାଡ଼ି ଚିତ୍କାର କଲେ—

 

“ହୁଁ, ତମେ ପରା ଅଛ ! ଖାଲି କାମପାଇଟି ଅଳିଆ ଅସକରା ଉଠେଇ ତମ ପିଲାଙ୍କ ସେବା କଲାବେଳକୁ ଅଛି—ଆଉ ଅନ୍ୟ ମଉଜ ବେଳକୁ ଅନ୍ୟମାନେ...ନାଇଁ ?”

 

ରମଣୀବାବୁ ବହୁତ ଥର ବୁଝେଇଲେ । ସେମାନେ ସବୁ ହେଲେ ସାଙ୍ଗସାଥୀ—ହସଖୁସି ବେଳେ ଲୋଡ଼ା । ତମେ ପରା ଜୀବନ ସାଥୀ—ଦୁଃଖସୁଖ ସବୁଥିରେ ବନ୍ଧା । ତମେ ଟିକିଏ ବୁଝିଶୁଝି ଏମିତି ଅବୁଝା ହେଲେ ଚଳିବ ? ପ୍ରିୟମ୍ବଦା ସିମିତି ୟାର ଉତ୍ତରରେ ଟାଣୁଆ ଜବାବଟାଏ ଦେଲେ—

 

“ହଁ...ନୁହଁ କଣ ? ମୁଁ ଟିକିଏ ବୁଝିଚି, ନାଇଁ.... ଭଲ କରି ବୁଝିଚି ତମେ କଣ ଚାହଁ ! ମୁଁ ମଲେ ତମେ ଶାନ୍ତି ପାଇବ । ମଉଜ କରିବାକୁ ବେଳ ମିଳିବ ।”

 

ରମଣୀବାବୁ ସବୁ କଥା ସହିପାରନ୍ତି, ହେଲେ ମରିବା କଥାଟା ଜମା ସହିପାରନ୍ତିନି । କିଏ କାହାକୁ ମର ବୋଲି କହିଲେ ଇଏ ମାର ବୋଲି ଉଠିପଡ଼ନ୍ତି । ଏଥର ମଧ୍ୟ ଠିକ୍ ସେଇଆ ହେଲା । ତାଙ୍କର ପୌରୁଷ ତାଙ୍କୁ ଆହୁରି କଠୋର ହେବାକୁ ବୁଦ୍ଧି ଦେଲା । ହାରିଗଲା ନଇଁଗଲା ମୁହଁକୁ ରଙ୍ଗା କରିଦେଲା ସିନା ହେଲେ ସିଏ କାଉଁରିଆ କାଠିଠୁ ଆହୁରି ଟାଣ ହେଇଗଲେ । ମଲ୍ଲୀମାଳକୁ ଖଟଧାରକୁ ଫୋପାଡ଼ିଦେଇ ସିଧା ଖଟ ଉପରେ ଚିତ୍ ହେଇ ଶୋଇପଡ଼ିଲେ । ଏମିତି ବକର ବକର ହେଇ ଯେତେବେଳେ ପାଟି ଘୋଳି ହେଇଯିବ ମନକୁ ମନ ସିଏ ଚୁପ ହେଇଯିବେନି କି ! ସବୁ ମାଇପିଙ୍କର ଲକ୍ଷଣ ଏଇଆ । ନିଜ ଲୋକ ଆଗରେ ପାଞ୍ଚ ଦଶ କଥା ଶୁଣେଇ ଦେବେ ସିନା, ପର ଲୋକଟିଏ ଦେଖିଲେ ହାତେ ଜିଭ ସାଙ୍ଗକୁ ଦି ହାତ ଓଢ଼ଣା ପକେଇ କବାଟ କଣରେ ଆଶ୍ରୟ ନେବେ ! ନାଇଁ ଯଦି ଟିକିଏ ଆଗବୋଲା ଡବଡବୀ ହେଇଥିବେ ତେବେ ଗୋଟାଏ ଗୋଡ଼ କବାଟ ଆଗକୁ ଦେଖେଇ ଏରୁଣ୍ଡିବନ୍ଧ ପଛପଟୁ ଟାଣରେ କଥାଟାମାନ କହିପକାଉଥିବେ । ଆଉ ତ କୋଉଠି ସୁବିଧା ନାହିଁ, ଯାହା ଖାଲି ଘରମଣିଷଙ୍କ ଆଗରେ ଟିକିଏ ପାଟି ଚଳେଇବାର ଅଧିକାର ପାଇଚନ୍ତି ।

 

ପ୍ରକୃତରେ କଥାଟା ବି ସେଇଆ । ମରଦ ଯିମିତି ମାଇପ ଆଗରେ ବାହାଦୁରି ଦେଖାଏ ମାଇପ ବି ସିମିତି ମରଦ ପାଖରେ ରାଗ ଝଡ଼ାଏ । ଏଇ କଥାକୁ ଅନ୍ୟ ସମସ୍ତଙ୍କ ପରି ରମଣୀବାବୁ ମଧ୍ୟ ଭଲ ଭାବରେ ବୁଝିଥିଲେ । ତେଣୁ ସିଏ ‘ସବସେ ଭଲା ଚୁପ’ ନ୍ୟାୟରେ ଚେଇଁ ଶୋଇଲେ । ହେଲେ ପ୍ରିୟମ୍ବଦା କଣ ସହଜ ଜନ୍ତୁ ! ପୋଖତି ବିଲେଇ ପରି ମିଶି ଆସିଲେ ଖଟ ଉପରକୁ ।

 

“ନାଇଁ ତମେ କେମିତିକା ଭଲ ଲୋକ କହିଲ ? ତମ ସାଙ୍ଗ ସାଥୀଙ୍କଠୁ କଣ ମୁଁ ଏତେ ହୀନ ଛି ଛାକର ! କଥା ଦେଇ ଯିଏ କଥା ରଖେନି ତା’ଠୁ ବଳି ଅଲାଜୁକ ଜଗତରେ କେହି ନାହାନ୍ତି-।’’

 

ରମଣୀବାବୁ ଯିମିତି ଜବାବ ନ ଦେଇ କଡ଼ ମୋଡ଼ି ହେଇ ଶୋଇଲେ ପ୍ରିୟମ୍ବଦା ବି ସିମିତି କାମର ବାହାନା ଦେଖେଇ ତାଙ୍କୁ ଉଠେଇଲେ—

 

“ମଲା, ଶେଯ ଝଡ଼ା ହେଇନି ପରା, ଉଠ ।”

 

“ନାଇଁ ଥାଉ ।”

 

‘‘ଥିବ କଣ ମ ? ଉଠିବାକୁ ପରା କହିଲି !”

 

ଉଠିବାକୁ ଇଚ୍ଛା ନ ଥିଲେ ବି ଆଜ୍ଞାକାରୀ ଦାସାନୁଦାସ ପରି ସିଏ ଶେଷକୁ ବାଧ୍ୟ ହେଇ ଉଠିଲେ । ପ୍ରିୟମ୍ବଦା ଫଡ଼୍‍ଫଡ଼୍‍ ପାଛୁଡ଼ାକୁ ଝାଡ଼ି ଧସ୍ ଧାସ୍‍ ତକିଆଟାକୁ ତେରଛାରେ ପକେଇ ଓଡ଼ିଶୀ ନାଚପିଲା ଗୋଇଠିରେ ଘେର ଖାଇଲା ପରି ବୁଲି ପଡ଼ିଲେ । ରମଣୀବାବୁ ମଉକା ଦେଖି ପୁଣି ଥରେ ତାଙ୍କୁ ଭିଡ଼ି ଆଣିବାକୁ ଚେଷ୍ଟା କଲେ । ଛାର ମାଇପିଟାର ଜୋର କେତେ ? ସିଏ ପଡ଼ିଗଲେ ସିନା, ହେଲେ ଛାଟି ପିଟି ହେଇ ଆମ୍ପୁଡ଼ି କାମ୍ପୁଡ଼ି ହୋଇ ଉଠି ଆସିଲେ । ବଳ କଳ ସବୁଥିରେ ସବଳା ବୋଲି ରମଣୀବାବୁ ଯିମିତି ପ୍ରମାଣ ପାଇଗଲେ । ତାଙ୍କ ଭାଙ୍ଗଖିଆ ମନ ପୁଣି ଦବିଗଲା । ଗୋଟାଏ ହୁଁ କାର ମାରି ସଁ ସଁ ହେବାକୁ ଲାଗିଲେ ସିଏ ।

 

ପ୍ରିୟମ୍ବଦା ବି ସିମିତି ଧୋକଡ଼ି ବୁଲା କୁତ୍ତୀ ପରି ପୁଣି ଗାଡ଼ୁରୁ ମାଡ଼ୁରୁ ହେଇ ଲାଗିଗଲେ-। ଟିକଏ ଶାନ୍ତିରେ ଶୋଇବାକୁ ଦେଲେନି ତାଙ୍କୁ । ପଇସା ନିଅଣ୍ଟ ଯୁଦ୍ଧ ବଜାରରେ ମଉଜ ନ କଲେ ହଉଚି କୋଉଠି । ପିଲା ମାଇପ ପଛକେ ଭାସି ଯାଆନ୍ତୁ ଚିନ୍ତା ନାହିଁ । ନିଜେ ଭାଙ୍ଗ ଭୋଜନ ପକେଇ ଭାସି ବୁଲିଲେ ଯଥେଷ୍ଟ । ରମଣୀବାବୁଙ୍କୁ ମଧ୍ୟ କଥାଟା କାଟିଲା । କଥାରେ ବାଜିଲା ପରି ଲାଗିଲା । ସିଏ ସେଠୁ, ଅସ୍ତ୍ର ପ୍ରୟୋଗ କଲେ—

 

‘‘ତୁମେ ବା କୋଉ ଖର୍ଚ୍ଚ କମେଇବା ବ୍ୟବସ୍ଥାରେ ଲାଗିଚ ? ଦିଅଁ ଦେଉଳ ଓପାସବ୍ରତ ନାଁରେ ପୁଞ୍ଜା ପୁଞ୍ଜା ଟଙ୍କା ଉଡ଼େଇ ଦେଲାବେଳକୁ ଆଉ ମନେପଡ଼ୁନି ।”

 

“ମୁଁ ଉଡ଼ଉଚି ନାଁ ତମେ ଉଡ଼ଉଚ ?”

 

“ହଁ ନ ହେଲେ ନିତି ଜୁଆ ଖେଳି ପୋଇଲି ରଖି ଉଡ଼େଇ ଦଉଚି !”

 

“କେଜାଣି, ମନକୁ ପଚାରୁନ ।”

 

“ତମ ବୟସ ବସି ଆସିଲାରୁ ବୋଧେ ସନ୍ଦେହଟା ସିମିତି କଷି ହେଇ ଆସୁଚି ।”

 

“ତମର ସେଥିରେ କଣ ଥାଏ ?”

 

ଏଥର ଗଳାଟା ତାଙ୍କର ଟିକିଏ ଅଭିମାନିଆ ଜଣାଗଲା । ରମଣୀବାବୁ ପୁଣି ଥରେ ବାଗେଇବାକୁ ମଙ୍ଗ ମୋଡ଼ିଲେ । ଆଉ ଗୁଡ଼ାଏ ଟାଣ ଚଣା ଚୋବେଇବା ଭଲ ନୁହେଁ—ନଇଁଗଲେ ଯାଏ ।

 

“ହଉ ଆସ, ପାନ ଖଣ୍ଡେ ଖାଅ । ଶୁଣ, ଆଜିର ମଉଜଟା କେମିତି ହେଲା ।”

 

“ଦରକାର ନାଇଁ । ନିତି ଦେଲାପରି ଲାଗୁଥିବ ।”

 

“ଆରେ ରେ... ଶୁଣ...ଏଇ”

 

ପ୍ରିୟମ୍ବଦା ଆଉ ଶୁଣିବେ କଣ ଚଇତନକୁ ଝାଙ୍କି ନିଦ ଛଡ଼େଇବାକୁ ଲାଗିଲେ । ଚିତାକୁ ଏପଟ ସେପଟ ଓଲଟେଇ ଉଠେଇବାକୁ ବସିଲେ । କାଳେ ପିଲାପିଲି ଉଠି ପଡ଼ିଲେ ୟାଙ୍କର ତୋଡ଼ ସମ୍ଭାଳିବାକୁ ପଡ଼ିବନି ପରା ! କିନ୍ତୁ ରମଣୀବାବୁଙ୍କ ମନକୁ ଏ ସବୁ ବିନ୍ଧିଲା ପରି ଲାଗିଲା । ସିଏ ହାଉ ହାଉ ହେଇ କହି ପକେଇଲେ—

 

“ଆରେ, ପିଲାଗୁଡ଼ାକ ତମର କି ଦୋଷ କଲେ ? ତାଙ୍କୁ କାଇଁକି କଞ୍ଚାନିଦିଆ ଉଠଉଚ-।”

 

“ବାପାଙ୍କର କୀର୍ତ୍ତି ଶୁଣିବାକୁ ।”

 

“ମାନେ ?”

 

“ମାନେ ଏତିକି ଜାଣିପାରୁନ, ପଡ଼ିଶାଘର ଝିଅ ପେଇଁ ନଭେଲ ବହି କିଣା ହେଇ ଆସୁଚି, ଆଉ ମାଇପ ପେଇଁ କନା ଖଣ୍ଡେ ପିନ୍ଧିବାକୁ ଅଣା ହେଇ ପାରୁନି !”

 

ରମଣୀବାବୁ ସତକୁ ସତ ଏଥର ଚିହିଁକି ପଡ଼ିଲେ । କଥା କଥାକେ କେଡ଼େ ବଡ଼ ଅପବାଦ ସିଏ ନ ଦେଲେ ! ଧେତ୍, ମାଇପିଗୁଡ଼ାଙ୍କର କଣ ଏଇ ପ୍ରକୃତି ! ଆଉ ଭାବିବାକୁ ତାଙ୍କର ବେଳ ନ ଥିଲା । ରାଗ ମୂର୍ଦ୍ଧନାକୁ ଉଠି ସାରିଥିଲା ଏତେବେଳକୁ ।

 

“ତମକୁ ପରଘର ଝିଅବୋହୂଙ୍କ ନାଁରେ ଏମିତି କହିବାକୁ ଲାଜ ମାଡ଼ୁନି ?”

 

“ହକ୍ କଥା କହିବାକୁ ଲାଜ କିଆଁ ?”

 

“ହକ୍ କଥା ?”

 

“ହଁ ହଁ, ହକ୍ କଥା । ଅଲବତ୍ ହକ୍ କଥା । ଭାବିଚ ବିଲେଇ ଆଖି ବୁଜି କ୍ଷୀର ପିଇଲେ କେହି ଜାଣି ପାରିବେନି । “ତମ ଗୁଣ ଆଉ ଅଛପା ହେଇ ନାଇଁ ମ, ବଜାରସାରା ଡିବି ଡିବି ହେଇ ବାଜିଲାଣି ।”

 

“ଓଃ ଚୁପକର ଭଲା, ତମର ଧର୍ମ ହବ ।”

 

“ନ ହେଲେ...”

 

“ଦେଖିବ...”

 

“କଣ ଦେଖିବି ଏମିତି କେତେଥର ଦେଖିଲିଣି ।”

 

“ବୁଝିଲ ତମ ମୁହଁ ଦିନକୁ ଦିନ ବେଶ ବଢ଼ି ବଢ଼ି ଯାଉଚି । ଉତ୍ତମ ମଧ୍ୟମର କିଛି ବ୍ୟବସ୍ଥା ହେଲେ ଯାଇ ବାଟକୁ ଆସିବ ।”

 

“ମତେ କଣ ତାରିଆ ମା କରି ପାଇଲ କି ?”

 

“ସିଏ ତ ତମଠୁ ଶହେ ଗୁଣ ଭଲ । ନିଜ ଘର ନିଜେ ଚଳେଇପାରୁଚି । ଆଉ ତମେ...

 

“କହିଲନି, ଅଟକି ଗଲ କାହିଁକି ? ସେ... ଭାଙ୍ଗ ଖାଇ ମାତାଲାମି କରିବାକୁ ଆଉ ଜମା ଜାଗା ପାଇଲନି ପରା ।”

 

ଏତିକି ଯାହା କହିଲେ ତ କହିଲେ ପୁଣି କାମରେ ଚିତାକୁ ଝିଙ୍କି ଆଣିଲେ ଏକହାତିଆ କରି । ସେ ଛାଡ଼ିଲା ରଡ଼ି । ଇଏ ଆଉ ସମ୍ଭାଳି ହେଇ ରହିପାରିଲେନି । ଚିତାକୁ ତାଙ୍କ ପାଖରୁ ନେଇ ଆସିବାକୁ ଉଠି ପଡ଼ିଲେ । କାଳେ ମା ଚଣ୍ଡୀଙ୍କ ହାତରୁ ଚାପୁଡ଼େଅଧେ ତା ଭାଗରେ ପଡ଼ିଯିବ । ହେଲେ ପ୍ରିୟମ୍ବଦା ତାଙ୍କୁ ସେତକ ବି କରେଇ ଦେଲେନି ।

 

“ଯାଆ.....ଯା—ଆ ତମେ ତମର ଶୋଇବ । ପିଲାଙ୍କଠି ତମର କଣ ଅଛି ? ଓ ହୋ...ସତେ ଯିମିତି ୟାଙ୍କ ଅଳି ଅର୍ଦ୍ଦଳି ନ ବୁଝିଲେ ୟାଙ୍କୁ ନିଦ ହୁଏନି ?”

 

ଚିତା ରଡ଼ି ଛାଡ଼ିଚି । ନନା ନନା ବୋଲି ହାତ ବଢ଼େଇ ଡକା ପକେଇଲାଣି । ରମଣୀବାବୁ ଅଥୟ ହେଇ ହାତ ବଢ଼େଇ ତାକୁ ଉଠେଇ ଆଣିଲାବେଳକୁ ଅଥାନବାଉଳା ହେଇ ପ୍ରିୟମ୍ବଦାଙ୍କ ଗାଲରେ ତାଙ୍କ ହାତଟା ଘଷି ହେଇଗଲା । ପ୍ରିୟମ୍ବଦା ସାପ ଲାଙ୍ଗୁଡ଼ରେ ହାତ ବାଜିବା ପରି ଫାଉଁ ହେଇ ଫୁଲେଇ ହେଲେ ।

 

“ହଉ ଥାଉ, ଥାଉ ତମର ଏ ଶୁଖିଲା ସୁଆଗଗୁଡ଼ା ଜୁଲି ପାଖରେ ଦେଖାଇବ ଯେ ତା’ର ହୃଦୟ ଫିଟିପଡ଼ିବ ।”

 

“ହୁଁ…”

 

“ନାଇଁ, ସିଏ ଏଠି ଶୋଇବ । ଏଡ଼େ ପିଲାଟେ ହେଲାଣି, ଶେଜରେ ମୂତି ପକାଉଚି ?”

 

ରମଣୀବାବୁ ଚିତାର କାନ୍ଦ ଦେଖି ସହିପାରୁନାହାନ୍ତି କି ଚିତାକୁ ଆଣିପାରୁନାହାନ୍ତି; ଖାଲି ରାଗିମାଗି ଅସ୍ଥିର ହେଉଚନ୍ତି । ସେଥିରେ ପୁଣି ଏମିତି ଗୁଡ଼ାଏ ଅବାନ୍ତର କଥା ! ସିଏ ଜୋର କରି ପ୍ରିୟମ୍ବଦାଙ୍କୁ ଅଟକେଇଲା, ହାତଟାକୁ ଛାଟିଦେଲେ । ପ୍ରିୟମ୍ବଦା ଧକ୍‍କା ସମ୍ବାଳି ପାରିଲେନି । ତାଙ୍କ ବାଁପଟ ଗାଲଟା ଖଟ ଦାଢ଼ରେ ବାଡ଼େଇ ହେଇଗଲା । ସିଏ ହାଉ ହାଉ ହୋଇ କାନ୍ଦିଲେ, ଆଉ ରମଣୀବାବୁ ନ ଜାଣିଲା ପରି ଚିତାକୁ କାନ୍ଧରେ ପକେଇ ଅଗଣାକୁ ବାହାରି ଆସିଲେ ପବନ ଖାଇବାକୁ । ଘରଭିତରୁ ପ୍ରିୟମ୍ବଦାଙ୍କର ସକଳ ସଁ ସଁ ଖୁଁ ଖୁଁ ବେଶ ସ୍ପଷ୍ଟ ଭାବରେ ତାଙ୍କ ଭାଙ୍ଗଖିଆ କାନକୁ ବେତାଳିଆ ସଙ୍ଗୀତ ପରି ଶୁଣାଯାଉଥାଏ । ଏମିତି ପାଞ୍ଚ ସାତ ମିନିଟ ବୁଲିଲାବେଳକୁ ଚିତା ଶୋଇପଡ଼ିଲା କାନ୍ଧରେ । ସିଏ ତାକୁ ଶୁଆଇବାକୁ ଘରକୁ ଆସିଲେ । ଯାହା ଟିକିଏ ଧକ ବନ୍ଦ ହେଇଆସିଥିଲା, ତାଙ୍କ ଆଗମନରେ ପୁଣି ଚଉଗୁଣ ହେଇ ଗୁଣି ହେଇଗଲା । ରମଣୀବାବୁ ଚିତାକୁ ନିଜ ଖଟ ଉପରେ ଶୁଆଇ ଦେଲାବେଳକୁ ପ୍ରିୟମ୍ବଦା ଶୁଣେଇହେଲେ :

 

“ଦେଖୁଥା, ଚିତାକୁ ତମ ଶେଜରେ ଶୁଆଉଚ, ମନେ ରଖିଥା, ସକାଳକୁ ଜମା ଧୋଇବିନିଟି ।”

 

“ହୁଁ...”

 

“ହୁଁ କଣ—ତମେ ଏଥର ତମ ପିଲାଙ୍କୁ ସମ୍ଭାଳ । ମୋର କେହି ନାହାନ୍ତି ।”

 

“ହଉ, ଆଉ ଗୁଡ଼ାଏ ସଁ ସଁ ହେଇ ସାଇପଡ଼ିଶା ଉଠାଅନି ।”

 

“ଉଠେଇବିନି କଣ ମ ? ଡାକି ହାକି କରି କହିବିନା—ତମେ ମରଦ ପୁଅ ବୋଲି ମତେ ବାଡ଼େଇବ ମାରିବ, ମୁଁ କିଛି କହିବିନି !”

 

“କଣ କହିଲ ! ମୁଁ ତମକୁ ମାଇଲି ?”

 

“ମାରିବାଠୁ ବଳେ—ହେଲା... ମତେ ଟିକିଏ ବିଷ ହେଲେ ଆଣି ଦିଅନ୍ତନି, ସବୁଥିରୁ ନିସ୍ତାର ପାଇଯାଆନ୍ତ ।”

 

ନୀରବ ରହିବା ବୁଦ୍ଧିମାନର କାର୍ଯ୍ୟ । ଏଇ ନୀତିରେ ରମଣୀବାବୁ ଚିତା ପାଖରେ ଶୋଇପଡ଼ିଲେ । ଭାଙ୍ଗ ନିଶା ପତଳା ପଡ଼ିଆସିଲାଣି । ନିଦୁଆ ଭାବ କଟିଗଲାଣି । ତାଙ୍କଠୁ କିଛି ଉତ୍ତର ନ ପାଇ ପୁଣି ପ୍ରିୟମ୍ବଦା ଖୋଳେଇହେଲେ କଣ କାଉ କାଉ ହେଇ ବାଉଳି କରିପକେଇଲେ–

 

“ମରିଗଲି ଲୋ ବୋଉ, ମରିଗଲି... ମୋ ଦାନ୍ତ !”

 

ଚମକିପଡ଼ି ଉଠି ବସିଲେ ରମଣୀରମଣ । ଆଉ ଅଥାନ ଥାନରେ ବାଡ଼େଇ ହେଇଯାଇନି ତ ?

 

“ମତେ ଏମିତି ଦରମରା କରି କି ଦହଗଞ୍ଜ ତମେ ନ କରୁଚ ! କୂଅ ପୋଖରୀକି ନ ହେଲେ ପେଲି ଦଉନ । ଏମିତି ମାରି ମାରି ଜିଅନ୍ତା କଲବଲ କାଇଁକି କରୁଚ ? ମୋ ଦାନ୍ତ ଲୋ ... ଓହୋଓ... ମୋ ଦାନ୍ତ ?”

 

“କଣ ହେଲା ?”

 

“କିଛି ନାଇଁ ।”

 

“କୋଉଠି ବାଡ଼େଇ ହେଇଗଲା ନାଁ ଦାନ୍ତ ପୋକ କାଟୁଚି ? କଣ ହେଲା ?”

 

“ହବ କଣ, ଆଜି ନିଶ୍ଚେ ଦଉଡ଼ି ଦେବି କି ନଇଲେ କୂଅକୁ ଡେଇଁପଡ଼ିବି । ମତେ ତମେ ମାରିବ, ଆଉ ମୁଁ ହୀନିମାନ ଜୀବନ ଧରି ତମ ଗୋଡ଼ତଳେ ପଡ଼ିଥିବି !”

 

“ମତେ କାଇଁକି ମିଛରେ ସେଗୁଡ଼ାକ ଶୁଣଉଚ ?”

 

“ତମେ ଦୀପ ଦେଖେଇବ ବୋଲି ।”

 

“ହଉ ଥାଉ, ଚୁପ ହେଇ ଶୋଇପଡ଼ । ମିଛରେ ଗୋଟେ ହଲ୍ଲା । ଲଗେଇଚ... ଆରେ, କିଛି ନ କହିଲାରୁ ବେଶି ସୁଆଙ୍ଗ ଦେଖେଇ ହଉଚ, ନାଇଁ ?”

 

ପ୍ରକୃତରେ ଏଥର ରମଣୀବାବୁଙ୍କ କଥାଗୁଡ଼ାକ ଆଦେଶ ଦେଲାପରି ହେଇଥିଲା । ଏତିକି କହି ସିଏ ଚୁପ ହେଇ ରହିଗଲେ । କିନ୍ତୁ ପ୍ରିୟମ୍ବଦା ଡକା ପକେଇଲେ :

 

“ହେ ପ୍ରଭୁ, ହେ ଜଗନ୍ନାଥେ, ମୋ ନିଦ ଯିମିତି ଆଜି ଜମା ନ ଭାଙ୍ଗେ । ହଉ ହେଲା, ମୁଁ ଶୋଉଚି—ଏକାବେଳକେ ଶୋଇପଡ଼ୁଚି । ମଲେ ହେଜି ହଉଥିବ ଯେ... ମୋ ପରି ମାଇପଟିଏ ଆଉ ପାଇବ ତମ ଦିହକରେ ।”

 

ପ୍ରିୟମ୍ବଦା ମନା ନ ମାନି ଏମିତି ଗୁଡ଼େ କଥା ଗଡ଼େଇହେଲେ ଆଉ ରମଣୀବାବୁ ଶୋଇ ଶୋଇ ସେଇ ପୂର୍ବପୁରୁଷମାନଙ୍କର କଥା ଭାବିବାକୁ ଲାଗିଲେ, ଯୋଉମାନେ ଲେଖିଥିଲେ–ଛେଳି ଯୁଦ୍ଧ ବା ଋଷି ଶ୍ରାଦ୍ଧରେ କିମିତି ବହୁ ଆଡ଼ମ୍ବର ହୁଏ ଅବା ସକାଳର ଘଡ଼ଘଡ଼ି ପରି ଘଇତାମାଇପ ପ୍ରହସନ ହୁଏ ! ଇଏ ଗୋଟେ ଯିମିତି ତାଙ୍କର ତୁଚ୍ଛା ଧମକ । ମିଛ ବାଘର ଡରାଣ-। ତଥାପି ତାଙ୍କ ମନ କିମିତି ଡହଳ ବିକଳ ହେବାକୁ ଲାଗିଲା । ସତରେ ଯଦି ଅକଳରେ ବାଜି ଯାଇଥିବ ! ତା’ ଛଡ଼ା ଇଏ ଯିମିତି ଏକଗୁଇଁଆ ମଣିଷ—ଗୋଟାଏ ହୋସ୍ ରେ ଯଦି କିଛି କରିପକେଇବ ! ମନକୁ ତାଙ୍କର ପାପ ଛୁଇଁଲା । ଆଖିକୁ ମୋଟେ ନିଦ ଆସିଲାନି । ଛାତିଟା ଖାଲି ପଡ଼ିଲା ଉଠିଲା ଆଉ ତା ସାଙ୍ଗକୁ ତାଙ୍କ ଆଖିପତା ମଧ୍ୟ ତାଳ ପକେଇ ନାଚି ଲାଗିଲା । ରାତିକ କିମିତି ପାହିଗଲେ ଯାଏ—ସକାଳ ହେଲେ ଦେଖା ଅଛି !

 

ସେତେବେଳକୁ ରାତି ତିନିପହର ଗଡ଼ିଗଲାଣି । ଟିକିଏ ଟିକିଏ ଥଣ୍ଡା ପାହାନ୍ତି ପବନ ପକେଇଲାଣି । ଦୁହିଁଙ୍କ ଆଖିରେ ଛାଇନିଦ ଘାରିଆସିଲାଣି । ପ୍ରିୟମ୍ବଦା ସକସକ ହେଉଁ ହେଉଁ ଶୋଇପଡ଼ିଲେ । ରମଣୀବାବୁ ଛକପକ ହେଇ ସିଏ ଶୋଇଲେ କି ନାହିଁ ଉଣ୍ଡିବାକୁ ଲାଗିଲେ, ଆଉ ତାଙ୍କର ଆଲୁରା ବାଲୁରା ଲୁହଭିଜା ମୁହଁକୁ ଅନେଇଁ ଅନେଇଁ ତାଙ୍କ ଭଲ ଗୁଣଗୁଡ଼ାକ ଗୋଟି ଗୋଟି କରି ସୁମରିଲେ । ନିଜକୁ ଦୋଷୀ ପରି ମନେ ହେଲା ତାଙ୍କୁ । ସକାଳ ହେଲେ ସିଏ କ୍ଷମା ମାଗିବେ ଯାହା ତ ମାଗିବେ—ଦେହି ପଦ ପଲ୍ଲବ—ମୁଦାରଂ ନିଶ୍ଚୟ କହିବେ, ଏଇ ସିଦ୍ଧାନ୍ତ ନେଇ ରାତିସାରା ଉଜାଗର ରହିବାକୁ ସଂକଳ୍ପ କଲେ । ପ୍ରକୃତରେ ସିନେମା ଦେଖେଇବା ଟିକିଏ ମନ ଘେନାଇ ଚନ୍ଦନଆଡ଼େ କି ସମୁଦ୍ରଆଡ଼େ ବୁଲେଇ ନେଇଯାଇଥିଲେ କ’ଣ ବା ତାଙ୍କର ଲୋକସାନ ହୋଇଥାଆନ୍ତା !

 

ତା’ପର ଦିନ ସକାଳ । ମେଘଡ଼ମ୍ବରୁ ଡିବି ଡିବି ହେଇ ବାଜିଲାରୁ ରମଣୀବାବୁଙ୍କ ପତଳା ନିଦ ପିଚକିଗଲା । ଗୋଟାଏ ଚମକରେ ସେ ଚାହିଁ ବସିଲେ । ତକିଆତଳୁ ହାତଘଡ଼ିଟାକୁ ବାହାର କଲେ—ଆଠଟା ବାଜିବାକୁ ଅଳ୍ପ ବାକି ଅଛି । ଶୀତ ଦିନର ଧୂଆଁଟିଆ ଆକାଶରେ ଆକାଶ ସାରା ମେଘ ଘୋଟିହେଇ ରହିଛି । ପ୍ରିୟମ୍ବଦା ବାରଣ୍ଡାରେ ବସି ଚଇତନକୁ କ୍ଷୀର ଖୁଆଉଥିଲେ । ପରିବେଶକୁ ଠିକ୍ ଖାପ ଖୁଆଇ ତାଙ୍କ ମୁହଁ ବି ସିମିତି ଭାରୀ ଜଣା ପଡ଼ୁଥିଲା । ଢିମା ଢିମା ଚାରି ଆଖିର ମାପ ସମାନ୍ତରାଳ ହେଇଗଲା । ବେଳକୁ ମଣିବନ୍ଧରେ ନାକଦଣ୍ଡାକୁ ଚହଲେଇ ଦେଇ ସିଏ ମୁହଁ ଫେରାଇନେଲେ । ଏଣେ ରମଣୀବାବୁ ମଧ୍ୟ ବାସି ଦାଢ଼ୀ ଉପରେ ଚାରି ଆଙ୍ଗୁଠି ବୁଲାଇ ଆଣୁ ଆଣୁ ସରୁ ହସଟିଏ ମେଲିଦେଲେ ।

 

ମନେ ହେଲା, ମାନ ସେଯାଏ ମେଲାଣି ନେଇନି । ମନ ଧରିବାକୁ ଚେଷ୍ଟା ନ କରି ସିଏ ନିତ୍ୟକର୍ମ ବଢ଼ାଇବାକୁ ବାହାରିଲେ । କିଲିବିଲି ହେଇ ପିଲାଗୁଡ଼ାକ ଚାରିପଟୁ ଆସି କଲବଲ କଲେ-। ପ୍ରିୟମ୍ବଦା ବଲବଲ କରି ଚାହିଁ ରହିଲେ ଖାଲି, ଯେମିତି କଥା କହି ଆସେନି ତାଙ୍କୁ-। ପିଉସୀ ଠାରଠୁର ବୁଝିଗଲା ପରି ଆଡ଼ଛାଡ଼ ହେଇ କୋଥଳି ଖୋଲି ଆଉ ଘରେ ବସିଯାଇଛନ୍ତି-। କଥା କିମିତି ଆରମ୍ଭ ହେବ, ମନର ବଥା ତୁଟିବ, ସେଇ କଥା ସମସ୍ତେ ଭାଳିହଉଥିଲେ ସିନା, କେହି ଭଳିଗଲେନି କାହାପେଇଁ । ସତେ ଯିମିତି ସମସ୍ତେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିକୁ ଅନୁଶୀଳନ କରୁଚନ୍ତି । ଏମିତି ତିନି ଚକୁଳିଖିଆ ଦମ୍ପତି ପରି ଦୁହେଁ ମୁହଁରେ ଶିକୁଳୀ ପକେଇ ସକାଳ ଓଳିଟାକୁ କୌଣସି ପ୍ରକାରେ କଟେଇ ଦେଲେ । ଯାହିତାହି ରମଣୀବାବୁ ଗଣ୍ଡାଏ ନାକରେ ମୁହଁରେ ଗଳେଇଦେଇ ଅଫିସ୍ ଛୁଟିଲେ । ପ୍ରିୟମ୍ବଦାଙ୍କ ପାଟି ଫିଟି ନ ପାରି କଥାଗୁଡ଼ାକ ପେଟଭିତରେ ପୁଟ ଖାଇଲା ପରି ଆଉଟୁପାଉଟୁ ହେଲା । ଭଲା ମଣିଷ ହେଇଚନ୍ତି ଯେ ଭଲ କରି କଥା ପଦେ କହିଲେନି । ଅଲୋଡ଼ା ବୋଲି ଆଉ ଆଡ଼େଇ ଦଉଚନ୍ତି କି ? ବଳେ ହୀନସ୍ତା ହେଲେ ବୁଝିବ ଯେ-!

 

ଏ ମନ ଚିନ୍ତୁଥାଇ ଯାହା, କାଳେ ପ୍ରାପତର ହୁଏ ତାହା । ଏ ଭାଗବତ ବାଣୀ କଣ ମିଛ ହେଇପାରେ ! କେବେ ନୁହେଁ । ପ୍ରିୟମ୍ବଦାଙ୍କ ଚିନ୍ତା ସାଙ୍ଗରେ ରମଣୀବାବୁଙ୍କ ହୀନସ୍ତା ଯୋଗ ଏକାଥରକେ ଜୁଟିଗଲା । ଜଣେ ସାଧିବାକୁ ରୋଗ ଖୋଜୁଥିଲା । ରସୁଣ କାଖତଳେ ଯାକି ଖରାରେ ବସିଥାନ୍ତା ପରା ! ହେଲେ ଉପରବାଲା ବଡ଼ଲୋକ ସିଏ, ସତକୁ ସତ ରୋଗଟାଏ ଆଣି ପହଞ୍ଚେଇଦେଲା । ବିଗତ ରାତିର ମାଡ଼ ମନେ ପଡ଼ିବାରୁ ତାଙ୍କର ଦାନ୍ତମୂଳ ପୁଣି ଶୂଳେଇ ହେଲା । ପ୍ରିୟମ୍ବଦା ମିଛକୁ ମିଛ ସାଧିବାକୁ ଖୋଜୁ ଖୋଜୁ ସତକୁ ସତ ନିଜେ ରୋଗଜାଳାରେ ସାଧିହେବାକୁ ଲାଗିଲେ ଦେଖାଣିଆ ବାଗ ଖୋଜିଲାବେଳକୁ ସହଣିଆ ଭୋଗ ଲଦି ହେଇଗଲା ।

 

ଏମିତି ହଉ ହଉ ଦି’ ପହରକୁ ପ୍ରିୟମ୍ବଦା ଆଉ ସମ୍ଭାଳି ପାରିଲେନି । ସିଏ ଡକା ପକେଇଲେ । ପିଉସୀ ନାନୀ ତରତର ଅତର୍ଚ୍ଛରେ ଆସି ପହଞ୍ଚିଗଲେ । ପହିଲୁ ପିଲାଗୁଡ଼ାକ କିଛି ବୁଝି ପାରିଲେନି, ହେଲେ ପଛକୁ ଅଳ୍ପ ବହୁତ ବୁଝିଗଲେ ଯେ ବୋଉର ଦେହ ଖରାପ ହେଲାଣି । ଛ’ଦିନରେ ନ’ରୋଗ ବାହାରେ ତାଙ୍କର । ହେଲେ ଇଏ କୋଉପ୍ରକାର ରୋଗ ସେମାନେ କିଛି ଠଉରେଇ ପାରିଲେନି । ପିଲାଙ୍କର ସିନା ଦାନ୍ତ ପୋକ କାଟେ—ଦାନ୍ତ ନ ଘଷିଲେ ବୋଲି ସମସ୍ତେ କହନ୍ତି, କିନ୍ତୁ ତାଙ୍କ ବୋଉ ତ ଖାଣ୍ଟି ତ୍ରିଶୂଳ ମାର୍କା କଡ଼ା ବାସନା ଗୁଡ଼ାଖୁ ଦିନରେ ଚାରିଥର ମାର୍ଜନ କରେ, ତାର ଫେର ଦାନ୍ତଦରଜ ଗାଲଫୁଲା କଣ ? ଜର, ସର ପେଟ ଖରାପ ଏଇଆ ସିନା ରୋଗ, ଦାନ୍ତ ରୋଗଟେ କିମିତି ଏତେ ଆଣ୍ଟରେ କଣ ଇମିତି ଧରିଚି ଯେ ସିଏ ଡକା ପକଉଚି ! ରାଧା ପାରିବାରପଣ ଦେଖେଇ ପଚାରିଲା :

 

“ବୋଉ, କ’ଣ ହେଲା କିଲୋ ?”

 

“ଦେଖୁଚୁ ତ ପଚାରୁଚୁ କ’ଣ ?” କୃଷ୍ଣ ଆକଟିଲା ।

 

“ବଉ, ତଲ କନ ଏଲା ଦାତ...ଚନ ମାଇ ?” ଚିତା ଗେଲେଇ ହେଇ କହିଲା ।

 

ଆଉ ସମ୍ଭାଳା ପଡ଼ନ୍ତି କେତେକେ ସିଏ ! ଲିଆ ଫୁଟିଲା ପରି ଚଡ଼ ଚଡ଼ ହୋଇ ସିଏ ଫୁଟିପଡ଼ିଲେ :

 

“ଆଲୋ ନାଇଁଲୋ ଗେଲି ! ଚନ କାଇ ମାଇ ତୋ’ରି ନନାକୁ ପଚାରିବୁ ଯେ ସିଏ କହିବ କଣ ହେଇଚି । ଓହୋଃ...ଇଏ ପିଲାଏ ମତେ ଆଉ ବସେଇଉଠେଇ ଦେବେନି । ୟାଙ୍କ ପେଇଁ ମଣିଷ ଅଦିନରେ ବୁଢ଼ୀ ଧୋକଡ଼ି ହେଇଗଲା !”

 

ଇଏ ଯୋଉ ପିଉସୀ ଧ’ କହିଲେ କାମୁଡ଼ି ପକେଇବେ । ଆଙ୍ଗୁଠି ଦେଖେଇଲେ ବାହା ଗିଳିଯିବେ । ଜୀରାରୁ ଶିରା କାଢ଼ି କଥା ବାଛିବେ । ସିଏ ଆଉ ସହଜରେ ଛାଡ଼ୁଛନ୍ତି କେତେକେ ! ପୁଅ ହାତରୁ ବୋହୁ ମାଡ଼ ଖାଇବାଟା ଯିମିତି ମଜା ଜିନିଷ, ସିମିତି ମାନ୍ୟ ଶାଶୁସ୍ଥାନୀୟ ଲୋକମାନଙ୍କ ପାଖରେ ବିଜୟର ଖଜା ସନ୍ଦେଶ । ଢୋକି କରି ବାନ୍ତି ନ କଲା ପର୍ଯ୍ୟନ୍ତ ଆଉ ପାଁଜଣଙ୍କ ଆଗରେ ସମ୍ମାନ ଗୁଡ଼ାକ ଅଠା ହେଇ ତଣ୍ଟିରେ ଲାଖିଥାଏ । ପାଣି ପିଇ ସାଷ୍ଟମ କରିବାକୁ କହିଲେ ମଧ୍ୟ ଶୁଣିବେନି; ନିଆଁ ଲଗେଇଲା ପରି ଆଁଟା କରିଥିବେ ।

 

ଅବଶ୍ୟ ଭଲରେ ଆଁ କରି ସାହା ସାହସ ଦେଇ ହାଁ କରିବାଟା ଯେତେ କମ୍, ତାଠୁ ଆଁ କରି ନାଁ ପକେଇବା ସେତେ ବେଶି । ସବୁ ସୋହାଗୀ ମାଗି ଖାଇଲେ ମଧ୍ୟ ତାଙ୍କର ଦିହ ସହିବନି । ଆହୁରି ତଳକୁ ଖସିଲେ ମଧ୍ୟ ଚଳିବ—ଆଉଥରେ ଯୌତୁକ ମିଳିବ ! ପୁରୁଷ ପୁଅ କଣ ଲାଉ ନା କଖାରୁ ଯେ ବୁଢ଼ା ହେଇଯାଉଚି ସେମାନେ ବଞ୍ଚି ଥାଉଥାଉ । କିନ୍ତୁ ସେମାନେ ଯେ ଦିନେ ଏମିତି ନୁହେଁ ତା’ଠୁ ଆହୁରି ବେଶି ଆଡ଼ ଆକଟ ଭିତରେ ବିକଟ ଚିତ୍କାର କରୁଥିଲେ ସେ କଥା ଯିମିତି ଭୁଲିଯାଇଚନ୍ତି !

 

ପିଉସୀ ତୁହାଇ ତୁହାଇ କଥାଗୁଡ଼ାକୁ ଖୋଳେଇହେଲେ । ପ୍ରିୟମ୍ବଦା ତାଙ୍କ ସାକୁଲୁ ବାକୁଲୁ କଥା ଶୁଣି ମେଲେଇ ହେଲେ । ଗେଲେଇ ହେଇ ଧର୍ମର ଦ୍ଵାହି ଦେଇ କାହା ଆଗରେ ନ କହିବାର ରାଣ ଘେନାଇ କାହାରିକି ହୀନିମାନ ନ କରାଇ କଥାଟି ମାନେ ମାନେ କହିଦେଲେ । କାଲି ରାତିରେ ତାଙ୍କର ସିଏ ଜାଣତରେ ମାରି ନାହାନ୍ତି ସିନା, ଅଜାଣତରେ ମାରିବାଠୁ ବଳି ଯାହା କଲେ ତାହାରି ପରାଭବ ଏଇଲେ ତାଙ୍କୁ ଉଠଉଚି ପକଉଚି । ପିତେଈ ପିଉସୀଙ୍କ କାନ କପକପ ଆଖି ଦପଦପ ମନ ଖପଖପ ହବାକୁ ଲାଗିଲା । ପ୍ରିୟମ୍ବଦା ପୁଣି ସଫେଇ ଦେଲେ, ଖଟ ମଙ୍ଗଟା ତାଙ୍କ ବାଁ ଗାଲରେ ଜୋରରେ ବାଜିଗଲା କୋଉ ବାଗରେ କେଜାଣି କିମିତି ସେ କୋଉ ଶିର ଟଣକି ଯାଇଚି କି ଦାନ୍ତମୂଳ ହୁଗୁଳି ଯାଇଚି, ଏଇଲେ ଆଉ ସମ୍ବଳା ପଡ଼ୁନି, ସବୁ ଟକ ଟକ ହେଇ ଟାଣୁଚି ।

ପିଉସୀ ବି ସିମିତି ତାଙ୍କ ମନର ସଲ ସଲ ହେଲା ଭାବନା ଖଲ ଖଲ ହେଇ କହିପକେଇଲେ । ଶଲ୍ୟ ପରି କଥାଟା ନ କହି ଗେଲ ଗେଲ ହେଇ ମନ ଘିନିବାକୁ ଚେଷ୍ଟା କଲେ । ପ୍ରିୟମ୍ବଦା କିଛି ଉତ୍ତର ନ ଦେଇ ସକେଇ ହବାକୁ ଲାଗିଲେ । ଟିକିଏ ଆଦର ପାଇ ସତେ ଯିମିତି ତାଙ୍କର ସେଇ ପିଲାଦିନର ଗେଲବସରିଆ ଦିନଗୁଡ଼ାକ ମନେପଡ଼ିଯାଉଚି ।

“ଗଲା ଗଲା, ମଣିଆଟାର ମତିଭ୍ରଷ୍ଟ ହେଲା । ଛିଃ...ଭିଆ ହେଲା ମାଇପକୁ ଘେନିହବା ପୋଇଲି ପରି ମାଇଲା ! ନାଇଁ, ଆସୁ ଆଜି ସିଏ ଏ କଥାର ଗୋଟେ ଫଇସଲା କରିବାକୁ ପଡ଼ିବ । ବଡ଼ ସାନ କେହି ନାହାନ୍ତି ବୋଲି ଯାହା ମନକୁ ଆସିବ କରିବ ! ଆମେ ସବୁ ମରି ହଜି ଯାଇନୁ ମ’—ଆମ ଆଖିକୁ ଏଗୁଡ଼ାକ ନ ହେଲା ସୁନ୍ଦର ଦେଖାଯିବ, ହେଲେ ଦାଣ୍ଡଲୋକଙ୍କ କଥାକୁ ଉତ୍ତର କାଇଁ ? ଶିମୁଳି ଖୋସା ପରି ଫିଟିପଡ଼ିବ ଯେତେବେଳେ—ସାହି ପଡ଼ିଶା ଦାଣ୍ଡଲୋକ କହିଲେ ସହିପାରିବଟି ? ନାଇଁ ଆଜି ଆସୁ ସିଏ, ଏମିତି ଲୋକହସା କରିବାକୁ କ’ଣ ମତେ ଏଠିକି ଆଣିଚି ସିଏ ! ଦେଖିବା କଣ ବୋଲି ସିଏ ଜବାବ ଦବ ?”

ବୋଧ ଦେବାର ଅବାଧ ସୁଅ ଗଜ ଗଜ ହେଇ ବହି ଚାଲିଲା । କିନ୍ତୁ ସବୁ କଥାର ପିମ୍ପୁଡ଼ିଟାକର ମୂଲ୍ୟ ମଧ୍ୟ ପ୍ରିୟମ୍ବଦା ଖୋଜି ପାଇଲେନି । ଏଇ ଭୀଷଣ ଭାଷଣ ଭିତରେ ତାଙ୍କ ଟଣା କମିବ କଣ ଗୁଣକ ଶହଗୁଣା ହେଇ ବାହାରିଲା । ପାତାଳଗଙ୍ଗାର ସୁଅ ଆଖି ବାଟ ଦେଇ ଝରି ଆସିଲା ତୁହାକୁ ତୁହା । ଏଥର ପିଉସୀ ଅସଲି ନବଗୁଣା ତୈଳ କଥା ମନେ ପକେଇ ତାଙ୍କର ବୟସ କାତର ତାଙ୍କର ସିଏ ଥରେ କିମିତି ଅଜାଣତରେ ଅଜାଗାରେ ବଜେଇ ଦେଇଥିଲେ, ଆଉ ଟିକକେ ତାଙ୍କ ଆଖିରୁ ପଟେ ଉକୁଟି ପଡ଼ିଥାନ୍ତା, ହେଲେ ସେହି ନବଗୁଣାର ପ୍ରଭାବରୁ ଆଖି ପିଛୁଳାକେ କିମିତି ଦରଜ ଉପଶମ ହେଇଗଲା ସେହି ବିଷୟରେ ପୁଣି ଥରେ ଏକ ଲମ୍ବା ଚଉଡ଼ା ଉଷୁମ ମନ୍ତବ୍ୟ ବଖାଣିଲେ ।

ପ୍ରିୟମ୍ବଦା ଆଣ୍ଠୁ ସନ୍ଧିରେ ମୁଣ୍ଡ ପୂରେଇ ଝୁଲୁଥିଲେ । ଚିହିଁକା ମାରୁଥିଲେ । ସକ ସକ ହଉଥିଲେ । ଯୋଗକୁ ସେତେବେଳକୁ ଜୁଲି ଆସି ପହଞ୍ଚିଗଲା । କଥାଟା ତା’ ପାଖରେ ମଧ୍ୟ ଅଜଣା ହେଇ ରହିଲାନି । ସିଏ ଦନ୍ତଶୂଳ କଥା ଭଲଭାବରେ ଆଦ୍ୟପ୍ରାନ୍ତ ସବୁ ବୁଝିପକେଇଲା । ଅଣ୍ଟା ଭିଡ଼ି ଔଷଧର ବ୍ୟବସ୍ଥା କରିବାକୁ ବାହାରିପଡ଼ିଲା । ପିତେଈ ନାନୀ ମଧ୍ୟ ସୁବିଧା ଦେଖି ବାଡ଼ିଆଡ଼କୁ ଗଡ଼ିପଡ଼ିଲେ ପଡ଼ିଶାଘର ପଣ୍ଡିତିଆଣୀଙ୍କ ସହିତ ଟୁଣୁକା ଟୁଣୁକି ପରାମର୍ଶ କରିବାକୁ ।

ଜୁଲି ଆସି ଡେରି ନ କରି ଦେଶୀ କମ୍ପାନୀର ବିଦେଶୀ ନାଁ ଧରା ଖାଣ୍ଟି ଜିନିଷ ଦନ୍ତଶୂଳ ନିବାରଣୀ ଟୁଥ୍ ଡ୍ରପ ତାଙ୍କ ଘରୁ ନେଇଆସିଲା । ସେତେବେଳକୁ ତାରିଆମାଠୁ ଆରମ୍ଭ କରି ପଣ୍ଡିତିଆଣୀଙ୍କ ପର୍ଯ୍ୟନ୍ତ ସବୁ ପିଲାପିଚିକା ସମସ୍ତେ ପ୍ରିୟମ୍ବଦାଙ୍କୁ ଘେରି ରହିଚନ୍ତି । ଔଷଧ ତୁଳାରେ ବୁଡ଼ିଆ ହେଇ ଦାନ୍ତସନ୍ଧିରେ ମଡ଼ିଆ ହେଲା । ଚାରିଆମା ରଡ଼ ନିଆଁ ପୁଳାଏ ଫୁଙ୍କି ଉଷୁମ ହାତରେ ସେକ ଦେବାକୁ ଲାଗିଲା । ପିଉସୀ ମୁଣ୍ଡରେ ହାତ ଦେଇ ଏଡ଼େବଡ଼ କଥାଟା ଦାଣ୍ଡରେ ଫୁଟିଆରା ହେଇଗଲା ବୋଲି ଏରୁଣ୍ଡି ବନ୍ଧ ପାଖରେ ବସିପଡ଼ିଥିଲେ ।

 

କିନ୍ତୁ ସମଝଦାର ଲୋକକୁ ଇସାରାଟିଏ ମଧ୍ୟ ଅଧିକ । ପଛକୁ ପଛ ଇସି ଇସି ହେଇ ସମସ୍ତେ ରମଣୀବାବୁଙ୍କ ଅକର୍ମ କର୍ମର ନିନ୍ଦା କରିବାକୁ ପଛେଇଲେନି । କିନ୍ତୁ ଘଟଣାଟା କାହା ଦୋଷରୁ କିନ୍ତୁ ହେଲା ତା’ ତନଖି କରିବାକୁ ଆଗେଇଲେନି । ଏମିତି ହେଇ ହେଇ ଖରାବେଳ ବିତିଯିବାକୁ ବସିଲା । ତଥାପି ତା’ଙ୍କ ଦାନ୍ତଶୂଳ ସେଇ ଦନ୍ତଶୂଳ ହୋଇ ରହିଲା । ବସିବା ଜାଗାରେ ସିଏ ଧେଇ ଧେଇ ହେଇ ନାଚିଲେ । ଜୁଲି ବିଚାରୀ ୟାଙ୍କ କଷ୍ଟ ଦେଖି ଅସମ୍ଭାଳ ହେଇ ପରିବାର କଲ୍ୟାଣ କେନ୍ଦ୍ରର ଡାକ୍ତରାଣୀ ଗାନ୍ଧାରୀ ଦେବୀଙ୍କୁ ଡାକିବାକୁ ପରାମର୍ଶ ଦେଲା, ସିଏ ତାଙ୍କ ନାରୀମଙ୍ଗଳ ସମିତିର ଉପ-ସଭାନେତ୍ରୀ ବୋଲି । ସିଏ ଭାରି ଭଲଲୋକ, ଟଙ୍କାକର ମାଗଣା ଔଷଧକୁ ଅଧାଦାମରେ ସମସ୍ତଙ୍କ ପାଇଁ କରେଇଦବାର ସୁନାମ ତାଙ୍କର ଅଛି । ସ୍ଥାନ କାଳ ପାତ୍ର ବିବେଚନା କରି ବେଳେ ବେଳେ ଦର୍ଶନୀ ମଧ୍ୟ ନିଅନ୍ତିନି । କଥାଟା ଆଉ କାହା ମନକୁ ପାଉ ନ ପାଉ ପ୍ରିୟମ୍ବଦା ଜୁଲିର ହାତ ଧରିପକେଇ ନିଜ ଗାଲରେ ଘଷୁ ଘଷୁ ଆପଣାର ପରି ଟିକିଏ ଡାକି ଆଣିବାକୁ କାକୁତି ମିନତି କଲେ । ହେଲେ ଦର୍ଶନୀ ଦେଇ ଡାକିବାକୁ ହବ କି ନାଇଁ ତା’ପରେ ଡାକିବାକୁ କୋଉ ଆଗବୋଲା ଯିବ—ଏଇ ନିଷ୍ପତ୍ତି କରି ନ ପାରି ରମଣୀବାବୁ ଓରଫ ମଣି ଭାଇନା ଆସିବା ପର୍ଯ୍ୟନ୍ତ କଥାଟା ରହିଗଲା । ଔଷଧ ମଡ଼ିଆ ହେଇଛି, ସିଏ ବଢ଼ିଆ ହେଇ ଜରି ନ ଗଲେ କୁଢ଼ିଆ ହେଇଥିବା ଦରଜ କଟିବ କେମିତି ! ସବୁ କଥା ପାଇଁ ଗୋଟିଏ ସୀମା ଅଛି–ଧଇର୍ଯ୍ୟ ଅଛି । ଧୀର ପାଣି ସିନା ପଥର କାଟେ । ଏମିତି ଅଛନ ହେଇ ଘଡ଼ିକି ଗୋଟାଏ ବ୍ୟବସ୍ଥା କଲେ କଣ ଲାଭ ହେବ ?

 

ଏମିତି ହେଇ ହେଇ ସମସ୍ତଙ୍କ ଆଖିରୁ ପାଣି ମଲା ଯେତିକି ପ୍ରିୟମ୍ବଦାଙ୍କ ଆଖିରୁ ଝରିଲା ତା’ଠୁ ଆହୁରି ବେଶୀ । ଚାହୁଁ ଚାହୁଁ ଦ୍ୱିପହର ଗଡ଼ି ସଞ୍ଜ ହେବାକୁ ବସିଲା, କିନ୍ତୁ ରମଣୀବାବୁ ଆଉ ଫେରିଲେନି । ପ୍ରିୟମ୍ବଦାଙ୍କ ମନ ଖୁଜୁମୁଜୁ ହେଲା । ସତରେ ସିଏ ଆଉ ରୁଷିଲେ କି ! ତଥାପି ମୁହଁ ଖୋଲି ଲାଜ ଛାଡ଼ି ତାଙ୍କ ଆସିବା ନ ଆସିବା କଥା କାହାକୁ ପଚାରି ପାରିଲେନି । ଆଉମାନେ ମଧ୍ୟ ତାଙ୍କର କଥାଟାକୁ ଦୋହରେଇ ଗୁଣେଇ ହେଲା । ଛିଃ..ଛିଃ..ସିଏ କିମିତି ଅଲାଜୁକ ହୋ..ଘରେ ପିଲାମାଇପ ଅନେଇ ବସିଲା ବେଳକୁ ତାଙ୍କର ଦେଖା ନାହିଁ ! ଇଏ କିମିତିକା ରାଗ ଅଭିମାନ ! ମଣିଷ ହୋଇ ମଣିଷପଣିଆକୁ ଭୁଲିଗଲେ ପରା !

 

ଦାଣ୍ଡ ଦୁଆରେ ଟିଣ୍‍ଟିଣ୍‍ ହେଇ ସାଇକେଲ ଘଣ୍ଟି ବାଜି ଉଠିଲା । ସମସ୍ତେ ଊଦ୍‍ଗ୍ରୀଦ ହେଇ ଅନେଇଲାବେଳକୁ ଗଉଡ଼ ଗୋପାଳ ପୁଅ ସତିଆ ଆସି ଲମ୍ବେ ଲମ୍ବେ ଘରଭିତରେ ପହଞ୍ଚି ଗଲା । ଏତେଦିନକେ ସିଏ ଆଜି ୟାଙ୍କର ଅନ୍ଦରମହଲକୁ ପଶିବାର ପରୱାନା ପାଇଚି । ଇଏ କମ ସୌଭାଗ୍ୟର କଥା ନୁହେଁ ତା ପକ୍ଷରେ । ଟିକିଏ ରଜଘସ ମଜା ମଉଜ କରିବାର ମଉକା ଇଏ । ଆସୁ ଆସୁ ସିଏ କଇଫତ୍ ଦେବାକୁ ଲାଗିଲା :

 

“ରମଣୀବାବୁ ଅଫିସରୁ ଆସିଲାବେଳକୁ”

 

କିନ୍ତୁ ଠୋ’ କରି ହଠାତ୍ କଥାଟାକୁ ଅଧାରେ ବନ୍ଦ କରି ବର୍ତ୍ତମାନର ଗମ୍ଭୀର ପରିବେଶକୁ ସିଏ ଯେମିତି ବୁଝିବାକୁ ଚେଷ୍ଟା କଲା । ଜୁଲି ଦେହରେ ତା’ ନଜର ସେମିତି ଗଳିଗଲା-। ସିଏ ଫୁଲି କାଞ୍ଚିବିଲେଇ ପରି ଆଖି ତରାଟି ଓଲଟ ବାଣ ମାରିଲା :

 

“କିରେ, ତୋ କଥା ପାଇଁ ଅଟକିଗଲା ? ମଣିଭାଇନା କଣ କହିଚନ୍ତି କହୁନୁ !”

 

“ନୂଆବୋଉଙ୍କର କଣ ହେଇଚି ଯେ... ?”

 

ଜୁଲି ମୁହଁ ବୁଲେଇ ଦେବାରୁ ତାରିଆମା କଥାଟାର ଜବାବ ଦେଲା :

 

“ମା’ଙ୍କର ଦାନ୍ତ ବିନ୍ଧୁଚି ଯେ ବାବୁ ଆସିଲେ ଡାକ୍ତର ଡାକିବା କଥା ପଡ଼ିଚି ।”

 

ପରୋପକାର କଲେ ସ୍ଵର୍ଗରେ ଚଢ଼ନ୍ତି ! ବାହାଦୁରି ନେବାର ଅବାଧ ସୁଯୋଗ ପାଇଁ ସତିଆ କଣ ହଟିଯିବା ପିଲା ! ସିଏ ଆଗେଇ ଆସିଲା କାହାକୁ ଡାକିବା ପ୍ରଶ୍ନଟାକୁ ପଚାରି । ଏଥର ପିଉସୀ ଅନୁନୟ କଲେ :

 

“ବାପ ସତୁ, ସେଇ ଯୋଉ କଇଲାଣ କେନ୍ଦରର ଡାକ୍ତରାଣୀ ନୁହେଁ, ତାକୁ ଟିକେ ଡାକିଦିଅନ୍ତୁ ବାପ, ତୋର ଧର୍ମ ହ’ନ୍ତା ।”

 

“ଥାଉ ନ ହେଲେ, ସିଏ ଆସନ୍ତୁ ।”

 

ସତିଆ ପ୍ରିୟମ୍ବଦାଙ୍କ କଥାଟାକୁ ଶୁଣି ନ ଶୁଣିଲା ପରି ଆଡ଼େଇଦେଲା । ଡାକ୍ତରାଣୀଙ୍କୁ ସାଙ୍ଗରେ ନେଇଆସିବାର ସୁଯୋଗଟାକୁ ମଧ୍ୟ ସିଏ ହାତଛଡ଼ା କରିବାକୁ ଚାହିଁ ନ ଥିଲା । ତେଣୁ ତା ଯିବା ସପକ୍ଷରେ ଯୁକ୍ତି ଦେଖାଇ ତା କହିବା କଥାଟାକୁ ଏତେବେଳେକେ କହିଲା :

 

“ମଣିଭାଇନା ବଡ଼ ସାହାବଙ୍କର ହଜିଲା ଜିନିଷ ଖୋଜିବାକୁ ଦୀପ ନେଇ ବାହାରୁଥିଲେ-। ମତେ କହିଲେ ଘରେ କହିଦବାକୁ ଯେ ତାଙ୍କର ଆସିଲା ବେଳକୁ ଡେରି ହବ ।”

 

“କଣ ! ଜିନିଷ ନା ମଣିଷ ? ହଜିଲା ନା ଚୋରୀ ଗଲା ?”

 

ପିଉସୀ ଆଖି ତରାଟି ପଚାରିଲେ । ହେଲେ ସତିଆ ଜୁଲି ପ୍ରିୟମ୍ବଦାର ଛିଗୁଲେଇହେଲା-

 

“କେଜାଣି କଣ ମୁଁ ଆଉ ଅଧିକା ଜାଣିନି; ସିଏ ଯାହା କହିଲେ ମୁଁ ସେଇକଥା କହିଲି । ତେବେ ଜୁଲି କଣ କହୁଚୁ ଯେ...ଡାକିବାକୁ ଯିବି ?”

 

“ମଲା, ନାନୀ ତ କହିଲେ, ତୋ ମନକୁ ଯାହା ଆସିବ କରିବୁ, ମତେ କିଆଁ ପଚାରୁତୁ-?”

 

ସତିଆ ଦିହରେ ଜିମିତି ସେଇ ମଲା ନିଆଁ ଲାଗିଗଲା । ନିଶ୍ଵାସ ବାଟେ ଧୂଆଁ ହେଇ ସବୁ ଅବଶୋଷ ତାର ଶେଷ ହୋଇଗଲା । ଆଉ ଅଧିକ କହିବାଟା ଉଚିତ ମନେ ନ କରି ଡାକ୍ତରାଣୀଙ୍କୁ ଡାକିବାକୁ ଚାଲିଗଲା । ଜୁଲି ସିମିତି କଣ କଣ କହିବ ହେଇ ଚୁପ ରହିଗଲା । ପ୍ରିୟମ୍ବଦା ମଧ୍ୟ ଡାକ୍ତରାଣୀଙ୍କ ଦର୍ଶନୀ କଥା ଭାବି ଶିର୍‍ ଶିରେଇ ଉଠିଲେ ।

 

ଭାଗ୍ୟକୁ କାହାରିକୁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିଲାନି । ଲେଡ଼ି ଡାକ୍ତର ମିସ୍ ଗାନ୍ଧାରୀ ଦେବୀ ମାତୃହୃଦୟ ନେଇ ଉପସ୍ଥିତ ହେଲେ । ସାଙ୍ଗରେ ସେଇ ନକନକି ଅଧବୟସୀ ଝିଅଟା ଆସିଥାଏ ମୁଣ୍ଡରେ ଧଳାକନା ଗୁଡ଼ାଇ ହେଇ । ସତିଆ ମଧ୍ୟ ସେମାନଙ୍କ ସାଙ୍ଗରେ ବୀର ଦର୍ପରେ ପଛପଟେ ଛିଡ଼ା ହୋଇ ଦାନ୍ତ ଦି’ଭାଡ଼ି ଦେଖଉଥାଏ । କଥା କଣ କଣ ହେଇ ସବୁ ସିଏ ଇଏ ସମସ୍ତେ ବୁଝିଲେ । ଶେଷକୁ ଡାକ୍ତରାଣୀ ଦନ୍ତଶୂଳ କଥା ଶୁଣି ଶୁଣି ନିଷ୍ପତି ଦେଲେ ଯେ ତାଙ୍କର ପ୍ରସୂତି ଶୂଳ ଛଡ଼ା ଦନ୍ତଶୂଳ ବିଷୟରେ ଅଭିଜ୍ଞତା ନାହିଁ । ତା’ଛଡ଼ା ବିଦ୍ୟା ଜଣାଥିଲେ ମଧ୍ୟ ଆୟୁଧ ନାହିଁ କି ଔଷଧ ନାହିଁ । ତେବେ ସିଏ ଔଷଧ ଦଉଛନ୍ତି ଆଣି ଲଗେଇଲେ ଭଲ ହେଇଯିବାର ସମ୍ଭାବନା ଅଛି ନ ହେଲେ ବମ୍ବେବାଲା କି କଲିକତାବାଲା ଦନ୍ତବିଶାରଦ ପାଖକୁ ଯାଇ ଦେଖାଇଆସିଲେ ଭଲ ହୁଅନ୍ତା ।

 

ଜୁଲି ଏଥର କଥା ଆରମ୍ଭ କଲା ଅନ୍ୟ ଭାଗରେ ଆପଣାର ହେଇ ।

 

“ବୁଝିଲେ ବଡ଼ ଦିନ, କାଲି ରାତିରେ ଖଟ ମଙ୍ଗଟା ବାଁ ଗାଲରେ ଜୋରରେ ବାଜିଯାଇଥିଲା । ଆଜିକି ଦେଖିଲାବେଳକୁ ଏମିତି କଷ୍ଟ ହେଇ ନୟାନ୍ତ କରୁଚି ।”

 

ଡାକ୍ତରାଣୀ ପଚାରିଲେ ଆଉ ପ୍ରିୟମ୍ବଦା ରହି ରହି ଉତ୍ତର ଦେଉଥିଲେ :

 

“କୋଉ ପଟେ ବାଜିଲା ?”

 

“ବାଁ ପଟେ ।”

 

“ବିନ୍ଧୁଚି କୋଉ ପଟେ ?”

 

“ଦୁଇ ପଟେ ।”

 

“ମାନେ !”

 

“ମାନେ ଡାହାଣ ବାଁ ସବୁ ପଟ ଦରଜ ।”

 

“କୋଉ ପଟ ବେଶି ?

 

“ଡାହାଣ ପଟ ।”

 

“କଣ କହିଲା !”

 

ଡାକ୍ତରାଣୀଙ୍କ ଶେଷ ଚିହିଁକାରେ ସମସ୍ତେ ଏକାଥରକେ ବୋଧ ହୋଇଗଲେ ଯେମିତି । ମାନେ ଇଆଡ଼େ ମାଡ଼ ସିଆଡ଼େ ଦରଜ ! ପଶ୍ଚିମରେ ସିନ୍ଦୁର ଫାଟିବା କଥା ! ଘଟନା ଯାହା ହଉ ପଛକେ ଡାକ୍ତରାଣୀ ଏଥର ପ୍ରକୃତରେ ଉତ୍ସାହ ପାଇଲେ । ଗୋଟାଏ ବଡ଼ ଚାଞ୍ଚଲ୍ୟକର ସମସ୍ୟା । ହୁଏତ ଚିକିତ୍ସା ବିଜ୍ଞାନରେ ଗୋଟାଏ କିଛି ନୂତନ ଆବିଷ୍କାରର ସୁଯୋଗ ମିଳିପାରେ । ନିକିତିରେ ଏପଟେ କମିଲେ ସେପଟ ବଢ଼ିଲା ପରି ଏ ଗାଲ ଆଉ ସେ ଗାଲ ମଧ୍ୟରେ ନିଶ୍ଚୟ କିଛି ସମ୍ବନ୍ଧ ଅଛି । ନାକଟା ସତେ ଯେମିତି ତାର ଓହଳ କଣ୍ଟା ! ଏତେବେଳକେ ଯାଇ ଡାକ୍ତରାଣୀ ପ୍ରିୟମ୍ବଦାଙ୍କ ଗାଲରେ ହାତମାରି ଆଁ କରିବାକୁ ଉପଦେଶ ଦେଲା । ନକନକି ନର୍ସଟି ଟର୍ଚ୍ଚଲାଇଟ ପକେଇଲା । ଡାକ୍ତରାଣୀ ଏପଟ ସେପଟ ତନଖି କରି ଆଖି ତରାଟି ଦାନ୍ତ ନିକୁଟି ଓଠ ଚିମୁଟି ଯାହା ନିର୍ଦ୍ଧାରଣ କଲେ । ସେଥିରୁ ଏତିକି ମାତ୍ର ଫଳ ମିଳିଲା ଯେ ରମଣୀବାବୁ ଅଯଥା ମାଡ଼ମରା ଦୋଷରୁ ଉଦ୍ଧାର ପାଇଗଲେ ।

 

ପ୍ରିୟମ୍ବଦାଙ୍କର ବୟସ ହେଇଚି । ଜ୍ଞାନଦନ୍ତ ଉଠୁଚି । ସେଥିପାୟ ଏତେ କଷ୍ଟ ହଉଚି । ସମସ୍ତେ ଏତିକି ଶୁଣି ଯେତିକି ଉଲୁସିହେଇ ହସିଲେ, ଇଏ ବି ସିମିତ ସେତିକି ଲାଜ ଜଡ଼ସଡ଼ ହେଇ ଲାଗିଗଲେ । ମିଛରେ ମିଣିପିଟାର ନାଁ ପକେଇ ନିଜ ମାଡ଼ ଖାଇବା କଥାଟାକୁ ବାରଲୋକଙ୍କ ଆଗରେ କହି ହୀନିମାନ ହବାର ଯୋଉ ଦୁର୍ଯୋଗ ସଜାଡ଼ିଲେ ସେତକ ପାଇଁ ଦନ୍ତଶୂଳଠୁ ଆହୁରି ବେଶି ମନଶୂଳ ମାଇଲା ତାଙ୍କୁ । ସିଏ ମୁହଁ ପୋତି ବସିପଡ଼ିଲେ । ପାଟିରୁ କଥା ପଇଟିଲାନି ।

 

ଯାହାହଉ, ଜୁଲି କୌଣସିପ୍ରକାରେ କଥାଟାକୁ ନେଲା । ଡାକ୍ତରାଣୀଙ୍କଠୁ ଔଷଧ ତାଲିକା ନେଇ ସତିଆ ବାହାରକୁ ଗଲା । ଡାକ୍ତରାଣୀ ହାତ ଧୁଆଧୁଇ ହେଇ ହାତଭଙ୍ଗା ଉପରେ ବସି ପରିବାରକଲ୍ୟାଣ ବିଷୟରେ ବକ୍ତୃତା ଦେଲେ, ଯାହାର ସାରାଂଶ ହେଲା, ବହୁ ସନ୍ତାନର ଜନନୀ ପ୍ରିୟମ୍ବଦାଙ୍କୁ ଏଥର ‘ଲୁପ୍’ ପ୍ରୟୋଗ କରି ବଂଶ ଲୁପ୍ତ ନ ହେଉଥିବାରୁ ଯାହା ଗୁପ୍ତଧନ ରହିଛି ତାହାର ସୁରକ୍ଷା କରିବାକୁ ହେବ । ନଚେତ୍ ଏ ନତପତିଆ ଶରୀର ଆଉ ବେଶିଦିନ ଡାଳ ମେଲିପାରିବ ନାହିଁ ଫୁଲକଢ଼ ଧରିବା ତ ଦୂରର କଥା । ଆପେ ସିନା ବଞ୍ଚିଲେ ପିଲାଙ୍କ ପାଇଁ ସଞ୍ଚିବ-। ଆଗେ ନିଜ ଦେହର ଯତ୍ନ ନେବା କର୍ତ୍ତବ୍ୟ । ସଞ୍ଚୟ ଏବଂ କର୍ତ୍ତବ୍ୟ ଏଇ ଦୁଇଟି ଶବ୍ଦ ଯେଉଁ ବକ୍ତୃତାରେ ନ ଥିବ ତାହା ଆଜିକାଲି ବଖାଣରେ ଯାଏନି । ସେଥିପାଇଁ ବିଧିବଦ୍ଧ ଯୋଜନା ଗଢ଼ାହେଇଚି, ଆଉ ତା’ର ଉଦେଶ୍ୟ ହେଲା, ଜନକଲ୍ୟାଣ ମାନବଜାତିର ମଙ୍ଗଳକାମନା-

 

ଡାକ୍ତରାଣୀ ଏମିତି ଗୋଳମାଳିଆ କରି କଥାଗୁଡ଼ାକ କହିଲେ ଯାହାର ଅର୍ଥ କେହି ବୁଝିପାରିଲେନି । ତାରିଆ ମା’ ବୁଝିଲା, ଆଜିକାଲି ବାଂଝ ହେବା ଭଲ; କିନ୍ତୁ ତା’ର ରୋଜଗାରିଆ ପୁଅ ଝିଅଙ୍କୁ ଅନାଇଁ ସିଏ ୟାକୁ ପରତ କଲାନି, ଚୁପ୍ ହୋଇ ଖସିଗଲା । ପଣ୍ଡିତିଆଣୀ ମଧ୍ୟ ପଣ୍ଡିତଙ୍କ ମଠା କାଚିବାକୁ ମଠ ହେଇଯାଉଚି ବୋଲି ଉଠ ଉଠ ହେଇ ବିଦାୟ ନ ନେଇ ଚାଲିଗଲେ । ପିତେଈ ନାନୀ ପିତାଖିଆ ମୁହଁ କରି ଉଷୁମାନଟାରେ ରୋଷେଇଘରକୁ ଗଡ଼ି ପଡ଼ିଲେ-। ପିଲାଗୁଡ଼ାକ ମଧ୍ୟ ଭୋକବିକଳରେ ତାଙ୍କ ପଛରେ ଗୋଡ଼େଇଗଲେ । କିନ୍ତୁ ପ୍ରିୟମ୍ବଦାଙ୍କର ଯିବାର ଉପାୟ ନ ଥିଲା । ତାଙ୍କ କଣରେ କଥାଗୁଡ଼ାକ ପିଟି ହେଇ ଲେଉଟି ଆସୁଥିଲା, ପୁଣି ପିଟି ହେଉଥିଲା ସମୁଦ୍ରକୂଳର ଲହଡ଼ି ପରି । ଆଉ ଜଲି ନିର୍ବିକାରଭାବରେ ହସହସ ହୋଇ ସବୁ ଶୁଣିଯାଉଥିଲା, କାରଣ ତା’ର ଜନନୀ ହେବାର ସୌଭାଗ୍ୟ ଘଟିନି, ଆଉ ଯାହାର ଘଟିଚି ବା ଘଟିବ, ସେମାନେ ସବୁ ଘରୁ ଅନେକବେଳୁ ଗଲେଣି ।

 

ଗହଳ ଭାଙ୍ଗିଲାବେଳକୁ ଚହଳ ପକାଇ ଜିପ୍‍ଟିଏ ଆସି ଦାଣ୍ଡଦୁଆରେ ଛିଡ଼ା ହେଲା । ଡାକ୍ତରାଣୀଙ୍କ ସମେତ ସମସ୍ତେ ଉଦ୍‍ଗ୍ରୀବ ହେଇ ଚାହିଁରହିଲେ । ସିଧା ଛିଡ଼ା ହେଇ ନ ପାରି କାନ୍ଥକୁ ଢିରା ଦେଇଥିବା ସେହି ନକନକି ନର୍ସଟି ମଧ୍ୟ ଚମକିପଡ଼ିଲା । ରମଣୀବାବୁ ତରତରରେ ଘରଭିତରକୁ ପଶିଆସିଲେ । ଆଉ ଆଖିରେ ଆଖିଏ ହବ ପ୍ରଶ୍ନ ପୂରାଇ ସିଏ ଚାହିଁରହିଲେ । ଡାକ୍ତରାଣୀ ସରୁ ହସଟିଏ ସାରିଲେ । ନର୍ସଟି ନଡ଼ବଡ଼ ହେଲା । ଜୁଲି ଜୁଳୁ ଜୁଳୁ କରି ଆନେଇଁଲା । ପ୍ରିୟମ୍ବଦା କୁଳୁ କୁଳୁ କରି କହିପକାଇଲା :

 

“ଶୁଣୁଚ, ମୋ ଦାନ୍ତ ଏମିତି ବିନ୍ଧିଲା ଯେ...”

 

“ନମସ୍କାର ।”

 

ଡାକ୍ତରାଣୀଙ୍କ ଉଦ୍ଦେଶ୍ୟରେ ହାତ ଦି’ଟା ରମଣୀବାବୁଙ୍କର ଆପେ ଆପେ ଉଠିଗଲା । ପ୍ରିୟମ୍ବଦାଙ୍କ କଥାର ଉତ୍ତରଟା ଯିମିତି ତାଙ୍କ ଅନୁନୟରେ ପରିଣତ ହେଇଗଲା । ଆଗରୁ ସିଏ ତାଙ୍କୁ ଦେଖିଥିଲେ ସିନା ଚିହ୍ନି ନ ଥିଲେ । ଜୁଲି କଥାକୁ ଘୋଡ଼େଇ ପକାଇଲା :

 

“ବୁଝିଲ ମଣିଭାଇନା, ଭାଉଜ ଆଜି ଯୋଉ କାଣ୍ଡ କଲେ ନା ତମେ ଥିଲେ ଦଣ୍ଡକରେ ପାଗଲା ହେଇ ଦାଣ୍ଡକୁ ଯେଉଁ ପଡ଼ିଥାଆନ୍ତ ।”

 

“ମାନେ ?”

 

“ଆଚ୍ଛା, ତମେ କିମିତି ଭଦ୍ରଲୋକ, କହିଲ ! ସିଏ ତମକୁ ବାହା ହେଇଚନ୍ତି ବୋଲି କ’ଣ ତାଙ୍କ ଉପରେ ଯା ଇଚ୍ଛା ତା ଏମିତି ଅତ୍ୟାଚାର କରିବ ? ତାଙ୍କୁ ମାରିବ ?”

 

ରମଣୀବାବୁଙ୍କ ମୁଣ୍ଡରେ ସତେ ଯିମିତି ଛାତଟା ଛିଡ଼ି ପଡ଼ିଲା । ଡାକ୍ତରାଣୀଙ୍କ ସାଙ୍ଗରେ ଆଖି ମିଳାଇ ନର୍ସଟି ହସୁଥାଏ । ବଡ଼ ଅସୁବିଧାରେ ପଡ଼ିଲେ ସିଏ । ପାଖରେ ହେଲେ ପିଲାଏ ଥାଆନ୍ତେ, ତାଙ୍କୁ ଗେଲ କରିବା ବାହାନାରେ କିଛିଟା ସଫେଇ ଦେଇଥାନ୍ତେ । ବାରି ବାରଣ୍ଡାରେ ସମସ୍ତେ ଗିଳୁଛନ୍ତି ସେତେବେଳକୁ । କ’ଣ କରିବେ, ବୁଦ୍ଧି ବାଟବଣା ହେଇଯାଉଚି । ଆଖିରୁ ଜୁଳୁଜୁଳିଆ ପୋକ ଉଠୁଚି । ‘ବୀରବର ଠେଙ୍ଗା ଧର’ ଏଥର ‘କାଚପିନ୍ଧା ରାମାବର’ ହେଇଗଲେ ପରା ! ହଉ, ଭାଗ୍ୟ ତ ଉଁଚୁକପାଳିଆ କରେଇଚି ! କ’ଣ କରିବେ ?

 

ଯାହାହଉ, ୟାଙ୍କୁ ରକ୍ଷା କରିବାକୁ ଦେବଦୂତ ପରି ସତିଆ ଔଷଧ ନେଇ ପହଞ୍ଚିଗଲା । ରମଣୀବାବୁ ସେତକ ତା’ଠୁ ଆଣି ଡାକ୍ତରାଣୀଙ୍କୁ ବଢ଼େଇଦେଲେ, ଆଉ ସତିଆକୁ ତା’ର କିଣା ପଇସା ପଇଠ କରିଦେଲେ । ହେଲେ ତାର ଯିବାକୁ ଇଚ୍ଛା ନ ଥିଲା । କିନ୍ତୁ ୟାଙ୍କ ବାଧ୍ୟବାଧକତାରେ ସିଏ ଶେଷକୁ ଦୀର୍ଘନିଃଶ୍ଵାସଟାଏ ପକାଇ ଲେଉଟିଲା । ରମଣୀବାବୁ ଆଶ୍ଵସ୍ତ ହେଲେ । କିନ୍ତୁ ଡାକ୍ତରାଣୀ ଜ୍ଞାନ ଦନ୍ତ ଉଠିବା କଥା ଯାହା ଯେତେକ ୟାଙ୍କ ଆଗରେ ନୂଆ କରି ଘୋଷଣା କଲେ ରମଣୀବାବୁ ତାହା ସେତକ ମୋଟେ ବିଶ୍ଵାସ କରି ପାରିଲେନି । କାରଣ ପଛକଥା ସବୁ ତାଙ୍କୁ କିମିତି କିମିତି ଜଣାଗଲା ।

 

“ଆପଣ ଏଥର ଅପରେସନ କରାଇନିଅନ୍ତୁ ।”

 

“ଦନ୍ତଶୂଳ ବନ୍ଦ ହେବାକୁ ଶଲ୍ୟଚିକିତ୍ସା ଦରକାର !”

 

ରମଣୀବାବୁ ଖାଣ୍ଟି ଓଡ଼ିଆ ମିଶା ସଂସ୍କୃତ କହିଲେ, ଆଉ ଡାକ୍ତରାଣୀ ହୋ ହୋ ହସି ଠୋ ଠୋ ଜବାବ ଦେଲେ :

 

“ଆପଣଙ୍କର ମଧ୍ୟ ଏଯାଏ ଜ୍ଞାନଦନ୍ତ ଉଠିନି !”

 

ମଗୁଶିରିଆ କ୍ଷେତରୁ ପଞ୍ଝାଏ ଚଢ଼େଇ ଉଡ଼ିଗଲା ପରି ପୁଳାଏ ହସ ଖିଲ ଖିଲ ହୋଇ ଘରଭିତରେ ବୁଲିଗଲା । ରମଣୀବାବୁଙ୍କ ଫାକାଶି ଉଡ଼ିଗଲା । କୌଣସି ଉତ୍ତର ଦେଇପାରିଲେନି ସିଏ । କଥାଟାର ନିକାଶ ହେଇପାରିଲାନି । ଶେଷକୁ ଦର୍ଶନୀ ପାଇବାର କୌଣସି ସୂଚନା ନ ପାଇ ଡାକ୍ତରାଣୀ ଉଠିବେ କି ନାଇଁ ବିଚାର କରୁ କରୁ ନର୍ସକୁ ଇସାରା ଦେଲେ । ହେଲେ ଜୁଲି କଥାଟା ପକେଇଦେଲା :

 

“ବଡ଼ ଦିଦି ! ଆମର ସେଇ ଯୋଉ ବହିସବୁ ସମିତି ପାଠାଗାର ପାଇଁ ଆସି ନ ଥିଲା, ତାକୁ ସବୁ ମୂଳ ବାବଦକୁ ଆହୁରି ଚାରିଶ କୋଡ଼ିଏ ପଇସା ଆମକୁ ପଇଠ କରିବାକୁ ହବ ।”

 

ଡାକ୍ତରାଣୀଙ୍କ ମନରେ ଛନକା ପଶିଲା । ଆଗରୁ ସିଏ ସେ ବାବଦ ପଇସା ଆଣି ଖର୍ଚ୍ଚ କରିଦେଇଛନ୍ତି । ଖର୍ଚ୍ଚ ହେଲା ଜିନିଷକୁ ପୁଣି ଥରେ ପକେଟରୁ ଦେବା ନିହାତି ବଦଖର୍ଚ୍ଚ ଛଡ଼ା ଆଉ କିଛି ନୁହେଁ ଏ କଥା ଡାକ୍ତରାଣୀ ବେଶ ବୁଝିଥିଲେ । ତେଣୁ ସିଏ କଥାଟାକୁ ବାଗରେ ବଦଳାଇଦେଲେ :

 

“ଓ ହୋଃ...ତା’ ହେଲେ ଏଇ ବାବୁ ସିଏ ! ଯାହାହଉ, ନିଜ ଲୋକ ତ...ତାଙ୍କଠାରୁ ଆମର ଅଧିକ କିଛି ସାହାଯ୍ୟ ସହାନୁଭୂତି ଆଶା କରିବା ଉଚିତ ନୁହେଁ । ହଉ ତେବେ ଆମେ ଆସୁଁ-!”

 

“ଆଚ୍ଛା, ୟାଙ୍କ ଦେହ ଆଉ ବିଶେଷ କିଛି ଖରାପ ହେବନି ତ ?”

 

“ନା ନା, ଖରାପ କଣ...ପୂରାପୂରି ଭଲ ହେଇଯିବ । ଦାନ୍ତ ଉଠିଗଲାବେଳେ ଏମିତି ଟିକିଏ କଷ୍ଟ ହବା ସ୍ଵାଭାବିକ । ତା ଛଡ଼ା ଯେତେବେଳେ ଡାକିବେ ସେତେବେଳେ ଆମେ ଆପଣମାନଙ୍କ ସେବାରେ ହାଜର ଅଛୁଁ । ବିଶେଷତଃ ଯେଉଁଠି ଜୁଲି ପରି ସମାଜ ସେବିକା ସ୍ଵୟଂ ଉପସ୍ଥିତା ସେତେବେଳେ ମୋର ଉପସ୍ଥିତ ଆପଣ ନିଶ୍ଚୟ ପାଇବେ ।”

 

ଡାକ୍ତରାଣୀ ଏରୁଣ୍ଡି ଡେଇଁଲାରୁ ପ୍ରିୟମ୍ବଦା ବାଟେଇଦେବାକୁ କ୍ଷତରୁ ଓହ୍ଲାଇଲେ । ଦୀର୍ଘ ଚାରିଘଣ୍ଟା ଖଟ ଉପରେ ବସି ଆଣ୍ଠୁ ପାଦ ଝିମା ଧରିଯାଇଥିଲା । ହଠାତ୍ ପଡ଼ୁ ପଡ଼ୁ ସମ୍ଭାଳି ହୋଇଗଲେ; ପିଠଉ ପରି ଥପ୍ କରି ବସିପଡ଼ିଲେ । ହେଲେ ତାଙ୍କର ଗୋଟିଏ ଚିହିଁକାରେ ସମସ୍ତେ ପଛକୁ ଚାହିଁଲେ । ରମଣୀବାବୁ ଚମକିଆସି ବାହା ଧରି ଉଠାଇନେଲେ । ଜୁଲି ପାଖକୁ ଆସି କାନ୍ଧରେ ହାତ ପକାଇଦେଲେ । ନର୍ସଟିର ହାତ ଅଧାବାଟରେ ଅଟକିଗଲା । ଡାକ୍ତରାଣୀଙ୍କ ନଜର ପୁଣି ଥରେ ଭିତରମୁହାଁ ହେଲା—ଏରୁଣ୍ଡି ଉପରେ ଗୋଇଠି ଘୁରିଗଲା ।

 

ପ୍ରିୟମ୍ବଦା ଲାଜ ଜରଜର ହେଇ ରମଣୀବାବୁଙ୍କ ଛାତିରେ ଦରଆଉଜା ହେଇ ଗୋଡ଼ ଝିମା ଧରିଯିବା କଥାଟା କହି ନିସ୍ତାର ପାଇବାକୁ ଚେଷ୍ଟା କଲେ । ଡାକ୍ତରାଣୀଙ୍କ ତୀକ୍ଷ୍‍ଣ ଦୃଷ୍ଟି ତାଙ୍କ ଦିହସାରା ବୁଲିଆସିଲା । ଦରମଲା ଲତାରେ କଅଁଳିଆ କଢ଼ି ଫଳ ଧରୁଚି । ଡାକ୍ତରାଣୀ ପୁଣି କଥାର ସୁଅ ମୋଡ଼ିଲେ :

 

“ବୁଝିଲେ ରମଣୀବାବୁ ! ଆପଣଙ୍କ ସ୍ତ୍ରୀଙ୍କର ଅବସ୍ଥା ଯାହା ତାଙ୍କୁ ଅଳ୍ପ କିଛି କ୍ଷୀର ଆଉ ଭିଟାମିନ, ନ ହେଲା ଅତି କମ୍‍ ରେ କିଛି ସାରବାନ୍ ଖାଦ୍ୟ ଦିଅନ୍ତି । ନଚେତ୍ ଆପଣଙ୍କ ଭବିଷ୍ୟତ ସନ୍ତାନର ଅମଙ୍ଗଳ ହେଇପାରେ । ଏପରି ରୁକ୍ଷ କଥା କହୁଚି ବୋଲି କ୍ଷମା କରିବେ । ଆମ ଢଙ୍ଗଟାଇ ସେଇଆ । ସତକୁ ସତ ବୋଲି କହିବା ଆମର ଅଭ୍ୟାସ ।”

 

ଡାକ୍ତରାଣୀଙ୍କ କଥା ଉପରେ ସମସ୍ତଙ୍କର ଖାଲି ଡୋଳା ବୁଲିଲା ସିନା ଗଳା ଫିଟିଲାନି । ତା’ପରେ ଚୁମ୍ବକରେ ସିଏ ତାଙ୍କ କେନ୍ଦ୍ରକୁ ଯିବାର ଉପଦେଶ ଦେଇ ନିମନ୍ତ୍ରଣ ଲଗାମ ଲଗାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇ ଚାଲିଗଲେ । ରମଣୀବାବୁ ତାଙ୍କୁ ବାଟେଇ ଦେବା ପାଇଁ ପଛରେ ଦଉଡ଼ିଗଲେ । ଜୁଲି ବିଚାରୀ ଅସମ୍ଭାଳ ହେଇ ପ୍ରିୟମ୍ବଦାଙ୍କୁ କୁତୁକୁତୁ କରିପକାଇଲା । ଦନ୍ତଶୂଳ କଥା ଭୁଲି ପ୍ରିୟମ୍ବଦା ଉଠୁଥିବା ଚାରି ଦାନ୍ତକୁ ମିଶେଇ ପୂରା ବତିଶି ଦାନ୍ତ ଦେଖେଇ ହସିଉଠିଲେ । ଦରଜ ଯିମିତି ହଜିଗଲାଣି । ଅଗଣାରୁ ପିତେଈ ନାନୀ ପାଣିବାଲଟିକୁ ବିରକ୍ତ ହେଇ ଘୋଷାଡ଼ି ନେଲେ ।

 

ପ୍ରିୟମ୍ବଦାଙ୍କ ମଥାରେ ଚେତା ପଶିଲା । ସିଏ ବାଲ୍‍ଟି ତାଙ୍କର ରାଗିଲା ହାତରୁ ଓଟାରିଆଣୀ ଘରଭିତରେ ପଶିଲେ । ରମଣୀବାବୁ ଲେଉଟିଲେ । ପଛ କଥାକୁ ଚେତେଇ ଦେଇ ଜୁଲି ବିଦାୟ ନେଲା :

 

“ହେଇ, ଏଣିକି ମିଆଁ ବିବି ଆଉ କଳି କରିବନି କି ଦାନ୍ତ ଝଡ଼େଇବନି । ଏଇ ପରା ଜ୍ଞାନଦନ୍ତ ଖସିଲେ ଆଉ ମିଳିବନି !!”

 

ରମଣୀବାବୁ ଦରହସା ହେଇ ତାକୁ ଯିବାକୁ ବାରଣ କଲେ । ପ୍ରିୟମ୍ବଦା ହାତ ଧରି ଅଟକେଇବାକୁ ଚେଷ୍ଟାଚରିତ୍ର କଲେ; କିନ୍ତୁ ରାତି ବେଶି ହେଇଯାଉଥିବାରୁ ସିଏ ଆଉ ରହିଲାନି । ସିଏ ତାଙ୍କ ଘରକୁ ଚାଲିଗଲା ସୁନାଝିଅଟି ପରି । ରମଣୀବାବୁ ପୋଷାକ ବଦଳେଇଲେ ଆଉ ପ୍ରିୟମ୍ବଦା ଘରପୋଛା କନା ବାଲଟିରେ ବୁଡ଼େଇ ନିଜେ ଖଟ କଡ଼ରେ ପକେଇଥିବା ଛେପ, ଖଙ୍କାର, ସିଂଘାଣି ପୋଛିବାକୁ ଲାଗିଲେ । ନିଜେ ତ କର୍ମ କରିଛନ୍ତି ଆଉ କାହାକୁ କହିବେ ? ଘର ଅସକରା କ’ଣ ପର ପୋଛନ୍ତା ! ଏଥର ରମଣୀବାବୁ ଏକୁଟିଆ ପାଇ ଆସ୍ତେ ପଚାରିଲେ :

 

“କିଓ, କ’ଣ ହେଲା ?”

 

“ଯାଃ, ତମେ ଏଡ଼ିକି ଇମିତି !”

 

ବାଃରେ, ମୁଁ କ’ଣ କଲି ?”

 

“ନାଇଁ, ତମ ସାଇବଙ୍କ ହଜିଲା ଜିନିଷ ଖୋଜିବା ତମର ଇମିତି ହେଇଗଲା ଯେ ଘରେ ଏଣେ ପିଲାମାଇପ ହଜିଗଲେ କି ହାରିଗଲେ ଟିକିଏ ଚାହିଁବନି...ହୁଁ... ।”

 

“କଣ କରିବି କହିଲ—ଚାକିରି ପରା କରିଚି !”

 

“ହେଲେ, ତମର କ’ଣ ଏମିତି ଜରୁରୀ କାମ ଥିଲା ଯେ ଘରକୁ ବି ଟିକିଏ ଆସିପାରିଲନି !”

 

“ମୁଁ କଣ ଜାଣି ଜାଣି ଆସିପାରିଲିନି ?”

 

“ଆଉ କଣ କହୁନ ?”

 

“ବୁଝିଲ, ସବୁ କଥା ତମର ଜାଣିବା ବା ବୁଝିବା ଦରକାରୀ ନୁହେଁ ।”

 

“କାଇଁକି, ମୋର କ’ଣ ସେତକ ଅଧିକାର ନାଇଁ ?”

 

ରମଣୀବାବୁ ଏଥର ପ୍ରକୃତରେ ରାଗିଗଲେ । ଇଏ ଗୋଟିଏ ରକ୍ତମାଂସର ମଣିଷ ପ୍ରିୟବଚନା ସ୍ତ୍ରୀ ନା ଗୋଟିଏ ତତଲା ଲୁହାପାତିଆ—ଇସ୍ତ୍ରୀ ! କିଛି ଠଉର କରିପାରିଲେନି । ଆତ୍ମସମ୍ମାନ ଉପରେ ବାଧା ଆସିବ ବୋଲି ଜାଣି ମଧ୍ୟ ଯୋଉ କଥାଟାକୁ ଅନେକ ବେଳ ଧରି ଲୁଚେଇ ରଖିଥିଲେ ଶେଷକୁ ରାଗବାଉଳାରେ କହିପକେଇଲେ । ବଡ଼ ସାହେବଙ୍କ ପେଟ ଡଗ୍, ମାନେ ପ୍ରିୟ କୁକୁରୀ ସୋନି ଓରଫ ସୁନା ହଜିଯାଇଥିଲା, ଆଉ ତାକୁ ଖୋଜିବା ପାଇଁ ରମଣୀବାବୁ ଦିନ ତିନିଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ପୁରୀ ସହରର ସାତ ସାହି, ବୟାଳିଶ ଗଳି, ତେୟାଳିଶ କନ୍ଦି କାନ୍ଦି କାନ୍ଦି ନହେଲେ ବି ମୁହଁ ଶୁଖେଇ ବହୁତ ଧନ୍ଦି ହେବା ପରେ ସ୍ଵର୍ଗଦ୍ଵାରର ବୁଲା କୁକୁର ମେଳରେ ଖେଳୁଥିଲାବେଳେ ଧାରିଆଣିବାକୁ ଯାହା ତାଙ୍କର ଡେରି ହେଇଗଲା । ଏତକ ନ ଶୁଣିଥିଲେ ଭଲା ତାଙ୍କର କ’ଣ ହେଇଯାଆନ୍ତା !

 

ଘୋଡ଼ୀକି ଭିଡ଼ି ଭିଡ଼ି ଘାଟକୁ ନବା, ଆଉ ତାକୁ ପାଣି ପିଆଇବା, ଦୁଇଟା ଅଲଗା ଜିନିଷ । ପ୍ରିୟମ୍ବଦା ବାହାଘରରୁ ଘାଟରେ ଲାଗିଯାଇଥିଲେ, ହେଲେ ପାଣି ପିଇ ନ ଥିଲା କି ଯଦିବା ପିଇଥିଲେ ଆକତାମାକତା ହେଇ ନ ଥିଲେ । ରମଣୀୟବାବୁ ତାଙ୍କୁ ବାଟକୁ ଆଣିବାକୁ ବହୁତ ଚେଷ୍ଟା କରି ମଧ୍ୟ ନିରାଶ ହେଇଥିଲେ, କାରଣ ତାଙ୍କର ଯୋଉ ଅବୁଝା ରୋଗଟା ଥିଲା ସେଇଟା ଜମା ଉପଶମ ହଉ ନ ଥିଲା । ଲୋକହସା ହବାଟା ଯିମିତି ତା’ର କାଟପାଣି ! ସେଇତକ ହେଇଗଲାରୁ ପ୍ରିୟମ୍ବଦା ତାଙ୍କର ବଦଜିନିଷ ଯେତେକି ଢମଣା କାତି ଛାଡ଼ିଲା ପରି ଛଡ଼େଇପକେଇଲା । ସବୁବେଳେ ଆଉ ବଜବଜ ନ ହେଇ ସଜବାଜରେ ମନ ଘେନିବାକୁ ଚେଷ୍ଟା କଲେ । ଏତେଦିନକେ ସିଏ ଗୋଟିଏ ସଜ ଖୋଜି ପାଇଲେ ପୁରୁଷର ମନ ଘେନିବାପାଇଁ ତିରିଲା ଜନମ, ମାନମହତ ନବାପାଇଁ ନୁହେଁ । ଜ୍ଞାନଦନ୍ତ ଉଠିଆସିଚି; ବିଷଦାନ୍ତ ଝଡ଼ିଯାଇଚି !

 

ରମଣୀବାବୁ ମଧ୍ୟ ଏଥର ଖୁସି । ତାଙ୍କର ଦୋଷ ସବୁ ଏକାବେଳକେ ଘୋଡ଼େଇ ହେଇପଡ଼ିଲା । ସିଏ ମାଡ଼ ମାରି ମଧ୍ୟ ପ୍ରଶଂସା ପାଇଲେ । ସହଣିକ ପୁରୁଷ ବୋଲି ସିନା ଓଲେଈ ମାଇପର ଭାରା ସହି ଘର କରୁଚନ୍ତି ! ନ ହେଲେ ଆଉ କେହି ହେଇଥିଲେ ଲୋଟାକମ୍ବଳ ଧରି ନିଶ୍ଚେ ହିମାଳୟକୁ ବାହାରି ଯଆନ୍ତାଣି । ଛି ଛି ଛି, ପୁଞ୍ଜେ ପିଲାର ମା ହେଇ ପାରିବାର ମାଇପିଟାଏ ହେଇ ଶିଖିଲେନି ପ୍ରିୟମ୍ବଦା !

 

ଏଇ କଥାଟି ଘର ଲୋକ ପିଉସୀ ନାନୀ କହିଲେ । ପର ପଡ଼ିଶାଘର ଲୋକ ପଣ୍ଡିତିଆଣୀ ବୋଇଲେ । ଦାଣ୍ଡ ଲୋକ ଡାକ୍ତରାଣୀ ପଳାଇଲେ । ମାନେ, ତାଙ୍କର ଏଇ ଯୋଉ ଚତୁର୍ଥ ଗର୍ଭ, ସେଥିପାଇଁ ସେ ବହୁ ହେଳା କରୁଛନ୍ତି, ଯୋଉଥିପାଇଁ ବିଚରା ଚଇତନକୁ ପିହୁଳା ମାରୁଚି । ଅଇଣ୍ଡା ଧରି ଯାହା ଗଣ୍ଡାଏ ଗିନାଏ ପେଟକୁ ଯାଉଛି ସେତକ ବାହାରିପଡ଼ୁଛି । ତା’ ଦିହରେ ଲାଗୁନି । ଇଏତ ଗଲା ଚଇତନ କଥା । ବାକି ସ୍ଵୟଂ ପ୍ରିୟମ୍ବଦାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବଡ଼ ଖରାପ-। ତେଣୁ ଗାନ୍ଧାରୀ ଦେବୀ ଦୟାପରବଶ ହେଇ ଜୁଲିର ଭାଉଜ ହିସାବରେ ସୁନଜର ପକେଇ ଭିଟାମିନ ଆଉ ଲୁହା ଚୂନ ମିଶା ଧଳା ହଳଦିଆ କେତେକ ଡାକ୍ତରୀ ଔଷଧ ମାଗଣାରେ ପଠାଇ ଦେଲେ । କିନ୍ତୁ ତାଗିଦ୍ କଲେ, ଯେମିତି ହଉ ଚଇତନକୁ ଏଥର କ୍ଷୀର ଛଡ଼େଇବାକୁ ପଡ଼ିବ-। ଯାହାହଉ ଏଥର ଆଉ ଔଷଧ କିଣା ପଡ଼ିଲାନି ।

 

ଆଠମାସର ଉତିଆଣୀ ପିଲାଟି ନ ହେଲେ ବି ଅଯୋଗଣିଆ ପିଲାଟା ସିଏ, ସହଜେ କୋଉ କ୍ଷୀର ଛାଡ଼ୁଚି ! ଚାମୁଚା କି ଶାମୁକା ଦେଖିଲେ ଉଠିଥିବା ଚାରିଦାନ୍ତ ଚିପି ଚିହିଁକା ମାରୁଚି । ଗୋଡ଼ ହାତ ଖାଡ଼ା କରି ଖଡ଼ିକା ପରି ସିଧା ଠିଆ ହେଇଯାଇଚି । କ’ଣ କରିବେ କିଛି ଉପାୟ ନ ଦେଖି ଶେଷକୁ ପିଲାଙ୍କ ଦୁଧପିଆ ବୋତଲ ଆଣିବାକୁ ପ୍ରିୟମ୍ବଦା ବରାଦ କଲେ । ହେଲେ ରମଣୀକମ ବାବୁ ପାରିବାରପଣ ଦେଖେଇ ଯୋଉ ରବରଲଗା ବୋତଲ ଆଣିଲେ ପୁତ୍ର ଗୁଣମଣି ତାକୁ ଖେଳଣା ବୋଲି ଚିହ୍ନିପକେଇଲେ । ଶୋଷିଲେ କି ସୁରୁଡ଼ିଲେ ସିନା କ୍ଷୀର ଖାଆନ୍ତା, ହସିଲେ କେମିତି ହବ ! ପ୍ରିୟମ୍ବଦା ବହୁ ଚେଷ୍ଟା କରି ଚଇତନ ମୁହଁରେ ବୋତଲ ଦେଲେ । ତାକୁ କେମିତି ସଲସଲ ଲାଗିଲା; ସିଏ ଖିଲି ଖିଲି ହେଇ ଖାଲି ହସିଲା । ତାଙ୍କ ଦିନମୁଣ୍ଡରୁ ଲୁଗା ଭିଡ଼ି ଓଟାରି ମଉଜ ଦେଖିଲା ।

 

ଏମିତି ଦିନେଅଧେ ପ୍ରିୟମ୍ବଦା ବହୁ ପରିଶ୍ରମ କରି ମଧ୍ୟ ଟୋପାଏ ବୋତଲ, କ୍ଷୀର ଚଇତନ ତଣ୍ଟିରେ ଗଳେଇ ପାରିଲେନି ସିନା, ହେଲେ ପୁଅର ସତମିଛ ଭଲଭେଲ ଚିହ୍ନରାଗୁଣକୁ ଆଉ ନ ପରଶଂସି ରହିପାରିଲେନି । ଯିଏ ଯାହା କହୁ ପଛକେ ପୁଅ ଆଗ ନା ଦିହ ଆଗ । ଆସିଲାବେଳେ ପୁତା ତ ଗହୀରରେ, କୋଠିସାଇତାକୁ ହେଳା କରିବେ କାହିଁକି ? ଏମିତି ହେଇ ଦିହକ ଗଲାଣି, ଏବେ ହେଲେ ନ ହବ ! ନ ହଉ ।

 

କିନ୍ତୁ ସେଦିନ ରମଣୀବାବୁ ହଠାତ୍ ଏକ ନୂଆ କାମ କରି ବସିଲେ । ପ୍ରିୟମ୍ବଦା ସତର ଥର କହି କହି ଯାହା ହଉ ନ ଥିଲା ହଠାତ୍ ରଜାଘର କଥାରେ ଖଜା ବରଷିଲା ପରି ତାଙ୍କୁ ମିଳିଗଲା । ରମଣୀବାବୁ ପୁଣି ଯେମିତି ସେହି ପାଞ୍ଚବରଷ ତଳର ପରପଞ୍ଚିଆ ହେଇ ଉଭା ହେଲେ-। ଓଠରେ ସିମିତି ହସ । ଆଖିରେ ସିମିତି ଦୁଷ୍ଟାମି । ଦିହରେ ସିମିତି ସରସତା । ସବୁ ଏକାଠି ହେଇ ପୁଣି ଯେମିତି ଫେରିଆସିଚି । ପହିଲି ବାସରର ନାଗରମଣି ପରି ସିଏ ହାତଦୁଇଟା ପଛକୁ କରି ଲୁଚେଇ ଛପେଇ କିଛି ସରାଗିଆ ଧନ ଅଜାଡ଼ିଦେଲା ପରି କନକନ ହଉଥିଲେ-। ପ୍ରିୟମ୍ବଦାଙ୍କ ମନକୁ ମଧ୍ୟ ଏ ସବୁ କିମିତି କିମିତି ଲାଗିଲା ।

 

ସିଏ ଭାବୁଥିଲେ—ପୁଣି ପତିଦେବତା ଏଥର ପ୍ରସନ୍ନ ହେଲେଣି । ସେଦିନ ତାଙ୍କ ମାଡ଼ ମାରିବା କଥା ପଦାରେ ପକେଇ ଯୋଉ ଲୋକହସା କରିଥିଲେ ସେଥିପାଇଁ ଅନେକଦିନ ଧରି ସିଏ ହସିକି ପଦେ କଥା କହି ନ ଥିଲେ । ପଛକୁ ପଛ ଅବଶ୍ୟ ଅଳ୍ପ ବୟସ ସୁଧୁରିଯାଇଥିଲା । ତଥାପି ତା’ର ଛାପ ଯେ ନ ଥିଲା, ସେ ସିଏ ଜମା ବିଶ୍ଵାସ କରି ପାରୁ ନ ଥିଲେ । ତା’ ନ ହେଇଥିଲେ ରାଧାକୃଷ୍ଣଙ୍କୁ ପିଉସୀଙ୍କ ସାଙ୍ଗରେ ସର୍କସ ଦେଖିବାକୁ ପଠେଇଦେଇ ୟାଙ୍କ ଯିବା କଥାକୁ ତୁଣ୍ଡକୁ ଆଣୁ ନ ଥାନ୍ତେ ! ବୋଧେ ସେଇ ସର୍କସ ଯିବାକୁ ଡାକିବେ ବୋଲି ପ୍ରିୟମ୍ବଦା ମନେ ମନେ କୁରୁଳି ଉଠୁଥିଲେ ।

 

ବହୁ ଦିନ ପରେ ପୁରୀକୁ ସର୍କସ ଆସିଚି । ପ୍ରିୟମ୍ବଦା ମଧ୍ୟ ଅନେକ ଦିନ ହେଲା ଦେଖିନାହାନ୍ତି । ତଥାପି ତାଙ୍କର ଇଚ୍ଛା ଥିଲେ ମଧ୍ୟ ପତିଦେବତାଙ୍କ ବିନାନୁମତିରେ ବା ବିନାନୁରୋଧରେ ଆଉ କେବେ କିଛି ନିଜ ଆଡ଼ୁ ନିଜ ପାଇଁ କହିବେନି ବୋଲି ମନେ ମନେ ପ୍ରତିଜ୍ଞା କରିଥିବାରୁ ସିଏ ତୁନି ରହିଥିଲେ । ମନଭିତରେ କିନ୍ତୁ ବାଘଛେଳି ଗଧଭାଲୁଙ୍କୁ ଏକାଠି ଦେଖିବାର ଅଭିଳାଷ ଯଥେଷ୍ଟ ଥିଲା । ଶେଷକୁ ଆଉ ସମ୍ଭାଳି ପାରିଲେନି ପ୍ରିୟମ୍ବଦା; ପଚାରି ହେଲେ :

 

“କିଓ, ଆଜି କଣ ତ ଭାରି ଇଏ ହଉଚ ?”

 

“ତମେ ଜାଣୁ ନ ଥିବ !”

 

“ତମେ ସିନା ଠିକଣା କରିଚ ଯେ ମନ ବୁଝୁଥିବ, ମୋର କେତେ ଦଉଡ଼ ବାକି ବୁଝିବାକୁ-?”

 

“କାଇଁ, ଜୁଲିଠି ତ ଅଟକିଯାଇଥାନ୍ତ, ଆଉ ଆଗେଇବା ଦରକାର ନ ଥିଲା ।”

 

ପ୍ରିୟମ୍ବଦା ଏଥର ଗମ୍ଭୀର ହେଇଗଲେ । ଜୁଲି ସାଙ୍ଗରେ ୟାଙ୍କୁ ଲଗେଇ ଯୋଉ କଥାଟିମାନ କହିଦଉଥିଲେ, ଆଜିଠୁ କେବଳ ଦେଖି ସିଏ ଶୁଝେଇଦଉଛନ୍ତି । ନଇଁପଡ଼ିଥିଲାବେଳେ ଏ ପାଞ୍ଚପଳ ଥୋଇଦବା କଥା ! ଚୁପ ରହିଗଲେ ବଳେ ଉଶ୍ଵାସ । ହେଇଯିବ ଭାବି ସିଏ ଚଇତନକୁ ଟାଣିଓଟାରି ପୁଣି ଦୁଧ ବୋତଲଟାକୁ ତା ତୁଣ୍ଡରେ ମାଡ଼ିବାକୁ ଚେଷ୍ଟା କଲେ ।

 

ରମଣୀବାବୁ ଦେଖିଲେ, ସରାଗିଆ କଥାଗୁଡ଼ାକ ତୁଚ୍ଛା ରାଗିଆ ହେଇଯାଉଚି । ପ୍ରିୟମ୍ବଦାଙ୍କୁ ଏତିକିବେଳେ ବାଗେଇ ନ ନେଲେ ହୁଏତ ପୁଣି ଆଉ କୁଆଡ଼ୁ ହେଇଯିବ । ଏତେ ଫନ୍ଦି ଫିକର ସବୁ ଫୁସଫାସ ହୋଇ ଫିସକିଯିବ, ଏତେଦିନକେ ମାଇପର ମନ ସାଧ ପୂରେଇ ଯୋଉ ଗରବଟା ସିଏ ନେଇଥାନ୍ତେ ସେତକ ମିଳିବନି । ଆଉ କଥା ନ ବଢ଼େଇ ରମଣୀୟବାବୁ ଅଣ୍ଟା ପଛରୁ ତାଙ୍କ ଘଣ୍ଟାପିନ୍ଧା ହାତକୁ ବାହାର କରି ଡାହାଣ ହାତରେ ପୁଡ଼ିଆଟି ଖୋଲି ଟେରେଲିନ୍ ନାମଧେୟ କଞ୍ଚା ତରଭୁଜିଆ ରଙ୍ଗର ଏକରଙ୍ଗୀ ଶାଢ଼ୀଟିକୁ ବାହାର କଲେ । ପ୍ରିୟମ୍ବଦା ମଧ୍ୟ ଡୋଳା ବୁଲେଇ ଟେରେଇ କରି ଚାହିଁଲେ । ଆଖିରେ ଆଖି ମିଶିଆସିଲାବେଳକୁ ରମଣୀବାବୁ ହସ ହସ ହେଇ ପଚାରିଲେ :

 

“କିଓ, କିମିତି ହେଇଚି ?”

 

ପ୍ରିୟମ୍ବଦା ଆଖି ତଳକୁ କରି ଚଇତନକୁ ନଜର ଦେଲେ । ଫରଚା ଓଠ ଏଥର ଜାକିହେଇଆସିଲା । ମନେ ମନେ ସିଏ ଭାବୁଥିଲେ—ଓଃ ଏଇକଥାକୁ ଏତେ ? ଶାଢ଼ିଟାଏ ତ ଏତେଦିନକେ ଆଣିଚନ୍ତି, ସେଇଥିପାଇଁ ଏତେ ସରାଗ ! ନୀରବ ରହି ତାଙ୍କୁ ଗରବ ଦେଖେଇବାଟା ଯିମିତି ଏଇଠି ଏକାନ୍ତ ଆବଶ୍ୟକ । ଟିକିଏ ଛନ ଛନ କନକନ ହେଲେ ସତେ ଯିମିତି ୟାଙ୍କର ଭାଉ ଊଣା ହେଇଯିବ ! ରମଣୀବାବୁ ସିମିତି ଏପଟ ସେପଟ ତରଛରେ ଚାହିଁ ସର୍ପା ପାହୁଲ ପକେଇ ତାଙ୍କ ଥୋଡ଼ିରେ ମଝି ଆଙ୍ଗୁଠିକି ଲଗେଇ ଗେଲେଇ ହେଲେ :

 

“ହେଇ, ଆଜି ଏ ଖଣ୍ଡକ ପିନ୍ଧ, ସର୍କସ ଦେଖିବାକୁ ଯିବା ।”

 

“ଉଁହୁଁ...ଇଏ କଣ ହଉଚି ?”

 

ଲାଗିଆସିଲା ମୁହଁକୁ ଅଲଗା କରି ରମଣୀବାବୁ ଉଠିପଡ଼ିଲେ ଚଇତନକୁ ତାଙ୍କ କୋଳରୁ ଉଠେଇଆଣି । ପ୍ରିୟମ୍ବଦା ବାଁ ହାତକୁ ଗଳାରେ ଘଷୁ ଘଷୁ ଡାହାଣ ହାତରେ କୋଳ ଉପରେ ପଡ଼ିଥିବା ନୂଆ ଶାଢ଼ିଟାକୁ ଓଲଟେଇ ପାଲଟେଇ ଦେଖିବାକୁ ଲାଗିଲେ । ତାଙ୍କର ମନ ବୋଧ ହେଇଆସୁଥିଲା । ସବୁଜ ରଙ୍ଗର ଶାଢ଼ିଟି ତାଙ୍କ ମନରେ ଯିମିତି ସବୁଜିମା ଲିପିଦେଇଚି । ହଜିଗଲା ଯୌବନ ସତେ ଫେରିଆସିବ ପରା !

 

ଘରେ ପିଲାଏ ନାହାନ୍ତି, ଜୁଲି ସାଙ୍ଗରେ ବୁଲିଯାଇଚନ୍ତି । ପିତେଈ ପିଉସୀ ମଧ୍ୟ ଦେଉଳରେ ମୁଣ୍ଡିଆ ମାରୁଥିବେ । ଏତିକିବେଳେ ସୁବିଧା ସୁଯୋଗ ସବୁ ଘଟିବ । ରମଣୀବାବୁ ତାଙ୍କ ହାତ ଧରି ବସିଲାଠୁ ଉଠେଇ ପକେଇଲେ । ଟାଣି ଓଟାରି ଟେରେଲିନ୍ ଖଣ୍ଡକ ତାଙ୍କୁ ପିନ୍ଧିବାକୁ କହିଲେ କଣ ସତକୁ ସତ ପିନ୍ଧେଇବାକୁ ଲାଗିଲେ କହିଲେ ଚଳେ । ପ୍ରିୟମ୍ବଦା ବି ଲାଜ ଜରଜର ହେଲା ପାତଳା ଶାଢ଼ିଖଣ୍ଡକୁ ଦିହରେ ପକେଇଦେଲେ । ପାତଳା ଶାଢ଼ିତଳୁ ପଡ଼ିଗଲା ଯୌବନଶ୍ରୀ ଲୁଚିପାରିଲାନି । ସିଆଡ଼େ ରମଣୀବାବୁ ଚଇତନକୁ ମୁଣ୍ଡ ଉପରେ ଥୋଇ ଘେରାଟାଏ ଘୂରିଗଲେ । ସିଏ ମଧ୍ୟ ହସୁ ହସୁ ନିଜ ଦେହର ଘୋଡ଼େଇହେଲା ଦିହକୁ ଦି’ପହରିଆ ଖରାରେ ଗାଁ ଗାଡ଼ିଆର ଅଣ୍ଟାବୁଡ଼ା ପାଣିରେ ପଶି ଦେଖିଲା ପରି ନିରେଖୁଥିଲେ ।

 

ଏହି ସମୟରେ ହଠାତ୍ ଜୁଲି ପିଲାଙ୍କୁ ନେଇ ଘରଭିତରକୁ ପଶିଆସୁଥିବାର ଶବଦ ଶୁଭିଲା । ପ୍ରିୟମ୍ବଦା ଫିଟିପଡ଼ିଲା ଲୁଗାକୁ ସଜାଡ଼ିପକାଇ ଟେରେଲିନ୍ ଶାଢ଼ିଖଣ୍ଡକ ଚଉତିବାକୁ ଲାଗିଲେ । ରମଣୀବାବୁ ଚଇତନକୁ କାଖେଇ ଅଗଣାକୁ ଗଡ଼ିଲେ । ଜୁଲି କାଳେ କଣ ଆଉ କିଛି ଭାବିବ କି ? ଖସିଆସିଲା ବୟସର ମନ ସରାଗ କରିବାକୁ ଚାହିଁଲା ବେଳକୁ ବିବେକ ଲୋକହସା ହବାର ଭୟ ଦେଖାଇ ପଛକୁ ଟାଣିଧରୁଚି ଯିମିତି । ସକାଳର ତନଛନିଆ ବଉଳାଖରାର ରଙ୍ଗ ଆଉ ସଞ୍ଜର ନତପତିଆ ମଉଳା ଖରାର ଭଙ୍ଗ ସବୁ ଏକାପ୍ରକାର । ରଙ୍ଗ ଗୋଟିଏ, ହେଲେ ଢଙ୍ଗ ଦୁଇଟି । ଖାଲି ଦୁଃଖ, ଅଭାବ, ଭୟ ଆଉ ଭ୍ରାନ୍ତି ଭୁଲି ଅବଶୋଷ ଭିତରେ ବୁଡ଼ି ନ ଗଲେ ହେଲା !

 

ନୂଆ ଜିନିଷକୁ ହାତ ପାଖରେ ପାଇଲେ ଟିକି ଚଢ଼େଇ ପରି ସମସ୍ତେ ଫୁର ଫୁର ହୁଅନ୍ତି-। ଅଗଡାଳରେ କଅଁଳିଆ ପତରକୁ ସିଏ ଖୁମ୍ପିପକେଇଲା ପରି ଜୁଲି ସମେତ ପଞ୍ଜାବ ପିଲା ନୂଆ ଶାଢ଼ିଟାକୁ ଦେଖିବା ବାହାନାରେ ଝାମ୍ପିଆଣିଲେ । ରମଣୀବାବୁଙ୍କ ଦିହ ଯିମିତି ରାମ୍ପିହେଇଯାଉଚି-। କାମ୍ପି ଲୋକର ବାମ୍ଫୀଭିତରୁ ଲୋଟାଏ ପାଣି ଉପର ସର କିଏ ଅବା ଛାଣିନେଇଗଲା-! ମାଙ୍କଡ଼ ହାତର ଶାଳଗ୍ରାମ ପରି ଶାଢ଼ିଟି ପିଲାଙ୍କ ହାତରେ ହରବର ହେଲା । ପ୍ରିୟମ୍ବଦା ଆଗ୍ରହ ସିନା ଦେଖାଉ ନ ଥିଲେ, କିନ୍ତୁ କାଳେ ଶାଢ଼ିର କଷଣକୁ ସମ୍ଭାଳି ପାରିଲେନି; କହିପକେଇଲେ :

 

“ଓହୋଃ...ଦେଖୁଚ ତ ସବୁ, ଏମିତ କେତେରା ମେତେରା କରି ଭିଡ଼ିପକଉଚ କାଇଁକି-?”

 

ଜୁଲି ଦିହକୁ କଥାଟାକୁ ନେଲା ପରି ହେଲାନି ସିନା, କିନ୍ତୁ ଖୁଣ ବାଛି କଥାଟାକୁ ପାଛୁଡ଼ି ଫୋପାଡ଼ିଦେଲା :

 

“ଇଏ ଗୋଟେ କି ଶାଢ଼ି ମ... ?”

 

ଏଇ ପଦକରେ ରମଣୀବାବୁଙ୍କ ଆଖି ବୁଜିହେଇଗଲା, ଆଉ ପ୍ରିୟମ୍ବଦାଙ୍କ ଆଖି ଖୋଜିହେଲା ପରି ଢିମା ହେଇ ଆଗକୁ ଅଙ୍ଗୁଳେ ହବ ବାହାରିପଡ଼ିଲା । ପିଲାଗୁଡ଼ାକ ଚୁପ ହେଇଗଲେ । ହେଲେ ତା’ପରେ ଯେତେବେଳେ ରମଣୀବାବୁ ଆଖି ଖୋଲନ୍ତି ଠିକ୍ ସେତିକିବେଳକୁ ତାଙ୍କ ପାଟି ମଧ୍ୟ ମେଲେଇ ହେଇଯାଇଥିଲା । ସିଏ ତାଙ୍କ କିଣା ଶାଢ଼ିର ପ୍ରଶଂସା କରିବାକୁ ଜିଭ ଚଳେଇଲେ । ସତେ ନିଜ ଭେଣ୍ଡି ଯିମିତି ସୁନା !

 

କିନ୍ତୁ ଜୁଲି ତ ଆଉ ସେଦିନର ଅଜାଣି ଝିଅଟିଏ ନୁହେଁ, ପିଠଉକୁ କ୍ଷୀର ବୋଲି ଭଣ୍ଡିଦେଲେ ତୁନି ପଡ଼ିବ ! ସିଏ ଗୁମରତକ ଖୋଲିଦେଲା । ତାର ଏମିତି ପୁଞ୍ଜେ କି ପାଞ୍ଚଟା, ତା’ ବୋଉର ଗଣ୍ଡେ କି ଦି’ଗଣ୍ଡ ଶାଢ଼ି ତାଙ୍କ ଘରେ ଧୂଆଁ ଦିଆହଉଚି, ଆଉ ଏଇ ଯୋଉଟା, ସେଇଟା କୁଆଡ଼େ ତାଙ୍କ ଶାଢ଼ିପରି ସରସା ନୁହେଁ, ନିରସା । ରମଣୀବାବୁ ମଧ୍ୟ ମହା ହୁସିଆର, ଗାଲୁଭୁରୁଡ଼ିକୁ ପାରିବାର ପାଟିଟାଏ କରି ବୟସର ଜୋରରେ ଅକାଳ ମିଶେଇ ତାକୁ ଦବେଇ ଦେବାକୁ ଚେଷ୍ଟା କଲେ । ଶାଢ଼ିର ଲେବୁଲକୁ ଦେଖାଇ ଶତକୁ ଶହେକୁ ଶହେ ଖାଣ୍ଟି ଟେରେଲିନ୍ ବୋଲି ପ୍ରମାଣ କରେଇଦେଲେ ।

 

ଏଇଟା ଜୁଲିର ଜାଣିବାରପଣ ଉପରେ ଯିମିତି ଗୋଟାଏ ପାହାର । ସିଏ ବି ସିମିତି ଟେକାଟାକର ଜବାବ ପଥରରେ ଦେବାକୁ ତିଆରି ହେଇଗଲା । ସାଙ୍ଗେ ସାଙ୍ଗେ ଆଲମାରୀ ଉପରୁ ସିଏ ମହଣବତୀ ଆଉ ଡିଆସିଲି ବାହାର କଲା । ବତୀ ଲଗେଇ ଟେବୁଲ ଧାରରେ ଥାପିଦେଲା । ତା ପରେ ନିଜ ଚୁଟିବନ୍ଧା ରିବନରୁ ଖଣ୍ଡିଏ ସୂତା ବାହାର କରି ସେଇଟା ଖାଣ୍ଟି ଟେରେଲିନ୍ ବୋଲି ଦାବୀକରି ମହଣବତୀ ଶିଖାରେ ଦେଖାଦେଲା । ସୂତା ଖଣ୍ଡିକ ସାପ କରି ଗୁଡ଼େଇ ହେଇ କଳାବିଣ୍ଡି ଧରିଗଲା । ତା ପରେ ପଡ଼ିଲା ନୂଆ ଶାଢ଼ିର ପାଳି । ତା’ରି ଦେହରୁ ଖଣ୍ଡେ ଦସି ଛିଡ଼ାଇ ତାକୁ ସିଏ ପୋଡ଼ିଲା । ସେଇଟା ଫୁରୁଫୁରୁ ହେଇ ଜଳିଗଲା । କିମିତି ଅଳ୍ପ ଫୁରୁକୁଟିଆ କନାପୋଡ଼ା ଗନ୍ଧ ମଧ୍ୟ ବାହାରିଲା । ଏଣେ ରମଣୀବାବୁଙ୍କ ମନ ମଧ୍ୟ ତାରି ସଙ୍ଗେ ପୋଡ଼ିଯିବାକୁ ଲାଗିଲା । ପ୍ରିୟମ୍ବଦାଙ୍କ ସମେତ ସବୁ ପିଲାମାନେ ରୁଣ୍ଡ ହେଇ ହଟ୍‍ଚମଟ ଦେଖିଲା ପରି ସବୁ ଆଖିବାଟେ ପିଇଯାଉଥିଲେ-

 

ଶେଷକୁ ନିଷ୍ପତ୍ତି ହେଲା, ଶାଢ଼ିଟି ଖଣ୍ଟି ଟେରେଲିନ୍ ନୁହେଁ ସୂତା ମିଶା ନକଲି ଡେକ୍‍ରନ ପରି ଆଉ କିଛି ଜିନିଷ । ତାଙ୍କୁ ଠକିଦିଆହେଇଛି । ଖାଣ୍ଟି ଟେରେଲିନ୍ ହେଇଥିଲେ ଅଠା ଧରି ଥାଆନ୍ତା । ସେତକ ହେଲାନି । ତେଣୁ ପ୍ରିୟମ୍ବଦା ଦାନ୍ତ କାଟିଲେ । ଜୁଲି ଦାନ୍ତ ଦେଖାଇଲା । ରମଣୀବାବୁ ଦାନ୍ତ ଲୁଚାଇଲେ । ପିଲାଏ ରଙ୍ଗ ରଙ୍ଗ ହେଲେ ମହଣବତୀ ପାଖରେ କାଗଜ ପୋଡ଼ିବାକୁ ।

 

ରମଣୀବାବୁ ଏଥର କଥାଟାକୁ ବାଗେଇନେବାକୁ ସୁଯୋଗ ପାଇଲେ । ପିଲାଙ୍କୁ ଆକଟିବା ବାହାନାରେ ବତୀ ଲିଭେଇ ପୋଡ଼ା କାଗଜ ଫୋପାଡ଼ିବାକୁ ଅଗଣାକୁ ଖସି ଆସି ନିସ୍ତାର ପାଇଲେ । ପହଲି ମଗୁଶିରର କାଲୁଆ ପବନ ବାଜି ତାଙ୍କର ଅଦିନ ବରଷା ପରି ଝରି ଆସୁଥିବା ଝାଳବୁନ୍ଦା ସବୁ ଶୁଖିଆସିଲା । ଏଣେ ଜୁଲି ନିଜର ପରୀକ୍ଷାର ସଫଳତା ପରେ ଆଉ ସେଠାରେ ନ ରହି ହସି ହସି ତାଙ୍କ ଘରକୁ ଚାଲିଗଲା । ଦମ୍ପତିଙ୍କର ଏକାବେଳେ ଦାନ୍ତ ଭାଙ୍ଗିଯାଇଚି !

 

ପରିସ୍ଥିତି ଏମିତି ଗମ୍ଭୀର ଆଉ ଅଣାୟତ୍ତ ହେଇଆସିଲା ବେଳକୁ ପିଉସୀ ନାନୀ ଦେଉଳରୁ ଲେଉଟିଲେ । ପିଲାଗୁଡ଼ାକ ଯେମିତି ତାଙ୍କର ଆସିବାକୁ ହିଁ ଅପେକ୍ଷା କରିଥିଲେ । ମାହାର୍ଦ କଣିକାଏ ନ ହେଲେ ମାହାଳିଆ ତୁଳସୀ କେନାଏ ପାଟିରେ ପକେଇ ପାକୁଳିବା ସେମାନଙ୍କର ନିତିଦିନିଆ ଅଭ୍ୟାସ । ପିଲାଏ ପିଉସୀଙ୍କୁ ବାରଣ୍ଡାରେ ଘେରିଗଲେ । ପ୍ରିୟମ୍ବଦା ଘର ଭିତରେ ଫଁ ଫଁ ହେଉଥିଲେ; ଆଉ ରମଣୀବାବୁ ହେଙ୍ଗୁ ସୁଙ୍ଘିଲା ପରି ଲୁଙ୍ଗୁସୁଙ୍ଗୁ ହେଇ ଗମ୍ଭିରୀ ଘର ଭିତରକୁ ପଶିଗଲେ । ଶାଢ଼ିଟା ସେମିତି ମେଜିଆ ଉପରେ ଅଧେ ଆଉ ଖଟ ଉପରେ ଅଧେ ହେଇ ଅଦରକାରୀ ଜିନିଷ ଭଳି ପଡ଼ି ରହିଥିଲା । ଟିକକ ଆଗରୁ ସେ ମୋହ ଯେମିତି ତୁଟି ଯାଇଚି । ସଜ ସରାଗ ବାସୀ ବିରାଗବୋଳା ହେଇଯାଇଚି !

 

ରମଣୀବାବୁ କୁନୁମୁନୁ ହେଇ ସଫେଇ ଦେଲେ, ତାଙ୍କର କିଛି ଦୋଷ ନାହିଁ । ଠକ ଦୋକାନୀଟା ତାଙ୍କୁ ଠକିଦେଲା । ଠିକିଲେ ସିନା ଶିଖନ୍ତି ! ଯାହା ହବାର ତ ହେଇଗଲାଣି । ଯାହିତାହି ପିଲାଙ୍କୁ ଖୁଆଇ ପିଆଇ ବୋଧଶୋଧ କରି ଶୁଆଇ ପକାଅ, ସର୍କସ ଦେଖିବାକୁ ଯିବା । ପ୍ରିୟମ୍ବଦା ଏତକ ଶୁଣି ରବେଇ ଖବେଇ ହେଲେ ପଛକେ କିଛି କହିଲେନି । ମନେ ମନେ ଖାଲି ଭାବୁଥିଲେ, କୃପଣର ଦୁଇଜଣ ସରେ । ସେଇ ତ ପଇସା ଖର୍ଚ୍ଚ କରିଥିବେ, ଆଉ କିଛି ମିଶେଇ ଦେଇଥିଲେ ତ କାମ ସରିଥାନ୍ତା ଯାହାହେଉ, ସେଦିନ କେମିତି ସିଏ ରମଣୀବାବୁଙ୍କ ଅସହାୟ ମୁହଁକୁ ଦେଖି ଭଳିଗଲେ କେଜାଣି ମୁହଁ ଖୋଲି କିଛି କହିଲେନି । ଆଉ ଟେରେଲିନ୍ ଶାଢ଼ିଟିକୁ ଗୋଟେଇ ପୋଟେଇ ସଜାଡ଼ିବାକୁ ଲାଗିଲେ ସୁଧାର ମାଇପିଟିଏ ପରି । ରମଣୀବାବୁଙ୍କ ଅଥୟ ମନ ଥୟ ଧରିଲା ।

 

ସେଠୁ ଧୀରେ ସୁସ୍ଥେ ପିଲାଙ୍କର ଗୁଣ୍ଡାଚଳା କାମ ଚଳେଇ ଦିଆଗଲା । ପିଉସୀ ବିଚାରୀ ନାହିଁ ନାହିଁ ହେଇ ପିଲାଙ୍କୁ ସମ୍ଭାଳି ନେଲେ । ରାଧା, କୃଷ୍ଣ ଆଉ ଚିତା ତିନିହେଁ ଶୋଇଲେ । କିନ୍ତୁ ଆରକ ଯୋଉ ଚଇତନ, ସିଏ ଝାଙ୍କ ଛଡ଼େଇଦେଲା । କ୍ଷୀରଖିଆ ପିଲାଟା ରାହା ଧରିଲେ ବୁଝୁଚି କେତେକେ ? ମା’ କୁ ଛାଡ଼ି ସିଏ ଜମା ଦଣ୍ଡେ ରହିବାକୁ ମଙ୍ଗିଲାନି । ପିଉସୀ କୋଡ଼ରେ ପକେଇ ଆଣ୍ଠୁ ନଚେଇ ନାନାବାୟା ଗୀତ ବୋଲିଲେ । ରମଣୀବାବୁ କାନ୍ଧରେ ପକେଇ ପିଠି ଥାପୁଡ଼େଇ ଧମକ ଦେଲେ । ପ୍ରିୟମ୍ବଦା ଡାକ୍ତରାଣୀଙ୍କ ମନା କରିବା ସତ୍ତ୍ୱେ କ୍ଷୀର ଖୁଆଇଲେ । ତଥାପି ତାର କାନ୍ଦ ବନ୍ଦ ହେଲାନି । ତା’ କାନ୍ଦ ଶୁଣି କଞ୍ଚାନିଦୁଆ ଚିତା ଚେଁ ଭେଁ କଲା । ଆଉ ପିଉସୀଙ୍କ କୋଡ଼ ଦଖଲ କରି ବସିଲା । ଶେଷକୁ ସର୍କସ ବେଳ ହେଇଯାଉଥିବାରୁ ଅଗତ୍ୟା ବାଧ୍ୟହେଇ ରମଣୀବାବୁ ଚଇତନକୁ କାନ୍ଧରେ ପକାଇ ପ୍ରିୟମ୍ବଦାଙ୍କୁ ବେଶ ବାନ୍ଧିବାକୁ ବରାଦ କଲେ ।

 

ମାତ୍ର ବେଶ ବନ୍ଧା ସରୁଚି କେତେକେ ? ଚଇତନକୁ କାନ୍ଧରେ ବସାଇ ବାରଣ୍ଡା ସାରା ରମଣୀବାବୁ ପଇଁତରା କରୁଚନ୍ତି, ଆଉ ହାତଘଡ଼ିକୁ ଅନାଉଁଚନ୍ତି । ଚାହୁଁ ଚାହୁଁ ପାଞ୍ଚ ଦଶ ପନ୍ଦର ହେଇ ମିନିଟିଗୁଡ଼ାକ ପଳେଇଗଲା । ନ’ଟା ବାଜିବାକୁ ଜମା କୋଡ଼ିଏ ମିନଟ ବାକି । ଯଦି ରିକ୍‍ସା ନ ମିଳେ ତେବେ କଥା ସରିଲା ! ଚାଲିଲେ ଅଧଘଣ୍ଟେ ଆଉ ଅପେକ୍ଷା କଲେ କାହିଁ କେତେ ! ରମଣୀବାବୁ ପ୍ରିୟମ୍ବଦାଙ୍କୁ ଟିକିଏ ଜଲଦି ବେଶ ସାରି ବାହାରିବାକୁ ତାଗିଦ କରି ରିକ୍‍ସା ଡାକିବାକୁ ଦାଣ୍ଡଦୁଆରକୁ ଓହ୍ଲେଇଗଲେ । ଶୀତଦିନିଆଁ ରାତି, ଉପରୁ କାକର ପଡ଼ିବ । ଯଦି ଚଇତନକୁ ଛିଙ୍କ ଧରେ ତେବେ ଏ ଦୁଃଖକୁ ସେ ଦୁଃଖ ବଳିପଡ଼ିବ । ପିଲାଟାକୁ କାଖେଇ ଗଳିମୁଣ୍ଡ ପର୍ଯ୍ୟନ୍ତ ଗଲେ । ହେଲେ ରିକ୍‍ସାଟାଏ ନ ପାଇ ଲେଉଟିଲେ । ଏ ଭିତରେ ପାଞ୍ଚମିନିଟ ବିତିଗଲାଣି ।

 

ତଥାପି ତାଙ୍କର ଲୁଗାପଟା ପିନ୍ଧା ସରୁନି । ରମଣୀବାବୁ ଯେତିକି ବିରକ୍ତ ହେଇ ନ ଥିଲେ ତାଠୁ ଆହୁରି ଅଧିକ ଆରକ୍ତ ବିରକ୍ତ ସବୁ ହେଇଥିଲେ ସିଏ । ସବୁଦିନ ୟାଙ୍କର ମାନେ ପ୍ରିୟମ୍ବଦା କ’ଣ ତାଙ୍କ ଗୋଷ୍ଠୀର ପରମ୍ପରା ଯାହା, ତାଙ୍କୁ ଶାଢ଼ି ବାଛିବାକୁ ଡେରି ଲାଗେ । ହେଲେ ଆଜି କିମିତି ପିନ୍ଧିବେ ସେଇକଥା ଚିନ୍ତା ପଡ଼ିଚି । ଅବଶ୍ୟ ଢିଲା ଫ୍ରକ ଛାଡ଼ି ସଦ୍ୟ ଶାଢ଼ି ପିନ୍ଧିଲାବେଳକୁ ଏମିତି ଗୁପ୍‍ଚୁପିଆ ଭାବ ଯେ ନ ଆସେ ତା ନୁହେଁ, କିନ୍ତୁ ଇଏ ଆଉ ବାଗେ ଅଲଗା । ସେତେବେଳେ ଦିହ ସୁନ୍ଦରପଣରେ ଶାଢ଼ି ମନୁଥିଲା–ଏତେବେଳେ ଶାଢ଼ି ସୁନ୍ଦରପଣ ଦିହକୁ ମାନୁଛି । ସଜେଇ ହେଇ ଦାଣ୍ଡକୁ ନ ବାହାରିଲେ, ଲୋକ ପୁଣି ଅଛନ୍ତି , ନ ଥିଲାର ବୋଲି କହିଦେବେ !

 

କାହା ବେଶ କିମିତି ଭାଳି ହଉ ତାଙ୍କର ସତିଆ ନୂଆ ମାଇପ କଥା ମନେ ପଡ଼ିଲା । ପବିତ୍ରବାବୁଙ୍କ ପତ୍ନୀ ଫୁଲେଈ ସୁରବାଳାଙ୍କ ଚେହେରା ଆଖି ଆଗରେ ଦଉଡ଼ିଲା । ଶେଷକୁ ପଣ୍ଡିତଆଣୀଙ୍କ ବଡ଼ଝିଅର ଘର କରିବାଠୁ ତାରିଆ ମା ଝିଅର ସଜବାଜ ସବୁ ନଚିଲା । ଓକିଲିଆଣୀ କି ତାଙ୍କ ଝିଅ ଜୁଲି କଥା ତ ଛାଡ଼ । ସମସ୍ତେ ତାଙ୍କୁ ଯେମିତି ଏଇଲେ ଆହୁରି ସଫା ଆହୁରି ତୋରା ଚିକ୍‍କଣ ଦେଖାଯାଉଚନ୍ତି । ବୟସ ଥାଉ ନ ଥାଉ, ତାଙ୍କର ମନ କିଣିନବାର ନହୁଲି ନିଶା ଖର୍ଚ୍ଚ କରିବାର ପଇସା ସବୁ ଅଛି । ସତେ ଯେମିତି ସେମାନେ ହଳଦୀବସନ୍ତର ମହୁଆ ନିଶା ମନପ୍ରାଣ ଆବୋରି ବସିଲାବେଳକୁ କୋଇଲି ତେଣେ କଳାପଡ଼ିଗଲାଣି । ତାର ଗୀତର ମିଠା ରସ ପିଇ ପିଇ ତାକୁ ଲୋକେ ଶୋଷିପକେଇଲେଣି ପିତାସୁଣୀ ପରି ! ଲୋକଙ୍କ ଡାହାଣା ଆଖିର ଜାଳାରେ ଯିମିତି ସିଏ କଳା ପଡ଼ିଯାଇଚି । ଏସବୁ ମଧ୍ୟ ସିମିତି ତାଙ୍କର ରୂପ କଳା ପଡ଼ିଗଲାଣି । ଯାହାହେଉ, ଏଥର ଡାହାଣା ଆଖିର ଡାହାଳିଆ ନଜରରୁ ସେ ରକ୍ଷା ପାଇ ଯାଇଚନ୍ତି ।

 

ମନରେ ସିନା ଟାଣ, ହେଲେ ଖସିଲା ବୟସକୁ ଦେଖେଇଦବାର ସାହସଟା ଯିମିତି ତାଙ୍କର ନାହିଁ । ପୁଣି ଫଗୁଣ ଫେରି ଆସନ୍ତା କି ! ହଳଦୀବସନ୍ତର ପୋଷାକ ପିନ୍ଧି ଲୋକଦେଖାଣିଆ ହେଇ ଦଣ୍ଡେ ରହିପାରନ୍ତେ କି ! ଏଇଆ ଭାବି ଭାବି ସିଏ ଟେରେଲିନ୍ ଶାଢ଼ି ଖଣ୍ଡକ ପିନ୍ଧିପକେଇଲେ ସିନା, ହେଲେ ବାକି ଯାଆନ୍ତି କୁଆଡ଼େ ! ତାଙ୍କ ନିଜ ଆଖିରେ ସିଏ ନିଜେ କଳା ପଡ଼ିଗଲେ । ହଳଦୀବସନ୍ତ ହେବା ନୋହିଲା ପଛକେ ତାଙ୍କର ସେ ଶାଢ଼ି ପିନ୍ଧିବା, ଦେଖେଇହବା ଲୋଡ଼ା ନାହିଁ । ଏଇଆ ନିଦ୍ଧାର୍ଯ୍ୟ କରି ଆଉ ଅଧୈର୍ଯ୍ୟ ନ ହୋଇ ରମଣୀବାବୁଙ୍କ ଆସିବାକୁ ଅପେକ୍ଷା କରି ରହିଲେ ।

 

ତେଣେ ରମଣୀବାବୁ ରିକ୍‍ସା ନ ପାଇ ବିରସ ମନରେ ଘର ଭିତରକୁ ପଶିଆସୁଥିଲେ ପରାମର୍ଶ କରିବାକୁ । କିନ୍ତୁ ଗଳି ମୁଣ୍ଡରେ ରିକ୍‍ସାର ଘଣ୍ଟି ଟିଣ୍ ଟିଣ୍ ତାଙ୍କୁ ପୁଣି ଟାଣି ନେଇଗଲା । ସିଏ ଅତର୍ଛରେ ଦାଣ୍ଡକୁ ଦଉଡ଼ିଲେ । ତାଙ୍କ ଦଉଡ଼ାରେ ତାଙ୍କ କାନ୍ଧ ଉପରେ ଛାଇ ନିଦ ଯାଇଥିବା ଚଇତନ ଚିହିଁକି ଉଠିଲା । ତେବେ ଯାହାହେଉ ବିଚାର ରିକ୍‍ସାବାଲା ଦେବଦୂତ ପରି ସର୍କସ ବୈକୁଣ୍ଠକୁ ନେବ ବୋଲି ମଣିବିମାନ ଧରି ପହଞ୍ଚିଯାଇଚି ! ତାକୁ ଦୁଆର ମୁହଁରେ ଛିଡ଼ା କରେଇ ସିଏ ଘର ଭିତରକୁ ଅନେଁଇଲାବେଳକୁ ପ୍ରିୟମ୍ବଦା ଗଳା ଖଙ୍କାରି ଜଣେଇଦେଲେ ଯେ ତାଙ୍କର ଆହୁରି ବେଶ ସରିନି । ଏଥର ପ୍ରକୃତରେ ରମଣୀବାବୁ ବିରକ୍ତ ହେଇ ଛିଞ୍ଚାଡ଼ିଲା ପରି କହିଲେ :

 

“କିଓ, ତମେ ଶାଢ଼ି ପିନ୍ଧୁଚ ନା ତମକୁ ଶାଢ଼ି ପିନ୍ଧୁଚି ହୋ ?”

 

“ଆଉ କ’ଣ ଏବେ କହୁଚ ଯେ... ?”

 

“ଏକେ ତ ଡେରି ହେଲାଣି, ପଛରେ ବସିବ; ଆଉ ଯାଉ ଯାଉ ଅଧେ ଖେଳ ସରିଥିବ–ବାଃ, ଭଲ ସର୍କସ ଦେଖା ହବ ।”

 

“ତମେ ଏ ଯାଏଁ ଚଇତନକୁ ଶୁଆଇନ ?”

 

“ଆରେ ସିଏ ଯିବଟି, ଆଉ ଶୁଆଇବି କ’ଣ ?”

 

ଦାଣ୍ଡଦୁଆରେ ରିକ୍‍ସାବାଲା ଘଣ୍ଟି ଟିଣ ଟିଣ କରି ତାଗିଦ କରିଦେଲା ଡେରି ନ କରିବାକୁ । ରମଣୀବାବୁ ଦାନ୍ତ କଡ଼ମଡ଼ କଲେ । ଆଉ ପ୍ରିୟମ୍ବଦା ଫଡ଼ ଫଡ଼ କରି ଦରପିନ୍ଧା ଟେରେଲିନ୍ ଶାଢ଼ିଟାକୁ ଫିଟେଇ ପକେଇଲେ ।

 

“କିଓ, ଇଏ କଣ ହଉଚି ?”

 

“ଆଉ ଗୋଟେ ପିନ୍ଧିବି ।”

 

“ମାନେ !”

 

“ୟାକୁ ପିନ୍ଧି ମୁଁ ଯାଇପାରିବିନି ।”

 

ତେବେ କଣ ଇଏ ଚୁଲିକି ଯିବ ?”

 

“ଯାଉ ।”

 

ଏଥର ଆଉ ପ୍ରିୟମ୍ବଦା ଯାଆନ୍ତି କୁଆଡ଼େ ? ରମଣୀବାବୁଙ୍କର ପିତ୍ତ ପ୍ରମତ୍ତ ହେଇଉଠିଲା । ସିଏ ଆଗପଛ କିଛି ନ ବିଚାରି ଏକହାତିଆ କରି ଶାଢ଼ିଟାକୁ ଭିଡ଼ିଆଣିଲେ । ମୁଣ୍ଡଳାଟିଏ କରି ଅଗଣାକୁ ଫିଙ୍ଗିଦେଲେ । ଅନ୍ତର୍ବାସ ପିନ୍ଧା ପ୍ରିୟମ୍ବଦାଙ୍କ ଅନ୍ତର୍ଦାହ ହେଲା । ସିଏ ବି ଆଉ ସମ୍ଭାଳି ପାରିଲେନି । ସବୁ ପଛକଥା ଆଉ ସାଇତିଲା ଅକଲ ଇଲମକୁ ଭୁଲି ସର୍କସ ଆରମ୍ଭ କଲେ । ଯନ୍ତା ଭିତରର କୋରଡ଼ାଖିଆ ବାଘୁଣୀ ପରି ଗର୍ଜି ଉଠିଲେ—

 

“ଓଃ, ଯୋଉ ଶାଢ଼ି ତ ଆଣିଚ, ଛାଡ଼ ! ନକଲିଟାଏ ଆଣି ଟିକଲ କରିବା କଥା ।”

 

“କଣ କହିଲ ?”

 

“କହିଲି ଆଉ କଣ, ଶାଢ଼ି ସାଙ୍ଗକୁ ସାଜିଲା ପରି ବ୍ଲାଉଜ ଖଣ୍ଡେ ନାହିଁ କି ଦିହରେ ପକେଇବାକୁ ଶୀତଚଦର ବକଟେ ନାହିଁ—ଖାଲି ୟାକୁ ପିନ୍ଧିପକେଇଲେ ଜୀଅନ୍ତାରେ ସ୍ଵର୍ଗକୁ ପଳେଇବି !”

 

“ନଇଲେ ବାକି ମୋର ସବୁ ଅଛି !”

 

“ତମର ନ ଥିଲେ କିଣୁନ, କିଏ ମନା କରୁଚି ?”

 

ଏମିତି ହେଇ ସତକୁ ସତ ଘର ଭିତରେ ସର୍କସ ଆରମ୍ଭ ହେଇଗଲା । ଇଏ ମାଙ୍କଡ଼ ପରି ଖିଙ୍କାରି ହେଲେ, ସିଏ ମାଈ ଭାଲୁ ପରି ମିଶି ଆସିଲେ । ଦୁହେଁ ଦୁହିଁକୁ ବଳି ସର୍କସ ଜୋକରେ ପରି ଡେଇଁଲେ । ରିକ୍‍ସାବାଲା କନ୍‍ସଟ ପରି ଘଣ୍ଟି ବଜାଇଲା । ଖେଳର ପରିବର୍ତ୍ତନ ହଉଚି ! ୟାଙ୍କର ପାଟି ଶୁଣି ପିଉସୀ ଆରଘରୁ ଉଠିଆସିଲେ କାଳେ କଣ ପୁଣି ଅଘଟଣ ଘଟିଯିବ କି ! ସେବର ପିଉସୀ ଏବକୁ ପୂରାପୂରି ବଦଳିଗଲେଣି । କେତେ କଷ୍ଟରେ ଭାଙ୍ଗିଲା ମନ ପୁଣି ଯୋଡ଼ି ହେଇଚି ! ବୁଢ଼ୀ ମନ ଯୋଡ଼ିବାକୁ ଘର ଭିତରେ ପଶିଲେ । ପ୍ରିୟମ୍ବଦା ତାଙ୍କର ଦିହମୁଣ୍ଡ ତରବରରେ ଘୋଡ଼େଇ ହେଇ ପଡ଼ିଲେ, ଆଉ ରମଣୀବାବୁ ରିକ୍‍ସାବାଲାକୁ ବିଦା କରିବାକୁ ଚଇତନକୁ ପିଉସୀଙ୍କୁ ବଢ଼େଇଦେଇ ଦାଣ୍ଡକୁ ବାହାରିଗଲେ ।

 

ପ୍ରିୟମ୍ବଦା ସଁ ସଁ ହେଇ ଯିମିତି ଯନ୍ତାରେ ପଶିଗଲେ ରମଣୀବାବୁ ସିମିତି ରିକ୍‍ସାବାଲା ସାଙ୍ଗରେ ରିଙ୍ଗ୍‍ମାଷ୍ଟର ପରି ପାଟିତୁଣ୍ଡ କରୁଥିଲେ । ହେଲେ ପିତେଈ ନାନୀ କିମିତି ଆଉ ଜାତିଏ ବାସନା ସୁଙ୍ଘୁଥିଲେ ।

 

“ଇରେ, ଇଏ କନା ପୋଡ଼ା ବାସନା ଆଉଚି କୋଉଠୁ ?”

 

ପ୍ରିୟମ୍ବଦା ଚମକିପଡ଼ି ଅଗଣାକୁ ଦଉଡ଼ିଗଲେ । ତାଙ୍କ ଦଉଡ଼ା ଦେଖି ରମଣୀବାବୁ ରିକ୍‍ସାବାଲାକୁ ପଇସା ଗଣି ଜିତାପଟ ମାରି ବୀରଦର୍ପରେ ଆସୁଥିଲାବେଳେ ଅଟକିଗଲେ । ସେତେବେଳକୁ ପ୍ରିୟମ୍ବଦା ଅଗଣା ନଳାମୁହଁରୁ ଟେରେଲିନ ଶାଢ଼ିଟାକୁ ଉଠେଇ ଆଣୁଥିଲେ । ସକାଳୁ ବାସନ ମଜାହେବ ବୋଲି ଯେଉଁ ଝୁଲ ପାଉଁଶ ଭଙ୍ଗା କରେଇରେ ରଖା ହେଇଥିଲା, ତା’ର ଉପରେ ନୂଆ ଶାଢ଼ିଟା ପଡ଼ିଯାଇଥିଲା; ଆଉ ଅଗ୍ନିଦେବତା ପେଟପୂରା ନ ହେଲେ ବି ପୁଳାଏ ଦି ପୁଳା ଚାଖି ଦେଇଥିଲେ । ତାଙ୍କ ମୁହଁରେ ଏଉଡ଼ିଟା ଯିମିତି ବାସନା ହେଇ ଏମାନଙ୍କ ପାଖରେ ପହଞ୍ଚି ଯାଇଥିଲା !

 

ଚକୁଆ ଚକୋଈ ପରି ଦିହେଁ ଦିହିଁଙ୍କ ମୁହଁକୁ ଚାହୁଁଥିଲେ । ପିଉସୀ ଏତେଦିନକେ ପକ୍‍କା ମୁରବୀଗିରୀ ଦେଖେଇବାକୁ ସୁଯୋଗଟାଏ ଯେତେବେଳେ ପାଇଚନ୍ତି ଆଉ ଛାଡ଼ନ୍ତି କେତେକ ? ଚଇତନକୁ ଶେଯ ଉପରେ ଶୁଆଉ ଶୁଆଉ ସାନ ପିଲାମାନଙ୍କୁ ଆକଟିଲା ପରି ବୁଝେଇ ବସିଲେ :

 

“ଛିଃ ଛିଃ...ଆସି ପୁଞ୍ଜେ ପାଞ୍ଚୁଟା ପିଲାର ବାପା ମା ହେଲଣି, ତମର ଟିକିଏ ବୋଲି ଅକଲ ଆସୁନି ! କୁକୁର ବିଲେଇ ଖେଣ୍ଟାଖେଣ୍ଟି ଲଗେଇଲା ପରି ଦିନ ନାଇଁ ରାତି ନାଇଁ ସବୁବେଳେ ଲଗେଇଚ ! ଟିକିଏ ବୁଦ୍ଧିବିଚାର କିଛି ନାଇଁ ! ଶାଢ଼ି ତ କିଣିଲ ପିନ୍ଧିଲନି, ପୋଡ଼ି ପକେଇଲ କାହିଁକି ? ସେତକ ପେଟକୁ ଖାଇଥିଲେ କି ବାମ୍‍ହୁଣ ବଇଷମଙ୍କୁ ଖୁଆଇଥିଲେ ହେଲେ କଇଲାଣ ହେଇ ନ ଥାନ୍ତା ? ହଉରେ ବାବା, ତମେ ତମର ବୁଝାବୁଝି ହୁଅ, ମୋର କ’ଣ ଅଛି ? କହିଲେ କହିବ, ଇଏ ଗୋଟାଏ ଉଡ଼ିଆଇଲା କୁଆଡ଼ୁ ଆମକୁ କହିବାକୁ—କିନ୍ତୁ ମୁଁ ମରିଯାଏଁ ପଛକେ, ମନେ ରଖିଥା, “ଯାହା ଘରେ ନାହିଁ ବୁଢୀ, ତାହା ଘର ଗଲା ଉଡ଼ି ।”

 

ପିଉସୀ ୟାଙ୍କର ସଫେଇ ନ ଶୁଣିଲା ପରି ତମତମ ହେଇ ପୋଡ଼ିଯାଇଥିବା ଶାଢ଼ିଟାକୁ ତନଖି କରୁଥିଲେ । ରମଣୀବାବୁ ଦିହରୁ ଜାମାପତ୍ର କାଢ଼ି ଖଟ ଉପରେ ଶୋଇ ଶୋଇ ଭାବୁଥିଲେ, କି ନ ହେଲା ! ତୁଚ୍ଛାଟାରେ ଟଙ୍କା ତେତିଶିଟା ଚୁଲିକି ପଳେଇଲା ! ହାଣ୍ଡିକି ଯାଇଥାନ୍ତା ଭଲା ! ଏ ମଲାମାଇଲା କାଳରେ ଭିକ ମାଗିଲେ ବି ନୂଆ ପଇସାଟିଏ ମିଳୁନି; ସେଥିରେ ପୁଣି ଏତେ ହୀନଅବସ୍ଥା ହବାକୁ ଥିଲା !

 

ପ୍ରିୟମ୍ବଦା ସିମିତି ଭାବୁଥିଲେ, ଏ ରାଗ କେଡ଼େ ବ୍ରାହ୍ମଚଣ୍ଡାଳ ନୁହେଁ ସତେ ! କଥା ଟିକିଏ ବେୟାଡ଼ା ଧରିଗଲେ ବାଗ ଅବାଗ ହେଇଯାଉଚି ! କେତେ ସରାଗରେ ସିଏ ଶାଢ଼ିଖଣ୍ଡକ ନ ଆଣିଥିଲେ ! ଟିକିଏ ବାଗେଇ କରି ନ ପିନ୍ଧିବା କଥା କହିଥିଲେ ତ ହେଇଥାନ୍ତା । ଏତକ କୀର୍ତ୍ତି କରି ରିକ୍‍ସାବାଲାକୁ ଜୋରିମାନା ଦବାକୁ ପଡ଼ି ନ ଥାନ୍ତା ।

 

ଏମିତି ହେଇ ହେଇ ଦିହେଁ ଦିହିଁଙ୍କ କଥା ମନେ ମନେ ତଉଲ କରୁଥିଲେ । ରମଣୀବାବୁ ମରଦଙ୍କର ରାଗ, କ୍ଷଣକୋପୀ ହବାଟାକୁ ଯିମିତି ବାଛି ଆସୁଥିଲେ, ପ୍ରିୟମ୍ବଦା ସିମିତି ପ୍ରିୟ କଥା ନ କହି ଅପ୍ରିୟବଚନା ହେଇପଡ଼ିଥିବାରୁ ମୋଟ ହେଲା ବୟସରେ ମଧ୍ୟଜକୁ କିମିତି ଛୋଟ ମନେ କରୁଥିଲେ ।

 

ପ୍ରକୃତରେ କଥାଟା ମଧ୍ୟ ସେଇଆ । କେହି କିଛି ଗୋଟାଏ ଅଘଟଣା କିମ୍ବା ସାମୟିକ ବନାବନି ପଡ଼ିଯିବାଟାକୁ ପସନ୍ଦ କରୁ ନ ଥିଲେ । ତଥାପି କିମିତି ଯେ ଏ ସବୁ ହୋଇଗଲା କୋଉ ଲହସରେ କେହି ବୁଝିପାରୁ ନ ଥିଲେ । କାହାରି ମୁହଁରେ କଥା ନ ଥିଲା କି ଦିହରେ ଶିହରଣ ନ ଥିଲା । ଗୋଟାଏ ଫଟା ଦଦରା ଢୋଲ ପରି ଦିହ ମନ ସବୁ ଖାଲି ଖାଲି ଲାଗୁଥିଲା । ମନ ମାନିଗଲା, ତାନମାନ ତଣ୍ଟି ପାଖରେ ଖଲ ଖଲ ହଉଥିଲା । କେହି କାହା ଉପରେ ଦୋଷ ଲଦିପାରୁ ନ ଥିଲେ । ଏମିତି ପାଦେ ଦି’ପାଦ ପାଖକୁ ପାଖ ଲାଗି ଆସୁ ଆସୁ କେତେବେଳେ ଯେ ପ୍ରିୟମ୍ବଦା ରମଣୀବାବୁଙ୍କ ଚିତ୍ ହେଲା ଛାତି ଉପରେ ଲୋଟିପଡ଼ିଲେ, ସେ କଥା କେହି ଜାଣିପାରିଲେ ନାହିଁ । ରମଣୀବାବୁ ମଧ୍ୟ ପ୍ରିୟତମାର ଆଲୁରା ବାଲୁରା ଛତା ବେଣ୍ଟିଆ ଚଟି ପୁଳାକ ସଜାଡ଼ି ପକେଇଲେ । ପୁଷି ବିଲେଇ ପରି କୋଡ଼ରେ ପଶି ପ୍ରିୟମ୍ବଦା ଘୁଡ଼ୁରୁ ଘୁଡ଼ୁରୁ ହେଉଥିଲେ । ଘଡ଼ିକି ଆଗରୁ ମାତି ଉଠିଥିବା ମନ କତିକି କାଟି ଫେରି ଆସୁଥିଲା । ଦାଣ୍ଡେ ଘଡ଼ିଏ କେହି କିଛି କାହାରିକୁ କହିପାରିଲେନି । ଦିହ ମୁହଁ ଲୁହ କୋହ ଏକାଠି କରି ଦିହେଁ ଦିହିଁଙ୍କୁ ଭଲ ଭାବରେ ପୁଣିଥରେ ବୁଝିବାକୁ ଚେଷ୍ଟା କରୁ କରୁ ମନକଥାଗୁଡ଼ାକ ମନକୁ ମନ କହି ହୋଇଗଲା :

 

“ମୋ ଉପରେ ତମେ ରାଗିଚ ?”

 

“ଉଁ ହୁଁ...”

 

ପ୍ରିୟମ୍ବଦାଙ୍କ ଚିବୁକ ଚିମୁଟି ରମଣୀବାବୁ ନାଇଁ ନାଇଁ ହେଲେ । ଆଉ ସିଏ ତାଙ୍କ ହାତ ପାପୁଲି ନିଜ ହାତରେ ଟାଣିଆଣି ଆଖି ପତାରେ, ଚାଲ ଉପରେ, କପାଳ ତଳେ ଘଷୁ ଘଷୁ ଆନନ୍ଦରେ ଆତ୍ମହରା ହେଇ ଉଠୁଥିଲେ । ଶେଷକୁ କାହା ଗୁମର କାହା ପାଖରେ ଅଛପା ରହିଲାନି-। ପ୍ରିୟମ୍ବଦା କହିଲେ ଯେ ସତକୁ ସତ ତାଙ୍କର ଶାଢ଼ି ପିନ୍ଧିବାକୁ ଭାରି ମନ ଥିଲା, କିନ୍ତୁ ତାର ପତଳା ଦିହ ଭିତରେ ୟାଙ୍କ ମହତ ଘୋଡ଼େଇ ନ ହେଇ ପାରିବା ଯୋଗୁଁ ସିଏ ତାକୁ ଦାଣ୍ଡକୁପିନ୍ଧି ଯିବାକୁ ଡରିଲେ । ତା ଛଡ଼ା ସର୍କସର ତୋଫା ଆଲୁଅ ଭିତରେ ଚଇତନକୁ ନେଇ କ୍ଷୀର ନ ଖୁଆଇ ବସିବାଟା ଆହୁରି ଅସମ୍ଭବ କଥା । ଶେଷକୁ ଶାଢ଼ିକି ଚାହିଁ ବ୍ଲାଉଜଟିଏ ମଧ୍ୟ ନାହିଁ-। ଭେଲଭେଟ କି ଆଉ କିଛି ମୋଟା ସୋଟା ସୁନ୍ଦରିଆ ବ୍ଲାଉଜଟିଏ ଅବା ଥାଆନ୍ତା ! ନାହିଁ ଯଦି ତାକୁ ପିନ୍ଧି ଶୀତ ଚଦର କି ସ୍କାର୍ଫଟିଏ ଉପରାଣକୁ ଥାଆନ୍ତା, ତେବେ ନିଶ୍ଚୟ ସିଏ ପିନ୍ଧିଥାନ୍ତେ-। ସବୁଆଡ଼ୁ ହତାଶ ହେଇ ଲାଜ ଅପମାନ ସବୁଥିରେ ସିଏ ଜର ଜର ହେଇ ଶାଢ଼ିଟିକୁ ପିନ୍ଧି ପାରିଲେନି ।

 

ରମଣୀବାବୁ ମଧ୍ୟ କହିଲେ, ସେଇଟା କେବଳ ତାଙ୍କ ଦୋଷ ନୁହେଁ । ସେଥିରେ ୟାଙ୍କର ମଧ୍ୟ କିଛି ମିଶିଚି । ଭଲ ହେଲା, ଯାଇଚି । ତମ କଥାକୁ ମୋ କାମ ସମାନ ହେଇଗଲା । କାହାରି ଦୋଷ ନୁହେଁ କି କାହାରି ଭୁଲ ନୁହେଁ । ପଚାଶ ଷାଠିଏ ଦେଇ ଭଲ ଟେରେଲିନ୍ ଶାଢ଼ିଟିଏ ନ ଆଣି ଠାକୁରାଣୀଙ୍କୁ ଖତେଇ ହେଇ ଖଣ୍ଡୁଆ ଦେଲା ପରି ଜାଲିଜାଲିଆ ଶାଢ଼ିଟା ଆଣିବା ତାଙ୍କର ଭୁଲ ହେଇଚି । ଯାହା ନ ହେଇ ପାରିବା କଥା ତାକୁ ନାହିଁ ବୋଲି ନ କହି ଆଣିବା ଆଣିବା ବୋଲି ମନଧରା କଥା କହିବା ମଧ୍ୟ ସିମିତି ତାଙ୍କ ଦୋଷ । ଏତେ ଶ୍ରମ କଲା କାଞ୍ଚନାକୁ କଞ୍ଚି ପକେଇ ସଞ୍ଚିଲେ ସିନା ହବ, ବିଅର୍ଥରେ ବିଞ୍ଚି ପକେଇଲେ କି ଲାଭ ! କନାକୁ ଦେଖି ସିନା କଇଁଚି ଚଳେଇବାଟା ବାହାଦୁରି !!

 

ଏତେବେଳକେ ପ୍ରିୟମ୍ବଦା ସତକୁ ସତ ମୁରୁକେଇ ହସିଲେ । ତାଙ୍କ ଓଠରୁ ହସମୁକୁତା ବିଞ୍ଚି ହେଇଗଲା, ଲୁହମୁକୁତା ଲୁଚି ଯାଇଥିଲା । ରମଣୀବାବୁ ମଧ୍ୟ ହସରେ ହସ ମିଶେଇ ଦହକେଇ ହେଲେ । ସେଇ ବାର କନିଆଁ ଦିନର ହସିଲା ରସିଲା ମନ ମଉଜିଆ କଥା ଆଜି ପୁଣି ଏକାଠି ଦିହିଁଙ୍କର ମନେ ପଡ଼ିଗଲା । ରମଣୀବାବୁ କଥା ଆରମ୍ଭ କଲେ :

 

“ସେତେବେଳେ ହେଲେ ଏଇ କଞ୍ଚି କଇଁଚି ନାଁ ଦି’ଟା ଦେଇଥାନ୍ତେ ! ଏତେବେଳେକୁ ଆମ କର୍ତ୍ତବ୍ୟ ଆମକୁ ଠିକ ମନେ ପଡ଼ିଯାଉଥାନ୍ତା !!”

 

“କଣ ହେଲା ସେଠୁ ? ରାଧାକୃଷ୍ଣ, ଚିତାଚଇତନ ତ ହେଲେଣି, ଏଥର କୀର୍ତ୍ତନ କରିବା-।”

 

“ହଉ ଏବେ ତମର କଥା ହେଲା , ବୟସ ଖସିଲାବେଳକୁ ଧାନରେ କଞ୍ଚି ପକେଇ ମନରେ କଇଁଚି ଲଗେଇ ସଞ୍ଚିବା ।”

 

“ତମ ମୁହଁରୁ ଦିଶୁଚି ।”

 

“ଆରେ...”

 

“ଆରେ କଣମ ? ହେଇ ଶୁଣ, ମୋର କିନ୍ତୁ ଗୋଟାଏ କଥା ମନକୁ ଆସୁଚି ।”

 

“କଣ ?”

 

“ମାନେ, ଯଦି ସବୁ ମାଇପଯାକ ମୂକ ଆଉ ସବୁ ଘଇତାଯାକ ବଧିର ହେଇଯାଆନ୍ତେ ତେବେ ଭାରି ଭଲ ହୁଅନ୍ତା !”

 

“ହଉ, କାଇଁକିନା ଇଏ ସୁନ୍ଦର ଜିନିଷ ଦେଖି ଲୋଭେଇ ଗଲେ ବି କିଛି କହି ପାରନ୍ତେନି, କି ସିଏ ତାଙ୍କ କଟକଟ ଶୁଣି ରାଗିମାଗି ନିଆଁ ବାଣ ହେଇ ଜଳେଇ ପକାନ୍ତେନି ।”

 

“ଆଉ ସେ ନିଆଁକୁ ତମେ ତମ ଲୁହରେ ଲିଭେଇ ଦିଅନ୍ତ ।”

 

“ସତେ !”

 

“ହଉ, ଯାହା ତ ହବାର ହେଲାଣି—ଏଥର ଟିକିଏ ହଉ !”

 

“କଣ ?”

 

“ଆଉ ଟିକିଏ ହସ !”

 

“ହୁଁ...”

 

ଏଇ ଟିକିଏ ଲାଜ ଜରଜର ଦରହସା ଭିତରେ ସତେ ଯିମିତି ଦୁଇଟି ମନ, ଦୁଇଟି ଦେହ ଗୋଟିଏ ଆତ୍ମାଭିତରେ ଏକାତ୍ମ୍ୟ ଅନୁଭବ କରୁଚନ୍ତି, ତା ସାଙ୍ଗରେ ମୂକ ବଧିର ବିଦ୍ୟାକୁ ଆୟତ୍ତ କରି ଆଣୁଚନ୍ତି !

Image